Unknown

 

 

 

 

 

 

 

 

 

 

 

ଶିକାର ଗପ

କୃପାସିନ୍ଧୁ ବିଶ୍ଵାଳ

 

 

 

 

 

 

 

 

 

 

 

ବାପା ବୋଉଙ୍କୁ ସମର୍ପଣ କଲି ।

 

କୃପାସିନ୍ଧୁ

 

ସୂଚୀପତ୍ର

 

୧.

ହାତୀ ଉପରେ ବାଘ ଶିକାର

୨.

ସେ ବାଘ ରୋଡ଼େସିଆର

୩.

ବନ୍ଦ ଝରକା

୪.

ଶିବାଲକର ନରଖାଦକ

୫.

ଯମରାଜଙ୍କ ବାହନ ସଙ୍ଗେ ଯୁଦ୍ଧ

୬.

ଗଣ୍ଡା ଶିକାର

୭.

ମଗର ଶିକାର

୮.

ବାଘ ବନାମ କୁମ୍ଭୀର

୯.

ନବାବ ଆସଫଉଦ୍ଦୌଲାଙ୍କ ଶିକାର ଯାତ୍ରା

୧୦.

ଅଦୃଶ୍ୟଙ୍କ ସଙ୍ଗେ ରାତିଟିଏ

୧୧.

ମହୀଶୂରର ଜଙ୍ଗଲରେ

୧୨.

ବାଘ ଖୋଲରେ ଦିନେ

୧୩.

ଚିତା ମୋର ଗୁରୁ

୧୪.

ଜଙ୍ଗଲ ଭିତରେ ସ୍ୱାଧୀନତା ଆନ୍ଦୋଳନ

୧୫.

ମହାରାଜାଙ୍କ ପରିବାର

୧୬.

ନରଭକ୍ଷୀ ହେଟା ଶିକାର

୧୭.

ନସ୍ତରବାଲାର ନରଭକ୍ଷୀ

୧୮.

ଚିତାଦ୍ୱାରା ଶିକାର

୧୯.

ମୃତ୍ୟୁ ଦୂତ

୨୦.

ନରଭକ୍ଷୀ ବାଘ ଓ ହତ୍ୟାକାରୀ ବୁଦା

୨୧.

ବାଘ କୁକୁର ଲଢ଼େଇ

✽✽✽

 

ହାତୀ ଉପରେ ବାଘ ଶିକାର

 

ମିର୍ଜା ଅବ୍‌ଦୁଲ ହକିମୁଦ୍ଦିନ ଜଣେ ଖ୍ୟାତନାମା ଶିକାରୀ । ତାଙ୍କ ଜୀବନ କାଳ ମଧ୍ୟରେ ଏକୋଇଶିଟି ବାଘ, ଚାରୋଟି ଭାଲୁ, ଗୋଟିଏ ମଣିଷଖିଆ ବାଘ, ଏବଂ ପଞ୍ଚଷଠିଟି ଚିତାବାଘ ଶିକାର କରିଥିଲେ । କିନ୍ତୁ ଯେତେ ହଇରାଣ ଏହି ବାଘଟି କରିଛି ଅନ୍ୟ କେଉଁ ବାଘ ତାଙ୍କୁ ଏତେ ହଇରାଣରେ ପକାଇ ନ ଥିଲେ । ୧୯୨୧ ମସିହା ମାର୍ଚ୍ଚ ମାସରେ ସେ ଖିରି ଫରେଷ୍ଟ ଡିଭିଜନରୁ ପିଲିଭିତ ଡିଭିଜନର ତରାଇ ରେଞ୍ଜକୁ ଗଲେ । ସେ ତାଙ୍କ ଅଫିସରଙ୍କଠାରୁ ବୁଢ଼ୀ ହାତୀଟିକୁ ମାଗି ନେଇଥିଲେ । ତରାଇ ରେଞ୍ଜ ବଙ୍ଗଳାରେ ପହଞ୍ଚି ଦେଖିଲେ ଯେ ପିଲିଭିତରେ ନବାବ ସାହବେ ଶିକାର ଉଦ୍ଦେଶ୍ୟରେ ଆସି ବଙ୍ଗଳାରେ ରହିଛନ୍ତି । ମିର୍ଜା ଅବ୍‌ଦୁଲ ହକିମୁଦ୍ଦିନଙ୍କ ପାଇଁ ଗୋଟିଏ ବଖରା ଘର ଖାଲି ପଡ଼ିଥାଏ । ନବାବ ସାହେବ ଚାରା ହେବା ପାଇଁ ଚାରୋଟି ମଇଁଷି ଛୁଆ ଆଣିଥାନ୍ତି । ଚାରୋଟି ମଇଁଷି ମଲେ, କିନ୍ତୁ ବାଘ ମଲେନି । ହକିମୁଦ୍ଦିନନଙ୍କର ମଧ୍ୟ ଦୁଇଟି ମଇଁଷି ଛୁଆ ଥିଲେ । ନବାବଙ୍କର ଶିକାରୀମାନେ ତା’ ମଧ୍ୟରୁ ଗୋଟିଏ ନେଇ ଚେଷ୍ଟା କଲେ, କିନ୍ତୁ ସବୁଥିରେ ବିଫଳ ହେଲେ । ନବାବଙ୍କ ପୁରୁଣାକାଳିଆ ବୁଢ଼ା ଭିଣୋଇ ମଧ୍ୟ ସେମାନଙ୍କ ସାଙ୍ଗରେ ଆସିଥିଲେ । ସମସ୍ତେ ତାଙ୍କୁ ବଡ଼ମିଆଁ, ବଡ଼ମିଆଁ ବୋଲି ଡାକନ୍ତି । ନବାବ ବଡ଼ମିଆଁ ପ୍ରାୟ ଶିକାରକୁ ଯାଆନ୍ତି ନାହିଁ । ସମୟ ମିଳିଲେ ଆସି ହକିମୁଦ୍ଦିନଙ୍କ ପାଖେ ବସନ୍ତି । ଦିନେ ମୁହଁ ସଞ୍ଜବେଳେ ସେ ଆସି ହକିମୁଦ୍ଦିନଙ୍କ ପାଖେ ବସିଥାନ୍ତି, ତାଙ୍କର ଆସିଷ୍ଟାଣ୍ଟ ମି: ପାଙ୍ଗତି ପ୍ରସ୍ତାବ କଲେ ଯେ ପାଞ୍ଚଦିନ ହେଲା ଡାଲି ଆଳୁ ଖାଇ ଖାଇ ଅରୁଚି ଲାଗିଲାଣି, ଚାଲନ୍ତୁ କୁକୁଡ଼ା ମାରି ଆଣିବା । ବଡ଼ମିଆଁ ସାହେବ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରି କହିଲେ, ବୁଢ଼ୀହାତୀ ମଗାନ୍ତୁ, ଚାଲନ୍ତୁ ଟିକେ ବୁଲି ଆସିବା, କେତେ ଦିନ ହେଲା ବସି ବସି ଖରାପ ଲାଗୁଛି ।

 

ସେ ମାସଟି ‘ରମଜାନ’ ମାସ ଥିଲା । ହକିମୁଦ୍ଦିନ ମଧ୍ୟ ରୋଜା ରଖୁଥିଲେ । ବର୍ତ୍ତମାନ କାର୍ଯ୍ୟରୁ ଫେରି ଧୁଆଧୋଇ ହୋଇ ବାରଣ୍ଡାରେ ବସିଥିଲେ ସୂର୍ଯ୍ୟ କେତେବେଳକୁ ବୁଡ଼ିବେ, ସେଇଆକୁ ଅପେକ୍ଷା କରି ରୋଜା ଖୋଲିବାକୁ । ତେଣୁ ତାଙ୍କ ମନ କୁଆଡ଼େ ହେଲେ ଯିବାପାଇଁ ଡାକୁ ନ ଥିଲା । ଏହି ସମୟରେ କୁକୁଡ଼ାଙ୍କ ଡାକ ଶୁଭିଲା ଓ ଦୂରରୁ ଚିତଳ ମଧ୍ୟ ବୋବେଇଲା । ଏଣୁ ହକିମୁଦ୍ଦିନଙ୍କର ମନ ଆଉ ସମ୍ଭାଳିଲା ନାହିଁ । ଅଡ଼ର୍ଲିକୁ ହାତୀ ଆଣିବାକୁ କହିଲେ । ଗୋଟିଏ ସପ୍ତାହ ବେକାରରେ ବସିଥିବାରୁ ମାହୁନ୍ତ ପାଖ ଗାଁକୁ ଚାଲିଯାଇଥିଲା । ତା’ର ପୁଅ ପନ୍ଦର ଷୋ’ଳ ବର୍ଷର ହେବ । ବୁଢ଼ୀ ହାତୀ ଉପରେ ଓଲଟା ସିଧା ଗଦି ପକାଇ ଆଣିଲା । ହକିମୁଦ୍ଦିନ ହାତୀଉପରେ ତାଙ୍କର ବିଶ୍ୱାସୀ ୩୬୬ ବୋର ବନ୍ଧୁକ ଧରି ବସିଲେ । ତାଙ୍କ ପଛରେ ମିଷ୍ଟର ପାଙ୍ଗତି ତାଙ୍କ ବାପ ଅମଳର ୧୨ ବୋର ବନ୍ଧୁକ ଓ ଶେଷରେ ବଡ଼ମିଆଁ ସାହେବ ବସିଲେ । ଅଡ଼ର୍ଲିକୁ ସାଙ୍ଗରେ ନେଲେ ନାହିଁ, କାରଣ ବୁଢ଼ୀ ହାତୀ ଉପରେ ବହୁତ ବୋଝ ହୋଇଯିବ ବୋଲି ।

 

କିଛିଦୂର ଯିବାପରେ ମୟୂର ଓ କୁକୁଡ଼ା ବୋବାଇଲେ । କିନ୍ତୁ ସେମାନେ ହାତୀଠାରୁ ଦୂରରେ ଥିଲେ । ଏତିକିବେଳେ ନେପାଳ ସୀମାରେ ଥିବା ଜଙ୍ଗଲରେ ଚିତଳ ବୋବାଇଲା । ବଡ଼ମିଆଁ ସାହେବ କହିଲେ, ମୟୂର ଓ କୁକୁଡ଼ାକୁ ଛାଡ଼ିଦିଅନ୍ତୁ, ଗୋଟିଏ ଚିତଳ ମାରନ୍ତୁ ଯାହାଦ୍ଵାରା ସାରା କ୍ୟାମ୍ପର ଭଲ ହେବ । ହାତୀର ଦିଗ ଚିତଳ ଦିଗକୁ କରାଗଲା । ସେଠାରେ ପହଞ୍ଚିବା ପରେ ହକିମୁଦ୍ଦିନ କହିଲେ, ଏ ଚିତଳଟି ଛୋଟ ଅଛି । ସରକାରଙ୍କ ନିୟମ ଅନୁସାରେ ବତିଶିରୁ କମ୍ ଶିଙ୍ଗ ବାଲା ଚିତଳ ମାରିବା ମନା ଅଟେ । ଯେମିତି ଆମକୁ ଚିତଳ ଦେଖିକରି ଚାଲିଯାଇଛି ସେଇମାତ୍ରେ ଗୋଟିଏ ସମ୍ବର ରଡ଼ିଛାଡ଼ିଲା । ସମ୍ବରର ରଡ଼ିରୁ ଜାଣିପାରିଲେ ଯେ ସେଇଟି ଗୋଟିଏ ପୋଖତ ସମ୍ବର । ସମ୍ବର ଆଡ଼କୁ ହାତୀକୁ ଚଳାଇଲେ । ସିଆଡ଼କୁ ଭୀଷଣ ଘଞ୍ଚ ଜଙ୍ଗଲ ଥିଲା । ବଡ଼ ବଡ଼ ଗଛ ଓ ବେତକଣ୍ଟାବୁଦାଦ୍ଵାରା ସେ ଜାଗା ଭର୍ତ୍ତି ହୋଇଥିଲା; ତେଣୁ ସେବାଟେ ଯିବା ଆସିବା କରିବାକୁ ଅତି ଅସୁବିଧା ହେଉଥିଲା । କିଛି ବାଟ ଯିବାପରେ ଗୋଟିଏ ପୁରୁଣା ଚଲାବାଟ ମିଳିଗଲା । ସେମାନେ ସେଇ ବାଟରେ ଅଗ୍ରସର ହେଲେ । ହକିମୁଦ୍ଦିନ ତାଙ୍କ ବାମ ଏବଂ ଡାହାଣ ପଟକୁ ଅନାଉଥିଲେ ସମ୍ବରକୁ ଖୋଜିବା ଉଦ୍ଦେଶ୍ୟରେ । ସମ୍ବର ତ ଦେଖାଗଲା ନାହିଁ, ତା’ ବଦଳରେ ଦେଖାଗଲା ବାଘର ଲାଞ୍ଜ ଓ ପଛଅଂଶ । ସେମାନେ ଦକ୍ଷିଣ ଦିଗକୁ ମୁହାଁଇଥିଲେ ଏବଂ ବାଘର ମୁହଁ ଉତ୍ତର ଆଡ଼େ ଥିଲା; କିନ୍ତୁ ସେ ବୁଲିକରି ଏମାନଙ୍କୁ ଚାହୁଁଥିଲା । ଏପରି ମନେହେଉଥିଲା ଯେ ବାଘ ଏ ଚଲାବାଟରେ ଆସୁଥିଲା, କିନ୍ତୁ ହାତୀର ଶବ୍ଦ ଶୁଣି ବାମ ପଟକୁ ହଟିଗଲା । ବୁଦାଗୁଡ଼ିକ ଏତେ ଘଞ୍ଚ ଥିଲା ଯେ ବାଘର ଅନେକ ଅଂଶ କେବଳ ହକିମୁଦ୍ଦିନଙ୍କୁ ଦେଖାଯାଉଥିଲା । ଅନ୍ୟମାନଙ୍କ ଆଖିରେ ବାଘ ପଡ଼ି ନ ଥାଏ । ହକିମୁଦ୍ଦିନ ମାହୁନ୍ତକୁ ହାତୀ ଅଟକାଇବାକୁ କହିଲେ ଏବଂ ବନ୍ଧୁକକୁ ଧରି କଡ଼ପଟୁ ଲକ୍ଷ୍ୟ ଠିକ୍ କଲେ, କିନ୍ତୁ ପୁଣି କ’ଣ ଭାବି ନିଶାଣ ତା’ ମୁଣ୍ଡକୁ ଲଗାଇଲେ । ଆଗରେ ଭୋଜନ ଦେଖି ମନର ଅବସ୍ଥା ଯାହାହୁଏ, ତାଙ୍କର ଅବସ୍ଥା ତାହା ହିଁ ହେଲା । ସେ ଯାଇଥିଲେ କୁକୁଡ଼ା ମାରି, ବାଘ ପାଇଲେଣି । ଆଲ୍ଲାଙ୍କ ନାମ ଧରି ବନ୍ଧୁକର ଘୋଡ଼ା ଦବାଇଲେ । ହକିମୁଦ୍ଦିନ ଆଶା କରିଥିଲେ ବାଘର ମୁଣ୍ଡ ଛତୁ ହୋଇଯିବ ଓ ସେ ଚାରିକାତ ମେଲାଇ ତଳେ ପଡ଼ିଯିବ । କିନ୍ତୁ ହେଲା ତାହାର ବିପରୀତ । ବାଘ ହାତୀ ଉପରକୁ କୁଦା ମାରିଲା । ବାଘର ଗୋଟିଏ ଗୋଡ଼ ହକିମୁଦ୍ଦିନଙ୍କ ଆସିଷ୍ଟାଣ୍ଟର ପାଖରେ ଓ ଅନ୍ୟ ଗୋଡ଼ଟି ହାତୀର କୁଦରୁ ପୁଳାଏ ମାଂସ ଭିଡ଼ିନେଲା । ହକିମୁଦ୍ଦିନଙ୍କ ଆସିଷ୍ଟାଣ୍ଟଙ୍କର ହାତରେ ଥିବା ବନ୍ଧୁକ ଖୁବ୍ ଜୋରରେ ଗର୍ଜି ଉଠିଲା । ବନ୍ଧୁକର ଗୁଳି ହାତୀ ଦେହରେ ନ ବାଜି, ବାଜିଲା ବାଘର ମୁଣ୍ଡରେ-। ବାଘର ମୁଣ୍ଡ ଖୁବ୍ ଜୋରରେ ବୁଲାଇଲା । ବାଘ ତ ସେଠାରେ ଖସିପଡ଼ିଲା, ଏପଟେ କିନ୍ତୁ ହାତୀ କଣ୍ଟାବୁଦା ଭିତରେ ପଶି ପଚାଶ କଦମ ଯାଇ ରହିଲା । ଡାଳ ଏବଂ କଣ୍ଟାବୁଦା ସେମାନଙ୍କୁ ଅତି ଅସୁବିଧାରେ ପକାଇଦେଲା । କଣ୍ଟାର ମୁନ ସେମାନଙ୍କର ଶରୀରରେ ଗଳିଗଲା । ଲୁଗାପଟା ସବୁ ଚିରିଚାରି ଫଡ଼ା ଫଡ଼ା ହୋଇଗଲା । ଏସବୁ ଯାହା ଘଟିଗଲା ସେକେଣ୍ଡକ ମଧ୍ୟରେ ଘଟିଗଲା-। ସେମାନେ ବୁଝିପାରୁ ନ ଥିଲେ ଏ ବିପଦ ସ୍ଵର୍ଗରୁ କିପରି ତାଙ୍କ ମୁଣ୍ଡ ଉପରେ ପଡ଼ିଲା ।

 

ହକିମୁଦ୍ଦିନ ପଛକୁ ଅନାଇ ଦେଖିଲେ ବାଘ ଉଠୁଛି ଏବଂ ଗର୍ଜନ କରି କରି ଗୋଟିଏ ଜାଗାରେ ବସି ଗଁଗଁ ହେଉଛି । ହକିମୁଦ୍ଦିନ ତାଙ୍କ ଆସିଷ୍ଟାଣ୍ଟ ମିଷ୍ଟର ପାଙ୍ଗତିଙ୍କୁ ପଚାରିଲେ ତୁମେ ବାଘର କେଉଁ ଅଂଶକୁ ଗୁଳିକଲ ? ସେ କହିଲେ ଅଂଶ ତ କରିପାରିବି ନାହିଁ, ମୁଁ ମୋଟେ ଗୁଳି କରି ନାହିଁ । ହକିମୁଦ୍ଦିନ କହିଲେ ବନ୍ଧୁକ ଦେଖି । ବନ୍ଧୁକ ନଳାକୁ ଦେଖିବାରେ ଜଣାପଡ଼ିଲା ତାହା ଖାଲି ଥିଲା । ହକିମୁଦ୍ଦିନ ପଚାରିଲେ, ତୁମେ କ’ଣ ବନ୍ଧୁକ ନଳୀରେ ଗୁଳି ଭରି କରିଥିଲ ? ସେ କହିଲେ ଗୋଟିକରେ ବାରୁଦ ଓ ଅନ୍ୟଟିରେ ଚାରିନମ୍ବର ଛେର୍‌ରା ଲୋଡ଼ କରିଥିଲି । ହକିମୁଦ୍ଦିନ କହିଲେ, ତୁମେ ଆଖି ବା କାନକୁ ମାରିଦେଇଛ । ବାଘ ଖୁବ୍ ଜୋରରେ ଚିତ୍କାର କରୁଥିଲା ଓ ପଡ଼ୁଥିଲା ଉଠୁଥିଲା ।

 

ହକିମୁଦ୍ଦିନ ମାହୁନ୍ତକୁ କହିଲେ, ହାତୀକୁ ବାଘଆଡ଼କୁ ନେବାପାଇଁ । ସେ ଅନୁଭବହୀନ ବାଳକ ଥିଲା । କାନ୍ଦିବାରେ ଲାଗିଲା । ବଡ଼ମିଆଁ ସାହେବ ଖପା ହୋଇ କହିଲେ, ବାଘ କ’ଣ ଏମିତି ଅନୁଭବହୀନ ବାଳକ ମାହୁନ୍ତ ଦ୍ଵାରା ମରାଯାଏ ? ମାହୁନ୍ତକୁ ହକିମୁଦ୍ଦିନ କହିଲେ, ହାତୀ ରଖ, ମୁଁ ଓହ୍ଲାଇଯିବି । କିନ୍ତୁ ବଡ଼ମିଆଁ ସାହେବ କହିଲେ, ବାଘକୁ ଛାଡ଼ିଦିଅ, କାଲି ସକାଳୁ ଦେଖିବା-। କିଛିଟା ଅନୁଭବ ନକରି, କିଛିଟା ଆବେଗ, କିଛିଟା ନଜାଣିବା ପୂର୍ବରୁ, ହାତକୁ ଆସିଥିବା ଶିକାରକୁ ଘାଇଲା ନକରିବା ମୋହ, ହକିମୁଦ୍ଦିନଙ୍କ ପାଦ ବାଘ ଦିଗକୁ କଢ଼ାଇନେଲା-। ବଡ଼ମିଆଁ ସାହେବ କହିଲେ, ଦେଖ ଯଦି କିଛି ଦୁର୍ଘଟଣା ଘଟେ ଆମର ସାହାଯ୍ୟ କିଛି ପାଇବନି-। ତାଙ୍କର ଏକଥା ଶୁଣି ହକିମୁଦ୍ଦିନଙ୍କ ପାଦ ଅଟକିଗଲା । ବାଘକୁ ଆଘାତ ଲାଗିବା ପରେ ତା’ ନିକଟକୁ ଖାଲି ପାଦରେ ଯିବା ମୃତ୍ୟୁର ନିକଟକୁ ଯିବା ସଙ୍ଗେ ସମାନ । ଛାତି ଧଡ଼ଧଡ଼ ହେଉଥିଲା-। ଶରୀର ରୋମାଞ୍ଚିତ ଥିଲା । ଏପଟେ ସାଥୀମାନେ ସାହାଯ୍ୟ କରିବାକୁ ନାରାଜ । କିନ୍ତୁ ଥିଲା ଯୌବନର ଅବେଗ ଏବଂ ଶିକାରର ସଉକ । ସାହସ ବାନ୍ଧି ଆଗକୁ ବଢ଼ିଲେ, କିନ୍ତୁ ଧୀରେ ଧୀରେ-। ଯେଉଁଠାରେ ବାଘ ପଡ଼ିଥିଲା ସେଠାରେ ବହୁତ ରକ୍ତ ପଡ଼ିଥିଲା । ବାଘ ରକ୍ତ ପକାଇ ପକାଇ ଗୋଟିଏ ବୁଦା ଆଢ଼ୁଆଳରେ ରହି ଚିତ୍କାର କରୁଥିଲା । ସେ ଉଠ ପଡ଼ ହେଉଥିଲା-। ହକିମୁଦ୍ଦିନ ଆଉ ଟିକିଏ ଆଗକୁ ଯିବାରେ ଦେଖିଲେ ବୁଦା ହଲୁଛି, କିନ୍ତୁ ବାଘ ଦେଖାଗଲାନି-। ବାଘର ଚିତ୍କାରର ଆବାଜ ଶୁଣାଯାଉଥିଲା । ଆଉ ଆଗକୁ ଆଗେଇବା ବିପଦମୁକ୍ତ ନ ଥିଲା-। ତେଣୁ ସେ ଗୋଟିଏ କଦମ୍ବ ଗଛ ଉପରକୁ ଚଢ଼ିଗଲେ । ଡାଳଗୁଡ଼ିକ ଶୁଖିଯାଇଥିବାରୁ ହକିମୁଦ୍ଦିନଙ୍କ ଭାର ସହି ନ ପାରି ଭାଙ୍ଗିଗଲା ଏବଂ ମୋହନଲାଲ ଗାଣ୍ଡି କଚିହୋଇ ତଳେ ପଡ଼ିଗଲେ ।

 

ପଡ଼ିଯିବାରୁ ଅଣ୍ଟାରେ ମାଡ଼ ବସିଲା ଓ ଦରଜ ହେଲା । ଏହି ସମୟରେ ଘରେ ଥିଲେ ଉଠିବସି ନପାରି ଶେଯରେ ଦୁଇ ତିନିଦିନ ପର୍ଯ୍ୟନ୍ତ ପଡ଼ିରହିଥାନ୍ତେ । କିନ୍ତୁ ଏଠାରେ ପ୍ରତିଟି କଦମରେ ଭୋକିଲା ବାଘ ଚାହିଁରହିଥିଲା । ବାଘ ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍କାର କରୁଥିଲା । ହଠାତ୍ ଚିତ୍କାର ବନ୍ଦ ହୋଇଗଲା । ତା’ପରେ ବୁଦା ଖୁବ୍ ଜୋରରେ ହଲିଲା । ବର୍ତ୍ତମାନ ବାଘ ଆସିବା ନିଶ୍ଚିତ ଜାଣି ହକିମୁଦ୍ଦିନ ଝାଡ଼ିଝୁଡ଼ି ହୋଇ ଉଠି ଧାଇଁଲେ । ଏପଟେ ଯିବାବେଳେ କଣ୍ଟାବୁଦାର ଖଡ଼ଖଡ଼ ଆବାଜ ଜାଣି ସେମାନେ ଭାବିଲେ ବାଘ ଆସୁଛି । ତେଣୁ ହାତୀ ଦଉଡ଼ାଇ ଚାଲିଲେ । ହକିମୁଦ୍ଦିନଙ୍କ ଆଗରେ ବିପଦ ପଛରେ ବିପଦ । ହାତୀ ଲଙ୍ଗୁଡ଼ ଟେକି ଧାଇଁଛି । ହକିମୁଦ୍ଦିନ ଭାବିଲେ ସେତେବେଳେ ନମରି ଏବେ ମଲି । ଦରଜ କଥା ଛାଡ଼, ଭୟକଥା ଛାଡ଼, ଶରୀରରେ ଏତେ ଶକ୍ତି ନାହିଁ ସେ ହାତୀ ପାଖେ ପହଞ୍ଚି ପାରିବେ । ପାଦ ଚଳୁ ନ ଥାଏ । ହକିମୁଦ୍ଦିନ ପଡ଼ିଯିବାକୁ ହେଲାବେଳକୁ, ବଡ଼ମିଆଁ ସାହେବ ହାତୀ ପଛରେ ବସିଥିବାରୁ ତାଙ୍କ ଆଖି ହକିମୁଦ୍ଦିନଙ୍କ ଉପରେ ପଡ଼ିଯିବାରୁ ହାତୀ ଅଟାକାଇଲେ । ହକିମୁଦ୍ଦିନ ପଛକୁ ବୁଲି ବାଘ ପଛରୁ ଆସୁଛି କି ନାହିଁ ଜାଣିବାକୁ ଅନାଇଲେ, କିନ୍ତୁ ବାଘ ଆସୁ ନ ଥାଏ ।

 

ହକିମୁଦ୍ଦିନ ହାତୀଉପରେ ବସି ମାହୁନ୍ତକୁ ହାତୀକୁ ବାଘ ପାଖକୁ ନେବାପାଇଁ ନିର୍ଦ୍ଦେଶ ଦେଲେ । ସେ ମନାକଲା । ହକିମୁଦ୍ଦିନ ତାକୁ ବୁଝାଇ କହିଲେ, ଆମେ ସବୁ ତୁମ ପାଖେ ପାଖେ ଅଛୁ । ବାଘ ଆକ୍ରମଣ କଲେ ଆମେ ଗୁଳିକରି ବାଘକୁ ମାରିଦେବୁ । କିନ୍ତୁ ବଡ଼ମିଆଁ ସାହେବ କହିଲେ, କେବଳ ବାଘ ଆହତ ହୋଇନି, ଆମେ ସମସ୍ତେ ଜଖମ ହୋଇଛୁ । ମାହୁନ୍ତପୁଅ ଓ ହାତୀ ଉଭୟେ ଡରିଯାଇଛନ୍ତି । ସକାଳୁ ଦେଖିବା । ଏବେ ଚାଲ ।

 

ହକିମୁଦ୍ଦିନଙ୍କୁ ଡର ଯେ ଏ ବାଘ ଯେପରି ଖସି ନ ଯାଉ । ତେଣୁ ସେ ଜିଦ୍ କଲେ, ଏବଂ ହାତୀକୁ କଦମ୍ବଗଛ ପାଖକୁ ନେଇଗଲେ । ବାଘ ଚିତ୍କାର କରୁଥିଲା । ତା’ର ଚିତ୍କାର ଶୁଣି ହାତୀ ରହିଗଲା । ହକିମୁଦ୍ଦିନ ଜିଦ୍‍କରି ହାତୀକୁ ଆହୁରି ଆଗକୁ ଆଗେଇନେଲେ । ବୁଦାଲଟା ବ୍ୟତୀତ ଆଉ ଅନ୍ୟକିଛି ଦେଖାଯାଉ ନ ଥିଲା । ଏତିକିରେ ବାଘ ଲାଙ୍ଗୁଳ ପିଟି ଆକ୍ରମଣ ଆରମ୍ଭ କରିଦେଲା । ବାଘ ହାତୀର ପଛ ପାଦକୁ ଜଖମ କରି ଖସିପଡ଼ିଲା । ହାତୀ ଖୁବ୍ ଭୟଭୀତ ହୋଇ ଦୌଡ଼ିଲା । ଭାଗ୍ୟକୁ ବାଘ ଏମାନଙ୍କ ପିଛା କଲାନି । ନହେଲେ ଆଲ୍ଲା ଜାଣିଥାନ୍ତେ କ’ଣ ବିପଦ ଘଟିଥାନ୍ତା !

 

ବଡ଼ମିଆଁ ସାହେବଙ୍କ ଟୋପି ଖସିପଡ଼ିଲା । ପାଇଜାମା ଫାଟିଗଲା ଏବଂ କାନ ଖୁବ୍ ଘାଇଲା ହୋଇଥିଲା, ତେଣୁ ସେ ବହୁତ ଖପା ହୋଇଥିଲେ । ସେମାନଙ୍କ ମଧ୍ୟରୁ କେହିହେଲେ ଅକ୍ଷତ ନ ଥିଲେ । ସମସ୍ତଙ୍କ ଦେହରୁ ରକ୍ତ ଝରୁଥିଲା । ମାହୁନ୍ତ ଆଗରେ ଥିଲା, ତେଣୁ ସେ ସମସ୍ତଙ୍କ ଅପେକ୍ଷା ବେଶୀ ଆଘାତ ପାଇଥିଲା । ହକିମୁଦ୍ଦିନ ସମ୍ଭାଳିପାରିଲେ ନାହିଁ । ତେଣୁ ମାହୁନ୍ତକୁ ପୁଣିଥରେ ବାଘପାଖକୁ ହାତୀକୁ ଚଳାଇବା ପାଇଁ କହିଲେ । ବାଘ ପାଖରେ ଥିଲା । ତେଣୁ ହାତୀ ଆଗକୁ ବଢ଼ିବାକୁ ନାରାଜ ହେଲା । ଏହି ସମୟରେ ସେମାନଙ୍କର ଅବସ୍ଥା ବାସ୍ତବିକ୍ ଦୟନୀୟ ଥିଲା । ସମସ୍ତେ ଅତରଛିଆ ହେବା ସଙ୍ଗେସଙ୍ଗେ ଭୟ ମଧ୍ୟ ପାଇଥିଲେ; କିନ୍ତୁ ହକିମୁଦ୍ଦିନଙ୍କ ଜିଦ୍ କୌଣସିମତେ ବାଘକୁ ମାରି ଘରକୁ ଫେରିବା ।

 

ମାହୁନ୍ତ ହାତୀରୁ ଓହ୍ଲାଇ ପଡ଼ିଲା ଏବଂ ତା’ର କଟୁରି କାଢ଼ି ଝାଟିବୁଦା କାଟିବାରେ ଲାଗିଲା । ଏ ଶବ୍ଦ ଶୁଣି ବାଘ ଜାଣିପାରିଲା ଯେ ତା’ ଉପରୁ ଏପର୍ଯ୍ୟନ୍ତ ବିପଦ କଟିନି । ସେ ଗର୍ଜନ କରି ପୂର୍ବ ଦିଗକୁ ଚାଲିଲା । ହକିମୁଦ୍ଦିନ ଅନୁଭବ କଲେ ବାଘ ପାଣି ଭିତରେ ଚାଲୁଥିବାପରି । ମୋହନଲାଲ ହାତୀଉପରେ ଠିଆ ହୋଇ ଦେଖିଲେ ଯେ ବାଘ ନାଳ ପାଖରେ ଚାଲିଛି । ରାଇଫଲ ସିଧାକରି ଫାୟାର କଲେ । ଲକ୍ଷ୍ୟ ଠିକ୍ ହେଲାନି । ବାଟ ବି ଭଲ ଭାବରେ ତାଙ୍କୁ ଜଣା ନ ଥିଲା । କିନ୍ତୁ ମାହୁନ୍ତ କହିଲା, ଆଜ୍ଞା ଏଠାକୁ ମୁଁ ଯିବା ଆସିବା କରେ । ମୋତେ ଏଠିକାର ସମସ୍ତ ରାସ୍ତା ଜଣା । ହାତୀ ନେଇ ଯାଉଛି, ବ୍ୟସ୍ତ ହୁଅନ୍ତୁ ନାହିଁ । ସେଠାରେ ଖୋଲା ପଡ଼ିଆ ମଧ୍ୟ ଅଛି । ସେଠାରେ ପହଞ୍ଚି ଦେଖିଲେ ବାଘ ଘଞ୍ଚ ବୁଦାତଳୁ ମୁଣ୍ଡ କାଢ଼ି ଠିଆ ହୋଇଛି । ସେ ନରକୁଳ ଜଙ୍ଗଲ ଆଡ଼େ ମୁହାଁଇଥିଲା । ପ୍ରଥମେ ହକିମୁଦ୍ଦିନ ହାତୀ ଉପରୁ ନିଶାଣ ନେବାକୁ ଚାହିଁଲେ । କିନ୍ତୁ ହଲଚଲରେ ଲକ୍ଷ୍ୟ ଠିକ୍ ହୋଇନି ଭାବି ହାତୀକୁ ବସାଇବାପାଇଁ କହିଲେ । ହାତୀ ବଡ଼ କଷ୍ଟରେ ବସିଲା । ବାଘ ନରକୁଳ ଜଙ୍ଗଲ ସୀମାରେ ପହଞ୍ଚି ସାରିଥିଲା । ହକିମୁଦ୍ଦିନ ବସିଥିବା ହାତୀ ଉପରୁ ଗୁଳି ଚଳାଇଲେ । କିନ୍ତୁ ସବୁ ବିଫଳ ହୋଇଗଲା, କାରଣ ବାଘ ନରକୁଳ ଜଙ୍ଗଲ ଭିତରକୁ ପଶିଗଲା ।

 

ସନ୍ଧ୍ୟା ହେବାକୁ ବସିଲା । ହକିମୁଦ୍ଦିନ ରୋଜା ଭାଙ୍ଗିଲେ ଏବଂ ହତାଶ ହୋଇ କ୍ୟାମ୍ପକୁ ଫେରିଆସିଲେ । ବର୍ତ୍ତମାନ ଅଣ୍ଟା ଦରଜ ଓ କଣ୍ଟାଫୋଡ଼ା ଦରଜ ଅନୁଭୂତ ହେଲା । ଏପଟେ ବଡ଼ମିଆଁ ସାହେବ ଲଗେଇଜୁଟେଇ ନବାବଙ୍କର ଲୋକମାନଙ୍କୁ ସବୁ କଥା ଶୁଣାଇଲେ । ନବାବ ହକିମୁଦ୍ଦିନଙ୍କ ପାଖକୁ ଆସି ପଚାରିଲେ, ବର୍ତ୍ତମାନ କାମ କ’ଣ ? ହକିମୁଦ୍ଦିନ କହିଲେ, ସକାଳେ ବାଘକୁ ଖୋଜିବା । ସକାଳୁ ସମସ୍ତେ ଗଲେ, କିନ୍ତୁ ବାଘ ମିଳିଲା ନାହିଁ । ତାଙ୍କର ଡିଏଫ‌.ଓ. ସାହେବ ଶ୍ରୀ ହକ୍‌ ଦ୍ଵିତୀୟ କ୍ୟାମ୍ପରେ ଡେରା ପକାଇ ରହିଥିଲେ । ସେ ଡାକବାଲାଠାରୁ ସବୁ ଶୁଣିପାରି ସଙ୍ଗେସଙ୍ଗେ ଆସିଲେ ଏବଂ ଗାଁ ଲୋକଙ୍କୁ ଏକାଠି କରି ବାଘ ଖୋଜିଲେ । ଯେତେବେଳେ ନ ମିଳିଲା ସେ ନରକୁଳ ଜଙ୍ଗଲରେ ନିଆଁ ଲଗାଇଦେଲେ । ବର୍ତ୍ତମାନ ପଡ଼ିଆ ଖୋଲା ଦେଖାଗଲା । ସେମାନେ ରକ୍ତ ଚିହ୍ନ ଅନୁସରଣକରି ଆଗେଇଗଲେ । ସେମାନଙ୍କର ବିଶ୍ୱାସ ଥିଲା ବାଘ ନିଶ୍ଚୟ ମରିଯାଇଛି । ଯେତେବେଳେ ନିଆଁ ଲିଭିଗଲା ହକିମୁଦ୍ଦିନ ଅଡ଼ର୍ଲିକୁ କହିଲେ, ଖୋଜି ଦେଖିବା ପାଇଁ । ଏପଟେ ହକିମୁଦ୍ଦିନ ଏବଂ ଶ୍ରୀ ହକ୍ ହାତୀ ଉପରେ ଚଢ଼ିକରି ଗଲେ । ଦେଖିଲେ ଯେ ବଣର ରାଜା ନାଳରେ ଚାରିକାତ ମେଲାଇ ଚିତ୍ ହୋଇ ପଡ଼ିଛି । ସାରା ଶରୀର ଫୁଲି ଯାଇଥାଏ । ହକିମୁଦ୍ଦିନଙ୍କର ପ୍ରଥମ ଗୁଳି ମଣ୍ଡର ପଛ ପଟେ ବାଜିଛି, କିନ୍ତୁ ତାହା ମୁଣ୍ଡ ଫଟାଇ ପାରିନି । ଆସିଷ୍ଟାଣ୍ଟଙ୍କର ଗୁଳି ଏବଂ ଛର୍‌ରା ଡାହାଣ ଆଖି ଓ ନାକ ମଝିରେ ଏକଇଞ୍ଚ ପଶି ରହିଥିଲା । ମସ୍ତିଷ୍କ କଛି ହୋଇ ନ ଥିଲା । ବାଘ ଏଥିପାଇଁ ଛଟପଟ ହେଉଥିଲା ଓ ଚିତ୍କାର କରୁଥିଲା । ସେ ନଅଫୁଟ ଆଠ ଇଞ୍ଚ ଲମ୍ବର ଖୁବ୍ ସ୍ଵାସ୍ଥ୍ୟବାନ୍‌ ଅଣ୍ଡିରା ବାଘ ଥିଲା । ତାକୁ ଖୁବ୍ ଆନନ୍ଦରେ ଲଦି କରି କ୍ୟାମ୍ପକୁ ଆଣିଲେ ଏବଂ ଛାଲ ଉତାରି ରଖିଲେ ।

✽✽✽

 

ସେ ବାଘ ରୋଡ଼େସିଆର

 

ସନ୍ତୋଷ କୁମାର ଭାର୍ଗବ ଏବଂ ଚାର୍ଲସ ଗୋର୍ଡ଼ନ ସେତେବେଳେ ଉତ୍ତର ରୋଡ଼େସିଆକୁ ଶିକାର ପାଇଁ ଯାଇଥିଲେ । ଚାର୍ଲସ ଦିନେ ଜାମ୍ବୋଜୀ ନଦୀର ଶାଖାନଦୀ କଟୋଙ୍ଗ କୂଳରେ ଗୋଟିଏ ମଗର ମାରିଲେ ଏବଂ ତା’ର ଛାଲ ଉତାରି ତାକୁ ସେମିତି ପକାଇଦେଲେ । ଫଳରେ ଜଙ୍ଗଲୀ ପଶୁଙ୍କ ପାଇଁ ସେ ରାତିଟି ଅତି ସ୍ୱର୍ଗୀୟ ଆନନ୍ଦର ରାତି ହୋଇଗଲା । କେତେକ ବାଘ ଏକାଠି ହୋଇ ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଗୋଟିଏ ଜିରାଫ ମଧ୍ୟ ଶିକାର କଲେ-। ସେମାନେ ବାଘ ଶିକାର କରିବା ପାଇଁ ସେଠାକୁ ଯାଇଥିଲେ । ତେଣୁ ଖବର ପାଇବା ମାତ୍ରେ ଭୋରୁ ଭୋରୁ ବାହାରି ପଡ଼ିଲେ । ସେ ଅଞ୍ଚଳରେ ଜଣେ ଗାଇଡ୍‍ ବୁଖାରୀ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ ।

 

ଠିକଣା ଜାଗାରେ ପହଞ୍ଚିବାପରେ ଦେଖିଲେ ଯେ ତିନୋଟି ବାଘ ଜିରାଫର ବଳିଥିବା ଅବଶିଷ୍ଟ ମାଂସ ଖାଇବାରେ ଲାଗିପଡ଼ିଥିଲେ । ସେମାନେ ସତର୍କାତାର ସହିତ ଆଗେଇବାରେ ଲାଗିଲେ । କିନ୍ତୁ ବାଘମାନଙ୍କୁ ଏମାନଙ୍କର ଚାଲିବା ଶବ୍ଦ ଶୁଣାଗଲା । ତୁରନ୍ତ ସେମାନେ ପଳାଇବାକୁ ଲାଗିଲେ, ଦୁଇଟି ଦକ୍ଷିଣ ଦିଗକୁ ଓ ଗୋଟିଏ ପୂର୍ବ ଦିଗକୁ । ଚାର୍ଲସ ଓ ବୁଖାରୀ ଦକ୍ଷିଣ ଦିଗକୁ ଯାଇ ବାଘର ପିଛା କଲେ ।

 

ଭାର୍ଗବ ପୂର୍ବ ଆଡ଼େ ଗଲେ ଏବଂ ବାଘଟି ଉପରେ ସତର୍କ ଦୃଷ୍ଟି ରଖିଲେ । ସେ ପ୍ରାୟ ଷାଠିଏ ଗଜ ଦୂରକୁ ଯାଇ ବସି ପଡ଼ିଲା ଏବଂ କେତେ ମିନିଟଧରି ବସି ରହିଲା । ଭାର୍ଗବ ଚାହିଁଥିଲେ ତାକୁ ଅକ୍ଳେଶରେ ମାରିପାରିଥାନ୍ତେ । କିନ୍ତୁ ଚାର୍ଲସ ବାଘ ଶିକାର ପାଇଁ ଭାରି ଉତ୍ସାହ ପ୍ରକାଶ କରିଥିଲେ । ଏଥିପାଇଁ ଭାର୍ଗବ ହୁଇସିଲ୍ ବଜାଇ ଚାର୍ଲସ ଏବଂ ବୁଖାରୀର ଦୃଷ୍ଟି ଆକର୍ଷଣ କରାଇଲେ । ବୁଖାରୀ ଓ ଚାର୍ଲସ ତୁରନ୍ତ ଭାର୍ଗବଙ୍କ ଆଡ଼କୁ ଧାଇଁ ଆସିଲେ । ଚମକିପଡ଼ି ବାଘ କୁଦା ମାରିଲା ଏବଂ ପଳାଇଗଲା । ବର୍ତ୍ତମାନ ଆଗରେ ବାଘ ଓ ପଛରେ ସେ ଦୁଇଜଣ । ପ୍ରାୟ ସତର ଗଜ ଦୂରପରେ ଗଛ ସବୁ ଶେଷ ହୋଇଗଲା । ସେଠାରେ ପହଞ୍ଚି ବାଘ ଯେତେବେଳେ ପ୍ରାୟ ୧୨୫ ଗଜ ଦୂରରେ ଥିଲା ଚାର୍ଲସ ଗୁଳି ଚଳାଇଲେ । କିନ୍ତୁ ଲକ୍ଷ୍ୟ ବ୍ୟର୍ଥ ହେଲା । ତୁରନ୍ତ ଦ୍ଵିତୀୟଥର ପାଇଁ ଫାୟାର କଲେ । ଏବଂ ବାଘ ତଳକୁ ଗଡ଼ି ପଡ଼ିଲା । କ୍ଷଣକପରେ ପୁଣି ଉଠିପଡ଼ି ଦୌଡ଼ି ପଳାଇଗଲା ।

 

ସେମାନେ ତା’ ପିଛା କରୁ କରୁ ପ୍ରାୟ ମାଇଲିଏ ବାଟ ଚାଲି ଆସିଲେ । ଏଠାରେ ଭୂମି କିଛି ଖାଲୁଆ ଥିଲା । ଏଠାରେ କିଛିଦୂର ପର୍ଯ୍ୟନ୍ତ ଚାରି ଫୁଟ ଉଚ୍ଚର ଘାସଥିଲା । ଆଗରେ ଗୋଟିଏ ଉଚ୍ଚ ଜାଗାଥିଲା । ତା’ ଆଗରେ ଆହୁରି ଉଚ୍ଚା ଉଚ୍ଚା ଘାସଥିଲା । ସେମାନେ ସତର୍କ ପଦକ୍ଷେପ ନେଇ ଆଗେଇ ଚାଲିଥିଲେ । ସବା ଆଗରେ ବୁଖାରୀ, ତା’ ପଛରେ ଚାର୍ଲସ ଶେଷରେ ଭାର୍ଗବ । ବୁଖାରୀ ତା’ ହାତରେ ଭାଲି ଧରିଥିଲେ ଓ ଯେ କୌଣସି ବିପଦର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ଥିଲେ । କୌଣସି ପୂର୍ବ ସୂଚନା ନ ଦେଇ ବିପଦ ଆସିଲା । ସବୁତକ ସତର୍କତା ବେକାର ହୋଇଗଲା । କାରଣ ବାଘ ସାମନାପଟୁ ନଆସି କଡ଼ପଟୁ ଗୋଟିଏ ବୁଦାରୁ ବାହାରି ଭାର୍ଗବଙ୍କ ଆଡ଼େ ମାଡ଼ି ଆସିଲା । ଭାର୍ଗବ ଏଥିପାଇଁ ସତର୍କ ହୋଇନଥିଲେ । ପାଦ ମନକୁ ମନ ପଛକୁ ପଡ଼ିଲା ଏବଂ ଗୋଟିଏ ଜାଗାରେ ଧକ୍‍କା ଖାଇ ଭାର୍ଗବ ଚାରିକାତ ମେଲାଇ ଚିତ୍‍ ‍ହୋଇ ଭୂଇଁ ଉପରେ ପଡ଼ିଗଲେ । ବଡ଼ ଆଘାତ ହେଲା । ମୁଣ୍ଡ ବୁଲାଇଲା କିନ୍ତୁ ସେ ସମୟରେ ଧ୍ୟାନ ସେ ଆଡ଼େ ଯାଇନଥିଲା । ଆଗରେ ମୃତ୍ୟୁ ଦୂତ ଉପସ୍ଥିତ । ଭାର୍ଗବ ଉଠିବା ପୂର୍ବରୁ ବାଘ ତାଙ୍କ ଉପରକୁ ଆସି ଝାମ୍ପଦେଲା । ତା’ର ମୁନିଆ ପଞ୍ଝା ଭାର୍ଗବଙ୍କ ଡାହାଣ ପାଦ ଉପରେ ପଡ଼ିଥିଲା । ଗୋଟିଏ ଅସହ୍ୟ ବେଦନାରେ ସେ ଛଟପଟ ହେଲେ ।

 

କିନ୍ତୁ ଆଗେ ଆଗେ ଚାଲୁଥିବା ବୁଖାରୀ ଏବଂ ଚାର୍ଲସ ଏସବୁ ଦେଖିସାରିଥିଲେ । ଦୁଇଜଣଯାକ ଅଟକିଗଲେ । ପଲକ ଭିତରେ ଗୋଟିଏ ଧଭାକ୍‌କରି ଶବ୍ଦ ହେଲା ଓ ବାଘ ଗଁ ଗଁ ହୋଇ ପଛକୁ ହଟିଗଲା । ଚାର୍ଲସ ରାଇଫଲ ଚଳାଇଥିଲା ଓ ବାଘ ଜଖମ ହୋଇଯାଇଥିଲା । ବାଘର ଶରୀରରୁ ଟପ ଟପ ରକ୍ତ ବୋହି ପଡ଼ିଥିଲା । ତା’ର ପଛ ଫଡ଼ିଆରେ ବୁଖାରୀର ଦାଢ଼ୁଆ ଛୁରା ବସିଥିଲା ।

 

ଭୟଙ୍କର ଭାବେ ବାଘ ଗର୍ଜନ କରି ଆଗକୁ କୁଦାମାରିଲା । ଚାର୍ଲସ ପଛକୁ ହଟିବା ପାଇଁ ଚେଷ୍ଟାକଲା । କିନ୍ତୁ ଭାଗ୍ୟ ତା’ର ଅନୁକୂଳ ନଥିଲା । ଗୋଟିଏ ଗାତରେ ତା’ର ପାଦ ପଡ଼ିଗଲା ଏବଂ ପରକ୍ଷଣରେ ସେ ଗୋଟିଏ ବୁଦା ଉପରେ ଚିତ୍‍ ହୋଇ ପଡ଼ିଗଲା । ବୁଦାଟି କଣ୍ଟାଳିଆ ଥିଲା । ପିଠିସାରା କଣ୍ଟା ଗଳିଗଲା । ଏ ଅସହ୍ୟ ବେଦନାରେ ସେ ଚିତ୍କାର କରି ଉଠିଲା-। ବାଘ କିଛି ସମୟ ଚାର୍ଲସକୁ ଚାହିଁଲା ଓ ବୁଖାରୀକୁ ଆକ୍ରମଣ କଲା । କିନ୍ତୁ ବୁଖାରୀ ବିଚଳିତ ହେଲାନାହିଁ । ସେ ଭାଲିଟିକୁ ମଜଭୁତ କରି ଧରି ଠିଆ ହୋଇଥଲା ।

 

ବାଘ କୁଦା ମାରିଲା ଏବଂ ବୁଖାରୀ ହାତରୁ ଭାଲି ଛୁଟିଲା । ନିଶାଣ ଠିକ୍ ବାଘର ପେଟଥିଲା । କିନ୍ତୁ ଦୁର୍ଭାଗ୍ୟ ! ବୁଖାରୀର ଟିକିଏ ଡେରି ହୋଇଗଲା । ଫଳତଃ ଭାଲି ବାଘର ପଛଗୋଡ଼ ଦୁଇଟିର ମଝିରେ ତାକୁ ଟିକିଏ ଛୁଇଁଦେଇ ଯାଇ ଭୂଇଁରେ ପଡ଼ିଲା । ଭାର୍ଗବ ବଡ଼ ଅଡ଼ୁଆରେ ଛିଡ଼ାହୋଇ ସାରିଥିଲେ । ଏକରେତ ପଡ଼ିଲାବେଳେ ପଥରରେ ମାଡ଼ ହୋଇ ମୁଣ୍ଡ ଫାଟି ବିନ୍ଧୁଥିଲା । ପୁଣି ବାଘନଖର ଆଘାତରେ ଗୋଡ଼ ରହି ରହି ପିଡ଼ା ଦେଉଥିଲା । ତାଙ୍କ ପାଖରେ ଠିଆ ହେବା ଶକ୍ତି ମଧ୍ୟ ନଥିଲା । ଆଖି ଆଗରେ ଅନ୍ଧାର ଘେରି ଆସୁଥିଲା । କୌଣସି ପ୍ରକାରେ ଭାର୍ଗବ ତାଙ୍କ ରାଇଫଲ ଭୂଇଁ ଉପରେ ରଖିଲେ ଓ ବେକରେ ବନ୍ଧା ହୋଇଥିବା ସ୍କାର୍ଫ ଖୋଲିଲେ । ପକେଟରୁ ରୁମାଲ କାଢ଼ିଲେ ଓ ଅଣ୍ଡାଳିକରି ନିଜେ ପଛପଟେ ମୁଣ୍ଡରୁ ଯେଉଁଠାରେ ରକ୍ତ ବୋହୁଥିଲା ସେଠାକୁ ଚାପିଧରିଲେ । ପୁଣି ଗଳାବନ୍ଧା ସ୍କାର୍ଫ ଦ୍ଵାରା ତାକୁ ଜୋରରେ ବାନ୍ଧିଲେ-

 

କିଛି କ୍ଷଣ ଭାର୍ଗବ ଆଖିବନ୍ଦ କରି ପଛକୁ ଆଉଜି ଠିଆହେଲେ । ଏପଟେ ବୁଖାରୀ ଓ ଚାର୍ଲସ ଦୁହେଁ ବିପଦରେ ଥିଲେ । ଭାର୍ଗବଙ୍କ ପ୍ରାଣ ରହିବା ନ ରହିବା ଅନିଶ୍ଚିତ ଅବସ୍ଥାରେ ଥାଏ । କୌଣସି ପ୍ରକାରେ ରକ୍ତ ସ୍ରାବ ବନ୍ଦ ହେବାପରେ ପୀଡ଼ା ଯେତେବେଳେ କିଛି କମ୍ ହେଲା, ସେତେବେଳେ ଭାର୍ଗବ ଆଖି ଖୋଲିଲେ ।

 

ବୁଖାରୀ କିଛି ସମୟ ପୂର୍ବେ ଭାର୍ଗବଙ୍କ ପ୍ରାଣ ରକ୍ଷା କରିଥିଲା ଏବଂ ତାଙ୍କ ଆଖି ଆଗରେ ବାଘ ତାକୁ ନିଜର ଆହାର କରିବାକୁ ଚାହୁଁଥାଏ । ଭାର୍ଗବ ରାଇଫଲ ଉଠାଇଲେ ଏବଂ ନିଶାଣ ନେଇ ଘୋଡ଼ା ଟିପି ଦେଲେ । ଗୁଳିଯାଇ ବାଘର ପୁଟାରେ ଲାଗିଲା । ବଡ଼ ଜୋରରେ ସେ ବୁଲି ପଡ଼ିଲା ।

 

ଭାର୍ଗବ ତା’ର ସାମନାରେ ଥିଲେ । ତେଣୁ ସେ ସିଧା ଭାର୍ଗବଙ୍କ ଆଡ଼େ ଧାଇଁଲା । ଭାବିବାକୁ କି ଲୁଚିବାକୁ କେଉଁଠି ହେଲେ ସୁଯୋଗ ନଥିଲା । ଭାର୍ଗବ ପୁଣି ଘୋଡ଼ା ଦବାଇଲେ କିନ୍ତୁ ଦୌଡ଼ୁଥିବା ବାଘକୁ ଠିକ୍ ନିଶାଣ କରିବା ସମ୍ଭବ ହେଲାନି । ସେ ପୁଣି ଘୋଡ଼ା ଦବାଇଲେ, ମାତ୍ର ଦବିଲା ନାହିଁ । ଯେତେବେଳେ ସେ ଭୂଇଁ ଉପରେ ପଡ଼ିଥିଲେ ବୋଧହୁଏ ସେତେବେଳେ ରାଇଫଲ ଖରାପ ହୋଇଯାଇଥିଲା । ପୁଣି ତା’ହେଲେ ଗୁଳି ଦୁଇଟି ଚାଲିଲା କିପରି ? କିଛି ବୁଝିପାରୁ ନଥିଲେ ଭାର୍ଗବ ।

 

ବର୍ତ୍ତମାନ ଆଉ କିଛି ଚାରା ନଥିଲା । ମୃତ୍ୟୁ ଧାଇଁ ଧାଇଁ ଆସୁଥିଲା । ହତାଶ ହୋଇ ଭାର୍ଗବ ଆଖି ବୁଜିଦେଲେ । କିନ୍ତୁ ସେତିକିବେଳେ ହଠାତ୍ ଧଭାକ୍ କରି ଗୋଟିଏ ଆବାଜ ହେଲା ଏବଂ ସେଇ ଆଡ଼କୁ ଭାର୍ଗବ ଚାହିଁଲେ ।

 

ଏହି ଉତ୍ତେଜନାରେ ଭାର୍ଗବ ଚାର୍ଲସଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ସେ କୌଣସି ପ୍ରକାରେ ନିଜକୁ ମୁକ୍ତ କରିଥିଲେ ଓ ସେ କଣ୍ଟାବୁଦାଠାରୁ କିଛି ଦୂରରେ ଗୋଟିଏ ଗଛ ସହାୟତାରେ ଠିଆ ହୋଇଥିଲେ । ତା’ର ଲୁଗାପଟା ଚିରି ଖଣ୍ଡ ଖଣ୍ଡ ହୋଇଯାଉଥିଲା । ସାରା ଶରୀରରେ ରାମ୍ପୁଡ଼ା ଦାଗଥିଲା । କିନ୍ତୁ ଚେହେରାରେ ସ୍ଵାଭାବିକ ଉଲ୍ଲାସ ଥିଲା ।

 

ଗୁଳି ବାଘର ପଛ ଗୋଡ଼କୁ ଜଖମକରି ବାହାରି ଯାଇଥିଲା । ଜୋରରେ ଗର୍ଜନକରି ବାଘ କ୍ଷଣକ ପାଇଁ ଏପଟ ସେପଟକୁ ଚାହିଁଲା ଏବଂ ତା’ପରେ ଏକମୁହାଁହୋଇ ଚାର୍ଲସ ଆଡ଼େ ଦୌଡ଼ିଲା । କିନ୍ତୁ ଭାଲି ତଥା ଛୁରିର ଆଘାତ ପରେ ରାଇଫଲ ଗୁଳି, ସେ ଚାରିଚାରି ଥର ଚୋଟ ଖାଇସାରିଥିଲା । ତା’ର ଦୌଡ଼ିବା ଗତିରେ ହଠାତ୍ ସ୍ଥିରତା ଆସିଗଲା । ଏହା ସଙ୍ଗେ ଚାର୍ଲସଙ୍କର ରାଇଫଲ ପୁଣି ଗର୍ଜନ କଲା । ବାଘ ଯନ୍ତ୍ରଣାରେ ଏବଂ ରାଗରେ ଖୁବ୍ ଅସହ୍ୟଭାବେ ଛଟପଟ ହୋଇ ସେଠାରେ ପଡ଼ିଗଲା । କିଛିକ୍ଷଣ ପରେ ତା’ର ଛଟପଟ ହେଉଥିବା ଶରୀର ସେଠାରେ ନିସ୍ପନ୍ଦ ହୋଇଗଲା ।

 

ବର୍ତ୍ତମାନ ଭାର୍ଗବ ବୁଖାରୀ ଆଡ଼େ ନଜର ପକାଇଲେ । ସେ ସେଠାରେ ଅଚେତ ହୋଇ ପଡ଼ିଥିଲେ । ଭାର୍ଗବ ଅବିଳମ୍ବେ ଯାଇ ସେଠାରେ ପହଞ୍ଚିଲେ । ତା’ଙ୍କ ଶରୀର ଅତି ବିପଜ୍ଜନକ ଭାବେ କ୍ଷତ ବିକ୍ଷତ ହୋଇଯାଇଥିଲା, କିନ୍ତୁ ଜୀବନର ଚିହ୍ନଥିଲା । ଭାର୍ଗବ ନିଜର ସ୍କାର୍ଫ ଖୋଲି ତାକୁ ଓଦା କରିବା ପାଇଁ ନଦୀ ଧାର ଆଡ଼କୁ ଦୌଡ଼ିଲେ, ଯେଉଁଠି କଟୋଙ୍ଗ ନଦୀର ମାନିନୀ କନ୍ୟା କଣ୍ଟାବୁଦାକୁ ଗଳାରେ ଧାରଣ କରି ସିଧା କୌଣସି ଅଜ୍ଞାତ ଲକ୍ଷ୍ୟସ୍ଥଳ ଆଡ଼େ ଚଢ଼ିଯାଇଥିଲା ।

✽✽✽

 

ବନ୍ଦ ଝରକା

 

ସନ ୧୯୩୦ ମସିହାର କଥା । ଆଧୁନିକ ସିନସିନେଟି ନଗରଠାରୁ କିଛି ମାଇଲ ଦୂରରେ ଗୋଟିଏ ନିଘଞ୍ଚ ଅରଣ୍ୟ ଥିଲା । ସେହି କ୍ଷେତ୍ରରେ କାଁ ଭାଁ କେତେଜଣ ବାସ କରୁଥିଲେ । ନିକଟବର୍ତ୍ତୀ ଅଞ୍ଚଳର ଲୋକେ ଯେଉଁମାନେ ପ୍ରଥମେ ସେ ଅଞ୍ଚଳରେ ପହଞ୍ଚିଲେ, କୌଣସି ଦୈବୀ ପ୍ରେରଣାର ବଶବର୍ତ୍ତୀ ହୋଇ ପଶ୍ଚିମ ଆଡ଼େ ମାଡ଼ିଚାଲିଲେ ନୂଆ ବିପଦ ଓ କଷ୍ଟକୁ ଖାତିରି ନକରି-

 

ସେଠାକୁ ସର୍ବପ୍ରଥମେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଏବେ ମଧ୍ୟ ସେଠାରେ ଜୀବିତ ଥିଲା । ସେ ଏକାକୀ ଗୋଟିଏ କାଠଘରେ ରହୁଥିଲା । ଗୃହର ଚାରିଦିଗରେ ଘନ ଜଙ୍ଗଲ ଘେରି ରହିଥିଲା । ଘରେ ଶ୍ମଶାନର ନିରବତା ଓ ବିଷାଦ ବ୍ୟାପିରହିଥିଲା । କେହିହେଲେ ତାକୁ କାହା ସଙ୍ଗେ ଗପସପ ହେବା ବା ହସିବା ଦେଖି ନାହାନ୍ତି । ଜଙ୍ଗଲୀ ପଶୁଙ୍କ ଚମଡ଼ା ସହରରେ ବିକି ଚଳୁଥିଲା । କେବେହେଲେ ଜମି ଚାଷ କରୁନଥିଲା । ଜମିସବୁ କଣ୍ଟାବୁଦାରେ ଘେରିହୋଇ ସେମିତି ପଡ଼ିଆ ପଡ଼ିଥିଲା । ସେ ପଡ଼ିଆ ଜମିର ସେ ଥିଲା ନିର୍ବିବାଦ ଅଧିକାରୀ ।

 

ତାହାର ବାସଗୃହଟି କାଠରେ ତିଆରି । ତାହାର ଛାତଟି ମଧ୍ୟ କାଠର । ତା’ର କେବଳ ଗୋଟିଏ ଦ୍ଵାର ଥିଲା । ଏବଂ ତା’ର ଠିକ୍ ସାମନାରେ ଗୋଟିଏ ଝରକା ଥିଲା । ଝରକା ସବୁବେଳେ ବନ୍ଦ ରହୁଥିଲା । ତାକୁ କେହି କେବେହେଲେ ଖୋଲା ଥିବା ଦେଖିନାହାନ୍ତି । କେହି ହେଲେ ଜାଣିପାରୁ ନଥିଲେ ଯେ ତାହା କାହିଁକି ବନ୍ଦ ରହୁଥିଲା । ଏ କଥା ପରିଷ୍କାର ଥିଲା ଯେ ଘର ମାଲିକର ଆଲୋକ ଓ ପବନ ପ୍ରତି ଘୃଣା ନଥିଲା । କାରଣ ଯଦି କେବେ କୌଣସି ଶିକାରୀ ସେଠାରେ ଯାଇ ପହଞ୍ଚୁଥିଲା, ତାହାହେଲେ ତାକୁ ବାହାରେ ଖରା ପୋଇଁବା ଦେଖୁଥିଲା ।

 

ତା’ର ନାଁ ଥିଲା ମରଲାକ୍ । ଦେଖିବାକୁ ସେ ସତୁରିବର୍ଷିଆ ଜଣାପଡ଼ୁଥିଲା । କିନ୍ତୁ ପ୍ରକୃତରେ ତା’ର ବୟସ ଥିଲା ପଚାଶ ବର୍ଷ । ବୟସ ଅଧିକ ଜଣାପଡ଼ିବାର ବହୁତଗୁଡ଼ିଏ କାରଣ ଥଲା । ତା’ର ମୁଣ୍ଡରବାଳ ଓ ଲମ୍ବା ଘନ ଦାଢ଼ି ଧଳା ହୋଇ ସାରିଥିଲା । ଶୂନ୍ୟତା’ରେ ତା’ର ଆଖି ଭିତରକୁ ପଶିଯାଇଥିଲା । ଲୋଳିତ ଚର୍ମରେ ମୁଖମଣ୍ଡଳଟି କିମ୍ଭୂତ ଜଣାପଡ଼ୁଥିଲା ଓ ଦେଖିବାକୁ ଲୋକଟି ପତଳା ମଧ୍ୟ ଜଣାପଡ଼ୁଥିଲା ।

 

ଦିନେ ମରଲାକ୍‌କୁ ତା’ର କ୍ୟାବିନରେ ମରିପଡ଼ିଥିବା ଅବସ୍ଥାରେ ଦେଖାଗଲା । ଜଣାପଡ଼ୁଥିଲା ତା’ର ପ୍ରାକୃତିକ ମୃତ୍ୟୁ ହୋଇଛି । ତା’ର ମୃତ ଦେହକୁ ତା’ର ସ୍ତ୍ରୀର କବର ପାଖରେ କବର ଦିଆଗଲା । ତା’ର ପତ୍ନୀ ଏତେ ଦିନ ପୂର୍ବେ ମରିଥିଲା ଯେ ଲୋକଙ୍କ ସ୍ମରଣ ନଥିଲା ଯେ ସେ କେବେ ଥିଲା କି ନାହିଁ । ତା’ର ସ୍ତ୍ରୀ ବିଷୟରେ ଗୋଟିଏ କଥା ପ୍ରଚଳିତ ଥିଲା ଯେ ଯେତେବେଳେ ମରଲାକ୍ ତା’ର କ୍ୟାବିନ ତିଆରିକଲା ତଥା ନିଜର କୁରାଢ଼ି ସାହାଯ୍ୟରେ ସେହି ବିସ୍ତୃତ କ୍ଷେତ୍ରର ଶିଳାନ୍ୟାସ କଲା ସେତେବେଳେ ସେ ଯୁବକ । ବଳିଷ୍ଠ ତଥା ଆଶାବାଦୀ । ବନ୍ଧୁକ ତା’ର ସବୁବେଳ ପାଇଁ ବନ୍ଧୁଥିଲା । ପୂର୍ବ ପ୍ରଦେଶରୁ, ଯେଉଁଠୁ ସେ ଆସିଥିଲା ସେ ସେଠିକାର ପ୍ରଥା ଅନୁସାରେ ସେ ଗୋଟିଏ ନବଯୁବତୀକୁ ବିବାହ କଲା । ତା’ର ସ୍ତ୍ରୀ ପ୍ରକୃତରେ ତା’ ଜୀବନର ସୁଖଦୁଃଖର ସଙ୍ଗିନୀ ଥିଲା । ସେ ତା’ ସଙ୍ଗେ ସବୁ ବିପଦର ସାମନା ହସି ହସି ସହ୍ୟ କରିଥିଲା । ତା’ର ନାଁ ତଥା ରୂପରଙ୍ଗ ସମ୍ବନ୍ଧରେ କେହି କିଛି ଜାଣିନଥିଲେ । କିନ୍ତୁ ତା’ ପାଖେ ନିଶ୍ଚୟ କିଛି ଆକର୍ଷଣ ଥିଲା । କାରଣ ତା’ର ମୃତ୍ୟୁପରେ ମରଲାକ୍ ତା’ର ଏଡ଼େ ବଡ଼ ଲମ୍ବା ଜୀବନ ଏକାକୀ କଟାଇଥିଲା ।

 

ଦିନେ ଯେତେବେଳେ ମରଲାକ୍ ଦୂର ଜଙ୍ଗଲରୁ ଶିକାରରୁ ଫେରିଆସିଲା, ସେ ତା’ର ସ୍ତ୍ରୀକୁ ଜ୍ଵର ପୀଡ଼ିତ ତଥା ଅର୍ଦ୍ଧମୂର୍ଚ୍ଛିତ ଅବସ୍ଥାରେ ଦେଖିବାକୁ ପାଇଲା । ମାଇଲିଏ ଭିତରେ କେହି ବୈଦ୍ୟ ବା ଡାକ୍ତର ନଥିଲେ । ଏବଂ ସ୍ତ୍ରୀକୁ ଏକାକୀ ଛାଡ଼ିଦେଇ ଯିବା ବିପଦମୁକ୍ତ ନଥିଲା । ତେଣୁ ସେ ସେବା ଶୁଶ୍ରୂଷା ଦ୍ଵାରା ତାକୁ ପୁନଃ ସୁସ୍ଥ କରିବା ଚେଷ୍ଟାରେ ଲାଗିଲା । କିନ୍ତୁ ତୃତୀୟ ଦିନ ଶେଷରେ ସେ ବିଲକୁଲ ବେହୋସ ହୋଇଗଲା ଏବଂ ମରିଗଲା ।

 

ଯେତେବେଳେ ମରଲାକ୍ ଜାଣିଲା ଯେ ସେ ମରିଗଲା ସେ ତାକୁ କବର ଦେବାପାଇଁ ବିଚାର କଲା । ସେ କିନ୍ତୁ ଚିରାଚରିତ ପ୍ରଥା ଅନୁସାରେ ଦେଇପାରିଲା ନାହିଁ । କେତେଗୁଡ଼ିଏ ଆବଶ୍ୟକ କଥା ଭୁଲିଗଲା । ତା’ର ଜଡ଼ିଭୂତ ଆଖିରୁ ଟୋପାଏ ହେଲେ ଲୁହ ଗଡ଼ିଲାନି । ଏଥିରେ ତାକୁ ଟିକିଏ ଲାଜ ମଧ୍ୟ ଲାଗିଲା । ସେ ବଡ଼ପାଟିରେ କହିଲା, କାଲି ମୁଁ ଏହା ପାଇଁ କଫିନ ତିଆରି କରିବି । ଗୋଟିଏ କବର ଖୋଳିବି ଏବଂ ତା’ପରେ ଏ ମୋର ବହୁତ ମନେପଡ଼ିବ । କିନ୍ତୁ ବର୍ତ୍ତମାନ ସେ ମରିଯାଇଛି । ସେ ଯାହା ହେଉ ଠିକ୍ ହୋଇଛି । ସବୁ ଠିକ୍ ହୋଇଯିବ ।

 

ଅଳ୍ପ ଆଲୁଅରେ ସେ ମୃତଦେହ ନିକଟରେ ଠିଆ ହେଲା । ତା’ର ବାଳ ଏବଂ ଲୁଗାପଟାକୁ ଆଉଁସିବାକୁ ଲାଗିଲା । ସେ ଏହାସବୁ ଯାନ୍ତ୍ରିକ ଢଙ୍ଗରେ କଲା । ଜୀବନରେ ସେ ଦୁଃଖ କ’ଣ ଜାଣି ନଥିଲା । ସେ ଅନୁଭବ କଲା ଯେ ତା’ ଜୀବନରେ ଏହା ଗୋଟିଏ କଟୁ ପ୍ରହାର । ସେ କଳ୍ପନାରେ ମଧ୍ୟ ଦୁଃଖଶୋକର ଚିନ୍ତା କରି ନଥିଲା । ଶୋକର ମଧ୍ୟ ସଙ୍ଗୀତର ଆଳାପ ଅଛି । ଶୋକ ବିନାବାଦ୍ୟରେ ବିଭିନ୍ନ ସ୍ଵର ଉତ୍ତୋଳନ କରିଥାଏ, କେହି ମୁଣ୍ଡ କଚାଡ଼ି ହୋଇ କାନ୍ଦେ, କେତେକ ଶୋକ ସନ୍ତପ୍ତ ହୃଦୟ ଦୁରନ୍ତ ଢୋଲର ମନ୍ଦ୍ର ଧ୍ଵନିପରି ନିରାତଙ୍କ ତଥା ଗମ୍ଭୀର ହୋଇ ରହେ କେତେ ଲୋକଙ୍କୁ ଦୁଃଖ ମୂର୍ଚ୍ଛିତ କରିଦିଏ । କିନ୍ତୁ କେତେ ଲୋକଙ୍କୁ ତାହା ଚମକାଇଦିଏ । ମରଲାକ୍ ଦ୍ଵିତୀୟ ଶ୍ରେଣୀର ଲୋକ ଥିଲା ।

 

ଯେଉଁ ମେଜ ଉପରେ ଶବଟି ପଡ଼ି ରହିଥିଲା ତା’ର ପାଖରେ ପଡ଼ିଥିବା ଗୋଟିଏ ଚେୟାର ଉପରେ ସେ ବସି ପଡ଼ିଲା । ଏବଂ ସେ ଅନୁଭବ କଲା ଯେ ଅନ୍ଧକାର ମଧ୍ୟରେ ଶବ ବହୁତ ଧଳା ଦେଖାଯାଉଛି । ଆଖି ଲୋତକହୀନ ଥିଲା । କିନ୍ତୁ ବହୁତ ଥକି ଯାଇଥିଲା । ମେଜ ଉପରେ ବାହୁ ଆଶ୍ରାରେ ମୁଣ୍ଡପୋତି ପଡ଼ିରହିଲା । ସେ ସମୟରେ ଖୋଲା ଝରକାଦେଇ କାନ୍ଦିବାର ଶବ୍ଦ ଶୁଣାଗଲା । ଜଣାଗଲା ସତେ ଯେମିତି ଗୋଟିଏ ଛୋଟ ଶିଶୁ ଘନ ଅରଣ୍ୟ ଭିତରେ ରାସ୍ତା ଭୁଲିଯାଇଛି । ତା’ର ବିଲୁପ୍ତ ଚେତନା ନିକଟରେ ସେ ଭୟଙ୍କର ଚିତ୍କାର ଆହୁରି ନିକଟରେ ଶୁଣାଗଲା । ତାହା ବୋଧହୁଏ କୌଣସି ଜଙ୍ଗଲୀ ପଶୁର ଚିତ୍କାର ଥିଲା ବା କୌଣସି ଦୁଃସ୍ୱପ୍ନ ଥିଲା । କାରଣ ମରଲାକ୍ ଶୋଇପଡ଼ିଥିଲା ।

 

କିଛି ଘଣ୍ଟା ପରେ କିଛି ଶବ୍ଦ ଶୁଣି ସେ ଉଠିପଡ଼ିଲା ଏବଂ ନିଜବାହୁ ଉପରୁ ମୁଣ୍ଡ ଉଠାଇ କିଛି ଶୁଣିବାକୁ ଚେଷ୍ଟାକଲା । ଅନ୍ଧକାରରେ ଶବ ନିକଟରେ ସେ ନିଜ ଆଖିକୁ ବିସ୍ତାରିତ କରି କିଛି ଦେଖିବାକୁ ଚେଷ୍ଟାକଲା । ସେ ସଚେତ ଥିଲା । ନିଃଶ୍ଵାସ ବନ୍ଦ ହୋଇଯାଇଥିଲା । ନାଡ଼ିର ଗତି ମଧ୍ୟ ଶିଥିଳ ହୋଇଯାଇଥିଲା । ହଠାତ୍‌ ତା’ର ବାହୁତଳେ ମେଜ ହଲିଉଠିଲା । ଏବଂ ସେ ସମୟରେ ସେ ଗୋଟିଏ ହାଲୁକା ନରମ ପଦଚାପ ଶୁଣିଲା । ହୁଏତ ଏହା ତା’ର ମନର ଭ୍ରମ ହୋଇପାରେ । ଗୋଟିଏ ଖାଲି ପାଦ ନରମ ଫର୍ଶ ଉପରେ ପଡ଼ିଥିଲା ।

 

ସେ ଏତେ ଭୟଭୀତ ହୋଇପଡ଼ିଲା ଯେ ତା’ର ମୁହଁରୁ ପଦେ ହେଲେ କଥା ବାହାରିଲା ନାହିଁ । ସେ ଅପେକ୍ଷା କରିବାରେ ଲାଗିଲା । ପ୍ରତୀକ୍ଷାର ସେ ସମୟ ଅନ୍ଧକାର ମଧ୍ୟରେ ଭୟ ଯୋଗୁ ଯୁଗଟିଏ ପରି ଲାଗିଲା । ସେ ତା’ର ମୃତ ପତ୍ନୀର ନାଁ ଡାକିବାକୁ ଚେଷ୍ଟାକଲା କିନ୍ତୁ ତା’ ପାଟିରୁ କଥା ବାହାରିଲା ନାହିଁ । ତା’ର ପାଟି ଅଠା ହୋଇଗଲା । ତା’ର ହାତ ପାଦ ଶିଷା ଭଳି ଭାରି ହୋଇଗଲା । ସେ ସମୟରେ ଗୋଟିଏ ଭୟଙ୍କର ଘଟଣା ଘଟିଲା । ଗୋଟିଏ ଭାରି ଶରୀରର ମେଜ ସଙ୍ଗେ ଧକ୍‌କା ହେଲା । ଫଳସ୍ଵରୂପ ମେଜ ତା’ର ଛାତିରେ ଏତେ ଜୋରରେ ବାଜିଲା ଯେ ସେ ଦମ୍ଭ ଧରିପାରିଲା ନାହିଁ । ଏବଂ ସେ ସମୟରେ କୌଣସି ଗୋଟିଏ ପଦାର୍ଥ ଫର୍ଶ ଉପରେ ପଡ଼ିବାରୁ ଏଡ଼େ ଶବ୍ଦ ହେଲା ଯେ ସାରା ଘରଟି ଥରିଉଠିଲା । କେହି ଧସ୍ତାଧସ୍ତି ହେଲାପରି ଭ୍ରମ ଜାତହେଲା । ମରଲାକ୍‍ ଉଠି ଠିଆହେଲା । ଭୟରେ ସେ ଶୂନ୍ୟତା ବୋଧକଲା । ସେ ତା’ର ହାତରେ ମେଜକୁ ଅଣ୍ଡାଳିଲା । କିନ୍ତୁ ଶବ ସେଠାରେ ନଥିଲା ।

 

ଜୀବନରେ ଏପରି ସମୟ ମଧ୍ୟ ଆସେ ଯେତେବେଳେ ଭୟ ପାଗଳାମିରେ ପରିବର୍ତ୍ତିତ ହୋଇଯାଏ । ପାଗଳ ଅବସ୍ଥାରେ ମନୁଷ୍ୟ ଯାହା ନକରିବା କଥା ତାହା କରିଦିଏ । ପାଗଳପରି ମରଲାକ୍‍ କାନ୍ଥଆଡ଼େ ନଇଁ ପଡ଼ିଲା ଓ ଅଣ୍ଡାଳି ସେ ଗୁଳିଭରା ବନ୍ଧୁକକୁ ଧରିପକାଇଲା ଏବଂ ଲକ୍ଷ୍ୟସ୍ଥିର ନକରି ବନ୍ଧୁକ ଚଳାଇ ଦେଲା । ସେହି ଆଲୋକରେ କ୍ଷଣକ ପାଇଁ ସାରା ବଖରାଟି ଚମକି ଉଠିଲା । ଦେଖି ପାରିଲା ଯେ ଗୋଟିଏ ବହୁତ ବଡ଼ ଚିତାବାଘ ତା’ ଦାନ୍ତରେ ମୃତ ସ୍ତ୍ରୀର ବେକକୁ ଧରି ଝରକା ଆଡ଼େ ଭିଡ଼ିନେଉଛି । ପୁଣି ତା’ପରେ ପ୍ରଥମଥର ଅପେକ୍ଷା ଅଧିକ ଗଭୀର ଅନ୍ଧକାର ଘୋଟିଗଲା ଏବଂ ତା’ ସଙ୍ଗରେ ନିରବତା ମଧ୍ୟ ।

 

ପୁଣି ଯେତେବେଳେ ତା’ର ହୋସ୍ ଆସିଲା ସେତେବେଳେ ସୂର୍ଯ୍ୟ ଉଦୟ ହୋଇସାରିଥିଲେ ଏବଂ ଜଙ୍ଗଲର ପକ୍ଷୀମାନଙ୍କ କଳରାବରେ ସ୍ଥାନଟି ମୁଖରିତ ହୋଇ ଉଠିଥିଲା । ଶବ ସେହି ଝରକା ନିକଟରେ ପଡ଼ିଥିଲା, ଯେଉଁଠାରେ ଗୁଳିର ଶବ୍ଦ ତଥା ଆଲୋକରେ ଭୟଭୀତ ହୋଇ ବାଘ ଛାଡ଼ି ଦେଇଥିଲା । ଶବରବସ୍ତ୍ର ଓ କେଶ ଅସ୍ତବ୍ୟସ୍ତହୋଇ ପଡ଼ିଥିଲା ତଥା ବେକ ଅତି ସାଙ୍ଘାତିକ ଭାବେ କଟିଯାଇଥିଲା ଓ ଚଟାଣ ରକ୍ତରେ ଜୁଡ଼ୁବୁଡ଼ୁ ହେଉଥିଲା । ଯେଉଁ ରିବନରେ ସେ ମୃତ ସ୍ତ୍ରୀର କଚଟି ବାନ୍ଧିଥିଲା ତାହା ଛିଣ୍ଡିଯାଇଥିଲା । ଦାନ୍ତ ମଝିରେ ଚିତାର ଗୋଟିଏ କାନର କିଛି ଅଂଶ ଲାଖିରହିଥିଲା ।

✽✽✽

 

ଶିବାଲକର ନରଖାଦକ

 

କଥାଟି ୧୯୩୯ ମସିହାର । ସେତେବେଳେ ଖାଁ ବାହାଦୁର ହକିମୁଦ୍ଦିନ ହରିଦ୍ୱାର ଡିଭିଜନ ଗସ୍ତରେ ଯାଇଥିଲେ । ହଠାତ୍ ଦିନେ କୋଟରିର ରେଞ୍ଜ ଅଫିସରଙ୍କ ପାଖରୁ ଖବର ମିଳିଲା ଯେ ତକାୟନି ଗାଁ ପାଖରେ ଠିକାଦାରର ଗୋଟିଏ ଲୋକଙ୍କୁ ବାଘ ଘାଉଡ଼ କରିଦେଇଛି ଏବଂ ଲୋକଟି କୋଟଦ୍ୱାର ହସପିଟାଲ ଯାଇ ମରିଗଲା । ସପ୍ତାହ ପରେ କୋଟରିବେଲି ଠିକାଦାର ମଧ୍ୟ ଖବର ପଠାଇଲା ଯେ ତାଙ୍କର ଗୋଟିଏ ଲୋକକୁ ବାଘ ମାରିଦେଲା । ଭୟରେ କୁଲିସବୁ କାମ ଛାଡ଼ି ଦେଇଛନ୍ତି ଏବଂ ସମସ୍ତେ ପଳାଇଯାଇଛନ୍ତି । ଯଦି ବାଘ ଶିଘ୍ର ମରାନଯିବ ତେବେ ଲକ୍ଷାଧିକ ଟଙ୍କାର କ୍ଷତି ଘଟିବ । ବାଘପାଟିରେ ଏମିତି ନରମାଂସ ସ୍ୱାଦ ଲାଗିଯାଇଛି ଯେ ଲୋକକୁ ଦେଖିବାମାତ୍ରେ ହଠାତ୍ ଆକ୍ରମଣ କରି ଦେଉଛି । କୋଟରିବେଲର ରାସ୍ତା ଏକଦମ୍ ବନ୍ଦ ହୋଇଯାଇଛି ।

 

ଖାଁ ବାହାଦୁରଙ୍କର ବହୁତ କାମଥିଲା । ସେଥିପାଇଁ ସେ କୋଟରିବେଲିର ଠିକାଦାର ପାଖକୁ ସୂଚନା ପଠାଇଦେଲେ ଯେ, ମୁଁ ବହୁତ ବ୍ୟସ୍ତ ଅଛି, ବାଘକୁ ମାରିଦେବା ପାଇଁ ଲୈନସ୍‌ଡ଼ାଉନର କମାଣ୍ଡିଙ୍ଗ୍ ଅଫିସରଙ୍କୁ ଚିଠି ଦେଇଛି ସେ ବାଘ ମାରିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବେ । ପରେ ଜଣାଗଲା ଯେ ସୈନ୍ୟବିଭାଗ ତଥା ବାହାରୁ ଭଲ ଭଲ ଶିକାରୀ ଆସିଲେ କିନ୍ତୁ ସମସ୍ତେ ବିଫଳ ହୋଇ ଫେରିଗଲେ ।

 

କିଛିଦିନପରେ ଆଖପାଖ ଇଲାକାରୁ ସେ ମଣିଷ ଖିଆ ବାଘର ଆକ୍ରମଣ ସମ୍ବନ୍ଧରେ ଅନେକ ଖବର ମିଳିଲା । ଦିନ ଦ୍ୱିପ୍ରହର ସମୟରେ କୁଲିମାନଙ୍କ ରହିବାଘର ଉପରେ ଆକ୍ରମଣ କରିବାକୁ ଲାଗିଲା । ଦିନେ ଗୋଟିଏ ଘର ଉପରେ ଆକ୍ରମଣ କରି ପାଞ୍ଚୋଟି ଲୋକକୁ ମାରିଦେଲା-। ଷଷ୍ଠ ଲୋକଟି କୌଣସି ପ୍ରକାରେ ଖସିଯାଇ ଗୋଟିଏ ଗଛ ଉପରେ ଚଢ଼ି ଆତ୍ମରକ୍ଷା କଲା-। ଏବଂ ଗଛ ଉପରେ ଦୁଇଦିନ ପର୍ଯ୍ୟନ୍ତ ରହିଲା । ବାଘମଧ୍ୟ ଦୁଇଦିନକାଳ ତଳେ ସେ ଲୋକଟି ଅପେକ୍ଷାରେ ଜଗି ରହିଲା । ତୃତୀୟଦିନ ଗୋଟିଏ ଶିକାରୀ ଦଳ ଯାଇ ବାଘକୁ ଘଉଡ଼ାଇ ସେ ଲୋକକୁ ଉଦ୍ଧାର କଲେ ।

 

କ୍ରମେ କ୍ରମେ କୁଲି ସବୁ କାମ ଛାଡ଼ି ଘରକୁ ଚାଲିଗଲେ । ଠିକାଦାରର କାମ ବନ୍ଦ ହୋଇଗଲା । ତେଣୁ କେତେଜଣ ଠିକାଦାର ମିଶି ବାଘ ମାରିଲା ବାଣୁଆକୁ ପାଞ୍ଚଶହ ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କଲେ । ଆହୁରି ମଧ୍ୟ ଘୋଷଣା କଲେ ଯେ ଶିକାରରେ ଯେତେ ଟଙ୍କା ଖର୍ଚ୍ଚ ହେବ ସବୁ ସେ ସହିବେ । ଘୋଷଣାରେ ଆକୃଷ୍ଟ ହୋଇ ଅନେକ ଶିକାରୀ ଆସିଲେ ଏବଂ ବିଫଳ ମନୋରଥରେ ଘରକୁ ଫେରିଗଲେ । ବାଘ ଏଡ଼େ ଚାଲାକ ହୋଇଯାଇଥିଲା ଯେ ଶିକାରୀମାନେ ତା’ ଅସ୍ତିତ୍ଵ ସମ୍ବନ୍ଧରେ ଗନ୍ଧ ମଧ୍ୟ ପାଇପାରିଲେ ନାହିଁ ।

 

ଏହିପରି ଅନେକ ଘଟଣା ଘଟିଘଟି ୧୯୪୦ ମସିହା ଜାନୁୟାରୀ ମାସ ହୋଇଗଲା । ଏବଂ ଖାଁ ବାହାଦୁର ଯେତେବେଳେ ଦ୍ଵିତୀୟଥର ସେହି ଇଲାକାକୁ ଗଲେ ସେତେବେଳକୁ କେଜାଣି କେତେ ଲୋକଙ୍କୁ ସେ ଦୁଷ୍ଟ ବାଘ ମାରିଦେଇଥିଲା । ତା’ର ହିସାବ କେହି ରଖିବାକୁ ସମର୍ଥ ହୋଇନଥିଲେ । ଏହା ଖାଁ ବାହାଦୁରଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା । ସେ ମଧ୍ୟ ଖୁବ୍ ଜିଦ୍ ଧରି ବସିଲେ-। ଯାହା ହେଲେ ବି ବାଘକୁ ମାରିବାକୁ ସେ ପ୍ରତିଜ୍ଞାବଦ୍ଧ ହୋଇ କହିଲେ, “ମୁଁ ବାଘ ମାରିଲେ ଏଠାରୁ ଯିବି ।’’ ‘କୋଳୁଚାଡ଼’ ବଙ୍ଗଳାରେ ଖାଁ ବାହାଦୁର ରହିଲେ । ‘ତକୟାନି’ ଗାଁରେ ଖୋପ ତିଆରି କରି ଗୋଟିଏ ମଇଁଷି ବାନ୍ଧିଦେଲେ ଓ ଲୋକଙ୍କୁ କହିଲେ ଯେ ସକାଳୁ ମୁଁ ଯିବି ।

 

ସକାଳୁ ସକାଳୁ ଆକାଶଟା ମେଘୁଆ ଦେଖାଗଲା । ନାହିଁ ନଥିବା ଥଣ୍ଡା ପଡ଼ୁଥାଏ । ଖାଁ ବାହାଦୁର ତାଙ୍କର ରାଇଫଲ ଓ ଫରେଷ୍ଟର ତାଙ୍କ ବା’ର ବୋରର ଏକନଳିଆ ବନ୍ଧୁକ ନେଇ ବାହାରିଲେ । ରାସ୍ତାରେ ଝିପିଝିପି ବର୍ଷା ହେଲା । ଢକିୟାନରେ ପହଞ୍ଚି ସେଠାରେ ତାଙ୍କର ଘୋଡ଼ା ଛାଡ଼ି ଯେଉଁଠାରେ ମଇଁଷି ବନ୍ଧା ହୋଇଥିଲା, ସେ ଜାଗାରେ ଯାଇ ପହଞ୍ଚିଲେ । ସେ ଜାଗାଟି ପ୍ରାୟ ଏକ ଫର୍ଲାଙ୍ଗ ଦୂର ଥିଲା । ତାଙ୍କ ସଙ୍ଗେ ଚାରିପାଞ୍ଚ ଜଣ ଭାଲି ଧରିଥିବା ଲୋକଥିଲେ । ଯେତେବେଳେ ସେମାନେ ନାଳ ପାଖେ ପହଞ୍ଚିଲେ ଦେଖିଲେ ନାଳ ପାର ହୋଇ ବାଘ ଆସି ମଇଁଷିକୁ ଉଠାଇ ନେଇଯାଇଛି । ଏ ସମୟରେ ବର୍ଷା ଓ ଅନ୍ଧାର ମାଡ଼ିଆସିଲା । ଖାଁ ବାହାଦୁର ଏଇଥିପାଇଁ ଆନନ୍ଦିତ ହେଲେ ଯେ ସେମାନେ ଚାଲିଲା ବେଳେ ଆଉ ପାଦ ଶବ୍ଦ ଶୁଣାଯିବନି ।

 

ସେମାନେ ବାଘ ଖୋଜିବାରେ ଆଗକୁ ବଢ଼ିଲେ । ବର୍ତ୍ତମାନ ଅଳ୍ପଦୂର ଯାଇଛନ୍ତି କି ନାହିଁ ଫରେଷ୍ଟର ପାଟିକରି ଉଠିଲେ ବାଘ ! ବାଘ !! ଖାଁ ବାହାଦୁର ଟିକିଏ ପଛରେ ଥିଲେ । ଆଗକୁ ଦୌଡ଼ିଯାଇ ଦେଖିଲେ ବାଘ ମଇଁଷିଛାଡ଼ି ଲମ୍ବା ଘାସ ଉପରେ ଦଉଡ଼ି ଦଉଡ଼ି ପଳାଇ ଯାଉଛି । ସେ ବାଘ ପଛରେ ଦୌଡ଼ିଲେ । କିନ୍ତୁ ବାଘ ତାଙ୍କୁ ଦେଖିବା ମାତ୍ରେ ଲାଞ୍ଜ ପିଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । ଖାଁ ବାହାଦୁର ଏଇ ସୁଯୋଗକୁ ଅପେକ୍ଷା କରିଥିଲେ । ତାଙ୍କ ରାଇଫଲ ଆଗରୁ ସଜାଗ ହୋଇଥିଲା ତା’ କାର୍ଯ୍ୟ କରିବାପାଇଁ । କିନ୍ତୁ କେଜାଣି କାହିଁକି ବାଘ ଆଉ ଆଗକୁ ନଆସି ସେ ଘାସ ଭିତରେ ଲୁଚିକରି ବସିଗଲା । ସେ ଠିକ୍ ଭାବେ ଦେଖାଯାଉନଥିଲା । ତେଣୁ ଖାଁ ବାହାଦୁର ମଧ୍ୟ ବିପଦ ବରି ନେବାକୁ ମନ ବଳେଇଲେ ନାହିଁ । ଫେରିଆସି ଅଳ୍ପଦୂରରେ ପ୍ରାୟ ତିରିଶ ଫୁଟ ହେବ ଗୋଟିଏ ଉଚ୍ଚ ଚଟାଣ ଉପରେ ବସିଲେ । ସେ ତାଙ୍କ ଲୋକଙ୍କୁ କହିଲେ ଯେ ସେମାନେ କଞ୍ଚାଡାଳ ସବୁ କାଟି ତାଙ୍କ ଚାରିପଟେ ପୋତି ଦିଅନ୍ତୁ ଓ ସେଠାରୁ ଫେରିଯାନ୍ତୁ ।

 

ଯେତେବେଳେ ସେ ଲୋକମାନେ ତାଙ୍କର ଆଦେଶ ଅନୁସାରେ କାର୍ଯ୍ୟକରି ସେଠାରୁ ଚାଲିଗଲେ, ବର୍ଷା ଆହୁରି ଜୋରରେ ଆରମ୍ଭ ହେଲା । ଖାଁ ବାହାଦୁର ବର୍ଷାତି ଘୋଡ଼ିହୋଇ ବସିଲେ । ଚା’ ଭର୍ତ୍ତି ହୋଇଥିବା ଥର୍ମୋଫ୍ଲାସ୍କ ତାଙ୍କ ପାଖେ ଥିଲା । ଥଣ୍ଡା ବେଶି ଲାଗିଲେ ଟିକିଏ ଟିକିଏ ଚା’ ପିଇଦେଉଥିଲେ । ଏହି ଚା’ ଓ ବାଘ ମାରିବା ନିଶା ତାଙ୍କୁ ସେଠାରୁ ଫେରିଯିବାକୁ ଦେଲାନି । ତାଙ୍କୁ ଜଣା ନଥିଲା ଯେ ସେ ମଣିଷଖିଆ ତାଙ୍କ ସାମନାରେ ହିଁ ବୁଦାତଳେ ବସି ତାଙ୍କର ସବୁ କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଛି ।

 

ସକାଳ ନଅଟାରୁ ବାରଟା ପର୍ଯ୍ୟନ୍ତ ପ୍ରାୟ ଦୁଇଇଞ୍ଚ ବର୍ଷା ହୋଇଗଲା । ବର୍ଷାତି ବର୍ଷାର ପ୍ରଭାବକୁ କେତେ ସହିବ ? ତେଣୁ ବର୍ଷାତି ସଙ୍ଗେ କୁରୁତା, କାମିଜ, ବାନିୟାନ ପର୍ଯ୍ୟନ୍ତ ସବୁ ଓଦା ହୋଇଗଲା । ଯେଉଁ ଚଟାଣ ଉପରେ ଖାଁ ବାହାଦୁର ବସିଥିଲେ ସେଠାରେ ଗାଢ଼ ହୋଇଯିବାରୁ ତାଙ୍କ ଆଖପାଖରେ ମଧ୍ୟ ପାଣି ଭର୍ତ୍ତିହୋଇଗଲା । ଖୁବ୍ ଜୋରରେ ଶୀତ ଅନୁଭବ କଲେ । ଥର୍ମୋଫ୍ଲାସ୍କରୁ ସବୁ ଚା’ ସରିଗଲା । ପ୍ରାୟ ସମୟ ବାରଟା ହୋଇଛି କି ନାହିଁ ତାଙ୍କ ପଛପଟୁ ଗୋଟାଏ ଟେକା କୁଆଡ଼ୁ ଆସି ତାଙ୍କ ଉପରେ ପଡ଼ିଲା ।

 

ଖାଁ ବାହାଦୁର ଏଥିପ୍ରତି କୌଣସି ଗୁରୁତ୍ୱ ଦେଲେନାହିଁ । ତାଙ୍କର ସବୁ ଧ୍ୟାନ କେନ୍ଦ୍ରିତ ହୋଇଥିଲା ସେହି ମଇଁଷି ଓ ଲମ୍ବା ଘାସ ଉପରେ ଯେଉଁଠାରେ କି ସେ ମଣିଷଖିଆ ଲୁଚି ବସିଥିଲା-। ନାଳରେ ପାଣି ଚଢ଼ିଗଲା ଓ ସେ ଶବ ପାଣିବାଜି ହଲିବାରେ ଲାଗିଲା । ଜାଡ଼ ଯୋଗୁ ଖାଁ ବାହାଦୁର ଥର ଥର ହୋଇ କମ୍ପୁଥିଲେ । ସେ ଜାଣିଥିଲେ ସର୍ଦି ତ ହେବ କିନ୍ତୁ ଡର ଏଇଥିପାଇଁ ଯେ ନିମୋନିୟା ନହେଉ । ଜଙ୍ଘ ଦରଜ ହେବାରେ ଲାଗିଲା । ବର୍ତ୍ତମାନ ଆଉ ବସି ରହିବା କଷ୍ଟକର । ତେଣୁ ଥର୍ମୋଫ୍ଲାସ୍କ କାନ୍ଦରେ ପକାଇ ଡାଳପତ୍ର ସବୁ ତାଙ୍କ ପାଖରୁ ହଟାଇଦେଲେ-। ବାହାରକୁ ବାହାରିବାମାତ୍ରେ ତାଙ୍କର ଦୃଷ୍ଟି ସଦ୍ୟ ପଡ଼ିଥିବା ବାଘର ପାଦଚିହ୍ନ ଉପରେ ପଡ଼ିଲା-। ତାହା ତାଙ୍କ ପିଠିଠାରୁ ମାତ୍ର ଦୁଇଫୁଟ ଦୂରରେ ଥିଲା । ତାଙ୍କ ଶରୀର କମ୍ପିଗଲା । ସେ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଦେଲେ । ସେ ମଣିଷ ଖିଆ କବଳରୁ ମରୁମରୁ ବଞ୍ଚିଯାଇଥିଲେ ।

 

ଖାଁ ବାହାଦୁର ବଞ୍ଚିବାର ଦୁଇଟି ପ୍ରଧାନ କାରଣ ଥିଲା ପ୍ରଥମରେ ବର୍ଷା ପାଣିରେ ଓଦାହୋଇ ତାଙ୍କର ବର୍ଷାତି ଡାଳପତ୍ରର ରଙ୍ଗ ହୋଇଯାଇଥିଲା ଏବଂ ପବନର ଗତି ବାଘ ଆଡ଼ୁ ତାଙ୍କ ଆଡ଼େ ଥିଲା, ତେଣୁ ବାଘ ତାଙ୍କ ଗନ୍ଧ ବାରି ପାରିନଥିଲା । ନେହେଲେ ଗନ୍ଧ ପାଇଥିଲେ ସେ ନିଶ୍ଚିତଭାବେ ବାଘର ଶିକାର ହୋଇଥାନ୍ତେ ।

 

ଖାଁ ବାହାଦୁର ଜାଣିଥିଲେ ଯେ ଏ ବାଘ ମନୁଷ୍ୟର ସୁର ପାଇବା ମାତ୍ରେ ଆକ୍ରମଣ କରି ଦେଉଥିଲା । ଏଥିପାଇଁ କାହାକୁ ପାଟିକରି ଡାକିବା ପାଇଁ ମଧ୍ୟ ସାହାସ କଲେନାହିଁ । ଭୟ ଯୋଗୁ ବର୍ଷା କୁହୁଡ଼ିରେ ତାଙ୍କର ଦୃଷ୍ଟି ଯେଉଁଆଡ଼େ ଯାଉଥିଲା ସେ ଆଡ଼େ ପ୍ରତ୍ୟେକ ବୁଦାତଳେ ତାଙ୍କୁ ବାଘ ଥିଲାପରି ଜଣାପଡ଼ୁଥିଲା । ଜୀବନରେ ସେ ବହୁତ ଭୟଙ୍କର ବାଘ ଶିକାର କରି ସାରିଥିଲେ କିନ୍ତୁ ଏପରି ସଙ୍କଟରେ କେବେହେଲେ ପଡ଼ିନଥିଲେ । ବର୍ତ୍ତମାନ ଦେହମୁଣ୍ଡର ଦରଜ ଅସହ୍ୟ ହୋଇପଡ଼ିଲା । କୌଣସିମତେ ପଡ଼ିଉଠି ମଣିଷଖିଆ କବଳରୁ ଆତ୍ମରକ୍ଷାକରି ସେ ବଙ୍ଗଳାରେ ଯାଇ ପହଞ୍ଚିଗଲେ । ଲୋକମାନେ ତାଙ୍କର ଅବସ୍ଥା ଦେଖି ଭୟଭୀତ ହୋଇଗଲେ । ନିଆଁ ଜଳାଇ ତାଙ୍କର ଲୁଗାପଟା ଶୁଖାଇଦେଲେ । ତେଲ ମାଲିସ କରିସାରି ଏବଂ ଖାଇ ସାରିବା ପରେ ତାଙ୍କୁ ଟିକିଏ ଭଲ ଲାଗିଲା ଓ ମନରେ ଟିକିଏ ତାଙ୍କର ଦମ୍ଭ ଆସିଲା ।

 

କିନ୍ତୁ ତା’ର ଦୁଇ ଚାରିଦିନ ପର୍ଯ୍ୟନ୍ତ କାଶ ଓ ସର୍ଦି ତାଙ୍କୁ ଏପରି ହଇରାଣ ହରକତ କଲା ଯେ ତାଙ୍କୁ ହେଡ଼କ୍ୱାଟର ଯାଇ ଚିକିତ୍ସିତ ହେବାକୁ ପଡ଼ିଲା । ଖାଁ ସାହେବ ଅନୁଭବ କଲେ ଯେପରି ବାଘ ତାଙ୍କ ପୌରୁଷ ପ୍ରତି ଅଟ୍ଟହାସ କରୁଛି । ଦେହ ଭଲ ହୋଇଯିବାରୁ ବାଘକୁ ମାରିବା ନିଶା ପୁଣି ତାଙ୍କୁ ଘାରିଲା । ଏଥରକ ସେ ରାଜାସାହେବ ମାହାରନପୁରଙ୍କଠାରୁ ଗୋଟିଏ ହାତୀ ମାଗିନେଇ “କୋଳୁଚୋଡ଼” ଗଲେ ।

 

ବାଘ ସେଇ ଜଙ୍ଗଲରେ ରହୁଥିଲା । ତା’ର ପାଦଚିହ୍ନ ଦେଖି ପୁଣି ମଇଁଷି ବନ୍ଧା ହେଲା । ଦ୍ଵିତୀୟଦିନ ଖବର ମିଳିଲା ଯେ ମଇଁଷିକୁ ମାରିଦେଇଛି । ଖାଁ ବାହାଦୁର ଫରେଷ୍ଟରଙ୍କୁ ସାଙ୍ଗରେ ଧରି ହାତୀ ଉପରେ ବସି ସେ ସ୍ଥାନରେ ଯାଇ ପହଞ୍ଚିଲେ । ରାସ୍ତା ପାଖରୁ ହିଁ ମାହୁନ୍ତଙ୍କୁ ପଚାରି ନେଇଥିଲେ ଯେ ହାତୀ ବାଘକୁ ଡରେ ନା ନାହିଁ । ମାହୁନ୍ତର ଉତ୍ତରରେ ସନ୍ତୋଷ ହୋଇ ଖାଁ ବାହାଦୁର ତାଙ୍କ କାର୍ଯ୍ୟରେ ଆଗେଇଲେ । କିନ୍ତୁ ମଇଁଷିର ମଡ଼ା ପାଖେ ପହଞ୍ଚିବା ପୂର୍ବରୁ ହାତୀ ରହି ରହି ଶୁଣ୍ଢ ଉଠାଇ ପବନାକୁ ବାରିବାରି ଆଗକୁ ଆଗକୁ ଚାଲିଲା । ଦଶଗଜ ଯିବାପରେ ସେ ଆଉ ଆଗକୁ ମୋଟେ ଗଲାନାହିଁ । ଏପଟ ସେପଟ ହେଲା । ମାହୁନ୍ତ କହିଲା, ସାର୍ ! ଏ ପାଖାପାଖି କେଉଁଠାରେ ବାଘ ଅଛି । ଖାଁ ବାହାଦୁର ସେହିଠାରେ ହାତୀ ଉପରୁ ଓହ୍ଲାଇ ପଡ଼ିଲେ ଏବଂ ମଡ଼ାର ଘୋଷରା ହୋଇଥିବା ଚିହ୍ନ ଦେଖି ଆଗକୁ ଚାଲିଲେ । ଫରେଷ୍ଟର ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ । ବାଘ ମଡ଼ାକୁ ପାଣିରେ ବୁଡ଼ାଇ ଦେଇଥିଲା । କିନ୍ତୁ ଲମ୍ବା ଲମ୍ବା ଘାସ ଯୋଗୁ ବାଘର କି ମଡ଼ାର ପତ୍ତା ମିଳିଲା ନାହିଁ । ସେମାନେ ସେ ସ୍ଥାନ ଅଭିମୁଖେ ଆଗେଇଲେ ଯେଉଁଠାରେ ଆଉ ଗୋଟିଏ ନାଳ ଆସି ଏ ନାଳ ସହିତ ମିଶିଥିଲା । ସେଠାରେ ଅନ୍ୟ ପଶୁମାନଙ୍କ ପାଦଚିହ୍ନ ମିଳିଲାନାହିଁ । ଏ ମଣିଷଖିଆର ପାଦଚିହ୍ନ ବାରିବା ସହଜଥିଲା କାରଣ ତା’ ବାମ ପାଦରେ ଗୋଟିଏ ଅଙ୍ଗୁଳି ନଥିଲା ।

 

ଆଉ କିଛି ବାଟ ଆଗେଇଯିବା ପରେ ମଇଁଷିର ମୁଣ୍ଡ ଏବଂ ଆଗଗୋଡ଼ ମିଳିଲା । ସେମାନେ ଅଟକିଗଲେ । ଭାବିଲେ ଯେ କେଉଁଠାରେ ଆଖପାଖରେ ଏ ଦାନବ ଲୁଚିଛି । ସେମାନେ କୌଣସି ସୁରକ୍ଷିତ ସ୍ଥାନ ଖୋଜିବାରେ ଲାଗିଲେ । ପାଖରେ ଗୋଟିଏ ଗଛ ଥିଲା । ଯାହାର ଦୁଇଡାଳ ମଧ୍ୟରେ ଘୋଡ଼ା ଉପରେ ବସିଲାଭଳି ବସିହେବ । ସେମାନେ କିଛି ସମୟ ବସିରହିଲେ କିନ୍ତୁ ବାଘ ଏମାନଙ୍କ ବସିବା ଖବର ପାଇସାରିଥିଲା । ତାଙ୍କୁ ଫେରିଆସିବାକୁ ପଡ଼ିଲା-

 

ସନ୍ଧ୍ୟା ହେବାପୂର୍ବରୁ ସେମାନେ ପୁଣି ସେ ସ୍ଥାନକୁ ଗଲେ ଏବଂ ସେ ଡାଳ ଉପରେ ଗଦି ପକାଇ ରାଇଫଲ ଧରି ବସି ସେ ତାଙ୍କର ଲୋକମାନଙ୍କୁ ଫେରାଇଦେଲେ । ଗରମଦିନ ଥିଲା । ପବନ ଖୁବ୍ ଜୋରରେ ବୋହୁଥିଲା । ସନ୍ଧ୍ୟା ହେବା ମାତ୍ରେ ନାଳର ପଶ୍ଚିମ ଦିଗରେ ଟିକିଏ ଖଡ଼୍‌ ଖଡ଼୍ ଶୁଣାଗଲା । ତାଙ୍କର ଦୃଷ୍ଟିପଡ଼ିବା ମାତ୍ରେ ସେ ଦେଖିଲେ ଯେ ଚାରୋଟି ବାଘ ନାଳ ପାଖରେ-। ତିନୋଟି ଛୁଆ ବାଘ ଓ ଅନ୍ୟଟି ସେମାନଙ୍କ ମାଆ । ସେମାନେ ବଡ଼ ସତର୍କ ଥିଲେ-। ଏବଂ ତାଙ୍କର ପତ୍ତା ପାଇ ସେଠାରେ ଗଁ ଗଁ ହେବାକୁ ଲାଗିଲେ । ବୋଧେ ସେମାନେ ପେଟପୂରା ଭୋଜନ ଖାଇଥିଲେ ଏଥିପାଇଁ କେବଳ ସେମାନେ ଗଁ ଗଁ ହେଉଥିଲେ । କିନ୍ତୁ ଆକ୍ରମଣ କରିବାକୁ ଚେଷ୍ଟା କଲେନି । କିଛି ସମୟ ପରେ ମାଆ ଓ ପିଲାମାନେ ଗୋଟିଏ ଦିଗରେ ଚାଲିଗଲେ କିନ୍ତୁ ନରଖାଦକର ପତ୍ତା ମିଳିଲା ନାହିଁ ।

 

ଖାଁ ବାହାଦୁର ନିରାଶ ହୋଇ ଫେରିଆସିଲେ । କ୍ରମାଗତଭାବେ ତିନିଦିନ ଧରି ମଇଁଷି ବନ୍ଧାହେଲା । କିନ୍ତୁ ନରଖାଦକ କାହାକୁ ହେଲେ ମାରିଲା ନାହିଁ । ତେଣୁ ଯେତେବେଳେ ଚତୁର୍ଥଦିନ ମଇଁଷି ମାରିଲା ସେମାନେ ଆନନ୍ଦିତ ହେଲେ । ଏଥରକ ମଧ୍ୟ ବାଘ ମଡ଼ାକୁ ପୂର୍ବ ମଡ଼ା ନେଇଥିବା ସ୍ଥାନକୁ ଘୋଷାରି ଘୋଷାରି ନେଇଥିଲା । ସେ ସ୍ଥାନରେ ପହଞ୍ଚି ଖାଁ ବାହାଦୁର ଏପଟ ସେପଟ ନଜର ପକାଇ ବାଘର ସ୍ଥିତି କଳିବାକୁ ଲାଗିଲେ । କିନ୍ତୁ ସଙ୍ଗେ ସଙ୍ଗେ ଗଁ ଗଁ ଆବାଜ ହେଲା-। ସେ ଶବ୍ଦକୁ ଲକ୍ଷ୍ୟକରି ବାଘକୁ ଦେଖିବା ପାଇଁ ଚେଷ୍ଟା କଲେ । ଲମ୍ବା ଘାସ ଓ ଲଟି ଯୋଗୁ ବାଘକୁ ଦେଖିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା ।

 

ଖାଁ ବାହାଦୁର ଆଉ ଟିକିଏ ଆଗକୁ ଗଲେ । ଏଥରକ ବାଉଁଶବୁଦା ଭିତର ଦେଇ ବାଘକୁ ଦେଖିନେଲେ । ସେ ରାଇଫଲ ପ୍ରସ୍ତୁତ କରି ତାକୁ ଲକ୍ଷ୍ୟ କରିବାକୁ ଚେଷ୍ଟାକଲେ । କିନ୍ତୁ ବାଉଁଶବୁଦା ଏଥିରେ ବାଧା ଦେଉଥିଲା । ତା’ର ଆଖିରୁ ନିଆଁ ବାହାରୁଥିଲା । ବର୍ତ୍ତମାନ ସେ ତାଙ୍କଠାରୁ ପ୍ରାୟ ପଚାଶ ଗଜ ଦୂରରେ ଥିଲା । ସେତେବେଳେ ଫରେଷ୍ଟର ଖାଁ ବାହାଦୁର କହିଲେ, “ଗୁଳି ମାରିଦିଅ ।’’ କିନ୍ତୁ ବାଘ ସେତେବେଳକୁ ଖୁବ୍ ସତର୍କଥିଲା । ଯଦି ଲକ୍ଷ୍ୟଭ୍ରଷ୍ଟ ହୁଏ ତେବେ ଜୀବନଧରି ଫେରିବା ମୁସ୍କିଲ୍ । ଏଥିପାଇଁ ଫରେଷ୍ଟରଙ୍କ ବାରମ୍ଵାର ଅନୁରୋଧ ସତ୍ତ୍ଵେ ମଧ୍ୟ ଖାଁ ବାହାଦୁର ନୀରବ ରହିଲେ ।

 

ବାଘ ଟିକିଏ ଆଗକୁ ମାଡ଼ି ଆସିଲା । ଖାଁ ବାହାଦୁର ବୁଝିନେଲେ ପରକ୍ଷଣରେ ବାଘ ଆକ୍ରମଣ କରିବା ନିଶ୍ଚିତ । କିନ୍ତୁ ଗୋଟିଏ ବାଉଁଶ ତା’ ରାସ୍ତାରେ ଅଛି । ଯାହା ଫଳରେ କି ଯୋଜନା କାର୍ଯ୍ୟକାରୀ ହୋଇପାରୁ ନଥାଏ । ସେ ବୁଝିନେଲେ ଯେ ବାଉଁଶ ନଡେଇଁଲେ ବାଘ ଆକ୍ରମଣ କରିପାରିବ ନାହିଁ । ବାଉଁଶ ପାରିହୋଇ ବାହାରକୁ ଆସିବା ପାଇଁ ବାଘଟି ସାମାନ୍ୟ ଡେଇଁଲା । ବାଘ ଟିକିଏ ଉଠିବା ହେତୁ ଖାଁ ବାହାଦୁରଙ୍କୁ ସୁଯୋଗ ମିଳିଲା ଏବଂ ସେ ଧଡ଼ାମ୍ କରି ଗୁଳି ଚଳାଇ ଦେଲେ । ବାଘ ପଡ଼ିଗଲା ଏବଂ ପରକ୍ଷଣରେ ଉଠିପଡ଼ିଲା ଓ ବିଦ୍ୟୁତ୍ ଗତିରେ ତାଙ୍କରି ଆଡ଼କୁ ମାଡ଼ିଆସିଲା । ଖାଁ ବାହାଦୁର ଦ୍ୱିତୀୟ ଗୁଳି ଫୁଟାଇଲା । ସେ ପୁଣି ପଡ଼ି ଉଠିଲା । କିନ୍ତୁ ଏଥରକ ତା’ର ପଛ ଗୋଡ଼ ବେକାର ହୋଇଗଲା । ତଥାପି ଆଗଗୋଡ଼ ବଳରେ ସେ ଘୁଷୁରି ଘୁଷୁରି କରାଳ କାଳଭଳି ଖାଁ ବାହାଦୁରଙ୍କ ଆଡ଼େ ମାଡ଼ି ଆସିଲା । ବାସ୍ତାବିକ୍‍ ସେ ଜଙ୍ଗଲର ରାଜପଦକୁ ସାର୍ଥକ କରୁଥିଲା । ଦୁଇଟି ଗୁଳି ଠିକ୍ ସ୍ଥାନରେ ବସିଥିଲା । ତଥାପି ସେ ତାଙ୍କୁ ଆକ୍ରମଣ କରିବା ପାଇଁ ଆଗେଇ ଆସୁଥିଲା ।

 

ବର୍ତ୍ତମାନ ସେ ଖାଁ ବାହାଦୁରଙ୍କର ଅତି ନିକଟରେ । ଚାହିଁଲେ ଏକା ଡିଆଁରେ ଆସି ତାଙ୍କ ଉପରେ ପହଞ୍ଚି ପାରନ୍ତା । କିନ୍ତୁ ତା’ର ପଛ ଅଂଶ ବେକାର ହୋଇଯାଇଥିଲା । ଖାଁ ବାହାଦୁର ସାଙ୍ଗେ ସାଙ୍ଗେ ତୃତୀୟ ଗୁଳି ଚଳାଇଲେ । ତାହା ଠିକ୍ ନିଶାଣ ନେଇ ବସିଲା । ବାଘ ପଡ଼ିପଡ଼ି ଛଟପଟ ହେଲା । ବର୍ତ୍ତମାନ ତାଙ୍କ ରାଇଫଲରେ କେବଳ ଗୋଟିଏ ଗୁଳି ରହିଲା ଯାହାକୁ ଶେଷ କରିବା ପାଇଁ ସେ ଚାହୁଁନଥିଲା । ବାଘ ଶାନ୍ତଭାବେ ପଡ଼ିଥିଲା । ଅଧମରା ବାଘ ପାଖକୁ ଯିବା ଆଦୌ ଉଚିତ ନୁହେଁ । କିନ୍ତୁ ତା’ର ପ୍ରାଣବାୟୁ ଆଉ ନଥିଲା । ନିକଟରେ ପହଞ୍ଚିବା ପରେ ଦେଖାଗଲା ଯେ ଏହା ଏକ ଯୁବତୀ ମାଇବାଘ । ତା’ର ବାମପାଦରେ ଆଙ୍ଗୁଠିଟିଏ ନାହିଁ । ଏ ନରଖାଦକର ମୃତ୍ୟୁ ଖବର ଦାବାଗ୍ନି ପରି ବ୍ୟାପିଗଲା ।

✽✽✽

 

ଯମରାଜାଙ୍କ ବାହାନ ସଙ୍ଗେ ଯୁଦ୍ଧ

 

ସବୁଠାରୁ ଶିକାର କରିବାରେ କଷ୍ଟକର ବ୍ୟାପାର ହେଉଛି ଅରଣା ମଇଁଷି ଶିକାର । କେତେ ଗୁଳି ଚଳାଉଛ ଚଳାଅ କିନ୍ତୁ ସେ ଆକ୍ରମଣ କରିବା କଥା କରିବ । ତା’ର ଭୟ ଭ୍ରାନ୍ତି କିଛି ନାହିଁ । ସିଂହ ବାଘ ମଧ୍ୟ ହଠାତ୍ ମନୁଷ୍ୟକୁ ଆକ୍ରମଣ ନକରି ବାଟ ଭାଙ୍ଗି ଚାଲିଯାନ୍ତି । ମଇଁଷି ଦେଖିବାମାତ୍ରେ ଲାଙ୍ଗୁଡ଼ ପିଟି ଫୁ ଫୁ ହୋଇ ମାରିବାକୁ ଗୋଡ଼ାଏ । ଅରଣା ମଇଁଷି ଯମଙ୍କ ବାହନ-। ନିଜର ବିଶାଳ ଦେହ ଏବଂ ଅପାର ଶକ୍ତିଯୋଗୁ ସେ ଜଙ୍ଗଲର ରାକ୍ଷସ ଭଳି ମନେହୁଏ-

 

ଅରଣାକୁ ମାରିବାପାଇଁ ହେଲେ ଅସାଧାରଣ ସାହସ ଓ ଭଲ ଶିକାରୀ ହେବା ଦରକାର-। ଏହାର ମୁଣ୍ଡ ବହୁତ ବଡ଼ ଓ ଟାଣ ଅଟେ । ତେଣୁ ଗୁଳି ଏହା ଭିତରେ ପଶିପାରେ ନାହିଁ-। ଗୁଳି ମୁଣ୍ଡରେ ଲାଗିଲେ ଖସିପଡ଼େ । ତେଣୁ ଆଗପଟୁ ଗୁଳିଚଳାଇ ଏହାକୁ ମାରି ହେବନାହିଁ-। ଏହା ଯେତେବେଳେ ତେରଛା ହୋଇ ଠିଆହୁଏ ଏହାର ବେକମୁଣ୍ଡାକୁ ଲକ୍ଷ୍ୟକରି ଗୁଳି ମରାଯାଏ-। ସାମନା ପଟୁ ଗୁଳି ଚଳାଇବା ଶିକାରୀର ମୃତ୍ୟୁ ସୁନିଶ୍ଚିତ । ଏହା ବ୍ୟତୀତ ଏହି ଜନ୍ତୁ ଶିକାରରେ ଭାରି ବନ୍ଧୁକ ଦରକାର ।

 

ଅରଣା ଜାତିରେ ମଇଁଷି । କିନ୍ତୁ ବୁଦ୍ଧିରେ ମଇଁଷି ନୁହେଁ । ସୁଯୋଗ ପାଇଲେ ସେ ବୁଦ୍ଧିମତାର ସହିତ ଶିକାରୀଠୁ ପ୍ରତିଶୋଧ ନିଏ । ମନେକରନ୍ତୁ ଅରଣା ମଇଁଷିର ଗୋଟିଏ ଗୋଠ ଚରୁଛନ୍ତି ଏବଂ ଶିକାରୀ ଗୋଟିକର ମୁଣ୍ଡକୁ ଗୁଳିମାରିଦେଇଛି । ଏହାଦ୍ଵାରା ପ୍ରଥମେତ ସବୁ ଅରଣା ପଳାଇଯିବେ କିନ୍ତୁ କିଛିସମୟ ପରେ ସେମାନେ ବ୍ୟୁହ ରଚନାକରି ଆସିବେ ଓ ଶିକାରୀକୁ ଘେରିଯିବେ । ଚାରିପଟୁ ଘେରା ହୋଇଯାଇଥିବା ଶିକାରୀ ବିଚରା ମରିବା ସୁନିଶ୍ଚିତ । ଅରଣା ମନୁଷ୍ୟକୁ ମାରିଦେବା ମାତ୍ରେ ସେ ସ୍ଥାନଛାଡ଼ି ଚାଲିଯାଏନି । ତାକୁ ବାରମ୍ବାର ଗଡ଼େଇ ତଢ଼େଇ ଦେଖେ ଜୀବନ ଅଛିନା ନାହିଁ । ଏବଂ ତା’ପରେ ଯାଏ ଯେତେବେଳେ ସେ ନିଶ୍ଚିତ ହୁଏ ଯେ ଲୋକ ମରିଯାଇଛି ।

 

ସିଂହ ଓ ବାଘ ପ୍ରାୟ ଶିକାରୀମାନଙ୍କୁ ମିଳନ୍ତି । କିନ୍ତୁ ଅରଣା ମିଳିବା ମୁସ୍କିଲ୍ । ତେଣୁ ଅରଣା ଶିକାରର କାହାଣୀ ଶୁଣିଲେ ଦେହ ଶିତେଇ ଯାଏ । ମନରେ ଭୟ ଜାତହୁଏ ।

 

ଦିନକର ଘଟଣା । ଦୁଇ ଶିକାରୀବନ୍ଧୁ ଘୋଡ଼ାରେ ବସି ଯାଉଥିଲେ । ହଠାତ୍ ଗୋଟିଏ ଅରଣା ପଛପଟୁ ଆସି ଗୋଟିଏ ଶିକାରୀର ଘୋଡ଼ାକୁ ଧକ୍‍କା ମାରିଲା । ଶିକାରୀ ଏବଂ ଘୋଡ଼ା ଦୁଇଜଣଯାକ ପଡ଼ିଗଲେ । ଶିକାରୀର ପାଦ ଘୋଡ଼ାତଳେ ମାଡ଼ି ହୋଇ ଯାଇଥିବାରୁ ସେ ଉଠିବା ମଧ୍ୟ ସମ୍ଭବ ହେଉନଥିଲା । ଦ୍ଵିତୀୟ ଧକ୍‍କା ମାରିବା ପୂର୍ବରୁ ସାଥି ଶିକାରୀ ନିଶାଣ ଠିକ୍ କରି ଅରଣାକୁ ମାରି ଚଡ଼ାଇଦେଲେ । ଘୋଡ଼ା ଏବଂ ଶିକାରୀ କୌଣସି ପ୍ରକାରେ ଉଠିଲେ । ଛୋଟା ଘୋଡ଼ା ଉପରେ ଛୋଟା ଶିକାରୀ ବସି ଚାଲିଲା ଓ ଦ୍ଵିତୀୟ ଶିକାରୀ ତାଙ୍କୁ ଜଗି ଜଗି ଚାଲିଲା । କିଛିଦୂର ଯିବାପରେ ସେମାନେ ଦେଖିଲେ ଯେ ଦୁଇଟି ଅତି ବଳବାନ୍‍ ଅରଣା ଦଳପତି ପଦ ପାଇବାପାଇଁ ଯୁଦ୍ଧ କରୁଛନ୍ତି । ଦଳର ଅନ୍ୟମାନେ ଚାରିପଟେ ଘେରିରହି ଦେଖୁଛନ୍ତି ଯେପରି ଆମେସବୁ ମଲ୍ଲଯୁଦ୍ଧ ଦେଖୁଛେ । ତା’ପରେ ଗୋଟିଏ ଚମତ୍କାର ଘଟଣା ଘଟିଲା । ଗୋଟିଏ ଅରଣା ଅନ୍ୟଟିକୁ ଏପରି ଏକ ମୁଣ୍ଡିଆ ମାରିଲା ଯେ ସେ ତଳେ ପଡ଼ିଯାଇ ଖୁରା ରାମ୍ପୁଡ଼ିଲା । ବିଜୟୀ ଅରଣା ତା’ର ପ୍ରତିଦ୍ଵନ୍ଦ୍ୱୀର ଶରୀର ଉପରେ ପାଦରଖି ଠିଆ ହୋଇପଡ଼ିଲା । ପରାଜିତ ଅରଣା ଯେତେବେଳେ ଖୁରା ରଗଡ଼ି ରଗଡ଼ି ମିରିଗଲା, ସେତେବେଳେ ବିଜୟୀ ଅରଣା ଦଳର ନେତୃତ୍ୱ ନେଇ ଆଗେଇ ଚାଲିଲା ।

 

ଥରେ ଜଣେ ପାଶ୍ଚାତ୍ୟ ଶିକାରୀ ବେଲିୟାର ଜଙ୍ଗଲକୁ ଶିକାର ପାଇଁ ଗଲାବେଳେ ଗୋଟିଏ ଶୋଚନୀୟ ଘଟଣା ଘଟିଲା । ଶିକାରୀ ଜଣକ ଜଣେ ଭାଲି ମାରିପାରିବା ଆଫ୍ରିକୀୟକୁ ସାଙ୍ଗରେ ନେଇଥିଲେ । ହଠାତ୍ ଶିକାରୀଙ୍କୁ ତା’ର ମର୍ମାନ୍ତୁକ ଚିତ୍କାର ଶୁଣାଗଲା । ସେ ଆଫ୍ରିକୀୟ ପଛରେ ଚାଲୁଥିଲା । ତାକୁ ଚାହିଁବାରେ ସେ ଦେଖିଲେ ଗୋଟିଏ ଅରଣା ତାକୁ ମାରୁଛି । ସେ ଲକ୍ଷ୍ୟ ସ୍ଥିରକରି ତା’ର ବେକକୁ ଗୁଳିକଲେ । କିନ୍ତୁ ଦୁର୍ଭାଗ୍ୟକୁ ଅରଣା ସେ ଆଫ୍ରିକୀୟ ଉପରେ ମରି ପଡ଼ିଗଲା ତା’ର ଶରୀରର ବୋଝରେ ଆଫ୍ରିକୀୟଟି ରକ୍ତବାନ୍ତି କରି ମରିଗଲା ।

 

ଆଫ୍ରିକାର ‘ମସାଇ’ ପ୍ରଦେଶର ଲୋକ ଭାଲି ମାରି ଶିକାର କରିବାରେ ସିଦ୍ଧହସ୍ତ । ଭାଲିଧାରୀ ମସାଇ ଓ ଅରଣାଙ୍କ ମଧ୍ୟରେ ପ୍ରାୟ ଯୁଦ୍ଧ ହୋଇଥାଏ । କେତେବେଳେ ମସାଇ ଜିଣନ୍ତିତ କେତେବେଳେ ଜିଣେ ଅରଣା । ବେଳେବେଳେ ଉଭୟେ ମରିଯାନ୍ତି । ଏହିପରି ଅନେକ ଘଟଣା ଘଟେ ।

 

ଆଉ ଥରକର ଘଟଣା । ଜଣେ ମସାଇଲୋକ ଜଙ୍ଗଲ ବାଟ ଦେଇ ଯାଉଥିଲା । ତାକୁ ଗୋଟିଏ ଅରଣା ଗୋଡ଼ାଇ ଆସିଲା । ମସାଇକୁ ଭାଲି ଚଳାଇବାକୁ ମଧ୍ୟ ସୁଯୋଗ ମିଳିଲାନି । ସେ ଭାଲି ଫୋପାଡ଼ି ଦେଇ ଗୋଟିଏ ଗଛର ତଳ ଡାଳରେ ଝୁଲି ରହିଗଲା । ଅରଣା ତା’ର ଡାହାଣ ପାଦର ଆଙ୍ଗୁଠିକୁ ଚୋବାଇ ଦେଲା । କିନ୍ତୁ ଆଙ୍ଗୁଠିକୁ ଚୋବାଇ ଦେବାରୁ ବାହାରୁଥିବା ରକ୍ତର ସ୍ଵାଦ ତାକୁ ଏତେ ବିଚିତ୍ର ଲାଗିଲା ଯେ ତା’ର ଶରୀର କମ୍ପିଗଲା ଓ ଗୋଟିଏ ଆଡ଼େ ଦୌଡ଼ିଚାଲିଗଲା ।

 

ଜଣେ ମସାଇ ଉଚ୍ଚ ଘାସ ଭିତରେ ଯାଉଥିଲା । ହଠାତ୍ ଅଜାଣତରେ ସେ ଶୋଇଥିବା ଗୋଟିଏ ଅରଣାକୁ ଝୁଣ୍ଟି ପଡ଼ିଲା ଓ ତା’ ପିଠି ଉପରେ ପଡ଼ିଗଲା । ଅରଣା ଉଠି ପଡ଼ିଲା । ମସାଇ ତା’ର କାନକୁ ଧରି ପକାଇଲା ଓ ତା’ର ପେଟ ଉପରେ ଲାଖି ରହିଲା । ଶେଷକୁ ଅରଣା ଗୋଟିଏ ଘଞ୍ଚ ବୁଦାଭିତରେ ପଶିଲା । ସାଙ୍ଗେ ସାଙ୍ଗେ ମସାଇ ଖସିପଡ଼ିଲା । ଅରଣା ତାକୁ ମାରି ମାରି ଲହୁ ଲୁହାଣ କରିଦେଲା ଏବଂ ସେ ମରିଗଲା ବୋଲି ଭାବି ସେ ସ୍ଥାନ ଛାଡ଼ି ଚାଲିଗଲା । କିନ୍ତୁ ମସାଇ ମରିନଥିଲା । ଅନେକ ସମୟ ପରେ ତା’ର ହୋସ ଆସିଲା । ଜଖମ ଯୋଗୁ ସେ ହଲ୍‌ଚଲ୍ ହୋଇପାରୁ ନଥିଲା । ତେଣୁ ସେମିତି ପଡ଼ିରହିଲା । ପାଖରେ ନଦୀ ବହୁଥିଲା । ସେଠାକୁ ଆସୁଥିବା ଅନେକ ହିଂସ୍ର ପଶୁଙ୍କୁ ଦେଖିଲା । ରାତିଟି କୌଣସିମତେ କଟାଇ ଦେଇ ସକାଳୁ ଗାଁରେ ଆସି ପହଞ୍ଚିଲା ।

 

ଥରେ ଅନ୍ୟଜଣେ ମସାଇ ଏବଂ ଅରଣାର ସାମନାସାମନି ହୋଇଗଲା । ଅରଣା ଦୌଡ଼ି ମାଡ଼ି ଆସୁଥିଲା । ମସାଇ ଜାଣିଥିଲା ଯେ ପଳାଇବାପାଇଁ ଚେଷ୍ଟା କରିବା ଅର୍ଥ ମୃତ୍ୟୁ । ଏଥିପାଇଁ ସେ ଭାଲି ଧରି ପ୍ରସ୍ତୁତ ହୋଇ ରହିଲା । ଅରଣା ପୂରାପୂରି ପାଖରେ ଆସି ପହଞ୍ଚିଯିବାପରେ ସେ ଟିକିଏ କଡ଼କୁ ଘୁଞ୍ଚିଗଲା ଏବଂ ପୂରା ତାକତ୍ ଖଟାଇ ଭାଲିକୁ ଅରଣାର ପେଟରେ ଭୁଷିଦେଲା । କିନ୍ତୁ ଦୁର୍ଭାଗ୍ୟକୁ ଭାଲି ଭାଙ୍ଗିଗଲା ଏବଂ ଭାଲିଟି ତା’ ପେଟରେ ଲାଖି ରହିଲା । କ୍ରୁଦ୍ଧ ଅରଣା ମସାଇକୁ ଶିଙ୍ଗରେ ଉଠାଇ ପେଣ୍ଡୁପରି ଉଛାଳି ଉଛାଳି ମାରିଦେଲା ଏବଂ ଭାଲି ତା’ ପେଟରେ ରହିଯିବାରୁ ସେ ମଧ୍ୟ କିଛି ସମୟପରେ ମରିଗଲା ।

 

ଅରଣା ସମ୍ବନ୍ଧରେ କୋହ୍ଲାପୁରର ଶାହାଜୀ ମହାରାଜଙ୍କ ଅନୁଭୂତି ବଡ଼ ରୋମାଞ୍ଚକର । ମହାରାଜ ବେନିଆର ଗୋଟିଏ ଜଙ୍ଗଲରେ ପାଦରେ ଚାଲି ବୁଲୁଥିଲେ । ହଠାତ୍ ଗୋଟିଏ ବିରାଟ ଅରଣା ତାଙ୍କ ଆଗକୁ ଆସିଗଲା । ଅନ୍ୟ କେହି ଶିକାରୀ ହୋଇଥିଲେ ଘାବରେଇ ଯାଇ ଅରଣା ହାତରେ ମରିଥାନ୍ତେ । କିନ୍ତୁ ମହାରାଜାଙ୍କ ସାହାସ, ବୁଦ୍ଧିମତା, ଲକ୍ଷ୍ୟ ସବୁ ଅଦ୍ଭୁତ ରକମର ।

 

ଅରଣା ଯେମିତି ନିକଟକୁ ଆସିଲା ମହାରାଜ କଡ଼କୁ ହଟିଯାଇ ତୁରନ୍ତ ତା’ର ବେକକୁ ଲକ୍ଷ୍ୟକରି ଗୁଳିକଲେ । ଆହାତ ଅରଣା ମହାରାଜାଙ୍କ ଆଡ଼କୁ ବୁଲିପଡ଼ି ଆକ୍ରମଣ କଲା । କିନ୍ତୁ ବ୍ୟର୍ଥ ହେଲା । ତା’ର ବେକ ଭାଙ୍ଗି ଯାଇଥିଲା । ସେ ଆସି ମହାରାଜାଙ୍କ ପାଦ ପାଖରେ ପଡ଼ି ମରିଗଲା ।

 

କାଙ୍ଗୋ ଅଞ୍ଚଳର ଗୋଟିଏ ଘଟଣା । ଦୁଇଜଣ ପାଶ୍ଚାତ୍ୟ ଶିକାରୀ ଶିକାର କରିବା ପାଇଁ ଚାଲିଲେ । ଗୋଟିଏ ଛୋଟିଆ ପଡ଼ିଆରେ ସେମାନେ ତମ୍ବୁ ଟାଣି ଶିକାର ପାଇଁ ବାହାରିଗଲେ । ଗୋଟିଏ ଅରଣା ଆଖପାଖରେ ବୁଲୁ ବୁଲୁ ଏହି ତମ୍ବୁକୁ ଦେଖିଲା । ତାକୁ ଗୋଟିଏ ଅଜଣା ଶତ୍ରୁ ବୋଲି ଭାବି ଆକ୍ରମଣ ଆରମ୍ଭ କରିଦେଲା । କିନ୍ତୁ ମଜାହେଲା ସେତେବେଳେ, ଯେତେବେଳେ ତମ୍ବୁ ତା’ର ଶିଙ୍ଗରେ ଲାଗିଗଲା । ସେ ତମ୍ବୁଧରି ଦୌଡ଼ିବାକୁ ଲାଗିଲା । ଦୈବାତ୍ ଶିକାରୀମାନେ ଏହା ଦେଖିନେଲେ ଓ ଗୁଳି ଚଳାଇ ଅରଣାକୁ ଭୂଲୁଣ୍ଠିତ କରିଦେଲେ ।

 

ଅନ୍ୟ ଗୋଟିଏ ଘଟଣା ଆସାମ ଜଙ୍ଗଲରେ ଘଟିଥିଲା । ଜଣେ ଶିକାରୀଆଡ଼େ ଗୋଟିଏ ଅରଣା ଦୌଡ଼ି ଆସୁଥିଲା । ଶିକାରୀ ବନ୍ଧୁକ ଫୋପାଡ଼ି ଦେଇ ପାଖରେ ଥିବା ଗୋଟିଏ ଗଛରେ ଚଢ଼ିଗଲା । ଅରଣା ଫଁ ଫଁ ହୋଇ ଅନ୍ୟଆଡ଼େ ଚାଲିଗଲା ।

 

ଜଣେ ଶିକାରୀ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଯାଉଥିଲେ । ଅରଣା ଆକ୍ରମଣ ଆରମ୍ଭ କରିଦେଲା । ଶିକାରୀ ଗଛ ଉପରକୁ ଚଢ଼ିଗଲା କିନ୍ତୁ ଘାବରେଇ ଯାଇ ତଳକୁ ଖସିପଡ଼ିଲା । ଅରଣା ତା’ ପିଠିକୁ ମୁଣ୍ଡିଆ ମାରି ମାରି ଜୀବନରେ ମାରିଦେଲା । ଜଣେ ଇଉରୋପୀୟ ଶିକାରୀ ଥରେ କୌଣସି ଗୋଟିଏ ଜଙ୍ଗଲରେ ଦୁଇଟି ଗୁଳି ଚଳାଇଲେ ତଥାପି ଅରଣା ଆକ୍ରମଣ କଲା । ତୃତୀୟ ଗୁଳି ଯେତେବେଳେ ବେକରେ ବାଜିଲା ସେତେବେଳେ ଯାଇ ସେ ଥଣ୍ଡା ହେଲା ।

 

ଅନ୍ୟ ଜଣେ ପାଶ୍ଚାତ୍ୟ ଶିକାରୀଙ୍କ କଥା । ସେ ପକ୍ଷୀ ଶିକାର ପାଇଁ ବାହାରିଥିଲେ । ଗୋଟିଏ ଅରଣା ତାଙ୍କୁ ଆକ୍ରମଣ କଲା । ଚଢ଼େଇ ମରା ବନ୍ଧୁକର ବା କରାମତି କେତେ ? ତଥାପି ଶିକାରୀ ଗୁଳି ଚଳାଇଲେ । ଅରଣା ଟିକିଏ ରହିଗଲା । ଏହି ସମୟରେ ଶିକାରୀ ଗୋଟିଏ ବୁଦାରେ ପଶିଗଲେ । ଅରଣା ମଧ୍ୟ ପିଛା କଲା । ବନ୍ଧୁକର ଛେର୍‌ରା ତା’ର ଆଖିରେ ପଶି ଯାଇଥିଲା ଏବଂ ସେଥିରୁ ରକ୍ତ ବୋହି ପଡ଼ୁଥିଲା । କିନ୍ତୁ ଗୋଟିଏ ଆଖିରେ ଦେଖି ମଧ୍ୟ ସେ ଶିକାରୀ ପଛରେ ଲାଗି ରହିଲା । ଶିକାରୀ ଆଗେ ଆଗେ ଲୁଚକାଳି ଖେଳ ଭଳି ଚାଲିଥିଲେ । ଶେଷରେ ଶିକାରୀ କିଛି ଉପାୟ ନପାଇ ପାଖରେ ଦେଖାଯାଉଥିବା ଗୋଟିଏ ଗାଁ ଆଡ଼େ ଦୌଡ଼ିଲେ । ଯେତେବେଳେ ସେ ଗାଁ ଭିତରେ ପଶିଗଲେ ଅରଣା ପଛକୁ ଫେରିଯାଇ ଜଙ୍ଗଲ ଭିତରକୁ ପଳାଇଲା ।

✽✽✽

 

ଗଣ୍ଡା ଶିକାର

 

ହଣ୍ଟର ସାହେବ ଦଳେ ଶିକାରୀଙ୍କୁ ସାଙ୍ଗରେ ଧରି ଶିକାର ଅଭିଯାନରେ ଚାଲିଲେ । ସେମାନେ ଯାଇ ଏପରି ଏକ ଘାଟି ସ୍ଥାନରେ ପହଞ୍ଚିଲେ ଯେଉଁଠାରେ ଅକସ୍ମାତ୍‍ ମାଟି ଓଦା ହୋଇଯାଇଥିଲା । ପ୍ରକୃତରେ ତାହା ଏକ ଜଳହୀନ ଘାଟିଥିଲା । ତା’ର ଦୁଇପଟେ ଉଚ୍ଚ ଉଚ୍ଚ ଜ୍ଵାଳାମୁଖୀ ପର୍ବତଥିଲା ଯାହା ହଜାର ବର୍ଷ ପୂର୍ବେ ଜୀବିତଥିଲା । ଏହି ଘାଟିରେ ବହୁତ ଗଣ୍ଡା ରହୁଥିଲେ । ଯେତେବେଳେ ପବନର ଗତି ଶିକାରୀ ପଟୁ ଘାଟିଆଡ଼େ ରହୁଥିଲା, ସେତେବେଳେ ଗଣ୍ଡା ସବୁ ମନୁଷ୍ୟର ଗନ୍ଧ ପାଇ ଯାଉଥିଲେ ଏବଂ ମନୁଷ୍ୟକୁ ଘେରିଯାଉଥିଲେ । ଥରେ ହଣ୍ଟର ସାହେବଙ୍କ ଗୋଟିଏ ଛୋଟ ଚାକର ପିଲା ମରୁ ମରୁ ବଞ୍ଚିଗଲା । ସେ ରାଇଫଲ ଚଳାଇବା ନୂଆ ଶିଖିଥାଏ । ଶିକାର କରିବା ପାଇଁ ତା’ମନରେ ଉତ୍ସାହ ଥାଏ । ଦିନେ ଗୋଟିଏ ଗଣ୍ଡାକୁ ବୁଦାଲଟା ପାଖେ ବୁଲୁଥିବା ଦେଖିଲା । ଏବଂ ସେ ରାଇଫଲ ଧରି ତା’ ପଛରେ ଚାଲିଲା । ସେ ଏହି କାମ ନିଜେ ଏକାକୀ କରିବା ପାଇଁ ହଣ୍ଟର ସାହେବଙ୍କୁ ଏବଂ ତାଙ୍କର ସାଥି ଶିକାରୀମାନଙ୍କୁ କହିବା ଉଚିତ ମନେ କଲାନି । ଗଣ୍ଡା ଯଦିବା ପିଲାଟି ତା’ପଛରେ ଆସୁଥିବା ଦେଖିଲା, ହେଲେ ମଧ୍ୟ ସେ ତାକୁ ଆକ୍ରମଣ ନକରି ଆଗେଇ ଚାଲିଥାଏ । ଗଣ୍ଡା ଜଙ୍ଗଲର ଘଞ୍ଚ ଓ ଅନ୍ଧାରିଆ ଅଞ୍ଚଳକୁ ଆଗେଇ ଗଲା । ପିଲାଟି ଶିକାର ହାତଛଡ଼ା ହୋଇଯାଉଛି ଦେଖି ସାଙ୍ଗେ ସାଙ୍ଗେ ଗୋଟିଏ ଫାୟାର କରିଦେଲା । ଗଣ୍ଡା ତୁରନ୍ତ ବୁଲିପଡ଼ି ପିଲା ଆଡ଼କୁ ମାଡ଼ି ଆସିଲା । ଯଦି ପିଲା ଚାଲାକ ଓ ବଳିଷ୍ଠ ନଥାନ୍ତା ତା’ହେଲେ ନିଶ୍ଚୟ ମରି ଯାଇଥାନ୍ତା । ଯେମିତି ଗଣ୍ଡା ପାଖକୁ ଚାଲି ଆସିଲା, ପିଲା ଲମ୍ଫ ମାରି ଗୋଟିଏ କଡ଼କୁ ଚାଲିଗଲା । ଏହି ସମୟରେ ତା’ର ରାଇଫଲ ତା’ହାତରୁ ଖସି ପଡ଼ିଲା । ଗଣ୍ଡା ପିଲାଟିର ପିଛା କରୁ କରୁ ଏକା ନହସରେ ଆଗକୁ ମାଡ଼ିଗଲା କିନ୍ତୁ ତୁରନ୍ତ ପଛକୁ ବୁଲି ଆସିଲା । ପିଲାଟି ହୋସ ସମ୍ଭାଳି ପାରିଛି କି ନାହିଁ, ଗଣ୍ଡା ତା’ ମୁଣ୍ଡକୁ ତଳକୁ କରି ଏକା କୁଦାକେ ତା’ ପାଖେ ପହଞ୍ଚି ମୁଣ୍ଡିଆ ମାରିବାକୁ ଉଦ୍ୟମ ହେଲା । ପିଲାଟି କଡ଼କୁ ଯାଇ ଓ ତା’ ଶିଙ୍ଘକୁ ଦୁଇହାତରେ ଧରିନେଲା । ଗଣ୍ଡା ଖୁବ୍ ଜୋରରେ ମୁଣ୍ଡ ହଲାଇ ଦେଲା ଓ ପିଲାଯାଇ ବହୁତ ଦୂରରେ ଗୋଟିଏ ବୁଦାରେ ପଡ଼ି ବେହୋସ ହୋଇଗଲା । ଫାୟାରର ଶବ୍ଦ ହଣ୍ଟର ସାହେବଙ୍କ କାନରେ ବାଜିଥିଲା । ସେମାନେ ସବୁ ସେ ଆଡ଼େ ଧାଇଁଲେ ଓ ବହୁତ ଖୋଜିବାପରେ ପିଲାକୁ ବୁଦାରୁ ଉଦ୍ଧାର କଲେ । ତା’ର ଚେତା ଫେରିବାପରେ ହଣ୍ଟର ସାହେବ ଗାଳି ଦେବାରୁ ସେ କହିଲା, “ଗଣ୍ଡା ରେଳଇଞ୍ଜିନପରି ଏକବାରେ ଦୌଡ଼ିକରି ଆସିବ, ଏହା ମୋର ଅନୁମାନର ବାହାରେ ଥିଲା-। ସେ ତ ମୋତେ ଦମ୍ ନେବାକୁ ଫୁରୁସତ୍‍ ଦେଲାନି ।

 

ହଣ୍ଟର ସାହେବ ତାକୁ କହିଲେ, ଗଣ୍ଡା କାହାକୁ କେବେ ମଧ୍ୟ ଭାବିବାକୁ ସମୟ ଦିଏନି । ଗଣ୍ଡାକୁ ଭଗବାନ ଦୈତାକାର ଆକୃତି ଦେବା ସଙ୍ଗେ ସଙ୍ଗେ ନିଜକୁ ରକ୍ଷା କରିପାରିବା ପାଇଁ ବାଟ ମଧ୍ୟ ଶିଖାଇଛନ୍ତି । ଦୌଡ଼ିକରି ଆକ୍ରମଣ କରିବା ଢଙ୍ଗ ତା’ର ଏଡ଼େ ଭୟଙ୍କର ଯେ ଜଣେ ସାମାନ୍ୟ ବ୍ୟକ୍ତି କଥା ଛାଡ଼ ହାତୀଭଳି ବିଶାଳ ଜନ୍ତୁମାନେ ମଧ୍ୟ ତା’ସଙ୍ଗେ ଯୁଦ୍ଧ କରିବାକୁ ଭୟ କରନ୍ତି । ସ୍ୱୟଂ ହଣ୍ଟର ସାହେବ ନିଜେ କେତେଥର ଏ ଭୟଙ୍କର ହୃଦୟଗ୍ରାହୀ ଦୃଶ୍ୟ ଦେଖିଛନ୍ତି । ହାତୀ ଓ ଗଣ୍ଡା ନିକଟରେ ରହି ଚରାବୁଲା କରୁ କରୁ ଯଦି ସାମନାସାମନି ହୋଇଗଲେ ତାହାହେଲେ ଲଢ଼େଇ ସୁନିଶ୍ଚିତ ।

 

ଥରକର ଘଟଣା, ଗୋଟିଏ ଗଣ୍ଡା ଉପରେ ଗୋଟିଏ ହାତୀ ରାଗିଯାଇ ଚିତ୍କାର କଲା ଏବଂ ଆଗକୁ ବଢ଼ି ତା’ ଶୁଣ୍ଢରେ ତାକୁ ଧରିନେବା ପାଇଁ ଚେଷ୍ଟାକଲା । ଗଣ୍ଡା ମଧ୍ୟ ଅସାବଧାନ ନଥିଲା । ସେ ହାତୀର ଚେଷ୍ଟାକୁ ବିଫଳ କରିଦେଲା ଏବଂ ପଛକୁ ବୁଲିପଡ଼ି ଧାଇଁଲା । ହଣ୍ଟର ସାହେବଙ୍କର ଅନୁମାନ ହେଲା ସେ ହାତୀକୁ ଡରି ଧାଇଁଛି । କିନ୍ତୁ ପଚାଶ ଷାଠିଏ ଗଜ ଯିବାପରେ ସେ ହଠାତ୍‌ ରହିଗଲା ଏବଂ ହାତୀ ଆଡ଼େ ମୁହଁ କରି ଠିଆ ହୋଇଗଲା । ଗଣ୍ଡା ବର୍ତ୍ତମାନ ଲଢ଼େଇ ପାଇଁ ପୂରା ତିଆର ଥିଲା । ମୁଣ୍ଡ ଝୁଙ୍କାଇ ସେ ତା’ର ଆଗ ଗୋଡ଼ ଦୁଇଟି ଭୂଇଁ ଉପରେ ମାରୁଥିଲା-। ହଣ୍ଟର ସାହେବ ବୁଝିପାରୁ ଥିଲେ ଯେ ଗଣ୍ଡା ପୂରା ଆବେଶ ଅବସ୍ଥାରେ ଅଛି । ବର୍ତ୍ତମାନ ଅବସ୍ଥା ଏପରି ଯେ ହାତୀ ଗୋଟିଏ ପଟେ ଓ ସାମନାରେ ଗଣ୍ଡା ମଧ୍ୟ ହତୀ ଭୟରେ ପଛକୁ ହଟିବା ବାଲା ନୁହେଁ ।

 

କିଛି ସମୟ ପର୍ଯ୍ୟନ୍ତ ଡିଆଁଡେଇଁ କରି ଗଣ୍ଡା ତା’ର ପ୍ରତିଦ୍ୱନ୍ଦ୍ୱୀ ପାଖକୁ ପୂରା ଶକ୍ତି ସହ ଦୌଡ଼ିଲା ଏବଂ ଆଗ ଗୋଡ଼ ଦୁଇଟି ମଝିରେ ମୁଣ୍ଡିଆ ମାରିଲା । ଏହି ଧକ୍‌କା ଏଡ଼େ ଜୋରରେ ହେଲାଯେ ହାତୀ ସମ୍ଭାଳିନପାରି ଗୋଟିଏ ପଟେ ଦପ୍ କରି ପଡ଼ିଗଲା । ତା’ର ପଡ଼ିଯିବା ଦ୍ୱାରା ଭୂମିକମ୍ପ ପରି ଶବ୍ଦ ହେଲା । ପଶୁ ପକ୍ଷୀ ବିବ୍ରତ ହୋଇପଡ଼ିଲେ ଏବଂ କୋଳାହଳ କରିବାକୁ ଲାଗିଲେ । ହାତୀ ପଡ଼ିଯିବାରୁ ଗଣ୍ଡା ଯାଇ ତା’ ଉପରେ ପୁଣି ଆକ୍ରମଣ କଲା ଏବଂ ପୁଣି ସେ ଦୁହିଙ୍କ ଭିତରେ ଏପରି ଭୟଙ୍କର ଯୁଦ୍ଧ ହେଲା ଯେ ତାହାର ବର୍ଣ୍ଣନା କରିବା ଅସମ୍ଭବ । ହଣ୍ଟର ସାହେବ ଗୋଟିଏ ଗଛ ଉପରେ ବସି ଜଙ୍ଗଲର ଏହି ଦୈତ୍ୟକାୟ ଜନ୍ତୁ ଦୁଇଟିର ଯୁଦ୍ଧ ଦେଖୁଥିଲେ-। ଗଣ୍ଡା ତା’ର ପ୍ରତିଦ୍ୱନ୍ଦ୍ୱୀକୁ ଅତି ଜୋରରେ ଧକ୍କା ମାରି ମାରି ରକ୍ତସ୍ନାନ କରିଦେଲା-। ଗଣ୍ଡା ବାରମ୍ବାର ପଛକୁ ହଟିଯାଇ ଉଚ୍ଛୁଳି ଉଠୁଥାଏ ଏବଂ ତା’ର ଲମ୍ବା ଶିଙ୍ଗକୁ ହାତୀ ଶରୀର ଭିତରେ ଭୁଷି ଦେଉଥାଏ ଏବଂ ହାତୀ ଶଣ୍ଢ ଉଠାଇ ଭୟାନକ ଶବ୍ଦ କରି ଚିତ୍କାର କରି ଉଠୁଥାଏ-। ହାତୀ ବହୁବାର ତାକୁ ତା’ର ଶୁଣ୍ଢରେ ବାନ୍ଧିଦେବା ପାଇଁ ଚେଷ୍ଟା କରୁଥିଲା । କିନ୍ତୁ ଗଣ୍ଡାର ଫୁର୍ତ୍ତି ଓ ସତର୍କତା ଯୋଗୁ ହାତୀର ଶକ୍ତି କିନ୍ତୁ କାମ ଦେଉ ନଥିଲା । ହାତୀ ଯେତେବେଳେ ବିଲ୍‍କୁଲ୍‍, ହାଲିଆ ହୋଇଗଲା ସେ ନିଜକୁ ଗଣ୍ଡାର ଦୟା ଉପରେ ଛାଡ଼ିଦେଲା । ଗଣ୍ଡା ବାରମ୍ବାର ତା’ର ଚାରିପଟେ ଚକ୍‍କର ଲଗାଇବାରେ ଲାଗିଲା ଏବଂ ଶିଙ୍ଘରେ ତା’ର ଶରୀରକୁ ଭୁଷିବାରେ ଲାଗିଲା-। କେତେ ସମୟ ପର୍ଯ୍ୟନ୍ତ ସେମାନଙ୍କ ଲଢ଼େଇ ଚାଲିଥାଏ । କିନ୍ତୁ ହଠାତ୍‌ ବାଘର ଗର୍ଜନ ଶୁଣାଗଲା-। ବାଘ ନିକଟବର୍ତ୍ତୀ କୌଣସିଠାରେ ଶୋଇଥିଲା । ଏହି ଲଢ଼େଇ ତା’ର ଆରାମରେ ବିଘ୍ନ ସୃଷ୍ଟି କରିଥିଲା ।

 

ବାଘର ଶବ୍ଦ ଶୁଣି ଏପଟେ ହଣ୍ଟର ସାହେବ ରାଇଫଲ ଧରି ପ୍ରସ୍ତୁତ ହୋଇଗଲେ । ସେପଟେ ଗଣ୍ଡା ଓ ହାତୀ ସେମାନଙ୍କ ଲଢ଼େଇ ଶେଷ କରିଦେଲେ । କିଛି ସମୟ ପର୍ଯ୍ୟନ୍ତ ସେ ଦୁହେଁ ପାଖାପାଖି ଠିଆ ହୋଇ ଉଭୟଙ୍କୁ ଦେଖିବାରେ ଲାଗିଲେ । ଦୁହେଁ ଥକି ଯାଇଥିଲେ ଏହି ସମୟରେ ବାଘ ପୁଣି ଗର୍ଜନ କରିବାରୁ ଗଣ୍ଡା ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇଲା । ତା’ର ଯିବାପରେ ହାତୀ ମଧ୍ୟ ଯନ୍ତ୍ରଣାରେ ଅସ୍ଥିର ହୋଇ ଅନ୍ୟଦିଗରେ ଚାଲିଗଲା ।

 

ଏହି ଦୁଇଜଣଙ୍କ ଲଢ଼େଇରୁ ଏତିକି ଲାଭ ହେଲା ଯେ ଯେଉଁ ବାଘର ତଲାସରେ ହଣ୍ଟର ସାହେବ ପନ୍ଦର ଦିନ ହେଲା ବୁଲୁଥିଲେ ସେ ତାଙ୍କ ସାମନାରେ ପଡ଼ିଥିଲା । ସେ ଆସି ଯୁଦ୍ଧ ଭୂମିକା ନିରୀକ୍ଷଣ କଲା । ଗଣ୍ଡା ଓ ହାତୀର ଶରୀରରୁ ବାହାରିଥିବା ରକ୍ତକୁ ଶୁଙ୍ଘିଲା ଏବଂ ମୁହଁ ଉପରକୁ ଉଠାଇ ପୁଣି ଗର୍ଜନ କଲା । ସମ୍ଭବତଃ ରକ୍ତ ଦେଖି ତା’ର ପେଟର ଭୋକ ବଢ଼ିଗଲା । ଏହା ଦେଖି ହଣ୍ଟର ସାହେବଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ବାଘ ଗଣ୍ଡା ରକ୍ତର ଗନ୍ଧ ଶୁଙ୍ଘି ଶୁଙ୍ଘି ସେ ଦିଗରେ ଚାଲିଲା, ଯେଉଁଆଡ଼େ ପ୍ରକୃତରେ ଗଣ୍ଡା ଯାଇଥିଲା । ହଣ୍ଟର ସାହେବ ରାଇଫଲରେ ନିଶାଣଧରି ଘୋଡ଼ା ଦବାଇବାକୁ ଯାଉଛନ୍ତି ଗୋଟିଏ ହୃଦୟସ୍ପର୍ଶୀ ଘଟଣା ଘଟିଲା । ଗଣ୍ଡା ଅଧିକ ଦୂର ଯାଇ ନଥିଲା । ସେ ବୁଦା ମଧ୍ୟରେ ପଶି ଆରାମ କରୁଥିଲା ବାଘ ତାକୁ ସେତେବେଳକୁ ଦେଖି ସାରିଥିଲା । ଗଣ୍ଡା ମଧ୍ୟ ତାକୁ ଦେଖି ପ୍ରସ୍ତୁତ ହୋଇଗଲା । ଯଦ୍ୟପି ବାଘର ପୂରାଦମ୍ ଥିଲା ଏବଂ ଗଣ୍ଡା ହାତୀ ସଙ୍ଗେ ଲଢ଼ି ଲଢ଼ି ଆହତ ଓ ଥକି ଯାଇଥିଲା ତଥାପି ସେ ପ୍ରାଣମୂର୍ଚ୍ଛା ଲଢ଼ାଇ କଲା । ବାଘ ଗଁ ଗଁ ହୋଇ ଗଣ୍ଡା ଉପରେ ଆକ୍ରମଣ କରି ତା’ର ବେକରେ ଦୁଇ ଦାନ୍ତ ଗଳାଇ ଦେଲା । ଗଣ୍ଡାର ବେକରୁ ଲାଲ ରକ୍ତ ବୋହିବାରେ ଲାଗିଲା । କିନ୍ତୁ ବାଘ ଅପେକ୍ଷାରେ ଅଧିକ ଓଜନଦାର ଥିଲା । ସେ ତା’ର ବେକ ଝାଡ଼ି ଦେବାରୁ ବାଘ ଯାଇ କିଛି ଦୂରରେ କଚାଡ଼ି ହୋଇ ପଡ଼ିଲା ।

 

ବାଘ ନାହିଁ ନଥିବା ଭାବେ ରାଗିଗଲା । ଗୋଟିଏ ଡିଆଁରେ ସେ ପୁଣି ଆସି ଗଣ୍ଡାର ମୁଣ୍ଡକୁ ଧରିନେଲା ଓ ଏପରି ଆକ୍ରମଣ କଲା ଯେ ଗଣ୍ଡା ତା’ର ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଗଲା । ବାଘ ତା’ର ବେକକୁ ନିଜ ପାଟିରେ ଧରି ନେଇଥିଲା । ଏହି ସମୟରେ ହଣ୍ଟର ସାହେବ ଗୁଳିକଲେ ଏବଂ ଦୁଇଟି ଗୁଳି ବାଘର ଶରୀର ଭିତର ଭେଦକରି ବାହାରିଗଲା । ଏହିପରି ଜଙ୍ଗଲର ଏ ରକ୍ତାକ୍ତ ସଂଘର୍ଷର ଅବସାନ ଏକଘଣ୍ଟା କୋଡ଼ିଏ ମିନିଟ ପରେ ଶେଷ ହୋଇଗଲା । ବାଘ ତ ମରିଗଲା କିନ୍ତୁ ଗଣ୍ଡା ମରିନଥିଲା । ବାଘ ଆଉ ଆକ୍ରମଣ କରୁନାହିଁ ଦେଖି ସେ ଠିଆ ହେଲା ଏବଂ ପୁଣି ସେ ବୁଦାଆଡ଼େ ଯିବାକୁ ଚାହୁଁଥିଲା । ହଣ୍ଟର ସାହେବଙ୍କ ରାଇଫଲରୁ ଗୋଟିଏ ଗୁଳି ତାକୁ ସବୁଦିନ ପାଇଁ ଶୁଆଇ ଦେଲା ।

✽✽✽

 

ମଗର ଶିକାର

 

ନଦୀରେ ପଡ଼ୁ ପଡ଼ୁ ଡେଭିସଙ୍କର ସାରା ଶରୀର କୋଲ ମାରିଗଲା । ସେ ନିଜକୁ ହୋସରେ ରଖିବାକୁ ପୂରା ଚେଷ୍ଟା କରୁଥିଲେ କିନ୍ତୁ ଥଣ୍ଡା ପାଣି ତାଙ୍କର ମସ୍ତିଷ୍କକୁ ଶୂନ୍ୟ କରି ଦେଉଥିଲା । ଯେଉଁ ମଗରକୁ ସେ ପିଛା କରୁଥିଲେ ସେ ତାଙ୍କର ଅନୁମାନଠାରୁ ବହୁତ ଅଧିକ ଚାଲାକ, ଫୁର୍ତ୍ତି ଓ ବଳବାନ ଥିଲା । ଡେଭିସ ସେ ଦିଗରେ ବହୁତ ହାରପୁନ୍‍ ପିଙ୍ଗି ସାରିଥିଲେ କିନ୍ତୁ ସେ ଅତି ବେଗରେ ସବୁକୁ ପାରିକରି ଚାଲିଗଲା । ତାକୁ ମାରିବା ପାଇଁ ଦୃଢ଼ ନିଶ୍ଚୟ କରି ସେ ତା’ର ପାଟିକୁ ଲକ୍ଷ୍ୟକରି ହାରପୁନ୍ ଫିଙ୍ଗିବାକୁ ଚେଷ୍ଟାକଲେ କିନ୍ତୁ ଡେଭିସ ତାକୁ ଫିଙ୍ଗିବା ପୂର୍ବରୁ ସେ ନୌକା ଉପରେ ଖୁବ୍ ଜୋରରେ ଧକ୍‌କା ମାରିଲା । ନାଆ ଅଚାନକ ହଲଚଲ ହେବାରୁ ଡେଭିସ ଭାରସାମ୍ୟ ରଖିନପାରି ନଦୀକୁ ଖସି ପଡ଼ିଲେ । ପଡ଼ୁ ପଡ଼ୁ ହେନେରୀ ତାଙ୍କୁ ସୂଚାଇ ଦେଲେ ଯେ ନୌକାକୁ ଭିଡ଼ି ଧର ମଗର ତୁମ ପଛରେ ଅଛି । ମୁଁ ତାକୁ ହାରପୁନ୍ ମାରିଛି ।

 

ଡେଭିସ ପାଣି ତଳକୁ ଚାଲିଗଲେ । ଯେତେବେଳେ କିଛିକ୍ଷଣ ପରେ ଉପରକୁ ଆସିଲେ ଦେଖିଲେ ମଗର ନୌକାର ଅପରପାଖରେ ଅଛି । ଡେଭିସଙ୍କୁ ଦେଖି ହେନେରୀ ଚିତ୍କାରକରି କହିଲେ, ଖବରଦାର ! ସେ ଆଡ଼େ ରହ ! ଏବଂ ସେ ଟର୍ଚ୍ଚ ଜଳାଇ ଦେଲେ, ଆଲୁଅ ସାହାଯ୍ୟରେ ଡେଭିସ ଯାଇ ନାଆର ଗୋଟିଏ ମଙ୍ଗକୁ ଧରି ପକାଇଲେ ।

 

ଗୋଟିଏ ମିନିଟ ସେପରି ରୁହ ମୁଁ ତୁମକୁ ଭିଡ଼ିନେବି । ହେନେରୀ କହିଲେ । କିନ୍ତୁ ନାଆକୁ ସଙ୍ଗେ ସଙ୍ଗେ ଗୋଟିଏ ଧକ୍‌‌କା ଲାଗିଲା ଓ ଡେଭିସଙ୍କ ହାତରୁ ଖସିଗଲା । ସେ ପୁଣି ଉବେଇ ଟୁବେଇ ହେବାକୁ ଲାଗିଲେ । ନାଆ ପାଖରେ ପହଞ୍ଚିବା ପାଇଁ ସେ ପୁରାଦମରେ ପହଁରି ଚାଲିଲେ । ଗାଢ଼ ଅନ୍ଧକାର ଭିତରେ କିଛି ଦେଖାଯାଉନଥିଲା । ଅଚାନକ ଭାବେ ଡେଭିସଙ୍କ ହାତ କୌଣସି ବସ୍ତୁ ଦେହରେ ଲାଗିଲ । କୌଣସି ପ୍ରକାରେ ଆଖି ମୋଡ଼ି ଚାହିଁବାରୁ ଜଣାପଡ଼ିଲା ତାହା ଗୋଟିଏ ମଗରର ଦେହ । ମଗରଟି ଡେଭିସଙ୍କ ପାଖରେହିଁ ପହଁରୁଥିଲା । ତା’ପରେ ହେନେରୀଙ୍କ ଶବ୍ଦ ଶୁଣାଗଲା, ଭାଇ ! ତୁମେ ପହଁରି ଦୂରକୁ ଚାଲିଯାଅ । ଏଠାରେ ଗୋଟିଏ ନୁହେଁ ଅନେକ ମଗର ଅଛନ୍ତି ଓ ସମସ୍ତଙ୍କ ସଙ୍ଗେ ଲଢ଼ିବା ମୂର୍ଖତା । ସେ ଟର୍ଚ୍ଚ ଜଳାଇଲେ । ଆଲୁଅରେ ଡେଭିସ ଯାହା ଦେଖିଲେ ଭୟରେ ତାଙ୍କର ଜୀବନ ଛାଡ଼ିଯିବାକୁ ବସିଲା । ଦଶ ପନ୍ଦରଗଜ ଦୂରରେ ସେହି ବିଶାଳକାୟ ମଗର ଯିଏ ସେମାନଙ୍କର ଲକ୍ଷ୍ୟଥିଲା ନିଜର ଭୟଙ୍କର ମୁହଁ ଖୋଲି ତାଙ୍କୁ ଚାହୁଁଥିଲା-। ତା’ପଛରେ ଆହୁରି ଦୁଇଟି ଛୋଟ ମଗର ଥିଲେ । ଡେଭିସ ଜୀବନ ବଞ୍ଚାଇବାପାଇଁ ପୁଣିଥରେ ଚେଷ୍ଟାକଲେ । ସେ ପୁଣି ନାଆ ଆଡ଼େ ପହଁରିବା ପାଇଁ ଚେଷ୍ଟାକଲେ । ସେହି ସମୟରେ ହେନେରୀ ଦ୍ଵାରା ଫିଙ୍ଗା ଯାଇଥିବା ହାରପୁନ୍ ସାଇଁ ସାଇଁ ଶବ୍ଦ କରି ଆସି ସେହି ବଡ଼ ମଗର ଗଳାରେ ଯାଇ ବସିଗଲା । ସେ ଯନ୍ତ୍ରଣାରେ ଛଟପଟ ହୋଇ ଓଲଟି ପଡ଼ିଲା ଓ ତା’ର ଲାଞ୍ଜ ପିଟିହେଲା । ତା’ ପ୍ରଭାବରେ ପାଣି ଲହଡ଼ା ଖାଇବାରେ ଲାଗିଲା । ସେ ଛଟପଟ ହୋଇ ଡେଭିସଙ୍କ ପାଖେ ପହଞ୍ଚିଗଲା । ହଠାତ୍ ତା’ର ଲାଞ୍ଜରେ ତାଙ୍କ ପିଠିରେ ପାହାରେ ଦେଲା-। ତାଙ୍କୁ ଜଣାପଡ଼ିଲା ସତେ ଯେପରି ଶହେ କୋରଡ଼ା ମାଡ଼ କିଏ ଏକା ଥରକେ ତାଙ୍କ ପିଠିରେ ବସାଇ ଦେଲା । ଯନ୍ତ୍ରଣାରେ ସେ ଅଥୟ ହୋଇପଡ଼ିଲେ ଓ ପାଣି ତଳକୁ ଗଲେ ।

 

ହେନେରୀ ଅନ୍ଧାରୁଆରେ ହାରପୁନ୍ ଫିଙ୍ଗି ଚାଲିଥାନ୍ତି ଏବଂ ତାହା ଡେଭିସଙ୍କ ମୁଣ୍ଡଉପରେ ଦେଇ ସାଏଁ ସାଏଁ ଚାଲିଯାଉଥାଏ । ଡେଭିସ ବୁଝିପାରିଲେ ଯେ କୌଣସି ନା କୌଣସି ହାରପୁନ୍ ତାଙ୍କୁ ବିନ୍ଧିଦେବ । ସେ ଖୁବ୍ ଜୋରରେ ଚିଲାଇ କହିଲେ, “ଆରେ ବୋକା ଏପରି ଫିଙ୍ଗିବା ବନ୍ଦ କର । କ’ଣ ମୋତେ ମାରି ଦେବୁନା କ’ଣ ?’’

 

ହେନେରୀ ପୁଣି ଟର୍ଚ୍ଚ ଜଳାଇଲେ । ସେ ଦେଖିଲେ ନାଆ ତାଙ୍କଠାରୁ ତିରିଶି ଗଜ ଦୂରରେ ଅଛି । ଦୁଇ ତିନୋଟି ମଗର ମଧ୍ୟ ତାଙ୍କୁ ଆଘାତ ଲଗାଇବାପାଇଁ କିଛି ଦୂରରେ ଥିଲେ । ହାରପୁନ୍‌ର ମାଡ଼ ହିଁ ତାଙ୍କୁ ସେ ପର୍ଯ୍ୟନ୍ତ ଅଟକାଇ ରଖିଥିଲା ନଚେତ୍ କେତେବେଳୁ ମଗରମାନେ ତାଙ୍କୁ ଖାଦ୍ୟ ବନେଇ ସାରନ୍ତେଣି । ଡେଭିସ ମନକୁ ମନ ମଗରଛାଲ ବ୍ୟବସାୟ କରିବ । ଶୁଭାରମ୍ଭ ସମୟକୁ ଗାଳି ଦେଉଥିଲେ । ତାଙ୍କର ଯୋଜନାଥିଲା ନାଆରେ ଗୋଟିଏ ମଟର ଫିଟ୍ କରିବେ ଓ ଗୋଟିଏ ରାଇଫଲ୍ କିଣିବେ । ହଠାତ୍ ତାଙ୍କୁ ଜଣାପଡ଼ିଲା ଯେ ମଗର ତାଙ୍କ ଗୋଡ଼କୁ ଧରି ଦେଇଛି ଓ ପାଣି ଭିତରକୁ ଟାଣି ନେଉଛି । ଡେଭିସ ତାଙ୍କର ଗୋଡ଼ ଛଡ଼ାଇବାପାଇଁ କୌଣସି ଚେଷ୍ଟା କଲେ ନାହିଁ । କାରଣ ସେ ଜାଣିଥିଲେ ଏପରି କରିବା ଅର୍ଥ ତାଙ୍କର ଗୋଡ଼ କଟିଯାଇ ମଗରର ମୁହଁରେ ରହିଯିବ । ସେ ମୃତ୍ୟୁର ଶେଷ ସମୟ ପର୍ଯ୍ୟନ୍ତ ଲଢ଼ିବାକୁ ଚାହୁଁଥିଲେ । ଆତ୍ମସମର୍ପଣ କରିବାକୁ ନୁହେଁ । ଏଥିପାଇଁ ସେ ବଞ୍ଚିବାର ସୂତ୍ର ମନ ମଧ୍ୟରେ ମଧ୍ୟ କଳ୍ପନା କରୁଥିଲେ । ଯଦ୍ୟପି ବର୍ତ୍ତମାନ ତାଙ୍କର ଜୀବନ ଓ ମୃତ୍ୟୁ ମଧ୍ୟରେ ବ୍ୟବଧାନ ଶେଷ ହୋଇ ସାରିଥିଲା ।

 

ମଗର ତାଙ୍କୁ ନଦୀତଳକୁ ଟାଣିନେଲା । ସେ ଜାଣିଥିଲେ ଯେ ଟିକିଏ ହଲଚଲ ହେଲେ ମଗର ତାଙ୍କୁ ଗିଳିଦେବ । ତେଣୁ ସେ ମୁର୍ଦ୍ଦାର ପରି ନିଷ୍ପଦ ରହିଲେ । ଡେଭିସଙ୍କର ନିଃଶ୍ଵାସ ରୋକିବାର ଅଭ୍ୟାସ ଥିଲା । ତେଣୁ କିଛି ମିନିଟ ପାଣି ଭିତରେ ରହିବାରେ କୌଣସି ଅସୁବିଧା ହେଲାନି । ନିଃଶ୍ଵାସ ନେବାପାଇଁ ପ୍ରାୟ ଦୁଇମିନିଟ ପରେ ମଗର ଉପରକୁ ଆସିଲା । ଡେଭିସ ସେମିତି ତା’ କବଳରେ ଥିଲେ । ପାଣି ଉପରକୁ ତାଙ୍କର ଗୋଡ଼ ଖସାଇନେଲେ । ତା’ ସଙ୍ଗେ ସଙ୍ଗେ ତାଙ୍କ ଅଣ୍ଟାରେ ବନ୍ଧାଥିବା ଶିକାର ଛୁରିରେ ତା’ର ବେକକୁ ଖୁବ୍ ଜୋରରେ ଆଘାତ କଲେ । ତା’ର ବେକରୁ ରକ୍ତରସୁଅ ଛୁଟିଲା କିନ୍ତୁ ସେ ଜଖମକୁ ଖାତିରି ନକରି ତାଙ୍କ ଉପରେ ପୁଣିଥରେ ଆକ୍ରମଣ କଲା । ତାଙ୍କର ଗୋଡ଼ ପୁଣିଥରେ ମଗର କବଳକୁ ଚାଲିଗଲା । ଏଥରକ ସେ ଅସହ୍ୟ ବେଦନାରେ ବେହୋସ ହୋଇଗଲେ । ସେ ଅନୁଭବ କରୁଥିଲେ ଯେ ମଗର ତାଙ୍କୁ ପାଣି ତଳକୁ ଟାଣି ନେଉଛି ।

 

ଆଖି ଖୋଲିବାପରେ ସେ ନିଜକୁ ଗୋଟିଏ ଅନ୍ଧକାରମୟ ଦୁର୍ଗନ୍ଧମୟ ଖୋଲରେ ଆବିଷ୍କାର କଲେ । ସେ କାଦୁଅରେ ଲଟପଟ ହୋଇ ପଡ଼ିଥିଲେ । ସେ ଉଠିବା ପାଇଁ ଚେଷ୍ଟାକଲେ-। କିନ୍ତୁ ହାତ ପାଦ ହଲାଇବାରେ ମଧ୍ୟ କଷ୍ଟ ଅନୁଭବ କଲେ । ଦରଜରେ ପ୍ରତ୍ୟେକ ଅଙ୍ଗ ଫାଟି ପଡ଼ୁଥିଲା । ପଚାମାଂସର ଗନ୍ଧ ନାକକୁ ଫଟାଇ ପକାଉଥିଲା । କିଛି ସମୟ ପରେ ଯେତେବେଳେ ତାଙ୍କର ଆଖି ଅନ୍ଧାରରେ ଦେଖିବାପାଇଁ ଅଭ୍ୟସ୍ତ ହୋଇଗଲା, ସେ ଚାରିଆଡ଼େ ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଲେ ।

 

ଖୋଲର ଚାରିଆଡ଼େ ଖଣ୍ଡ ଖଣ୍ଡ ମାଂସ ହାଡ଼ ଆଦି ବିଛାଡ଼ି ହୋଇ ପଡ଼ିଥିଲା । ବର୍ତ୍ତମାନ ସେ ବୁଝିପାରିଲେ ଯେ ଏହା ମଗରର ଷ୍ଟୋରରୁମ୍ ଅଟେ । ଏଠାରେ ସେ ତା’ର ରସଦ୍ ଏକତ୍ରିତ କରୁଥିଲା । ତାଙ୍କୁ ମଧ୍ୟ ମଲା ବୋଲି ଭାବି ଏଠାରେ ପକାଇ ଦେଇଥିଲା । ଏହା ହୋଇପାରେ ଦିନବେଳେ ସେ ଏଠାରେ ବିଶ୍ରାମ କରୁଥିଲା ।

 

ବର୍ତ୍ତମାନ ଏ ଖୋଲରୁ ରକ୍ଷା ପାଇବା ପାଇଁ ସେ ମୁଣ୍ଡ ଖେଳାଇବାରେ ଲାଗିଲେ । ହଠାତ୍ ତାଙ୍କୁ ଖୋଲର ଉପରି ଭାଗରେ ମଗରର ନିଃଶ୍ଵାସର ଆବାଜ ଶୁଣାଗଲା । ବର୍ତ୍ତମାନ ନିଶ୍ଚିତ ଥିଲା ଯେ ସେ କିଛି ଗୋଳମାଳ କଲେ ମଗର ଉଠିପଡ଼ିବା ଭୟ ଥିଲା । ଡେଭିସ ଈଶ୍ୱରଙ୍କୁ ପ୍ରାର୍ଥନାକଲେ ଯେ, ମଗର ନଦୀକୁ ମାଛ ମାରିବାକୁ ଚାଲିଯାଉ ଯାହାଦ୍ଵାରା କି ସେ ଉଦ୍ଧାର ପାଇବାପାଇଁ ଚେଷ୍ଟା କରିବେ । ପ୍ରାୟ ଅଧଘଣ୍ଟା ଏପରି କଟିଗଲା । କିନ୍ତୁ ତାଙ୍କୁ ଗୋଟିଏ ଗୋଟିଏ ମିନିଟ ଯୁଗଟିଏ ପରି ଲାଗୁଥିଲା । ମଗରର ଦାନ୍ତ ବାଜି ତାଙ୍କ ଗୋଡ଼ରେ ବଡ଼ ବଡ଼ କଣା ଫିଟିଯାଇଥିଲା । ଯାହାକି ତାଙ୍କୁ ଭାରି ଯନ୍ତ୍ରଣା ଦେଉଥିଲା । ମଗରର ଭୟରେ ସେ ନିଃଶ୍ୱାସ ମଧ୍ୟ ନେଇପାରୁ ନଥିଲେ । କିଛି ସମୟ ପରେ ତାଙ୍କୁ ଜଣାପଡ଼ିଲା ଯେ ମଗର ମାଛ ପାଇଁ ନଦୀକୁ ଚାଲିଗଲା ।

 

ଡେଭିସ ପୀଡ଼ା ଓ ଘା’କୁ ଭୁଲିଯାଇ ଶରୀରକୁ ହଲାଇବାକୁ ଚେଷ୍ଟା କଲେ । କିଛି ସମୟ ପରେ ଯେତେବେଳେ ଶରୀରରେ ସାମାନ୍ୟ ଜୀବନ ଆସିଲା ଡେଭିସ ହାତରେ କାଦୁଅ ଅଣ୍ଡାଳି ଅଣ୍ଡାଳି ଉପରକୁ ଉଠିବାକୁ ଚେଷ୍ଟାକଲେ । ଠିଆ ହେବାକୁ ଚେଷ୍ଟା କରିବା ମାତ୍ରେ ସେ ଧଡ଼କରି ତଳେ ପଡ଼ିଯାଉଥାନ୍ତି । ତାଙ୍କର ପୂରା ଶରୀର କାଦୁଅ ଓ ରକ୍ତରେ ସୁଡ଼ୁବୁଡ଼ୁ ହେଉଥିଲା । ସକାଳ ହେବା ପର୍ଯ୍ୟନ୍ତ ସେ ସେହିପରି ଚେଷ୍ଟା କରୁଥାନ୍ତି । କିନ୍ତୁ ଗୁହାରୁ ବାହାରିପାରୁ ନଥାନ୍ତି । ଏଥିରେ ତାଙ୍କ ବାମ ହାତରେ ହାଡ଼ ମଧ୍ୟ ଭାଙ୍ଗିଗଲା । ଯେତେବେଳେ ଖୋଲରେ ସାମାନ୍ୟ ଆଲୁଅ ହେଲା, ସେ ଖୋଲରୁ ବହାରିବାପାଇଁ ଅନ୍ୟ କିଛି ବାଟ ଖୋଜିବାରେ ଲାଗିଲେ । ତାଙ୍କର ଆନନ୍ଦର ସୀମା ରହିଲାନି ଯେତେବେଳେ ସେ ଅନ୍ୟ ଗୋଟିଏ ରାସ୍ତା ପାଇଲେ । ତାହା ମଧ୍ୟ ମଗର ଖୋଳି ଖୋଳି ତିଆରି କରିଥିଲା କାରଣ ତାହା ମଧ୍ୟ ସଢ଼ା ମାଂସ ଓ ହାଡ଼ରେ ଭରି ରହିଥିଲା ।

 

ଡେଭିସ ହାଡ଼ର ଗଦା ଉପରେ ଚଢ଼ିଗଲେ ଏବଂ ଅଣ୍ଡାଳି ଅଣ୍ଡାଳି ଆଗକୁ ଆଗେଇ ଚାଲିଲେ । ବହୁତ ଚେଷ୍ଟା ପରେ ତାଙ୍କର ହାତ ନଦୀ ବାଲିକୁ ସ୍ପର୍ଶ କଲା । ବାହାରକୁ ଆସି ସେ ଦେଖିଲେ ଯେ ଏଠାରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଅଛି । କୌଣସି ପ୍ରକାରେ ଟାଣି ଟୁଣି ହୋଇ ସେ ନଦୀ କୂଳରେ ପହଞ୍ଚିଗଲେ । କିନ୍ତୁ କୂଳ ପାଖରେ ପହଞ୍ଚିବା ମାତ୍ରେ ସେ ପୁଣି ବେହୋସ୍ ହୋଇ ପଡ଼ିଗଲେ ।

 

ପରେ ହେନେରୀ ତାଙ୍କୁ କହିଲେ ଯେ ଖୋଜିବାପାଇଁ ସେ ନାଆକୁ ନଦୀ ଭିତରେ ଚାରିଆଡ଼େ ପଇଁତରା ଲଗାଇଥିଲେ । ଏହି ସମୟ ମଧ୍ୟରେ ସେ ସେହି ମଗରକୁ ମଧ୍ୟ ଶିକାର କରି ନେଇଥିଲା, ଯେ କି ଡେଭିସଙ୍କୁ ବନ୍ଦୀକରି ପକାଇଥିଲା । ସେହି ମଗରକୁ ମାରି ସେ ଯେତେବେଳେ ଘରକୁ ଫେରୁଥିଲେ, ନଦୀ କୂଳରେ ଗୋଟିଏ ମଡ଼ା ଦେଖିବାକୁ ପାଇଲେ ।

 

କୌତୂହଳ ବଶତଃ ଯେତେବେଳେ ସେ ଲାସ୍ ପାଖକୁ ଗଲେ, ସେତେବେଳେ ଡେଭିସଙ୍କୁ ଦେଖି ଚକିତ ହୋଇଗଲେ । ସେ ହେନେରୀ ହାବୁଡ଼େ ଦୁର୍ଘଟଣା ଘଟିବାର ତୃତୀୟଦିନ ସକାଳୁ ମିଳିଥିଲେ । ଅତଏବ ସେ ପର୍ଯ୍ୟନ୍ତ ବେହୋସ୍ ଅବସ୍ଥାରେ ଡେଭିସ ଥିଲେ । ଯଦି ହେନେରୀକୁ ସେ ମିଳିନଥାନ୍ତେ, ତାହାହେଲେ ନିଶ୍ଚିତ ଭାବେ ଡେଭିସକୁ ମଗର ଖାଇଯାଇ ଥାନ୍ତେ-

✽✽✽

 

ବାଘ ବନାମ କୁମ୍ଭୀର

 

ପ୍ରସିଦ୍ଧ ତୀର୍ଥସ୍ଥାନ “ମାହୁର”ର ମାହାତ୍ମ୍ୟ ଭଗବାନ ଦତ୍ତାତ୍ତ୍ରୟଙ୍କ ସବୁ ଉପାସକ ଜାଣନ୍ତି-। ଏହା ପାଖଦେଇ ପୈନଗଙ୍ଗା ନଦୀ ବହିଯାଉଛି । ଅଜନ୍ତା ପର୍ବତ ଶ୍ରେଣୀରୁ ବାହାରିଥିବା ଏ ନଦୀ ଏଠାରୁ କିଛି ମାଇଲ ଆଗରେ ଯାଇ ଅନ୍ୟ ଗୋଟିଏ ତୀର୍ଥସ୍ଥାନ ସୃଷ୍ଟି କରିଛି । ଯାହାକୁ କି କେବଳ ବଣ ପ୍ରେମୀ ଅର୍ଥାତ୍‍ ଶିକାରୀମାନେହିଁ ଜାଣନ୍ତି । ଏହି ତୀର୍ଥସ୍ଥାନ ମନୁଷ୍ୟଙ୍କର ନହୋଇ ଜଙ୍ଗଲୀ ପଶୁମାନଙ୍କର ହୋଇଛି । ଯେଉଁଠାରେ ନଦୀର ଦୁଇ କୂଳରେ ବିସ୍ତୃତ କୁମ୍ଭାରି ବଣରେ ହିଂସ୍ର ପଶୁମାନେ ଆନନ୍ଦରେ ବିଚରଣ କରିଥାନ୍ତି । ଏହି ତୀର୍ଥସ୍ଥାନର ନାମ ହେଉଛି “କାଳତୋହ-।’’ ଏହି ସ୍ଥାନରୁ କିଛି ଆଗରେ “ଯବତମାଳ” ଜିଲାର ହସ୍ରକୁଣ୍ଡ କାଳତୋହ ଜଳପ୍ରପାତ ଅବସ୍ଥିତ-

 

କୁମ୍ଭାରି ବଣରେ ଅଳ୍ପ କେତେକ ଛୋଟ ଛୋଟ ଗ୍ରାମ ଅଛି । ଯେଉଁଠାରେ ଆଦିବାସୀ, ବଣ୍ଡା, କୋହ୍ଲ, ଆଁଧ, ବଞ୍ଜାରି ଆଦି ଜାତିର ଲୋକେ ବାସ କରନ୍ତି । କେହି କେହି ଶିକାର ପ୍ରିୟ ଲୋକ ଦୂର ଦୂରାନ୍ତରୁ ଆସି ବନବାସୀଙ୍କ ସହାୟତାରେ ଶିକାର କରି ଆନନ୍ଦ ଅନୁଭବ କରନ୍ତି । କିନ୍ତୁ ଏମାନଙ୍କ ଜୀବନ ସେତେବେଳେ ବଡ଼ ସଙ୍କଟମୟ ହୋଇଉଠେ ଯେତେବେଳେ କେହି ଅନଭିଜ୍ଞ ଶିକାରୀ ଦ୍ୱାରା ବା ଅନ୍ୟ କୌଣସି କାରଣରୁ ହିଂସ୍ର ଘାତକ ହୋଇ ନିଜର ସ୍ୱାଭାବିକ୍ ଭକ୍ଷ ପାଇବାରେ ଅସମର୍ଥ ହୋଇ ଉପଦ୍ରବ ଆରମ୍ଭ କରି ଦିଅନ୍ତି ।

 

ଆଜକୁ ପ୍ରାୟ ତେଇଶି ବର୍ଷ ତଳର କଥା । ବାଘ ଶିକାର କରିବା ଜଣେ ସୌଖୀନ ଇଂରେଜ ଶିକାରୀ ଏହି ଗ୍ରାମବାସୀଙ୍କ ସହାୟତାରେ ଗୋଟିଏ ମଞ୍ଚା ବାନ୍ଧିଲେ ଏବଂ ପାଖରେ ଗୋଟିଏ ମଇଁଷି ବାନ୍ଧି ନିଜ ସ୍ତ୍ରୀଙ୍କ ସହିତ ମଞ୍ଚାରେ ବସିଲେ । ସନ୍ଧ୍ୟା ହେବା ପୂର୍ବରୁ ସିନ୍ଦୂରା ଫାଟିବା ଆଗରୁ ବାଘ ମଇଁଷିକୁ ମାରିନେଇ ଯିବାକୁ ବସିଲା । ସଙ୍ଗେ ସଙ୍ଗେ ମଞ୍ଚା ଉପରୁ ଧଡ଼ାସ୍ ଧଡ଼ାସ୍ ହୋଇ ଗୁଳି ଫୁଟିଲା । ଗୋଟିଏ ଗୁଳିରେ ବାଘ ଜଖମ ହେବାରୁ ସେ ଇଂରେଜ ଦମ୍ପତିଙ୍କର ଯାହା ଦଶା ଘଟିଲା ତାହା ହାସ୍ୟାସ୍ପଦ କଥା କିନ୍ତୁ ବାଘ ତଥାପି ନିଜ ଶିକାର ନଛାଡ଼ି ମଇଁଷିକୁ ଧରି ନିଜର ନିରାପଦ ଭକ୍ଷସ୍ଥାନକୁ ଚାଲିଲା । କୋହ୍ଲ ଜାତିର ତିନି ଚାରିଜଣ ଲୋକ ଦେଖିଲେ ଯେ ବାଘଟି ତା’ ପାଟିରେ ଗୋଟିଏ ଶିକାର ଧରି ‘କାଳତୋହ’ ଆଡ଼େ ଚାଲିଛି । ଏହା ଦେଖି ସେମାନଙ୍କର ପ୍ରସନ୍ନତାର ସୀମା ରହିଲାନି, ଜଙ୍ଗଲରେ ବାଘ ଓ ହେଟାବାଘ ଦ୍ୱାରା କରାଯାଇଥିବା ଶିକାରକୁ କୋହ୍ଲମାନେ ବଡ଼ ସାହସର ସହିତ ଉଠାଇ ଆଣନ୍ତି ଓ ନିଜଗାଁରେ ତାକୁ ବଡ଼ ଅଗ୍ରହର ସହକାରେ ଖାଆନ୍ତି । ତେଣୁ ସେମାନେ କୌଣସି ପ୍ରକାରେ ବାଘ ମୁହଁରୁ ଶିକାର ଛଡ଼ାଇ ନେବା ପାଇଁ ଚେଷ୍ଟା କଲେ ।

 

ନଦୀକୂଳରେ ପହଞ୍ଚି କେଜାଣି କାହିଁକି ବାଘ ମଇଁଷିଟିକୁ ନଈବାଲିରେ ଫୋପାଡ଼ିଦେଇ ନିଜେ ପାଣିରେ ପଶିଲା । ପୁଣି ଫେରିଆସି ଶିକାର ଧରି ନଦୀ ପାର ହେବାକୁ ଲାଗିଲା । ସେ ସାତ ଆଠ କଦମ ଯାଇଛି କି ନାହିଁ ଅଚାନକଭାବେ ତା’ ଉପରେ ଗୋଟିଏ ନିର୍ଘାତିଆ ମାଡ଼ ବସିଲା-। ସେ ମାଡ଼ରେ ସେ ନଦୀରେ ପଡ଼ୁପଡ଼ୁ ବିପଦର ଆଶଙ୍କା କରି ପାରିଲା ଓ ସାଙ୍ଗେ ସାଙ୍ଗେ ପୂରାଶକ୍ତି ଖଟାଇ ଗୋଟିଏ ଝଟକାରେ ମଇଁଷିକୁ କୂଳକୁ ଫୋପାଡ଼ି ଦେଲା । ବାଘର ଭୟଙ୍କର ଗର୍ଜନରେ ଆଦିବାସୀମାନେ ଭୟରେ ଥରିବାକୁ ଲାଗିଲେ । କୂଳରେ ପାଣିରେ ଗୋଟିଏ କୁମ୍ଭୀର ବାଘ ବାହାରକୁ ବାହାରିବା ସମୟରେ ତା’ର ପଛ ଦକ୍ଷିଣ ପଟ ଗୋଡ଼କୁ ଧରି ପକାଇଲା-। କୁମ୍ଭୀର ବାଘକୁ ପାଣିକୁ ଟାଣିନେବା ଚେଷ୍ଟାରେ ଥାଏ । କିନ୍ତୁ ବାଘ ହଠାତ୍ ଗର୍ଜନକରି ଆଗପଟକୁ ଖୁବ୍ ଜୋରରେ ଡିଆଁ ମାରିଲା ଓ ନଅଫୁଟ ଲମ୍ବ କୁମ୍ଭୀରକୁ ନେଇ ଆସି ନଦୀବାଲିରେ ପଡ଼ିଲା-। କିନ୍ତୁ କୁମ୍ଭୀର ବାଘର ଗୋଡ଼ ଛାଡ଼ିଲା ନାହିଁ । ଅତୁଳ ଶକ୍ତିଶାଳୀ ବାଘ ବର୍ତ୍ତମାନ ଅସହାୟ ହୋଇ କୁମ୍ଭୀର ସଙ୍ଗେ ଲଢ଼ୁଥାଏ । ତା’ର ଜୋରଦାର୍‍ ଗର୍ଜନ ଜଙ୍ଗଲର ଘାଟିମାନଙ୍କରେ ପ୍ରତିଧ୍ଵନି ସୃଷ୍ଟି କରୁଥିଲା-। ବାଘ ଆଗ ପଞ୍ଝା ଓ ମୁହଁଦ୍ଵାରା କୁମ୍ଭୀର ଉପରେ ଆକ୍ରମଣ କରୁଥିଲା କିନ୍ତୁ କୁମ୍ଭୀରର ବହଳିଆ ଚମଡ଼ା ଥିବା ପିଠିଉପରେ କୌଣସି ପ୍ରଭାବ ପଡ଼ୁନଥିଲା ।

 

ଦୁଇ ଯୋଦ୍ଧାଙ୍କ ମଧ୍ୟରେ ଅନେକ ସମୟ ଧରି ଗଡ଼ିଆଗଡ଼ି ଚାଲିଲା । ବାଘ କୁଦା ମାରିବା ଯୋଗୁ କୁମ୍ଭୀର ବାଲିଉପରେ ଓଲଟି ପଡ଼ୁଥିଲା । କିନ୍ତୁ ବାଘ ତା’ର କୋମଳ ପେଟ ଉପରେ ପ୍ରହାର କରିବା ପୂର୍ବରୁ ସେ ବୁଲି ପଡ଼ୁଥିଲା । କୁମ୍ଭୀର ମଧ୍ୟ ବାଘକୁ ପାଣିକୁ ଭିଡ଼ି ନେବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେ ଅନୁଭବ କଲାଯେ ସେ ଗୋଟିଏ ଅଡ଼ୁଆ ଶିକାର ହାବୁଡ଼ରେ ପଡ଼ିଛି । କୁମ୍ଭୀର ତା’ ଲାଞ୍ଜରେ ବାଘକୁ ବାରମ୍ବାର ପିଟିବାରେ ଲାଗିଥାଏ । ଏଥିପାଇଁ ବାଘ ତା’ ଭୟଙ୍କର ଦାନ୍ତର ଉପଯୋଗ କରିପାରୁ ନଥାଏ । ତଥାପି ସେ କୁମ୍ଭୀରର ପାଟିର ତଳଭାଗକୁ ଲହୁଲୁହାଣ କରି ଦେଇଥାଏ । ଏକାଥରକେ ବାଘ ତା’ ମୁହଁରେ କୁମ୍ଭୀରର ବେକକୁ କାମୁଡ଼ିବାପାଇଁ ମୁହଁ ବଢ଼ାଇଲା । କିନ୍ତୁ କୁମ୍ଭୀର ଲାଞ୍ଜର ଗୋଟିଏ ଜବରଦସ୍ତ ପାହାର ତା’ ଉପରେ ବସିଲା ଓ ବାଘ ଦୁଇଫୁଟ ଉଚ୍ଚରେ ଥିବା ଗୋଟିଏ କୁଦଉପରେ ଓଲଟି ପଡ଼ିଲା । ବାଘ କ୍ଷିପ୍ର ଗତିରେ କୁମ୍ଭୀର ଉପରକୁ ଝାମ୍ପ ଦେଲା ଓ ତାକୁ ସମାପ୍ତ କରିଦେଲା ।

 

ବାଘ କୁମ୍ଭୀରକୁ ଧରି କୁଦର ପଥୁରିଆ ଅଂଶ ପଟେ ଉପରକୁ ଉଠିଲା । ଏବଂ କୁମ୍ଭୀରର ବେକଠାରୁ ପେଟ ପର୍ଯ୍ୟନ୍ତ କୋମଳ ଅଂଶ ସେ ତୀକ୍ଷ୍‌ଣ ପଥୁରିଆ ଅଂଶଦ୍ଵାରା ଗଭୀରଭାବେ ଚିରି ହୋଇଗଲା ଓ ତା’ ପାଟି ଖୋଲିଗଲା । ବାଘର ଗୋଡ଼ ବାହାରି ଆସିଲା । ବାଘ ଛୋଟେଇ ଛୋଟେଇ ଜଙ୍ଗଲ ଆଡ଼େ ଚାଲିଲା । ସେ ଅତି ଗୁରୁତର ଭାବେ ଆହତ ହୋଇଥିଲା ।

 

ଏହି କାହାଣୀ ଯେତେବେଳେ ଦର୍ଶକମାନେ ଯାଇ ଗ୍ରାମବାସୀମାନଙ୍କୁ ଶୁଣାଇଲେ ଚାରିଆଡ଼େ ଭୟ ଖେଳିଗଲା । ସାହେବଙ୍କ ଗୁଳି ଓ କୁମ୍ଭୀର ଦ୍ଵାରା ବାଘ ଘାଉଲ ହେବା ଯୋଗୁ ଆଗତ ଉପଦ୍ରବ ଆଶଙ୍କା ସେମାନଙ୍କୁ ବିଚଳିତ କଲା । ଇଂରେଜ ଭଦ୍ରବ୍ୟକ୍ତି ସୂର୍ଯ୍ୟ ମୁଣ୍ଡଉପରକୁ ଆସିବା ପୂର୍ବରୁ ତାଙ୍କ ଡେରା ଉଠାଇ ନେଇଯାଇଥାନ୍ତି । ଏହାର ଦ୍ଵିତୀୟଦିନ ଯେଉଁ ଘଟଣା ଘଟିଲା ସେଥିରେ ସମସ୍ତେ ଆତଙ୍କିତ ହୋଇପଡ଼ିଲେ । ଜଙ୍ଗଲରେ ଜଣେ ଗାଈଚରାଳି ଲୋକକୁ ଆକ୍ରମଣ କରି ବାଘ ଦିନବେଳେ ମାରିଦେଇଥିଲା । ବର୍ତ୍ତମାନ ଅନ୍ଧବିଶ୍ଵାସୀ ଲୋକେ ଦେବଦେବୀଙ୍କୁ ମାନସିକ ଦେବାରେ ଲାଗିଲେ ।

 

ସେହି ବନବାସୀଙ୍କୁ ତା’ ଆରଦିନ ଦେବୀ ପ୍ରକୃତରେ ବରଦାନ ଦେଲେ । ସନ୍ଧ୍ୟାବେଳକୁ ଏ ଖବର ବିଜୁଳି ଭଳି ବ୍ୟାପିଗଲା ଯେ ଶିକାର ପାଇଁ ଦୟାଶଙ୍କର ତ୍ରିବେଦୀ ଆସିଛନ୍ତି । ତାଙ୍କ ସମ୍ବନ୍ଧରେ ଏହି କଥା ପ୍ରସିଦ୍ଧ ଥିଲା ଯେ ତଳେ ଠିଆ ହୋଇ ଶିକାର କରିବାରେ ତାଙ୍କଭଳି ଲୋକ ଆଉ ନାହାନ୍ତି ।

 

ବିଶ୍ରାମ ସାରି ସକାଳୁ ଦୟାଶଙ୍କର ଦୁଇଜଣ ଆଦିବାସୀଙ୍କୁ ସାଙ୍ଗରେ ଧରି ବାଘ ଖୋଜିବା ପାଇଁ ବାହାରି ପଡ଼ିଲେ । ସେ ଦେଖିଲେ ଯେ ଗାଁରୁ ଘନ ଜଙ୍ଗଲ ଆଡ଼େ ଯାଇଥିବା ଚଲାବାଟରେ ସେହି ଛୋଟା ବାଘର କେତେକ ପାଦଚିହ୍ନ ପଡ଼ିଛି । ଏହି ଖୋଜ ଉପରେ ସେ ଅନୁମାନ କଲେ ଯେ ବାଘ ଖାଦ୍ୟ ପାଇଁ ରାତିଯାକ ଗାଁର ଆଖପାଖରେ ଚକ୍‌କର ଲଗାଇଥିଲା । ଭୋକିଲା ବାଘ ବଣ୍ୟ ପଶୁ ଶିକାର କରିବାରେ ଅସମର୍ଥ ହୋଇ ଗାଁର ଆଖପାଖରେ ଘୂରି ବୁଲୁଥିଲା । ଏଥିରୁ ଅନୁମାନ କରାଯାଇ ପାରେ ଯେ ଏ ବାଘ ଗ୍ରାମବାସୀଙ୍କପାଇଁ କେଡ଼େ ମାରାତ୍ମକ । ତେଣୁ ଅତିଶୀଘ୍ର ତା’ର ମୃତ୍ୟୁ ହେବା ଆବଶ୍ୟକ । ନରଭକ୍ଷକ ବାଘ ଓ ଚିତା ମାରିବାବାଲା ଶିକାରୀମାନଙ୍କ ପ୍ରଧାନ କର୍ତ୍ତବ୍ୟ ହେଉଛି ସେମାନଙ୍କୁ ନରଭକ୍ଷୀ ହେବାପାଇଁ ନଦେବା । ଦୟାଶଙ୍କର ବାବୁଙ୍କ ଯୋଗୁ ଗତ ପଇଁଚାଳିଶ ବର୍ଷ ଧରି ପର୍ବତମାଳ ଜିଲ୍ଲାରେ ବାଘ ଭରପୂର ଥାଇ ମଧ୍ୟ ଗୋଟିଏ ଦୁଇଟି ବ୍ୟତୀତ ଅନ୍ୟବାଘମାନଙ୍କୁ ନରଭକ୍ଷକ ହେବା ସୁଯୋଗ ମିଳିନି ।

 

ମଧ୍ୟାହ୍ନ ସୂର୍ଯ୍ୟର ପ୍ରଚଣ୍ଡ ଖରା । ଦୟାଶଙ୍କରଙ୍କ ବିଶ୍ୱାସ ଥିଲା ଯେ ଏ ପ୍ରବଳ ଖରାରେ ଘାଉଲ ବାଘ ତା’ର ଥଣ୍ଡା ଗୁମ୍ପାରେ ବସି ବିଶ୍ରାମ କରୁଥିବ । ଏହି ସମୟରେ ତା’ ଗୁମ୍ଫାରେ ହିଁ ତା’ ସହିତ ମୁକାବିଲା କରିବା ଶ୍ରେୟସ୍କର । ତେଣୁ ବାଘର ପାଦଚିହ୍ନ ପଡ଼ିଥିବା ଦିଗରେ ପବନର ଗତି ପ୍ରତି ଲକ୍ଷ୍ୟ ରଖି ତିନିଜଣଯାକ ନିର୍ଦ୍ଦିଷ୍ଟ ସ୍ଥାନ ଅଭିମୁଖେ ଆଗେଇ ଚାଲିଥିଲେ । ସାବଧାନ ସହକାରେ ଚାଲୁଚାଲୁ ତାଙ୍କୁ ପ୍ରାୟ ଦୁଇଘଣ୍ଟା ଲାଗିଗଲା । ସବା ଆଗରେ ଚାଲୁଥିଲେ ଦୟାଶଙ୍କର ବାବୁ । ହଠାତ୍ ତାଙ୍କ ପାଦ ସ୍ଥିର ହୋଇଗଲା । ତିରିଶ ପାଦ ଆଗରେ ଘଞ୍ଚ ବୁଦା ଆଢ଼ୁଆଳରେ ଶୋଇଥିବା ବାଘ ତାଙ୍କ ଆଖିରେ ପଡ଼ିଲା । ଛାନିଆରେ ବର୍ତ୍ତମାନ ତାଙ୍କ ସାଥିଙ୍କ ନିଃଶ୍ଵାସ ଜୋରରେ ଚାଲିଲା । ଶୋଇଥିବା ବାଘକୁ ମାରିବା ତାଙ୍କ ନୀତିବିରୁଦ୍ଧ ଥିଲା । ତେଣୁ ବାଘକୁ ଫିଙ୍ଗିବାପାଇଁ ସେ ଯେମିତି ତଳୁ ଗୋଟିଏ ଟେକା ଉଠାଇବାକୁ ନଇଁଛନ୍ତି ସାଙ୍ଗେ ସାଙ୍ଗେ ତାଙ୍କର ଜଣେ ସାଥିର ପାଦ ଶୁଖିଲା କାଠ ଖଣ୍ଡ ଉପରେ ପଡ଼ିବାରୁ କାଠଟି ଚୁରମାର ହୋଇଗଲା ।

 

ସେ ଶବ୍ଦରେ ବାଘ ଗଁ ଗଁ ହୋଇ ବିଦ୍ୟୁତ୍ ଗତିରେ ତାଙ୍କ ଉପରକୁ କୁଦା ମାରିଲା । ଏହି ସମୟ ମଧ୍ୟରେ ଦୟାଶଙ୍କର ବାବୁ ରାଇଫଲ କାଖେଇ ନେଇଥିଲେ । ତାଙ୍କର ସାଥୀ ବାଘର ବର୍ଜନରେ ଭୟଭୀତ ହୋଇ ଦୌଡ଼ିଲେ । କିନ୍ତୁ ବାଘ ଆଗକୁ ଆସିଯାଇ ଭୟଙ୍କର ଦାନ୍ତ ଓ ନଖ ଦେଖାଇ ଯେତେବେଳେ ତାଙ୍କ ଉପରକୁ କୁଦାମାରିବାପାଇଁ ବାହାରିଲା ସାଙ୍ଗେ ସାଙ୍ଗେ ଦୟାଶଙ୍କର ବାବୁଙ୍କ ରାଇଫଲ ଗର୍ଜିଉଠିଲା । ରାଇଫଲରୁ ନିର୍ଗତ ଗୁଳି ବାଘର ମସ୍ତିଷ୍କରେ ପଶିଗଲା । ବର୍ତ୍ତମାନ ତାଙ୍କୁ ଆଉ ଦ୍ୱିତୀୟ ଗୁଳିର ଆବଶ୍ୟକତା ନଥିଲା । ବାଘ ଏହି ଅବସ୍ଥାରେ ବସି ରହିଗଲା-। ତା’ର ଉଚ୍ଚକୁ ଉଠିଥିବା ଚୁଳ ଧୀରେ ଧୀରେ ତଳକୁ ଦବିବାରେ ଲାଗିଲା । ରକ୍ତର ଗରମ କମିଯିବାପରେ ସେ ଗୋଟିଏ ପଟକୁ ଢଳି ପଡ଼ିଲା । ଭୟଙ୍କର କ୍ରୋଧରେ ଭରି ରହିଥିବା ବାଘର ଆଖି ପ୍ରାଣାନ୍ତ ପରେ ମଧ୍ୟ ସେହିପରି ଖୋଲା ରହିଥିଲା ।

✽✽✽

 

ନବାବ ଆସଫଉଦ୍ଦୌଲାଙ୍କ ଶିକାର ଯାତ୍ରା

 

ଜନାବ ଏ–ଆଲା, ନବାବ ସାହେବ ଚାରିମାସ ଶିକାରଯାତ୍ରାରୁ ଏବେ ଫେରିଥାନ୍ତି । ଏହି ଯାତ୍ରାର ବିବରଣୀରୁ କେତେକ ସୁନ୍ଦର ଘଟଣା ପାଠକମାନେ ଜାଣିବା ଉଚିତ । ସେ ଲକ୍ଷ୍ନୌଠାରୁ ବାହାରି ବାହାରାଇ ଆଡ଼େ ଆଗେଇ ଚାଲିଲେ । ତାଙ୍କ ସଙ୍ଗେ ପ୍ରାୟ ଚାଳିଶ ହଜାର ଲୋକ, କୋଡ଼ିଏ ହଜାର ଜନ୍ତୁ, ଦଶହଜାର ସିପାହୀ, ହଜାରେ ଅଶ୍ଵାରୋହୀ, ଦଶଶହ ତୋପ, ଦେଢ଼ହଜାର ହାତୀ, ତିନିହଜାର ସବାରି ଏବଂ ଏତଦ୍‍ବ୍ୟତୀତ ଓଟ, ଘୋଡ଼ା, ଏବଂ ଶଗଡ଼ଗାଡ଼ିମାନଙ୍କର ଏକ ଲମ୍ବା ଶୋଭାଯାତ୍ରା । ବଳଦ ଯୋଚା ହୋଇଥିବା ଅନେକ ରଥ ଯେଉଁମାନଙ୍କରେ ନବାବଙ୍କ ବେଗମମାନେ ବସିଥିଲେ । ତିରିଶ, ଚାଳିଶ, ପଚାଶ ବଳଦ ଯୋଚା ଯାଇଥିବା ଅନେକ ଗାଡ଼ିଥିର । ଯେଉଁଥିରେ କି ଅନେକଗୁଡ଼ିଏ ନୌକା ରଖାଯାଇଥିଲା । ଜନ୍ତା ଭିତରେ ଅନେକ ଚିତା, ହେଟା, ବାଜ, ମୃଗ, ବୁଲୁବୁଲୁ, ନାଚିଲାବାଲା, ଗାଇଲାବାଲା ଓ ଖେଳାଳୀ ରଖାଯାଇଥିଲା । ଏହା ବର୍ଣ୍ଣନା କରିବାର ତାତ୍ପର୍ଯ୍ୟ ହେଲା ନବାବ ସାହେବଙ୍କ ସଙ୍ଗରେ ଜୀବନକୁ ସରସ ସୁନ୍ଦର କରିବାପାଇଁ ଆବଶ୍ୟକ ସମସ୍ତ ଜିନିଷପତ୍ର ମହଜୁଦ୍‌ ‍ଥିଲା । ପାଞ୍ଚଶହରୁ ଅଧିକ କୁଲିଲୋକ ବନ୍ଧୁକ ଗୁଳି ଓ ବାରୁଦ ଆଦି ଥୁଆରଖା କରିବାପାଇଁ ନିଯୁକ୍ତି ପାଇଥିଲେ । ନବାବ ସାହେବଙ୍କ ପାଖେ ହଜାରରୁ ଅଧିକ ଦୁଇନଳିଆ ବନ୍ଧୁକ ତୋପ ଆଦି ହାତ ହତିଆର ଥିଲା । ସାଧାବନ୍ଧୁକ, ପିଷ୍ଟଲ, ଭାଲି, ତଲୁଆର ଇତ୍ୟାଦି ଅସଂଖ୍ୟ ପରିମାଣର ଥିଲା । ‘ବହରାଇଚ’ରେ ନବାବ ସାହେବ ଅଟକି ଯାଇଥିଲେ । “ପୀରବାବା ସୁଲାରଗାଜି”ଙ୍କ କବରଠାରେ ‘ଜିୟାରତ’ ଅର୍ଥାତ୍‍ ପୂଜା ଅର୍ଚ୍ଚନା କରିବାପାଇଁ । ପ୍ରତ୍ୟେକ ଧାର୍ମିକ ମୁସଲମାନ ଏହିଠାରେ ବର୍ଷକୁ ଥରେ ମେ ମାସ ବେଳକୁ ଜିୟାରତ କରିଥାନ୍ତି ।

 

କଥିତ ଅଛି ଯେ ଏହି ପୀର ସାହେବଙ୍କ ଅସ୍ଥି ଚାରିଶହ ବର୍ଷ ତଳେ ମିଳିଥିଲା ଓ କେତେକ ଦୈବ ଗୁଣ ଦେଖି ଏହାକୁ ଚିହ୍ନା ଯାଇଥିଲା । ଗୋଟିଏ ଅତି ଆଶ୍ଚର୍ଯ୍ୟ ଓ ଅବିଶ୍ଵାସନୀୟ କଥା ଏହିଯେ ଏହି ଅସ୍ଥି ସବୁ ଗୋଟିଏ ଗଧର କଙ୍କାଳ ପରି ଦେଖାଯାଉଥିଲା । କେଜାଣି କାହିଁକି ଲୋକେ ଏପରି ଅପବିତ୍ର କଳ୍ପନା କରନ୍ତି କାରଣ ଗଧ ଓ ପୀରଙ୍କ ହାଡ଼ କେବେହେଲେ ସମାନ ହୋଇ ପାରେନା । ସେ ଜିଅନ୍ତା ହେଉକି ମୃତ ହେଉ ।

 

“ବହରାଇଚ”ରେ ସେମାନେ ମନଖୁସି କରି ଆଗକୁ ବଢ଼ିଲେ । ଏହା “କୁମାୟୂଁ”ର ପାହାଡ଼ରେ ଥିବା ଗୋଟିଏ ଛୋଟ ଗାଉଁଲି ସହର ଯାହାକି ସୁଦୂର ଭୁଟାନଠାରୁ ନେଇ ହରଦ୍ଵାର ପର୍ଯ୍ୟନ୍ତ ବିଛାଡ଼ି ହୋଇ ରହିଛି ଏବଂ ଭାରତକୁ ତିବ୍ଦତ, ନେପାଳଠାରୁ ଅଲଗା କରୁଛି । ପ୍ରତ୍ୟେକ ପ୍ରକାରର ଶିକାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖେଳାଯାଏ ଯାହାର କି ନା କିଛି ସୀମା ଅଛି କି ନିୟମ ଅଛି । ନବାବ ସାହେବଙ୍କ ପରି ଲକ୍ଷ୍ୟଭେଦ କରିବା ଲୋକ ବୋଧହୁଏ କମ୍‍ ଦେଖାଯାନ୍ତି । ଏହା ଆଶ୍ଚର୍ଯ୍ୟ ନୁହେଁ ଯେ ସେ ଗୋଟିଏ ଦିନରେ ଅନେକ ପ୍ରକାରର ପକ୍ଷୀ ଶିକାର କରିପାରୁଥିଲେ । ପ୍ରଥମ ବାଘ ସେମାନେ ପାହାଡ଼ରେ ଦେଖିଥିଲେ ଓ ତା’ର ଶିକାର ପାଇଁ ସେମାନେ ଦୁଇ ପ୍ରହର ସମୟରେ ଯାଇଥିଲେ । ସେ ଗୋଟିଏ ବିପଜ୍ଜନକ ଘାଟିରେ ବସିଥିଲା, ଯାହାକୁ ନବାବ ସାହେବଙ୍କ ଦୁଇଶହ ହାତୀ ଯାଇ ଚାରିପଟୁ ଘେରିଯାଇଥିଲେ । ଘାଟିର ମଝି ଅଞ୍ଚଳରେ ଗୋଟିଏ ଘନ ବୁଦାରେ ତାକୁ ସେମାନେ ଭୟଙ୍କର ରୂପେ ଗର୍ଜନ କରୁଥିବାର ଶୁଣି ପାରିଥିଲେ । ଶିକାର ପାଇଁ ଉତ୍ସାହ ଏବଂ ଅଭ୍ୟସ୍ତ ହୋଇଥିବା ଯୋଗୁ ସୌମିତ୍ର ମୋହନ ତାଙ୍କର ହାତୀ ଆଗକୁ ବଢ଼ାଇଲେ । ବାଘ ରାଗିଯାଇ ଖୁବ୍ ଜୋରରେ ଗର୍ଜନ କଲା । ଯାହାଦ୍ଵାରାକି ହାତୀ ପଛକୁ ହଟିଗଲା ଏବଂ ସୌମିତ୍ର ମୋହନ ନିଶାଣ କରି ପାରିଲେନି । ସେ ଦ୍ଵିତୀୟଥର ଦୁଇ ତିନୋଟି ହାତୀ ସାଙ୍ଗରେ ଧରି ଆଗକୁ ବଢ଼ିଲେ । ବାଘ କୁଦାମାରିଲା ଓ ଯେଉଁ ହାତୀ ଉପରେ ତିନି ଚାରିଜଣ ଲୋକ ବସିଥିଲେ, ସେଇ ହାତୀ ଉପରେ ଯାଇ ବସି ପଡ଼ିଲା । ହାତୀ ଏତେ ଜୋରରେ ଶରୀର ଝାଡ଼ିଦେଲା ସେ ତା’ ପିଠିଉପରେ ବସିଥିବା ସମସ୍ତ ଲୋକ, ପାଖରେ ଥିବା ଗୋଟିଏ କଣ୍ଟା ବୁଦାରେ ଯାଇ ପଡ଼ିଲେ । କିନ୍ତୁ ସେମାନେ ଆହତ ନହୋଇ ଝାଡ଼ିଝୁଡ଼ି ହୋଇ ବାହାରି ଆସିବା ଦେଖି ସୌମିତ୍ର ମୋହନଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ଲାଗିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନବାବ ସାହେବ ଏ ସବୁ ଦେଖି ଗୋଟିଏ ଉଚ୍ଚ ଜାଗାଉପରେ ଠିଆ ହୋଇଥିଲେ । ସେ ସୌମିତ୍ର ମୋହନଙ୍କୁ ବାଘକୁ ତାଙ୍କ ଆଡ଼େ ଘଉଡ଼ାଇବା ପାଇଁ ଇଶାରା ଦେଲେ । ସୌମିତ୍ର ମୋହନ ଟିକିଏ ଚେଷ୍ଟାକଲେ ଏବଂ କିଛି ପରିମାଣରେ ସଫଳହେଲେ । ବାଘ ରାଗରେ ଗର୍ଜନ କରି ତା’ ଲାଞ୍ଜକୁ ଏପଟ ସେପଟ ପିଟି ସୌମିତ୍ର ମୋହନଙ୍କ ଆଡ଼କୁ ମାଡ଼ି ଆସିଲା । ତାଙ୍କ ପାଖେ ବାଘ ପାଖାପାଖି ହୋଇ ଯିବାର ଦେଖି ସେ ଲକ୍ଷ୍ୟକରି ଗୁଳି ଟିପିଦେଲେ ଓ ସେ ଜଖମ ହୋଇଗଲା ।

 

ବାଘଟି କଣ୍ଟାବୁଦା ଭିତରେ ଲୁଚିଗଲା । ତା’ପରେ ଦଶ ବାରଟି ହାତୀ ସେ ବୁଦାକୁ ଦଳା ଚକଟା କରିବାରେ ଲାଗିଲେ । ବାଘ ନବାବ ସାହେବଙ୍କ ଆଡ଼େ ମାଡ଼ି ଚାଲିଲା । ସେ ତାକୁ ପଥର ପରି ତଳକୁ ମାରି ଗଡ଼ାଇ ଦେଲେ । ବାହାଃ, ବାହାଃର ଜୋରଦାର ଆବାଜରେ ବିଜୟ ଘୋଷଣା ହେଲା ଏବଂ ସେ ଲୋକେ ଯେଉଁମାନେ ଭୟରେ ଲୁଚିଥିଲେ ତଲୁଆରଧରି ନିଜର ବାହାଦୁରି ଦେଖାଇବା ପାଇଁ ମୃତ ବାଘ ନିକଟକୁ ଦଉଡ଼ିଲେ । ଜଙ୍ଗଲ ମଧ୍ୟରେ ହାତୀ ଉପରେ ସବାର ହୋଇ କରାଯାଉଥିବା ଏପ୍ରକାର ଶିକାରରେ ଜଙ୍ଗଲୀ ପଶୁଙ୍କଠାରୁ ବିପତ୍ତିର ଆଶଙ୍କା ନଥାଏ । ତିରିଶଟି ବାଘ ଶିକାରରେ ସୌମିତ୍ର ମୋହନ ଉପସ୍ଥିତ ଥିଲେ ଓ କେତେବେଳେ ହେଲେ କାହାକୁ ଚୋଟ ଖାଇବା ଦେଖିନାହାନ୍ତି । ଥରେ ସୌମିତ୍ର ମୋହନ ପଲାସିଠାରେ ହାତୀ ଉପରୁ ତଳକୁ ଖସି ପଡ଼ିବାରୁ ସାମାନ୍ୟ ଆଘାତ ପାଇଥିଲେ ।

 

ବାଘ ଶିକାରର କିଛିଦିନ ପରେ ସେମାନଙ୍କର ଦ୍ୱିତୀୟ ଉଲ୍ଲେଖନୀୟ ଶିକାରହେଲା ଗୋଟିଏ ଜଙ୍ଗଲୀ ହାତୀ । ସେମାନେ ପଡ଼ିଆରେ ଲମ୍ବା ଲମ୍ବା ଘାସରେ ତାକୁ ଦେଖିଥିଲେ । ନବାବ ସାହେବ ତୁରନ୍ତ ଚାରିଶହ ହାତୀ ଦ୍ଵାରା ଗୋଟିଏ ଅର୍ଦ୍ଧବୃତ୍ତାକାର ଘେର କରି ଆଗକୁ ବଢ଼ିବାକୁ ଲାଗିଲେ । ସୌମିତ୍ର ମୋହନଙ୍କ ଜୀବନରେ ହାତୀ ଶିକାର ଦେଖିବା ଏହା ପ୍ରଥମ । ତେଣୁ ଏଭଳି ଶିକାର ଦେଖି ପ୍ରଥମେ ସେ ଭୟଭୀତ ହୋଇ ପଡ଼ିଥିଲେ । ତଥାପି ସୁଯୋଗ ଅପେକ୍ଷାରେ ସେ ନବାବ ସାହେବଙ୍କ ପାଖେ ପାଖେ ରହିଥିଲେ । ଯେତେବେଳେ ତାଙ୍କ ହାତୀମାନଙ୍କର ଅର୍ଦ୍ଧବୃତ୍ତ ବଢ଼ି ବଢ଼ି ଜଙ୍ଗଲୀ ହାତୀର ତିନିଶହ ଗଜ ପାଖାପାଖି ହେଲା ସେ ଡରିଲା ନାହିଁ । ଅବଶ ବିବ୍ରତ ହେଲା । ନବାବ ସାହେବ ଦୁଇଟି ଭୀମକାୟ ବଳବାନ ହାତୀକୁ ଆଗକୁ ପଠାଇବାପାଇଁ ସଙ୍କେତ ଦେଲେ ।

 

ଯେତେବେଳେ କେବଳ ପଚାଶ ଗଜ ଦୂରତା ରହିଲା, ପ୍ରଥମେ ଜଙ୍ଗଲୀ ହାତୀ ସେମାନଙ୍କୁ ସାବଧାନ କରିଦେଲା । ତା’ପରେ ଭୟଙ୍କର ଯୁଦ୍ଧ ହେଲା ଓ ନବାବଙ୍କ ହାତୀ ଦୁଇଟି ହାରିଗଲେ । ଯେତେବେଳେ ସେ ସେମାନଙ୍କ ପାଖାପାଖି ହେଲା ନବାବ ସାହେବ ବଳବାନ ମାଇହାତୀଙ୍କର ଗୋଟିଏ ଦଳ ଓ ଦଉଡ଼ି ସହିତ କିଛି ଲୋକଙ୍କୁ ଆଗକୁ ପଠାଇଲେ । ରସିଦ୍ୱାରା ବାନ୍ଧିକରି ତାକୁ କାବୁ କରିବା ଚେଷ୍ଟା ମଧ୍ୟ ବିଫଳ ହେଲା । କାରଣ ସେ ହାତୀ ସବୁ ରସିକୁ ଭିଡ଼ି ଟୁକୁରା ଟୁକୁରା କରି ଛିଣ୍ଡାଇ ଦେଲା । ତାଙ୍କ ପୋଷାହାତୀମାନଙ୍କ ଭିତରେ ଏତେ ଶକ୍ତିଶାଳୀ ହାତୀ ଗୋଟିଏ ହେଲେ ନଥିଲା । ଯିଏକି ତାକୁ ବାଧାଦେଇ ପାରିବ । ହାତୀକୁ ଧରିବା ଅସମ୍ଭବ ଜାଣିପାରି ନବାବ ସାହେବ ହାତୀକୁ ମାରିବା ପାଇଁ ହୁକୁମ ଦେଲେ । ଏକାଥରକେ ପାଞ୍ଚଶହ ଗୁଳି ଚଳାଇ ଦିଆଗଲା । ବହୁତଗୁଳି ତା’ ଦେହରେ ବସିଲା କିନ୍ତୁ ଜଣାପଡ଼ିଲା ତା’ର ଯେପରି ଏ ସବୁକୁ ଖାତିରି ନାହିଁ । ସେ ପାହାଡ଼ ଆଡ଼େ ମୁହାଁଇଲା । ସେମାନେ ଅଧଘଣ୍ଟାଏ ପର୍ଯ୍ୟନ୍ତ ଗୁଳି ଚଳାଇବାରେ ଲାଗିଲେ । ନବାବ ସାହେବ ଓ ତାଙ୍କ ଦେହରକ୍ଷୀଙ୍କ ଗୁଳିର ଓଜନ ଦୁଇ ତିନି ଆଉନସ୍ ପର୍ଯ୍ୟନ୍ତ ଥିଲା କିନ୍ତୁ ତା’ର କୌଣସି ପ୍ରଭାବ ହତୀଠାରେ ଦେଖାଯାଉ ନଥିଲା । ଗୁଳିସବୁ ତା’ ଶରୀର ଭିତରେ ପଶିଯାଉଥିଲା । ଗୋଟିଏ ମାଈ ହାତୀ ଉପରେ ବସି ସୌମିତ୍ର ମୋହନ ଦଶବାର ଗଜ ଆଗକୁ ଗଲେ ଓ ହାତୀର ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ମାରିଲେ । ମୁଣ୍ଡରୁ ରକ୍ତର ସୁଅ ଛୁଟିଲା । କିନ୍ତୁ ମୁଣ୍ଡ ଫାଟିନଥିଲା । କେତେ ସମୟ ରକ୍ତ ବୋହିବା ପରେ ଘୋଡ଼ାଙ୍କ ନାଲ ଦ୍ଵାରା ହାତୀର ଶରୀର କ୍ଷତବିକ୍ଷତ ହେବାପରେ ଏବଂ ପୁଣି ତିନିଶହ ଗୁଳି ମାଡ଼ହେବା ପରେ ହାତୀର ଚାଲି କିଛି ପରିମାଣରେ ମନ୍ଥର ହେଲା । ଶାନ୍ତ ଏବଂ ଗମ୍ଭୀର ଯେପରି ବୀର ପୁରୁଷ ନିଜ ମୃତ୍ୟୁର ନିକଟରେ ପ୍ରତୀକ୍ଷା କରନ୍ତି । ଏପରି ସରଳ ଜନ୍ତୁଙ୍କ ପରିଣାମ ଦେଖି ସୌମିତ୍ର ମୋହନଙ୍କ ମନ ବିଚଳିତ ହୋଇପଡ଼ିଲା ।

 

ସେହି ଜଙ୍ଗଲୀ ହାତୀକୁ ଦୁର୍ବଳ ଓ ଶିଥିଳ ଜାଣି ଅଶ୍ୱାରୋହୀଦଳ ନିର୍ଭୟହୋଇ ନିଜ ତରବାରିରେ ତା’ର ପଛ ଗୋଡ଼କୁ ପ୍ରହାର କରିବାରେ ଲାଗିଲେ ଏବଂ ଶୀଘ୍ର ତା’ ପଛ ଗୋଡ଼ଟି କାଟିଦେଲେ । ଆଗକୁ ବଢ଼ିବା ପାଇଁ ଅସମର୍ଥ ହୋଇ ଜଙ୍ଗଲର ସେ ରାଜା ଧଡ଼ାସ କରି ଗଛ କାଟିଲା ଭଳି ପଡ଼ିଗଲା । ସେ ଘୃଣିତ ଚକ୍ଷୁରେ ନିଜର ନିର୍ଦ୍ଦୟୀ ଶତ୍ରୁମାନଙ୍କୁ ଗୋଟିଏ ନଜର ପକାଇ ବିନା ଚିତ୍କାରରେ ଗୋଟିଏ ପଟକୁ ଢଳି ପଡ଼ିଲା । କୁରାଢ଼ି ନେଇ କେତେକ ଲୋକ ତା’ଦାନ୍ତ କାଟିବାରେ ଲାଗିଲେ । ନବାବ ସାହେବ ନିଜ ତମ୍ବୁକୁ ଫେରି ଆସିଲେ, ଯେପରି କଠିନ ପରିଶ୍ରମ କରି ଥକ୍‌କା ହୋଇ ଯାଇଛନ୍ତି । ଦିନର ଶେଷ ଭାଗରେ ତଥା ଆଗାମୀ ଦିନମାନଙ୍କରେ ବିଜୟ ଗୀତ ଗାନ କରାହେଲା; ତାହା କେବଳ ଚାଟୁକାରିତା ଥିଲା ଏବଂ ଅତିଶୟୋକ୍ତି ଥିଲା । ତା’ପରେ ସେମାନେ ବାକରା ଝରଣାଆଡ଼େ ଫେରିଲେ ଓ ଡିସେମ୍ବର ଚାରି ତାରିଖରେ ସେଠାରେ ପହଞ୍ଚିଲେ-। ବାକରା ଝରଣାର ପରିଧି ଅନ୍ୟଦିନ ମାନଙ୍କରେ ଯଦିବା ତିନିମାଇଲ ଥାଏ, ବର୍ଷାଦିନେ ଏହାର ପରିଧି ତିରିଶି ମାଇଲ ହୋଇଯାଏ । ଝରଣାର ଚାରିପଟେ ଲମ୍ବା ଘାସ ପଡ଼ି ରହିଥାଏ । ଏହି ଝରଣାଟି ଗୋରଖପୁରର ପାହାଡ଼ତଳେ ରହିଛି । ଝରଣା ସହିତ ଲାଗିଥିବା ଜଙ୍ଗଲରେ ହାତୀ, ଗଣ୍ଡା, ବାଘ, ହେଟା, ବଣ ମ‍ଇଁଷି, ଆଦି ଅନେକ ଜନ୍ତୁ ଭରି ରହିଛନ୍ତି । ସେମାନେ ବେଶୀ ଆଶା କରିଥିଲେ । ସେଠାରେ ବେଶୀ ଶିକାର ମିଳିବ ବୋଲି ନବାବ ସାହେବଙ୍କଠାରୁ ଏକଥା ଶୁଣିଥିଲେ ।

ତା’ପରଦିନ ସକାଳେ ସେମାନେ ଏହି ବନ୍ୟଯୁଦ୍ଧ ପାଇଁ ବାହାରିଲେ । ଝରଣାର ଉତ୍ତର ଦିଗରେ ବାରହଜାର ହାତୀଙ୍କର ଧାଡ଼ି ଛିଡ଼ା କରାଇଦେଲେ । ସେମାନଙ୍କର ମୁହଁ ସବୁ ପୂର୍ବ‌ଆଡ଼କୁଥିଲା । ମନରେ ଗୋଟିଏ ବଡ଼ ଶିକାରର କଳ୍ପନା କରି ସେମାନେ ଲମ୍ବା ଲମ୍ବା ଘାସ ମଧ୍ୟରେ ଆଗକୁ ବଢ଼ିବାରେ ଲାଗିଲେ । ଯେତେବେଳେ ସେମାନେ ଝରଣାର ପୂର୍ବ ପାଖେ ପହଞ୍ଚିଲେ ସେତେବେଳେ ସେମାନେ ପାହାଡ଼ ତଳେ ଜଙ୍ଗଲୀ ହାତୀଙ୍କର ଗୋଟିଏ ଦଳ ଚରୁଥିବାର ଦେଖିଲେ । ସୌମିତ୍ର ମୋହନ ଗଣି ଦେଖିଲେ ହାତୀମାନଙ୍କର ସଂଖାଥିଲା ଶହେ ସତୁରୀ । ଏପରି ସମୟରେ ମାଷ୍ଟର କାନବେ, ଯେ କି ନବାବ ସାହେବଙ୍କ ଅଧୀନସ୍ଥ ଥିଲେ, ସେ ନିଜ ହାତୀଉପରୁ ତଳକୁ ଗଡ଼ିପଡ଼ିଲେ । କାରଣ ତାଙ୍କ ବସିଥିବା ହାତୀର ଆଗପାଦ ଦେଖାଯାଉନଥିବା ଗୋଟିଏ ଗାତରେ ପଡ଼ିଯାଇଥିଲା । ମିଷ୍ଟର କାନବେ ତଳେ ପଡ଼ିଯାଇ ବେହୋସ ହୋଇଗଲେ । ତାଙ୍କୁ ପାଲିଙ୍କିରେ ବସାଇ କ୍ୟାମ୍ପକୁ ପଠାଇବା ପର୍ଯ୍ୟନ୍ତ ନବାବ ସାହେବ ସେଠାରେ ରହିଲେ । ଏହି ସମୟରେ ଜଙ୍ଗଲୀ ହାତୀଦଳ, ସେମାନଙ୍କର ଭୟଙ୍କର ସୈନ୍ୟଦଳ ହାବୁଡ଼ରୁ ଖସିଯିବାକୁ ସୁବିଧା ପାଇଲେ । ନବାବ ସାହେବ ତାଙ୍କ ହାତୀଦଳକୁ ଚାରିଭାଗରେ ବିଭକ୍ତ କରିଦେଲେ ଏବଂ ଜଙ୍ଗଲୀ ହାତୀଦଳଙ୍କୁ ମାରିବା ଓ ଧରିବା ପାଇଁ ଆଗକୁ ବଢ଼ିଲେ । ସୌମିତ୍ର ମୋହନ ନବାବ ସାହେବଙ୍କ ଡିଭିଜନରେ ଥିଲେ । ସେମାନେ ଗୋଟିଏ ବଡ଼ ଦନ୍ତାହାତୀ ସଙ୍ଗେ ଯୁଦ୍ଧ କରି ତାକୁ ପୂର୍ବ ପ୍ରକାରେ ମାରିଦେଲେ । ସେମାନେ ଆହୁରି ଚାରୋଟି ଛୋଟ ହାତୀ ମାରିଲେ ଓ ଏକୋଇଶିଟି ହାତୀକୁ ବନ୍ଦୀକଲେ । ତାଙ୍କୁ ଧରି ସମସ୍ତେ ବିଜୟ ଉତ୍ସବ ପାଳନ କରିବା ପାଇଁ କ୍ୟାମ୍ପକୁ ଫେରିଆସିଲେ ।

ନବାବ ସାହେବଙ୍କ ଶିକାର କୌଶଳ ଇତ୍ୟାଦି ଭାଷାରେ ବର୍ଣ୍ଣନା କରିବା ମଧ୍ୟ ଅସମ୍ଭବ-। ବାର ହଜାର ପାଳିତହାତୀ ଦ୍ଵାରା ଶହେସତୁରୀ ଜଙ୍ଗଲୀ ହାତୀଙ୍କ ଉପରେ ଆକ୍ରମଣ, ଦୌଡ଼ା ଦୌଡ଼ି, ଚିତ୍କାର, ଉପଦ୍ରବ, ଗୁଳି ଚାଳନା, ଗର୍ଜନର ବର୍ଣ୍ଣନା କରିବା କୌଣସି ପ୍ରକାର ସମ୍ଭବ ନୁହେଁ-। ସର୍ବମୋଟ ଦଶଲକ୍ଷ ଗୁଳି ମରାଯାଇଥିଲେ ମଧ୍ୟ ବହୁତ ଲୋକ କ୍ଷତ ବିକ୍ଷତ ହୋଇନଥିଲେ-। ମାତ୍ର କୋଡ଼ିଏ ଜଣ ଲୋକ ଏବଂ ଛ’ଟି ଘୋଡ଼ା ମରିଥିଲେ ଓ ଘାଉଡ଼ ହୋଇଥିଲେ । ସୌମିତ୍ର ମୋହନଙ୍କ ପାଖରେ ଦୁଇଟି ବନ୍ଧୁକ, ଦୁଇଟି ଦୁଇ ନଳିଆ ଏବଂ ସହାୟତା ପାଇଁ ପାଖରେ ଗୋଟିଏ ଲୋକ ଥିଲା । ଯଦିବା ସୌମିତ୍ର ମୋହନ ଶିକାରରେ ବେଶିକିଛି ଭାଗ ନେଇ ନଥିଲେ ତଥାପି ସେ ଚାରିଶହ ଗୁଳି ଚଳାଇଥିଲେ । ନବାବଙ୍କର ବହୁତ ପାଳିତହାତୀ ଯେଉଁମାନଙ୍କୁ ଜଙ୍ଗଲୀ ହାତୀଙ୍କ ମୁକାବିଲା ପାଇଁ ଛଡ଼ାଯାଇଥିଲା ଘାଉଡ଼ ହୋଇ ପଳାଇ ଯାଇଥିଲେ ।

ତାଙ୍କଦ୍ୱାରା ମରିଥିବା ସବୁଠାରୁ ଉଚ୍ଚ ହାତୀର ଉଚ୍ଚତା ଦଶଫୁଟ ଥିଲା, ଯିଏକି ଜିଅନ୍ତା ଧରା ହୋଇଥିଲେ କୋଡ଼ିଏ ହଜାର ଟଙ୍କାରେ ବିକ୍ରି ହୋଇଥାନ୍ତା । କିନ୍ତୁ ସେ ଦିନ ପୁରସ୍କାର ରୂପେ ନବାବ ସେମାନଙ୍କୁ ପଚାଶ ହଜାର ଟଙ୍କା ଦେଇଥିଲେ । ଏପରି ଉପଭୋଗ୍ୟ ହୋଇଥିଲା ସେଠାକାର ଶିକାରୀ ଜୀବନ । ତାହା ଅବିସ୍ମରଣୀୟ ।

✽✽✽

 

Unknown

ଅଦୃଶ୍ୟଙ୍କ ସଙ୍ଗେ ରାତିଟିଏ

 

ସୂର୍ଯ୍ୟ ପ୍ରାୟ ଅସ୍ତହେବାକୁ ଯାଉଛନ୍ତି । ମଲ୍‌ଡୁନ୍ ପାହାଡ଼ ଉପରେ ଟ୍ରକ ଠିଆ କଲେ । ପାହାଡ଼ର ସେକଡ଼େ ସେ ଗାଁଟି ଯେଉଁଠାକୁ ସେମାନେ ବାହାରିଥିଲେ । ତାଙ୍କର ସେ ଗ୍ରାମକୁ ଯିବାର କାରଣ ହେଉଛି, ଟିକନ୍‌ଚାନ୍ଦ ସେ ସମୟରେ କୃଷିବିଭାଗରେ କାମ କରୁଥିଲେ ଏବଂ ନ୍ୟାସାଲ୍ୟାଣ୍ଡ ସରକାରଙ୍କ ଦ୍ଵାରା ପ୍ରୟୋଗାତ୍ମକଭାବେ ଚାଷ କରାଯାଉଥିବା ଫଳଉଦ୍ୟାନର ସେ ଥିଲେ ଦ୍ୟାୟିତ୍ୱରେ । ଆଖପାଖ ଗାଁରେ ବୁଲିବା, ସେଠାକାର ଆଫ୍ରିକ୍ରୀୟ ଆଦିମ ଅଧିବାସୀମାନଙ୍କୁ ଉଇରୋପୀୟ ଚାଷ ପ୍ରଣାଳୀ ସମ୍ବନ୍ଧରେ ଶିକ୍ଷା ଦେବା ତାଙ୍କର ଦାୟିତ୍ଵ ଥିଲା । କିନ୍ତୁ ଏ କାମ ଏତେ ସହଜ ନଥିଲା । କାରଣ ସେମାନେ ଯେ ନିର୍ବୁଦ୍ଧିୟା ଲୋକ ତାହା ନୁହେଁ; କିନ୍ତୁ ସେମାନଙ୍କ ମନ ପୁରୁଣାକାଳିଆ ଅନ୍ଧବିଶ୍ଵାସରେ ଭରିରହିଥିଲା ।

 

ମଲ୍‌ଡୁନ୍‍ଙ୍କ ହେଡ଼କ୍ଵାର୍ଟର ମ୍ୱେରା ହିଲ୍‌ଠାରେ ଥିଲା ଏବଂ ସେ ଦିନେ “ଦୋବାବୀମା” ଆସିଥିଲେ । ଯେଁଉଠାରେ ଗୋଟିଏ ଛୋଟ ଡାକଘର ଓ କିଛି ଦୋକାନ ଥିଲା । ସେ ତାଙ୍କ କାମ ଶେଷ କରି ଫେରିବାକୁ ବସିଥିଲେ । ହଠାତ୍ ଡାକଘରର ଆଫ୍ରିକ୍ରୀୟ କିରାଣି କହିଲା, ମାଲ୍‌ଡୁନ୍‍ ସାହେବ ! କ’ଣ ଏଠିକା ବାଘଙ୍କ ପାଇଁ କିଛି କରାଯିବନି ?

 

ବାଘ ! ମାଲ୍‍ଡୁନ୍‍ ଚମକିପଡ଼ି ପଚାରିଲେ କ’ଣ ଏଠାରେ ବାଘ ଅଛନ୍ତି ? କାହିଁ ମୁଁ ତ କିଛି ଶୁଣିନି । “ହଁ ଏଠାରେ ବାଘ ଅଛନ୍ତି ଓ ସେମାନେ ଗୃହପାଳିତ ପଶୁମାନଙ୍କୁ ମାରି ଦେଉଛନ୍ତି ।’’

 

‘ମ୍ବେରା’ହିଲ୍ ପାଖାପାଖି ଅଞ୍ଚଳରେ ସେ ଅନେକବାଘ ଶିକାର କରିଥିଲେ । ସରକାରୀ ରାସ୍ତାରେ ଶିକାର କରିବା ତାଙ୍କର ଦାୟିତ୍ଵ ନଥିଲା । ତାଙ୍କର ଅବସର ସମୟରେ ହିଁ ସେ ଶିକାର କରୁଥିଲେ । ସେ କ୍ଲର୍କ ଯାହା କହିଲା, ପାହାଡ଼ତଳେ ଥିବା ସାଳିଆ ଓ “ସିଳୋଂଗବେ” ମଧ୍ୟରେ ସେ ବାଘ ରହୁଥିଲେ । ‘ମ୍ୱେରା’ହିଲ୍ ଯିବା ରାସ୍ତାରେ ହିଁ ସେ ଗାଁ ଦୁଇଟି ପଡ଼ୁଥିଲା । ଲାଇଟ୍ ଲ୍ୟାମ୍ପ ଓ ନିଜ ରାଇଫଲ ମଲ୍‌ଡୁନ୍‍ ସାଙ୍ଗରେ ଆଣିଥିଲେ । ତେଣୁ ଫେରିବା ରାସ୍ତାରେ ବାଘମାନଙ୍କ ସାମନା କରିବା ପାଇଁ ସେ ନିଷ୍ପତ୍ତି କଲେ ।

 

ତାଙ୍କର ଦୁଇଜଣ ସହାୟକ ଆଫ୍ରିକୀୟ ଆଦିବାସୀ ଟ୍ରାଇବ ଏବଂ ଅକିନ ଟ୍ରକରେ ବସି ତାଙ୍କର ଅପେକ୍ଷା କରୁଥିଲେ । ଦୁଇଜଣ ଯାକ ବିଗତ ଅନେକ ବର୍ଷ ଧରି ତାଙ୍କ ପାଖରେ ଥିଲେ । ଖୁବ୍ ଦୁଃସାହସୀ ଏବଂ ଶିକାରର ପାଦଚିହ୍ନକୁ ଚିହ୍ନିବା ଏବଂ ଜନ୍ତୁ ଖୋଜିବାରେ ଧୁରନ୍ଧର ଲୋକ । କିନ୍ତୁ ଦୁଇଜଣଙ୍କ ସ୍ୱଭାବରେ ଆକାଶ ପାତାଳ ତଫାତ୍ ଥିଲା । ଅକିନ ବହୁତ କମ୍ କଥାବାର୍ତ୍ତା କରେ ଏବଂ ନିଜ ମଧ୍ୟରେ ମନମାରି ରହେ । ନିଜ ପୋଷାକ ପରିଚ୍ଛଦପାଇଁ ସେ ସେତେ ମନ ଦିଏ ନାହିଁ । କିନ୍ତୁ ତା’ର ନିଜ କର୍ତ୍ତବ୍ୟପାଇଁ ଯେତେ ନିଷ୍ଠାଥିଲା ସେତିକି ଆତ୍ମବିଶ୍ଵାସ ମଧ୍ୟ । ଏମିତି ଅନେକ ସମୟ ଆସିଥିଲା ଯେତେବେଳେ ସେ ମଲ୍‍ଡୁନ୍‍ଙ୍କ ସୁରକ୍ଷା ପାଇଁ ନିଜକୁ ବିପଦରେ ପକାଇଥିଲା । କାମପ୍ରତି ସେତିକି ସଜାଗ ଓ ବିଶ୍ୱାସୀ ଟ୍ରାଇବ ମଧ୍ୟ ଥିଲା । ଅକିନଠାରୁ ବୟସରେ ସାନ । ନିଜ ପୋଷାକ ପରିଚ୍ଛଦ ପ୍ରତି ଧ୍ୟାନ ଦେଉଥିଲା । ସେ ବହୁତ କୁହଳିଆ ଏବଂ ସାହସୀ ଥିଲା ।

 

ପାହାଡ଼ ଉପରେ ଟ୍ରକ ରଖି ମଲ୍‌ଡୁନ୍ ଦେଖା ଯାଉଥିବା ସେ କୁଡ଼ିଆ ଆଡ଼େ ଦେଖିଲେ ଯାହା ଗୋଟିଏ ଅନ୍ୟଟି ସହିତ ଏକବାରେ ମିଶିଯାଇଥାଏ । ଅଳ୍ପ ଅଳ୍ପ ଛଡ଼ାଛଡ଼ିରେ ବସିଥିବା ଚାରି ପାଞ୍ଚଟି ଗାଁ ମଧ୍ୟ ସେଠାରୁ ଦେଖାଯାଉଥିଲା । ସେ ତାଙ୍କର ରାଇଫଲ ଉଠାଇଲେ । ଟ୍ରାଇବକୁ ଟ୍ରକରେ ରଖି ଅକିନକୁ ସାଙ୍ଗରେ ଧରି ଲମ୍ବା ଲମ୍ବା ଘାସ ଭିତର ଦେଇ ଗାଁ ମୁଖିଆ ପାଖକୁ ଗଲେ-

 

ଗାଁର ମୁଖିଆ ଦୁର୍ବଳ ଓ ପତଳା ବ୍ୟକ୍ତିଥିଲା ଏବଂ ତା’ର ଚେହେରା ଉଦାସିଆପରି ମନେ ହେଉଥିଲା । ପୋଷାକ ନାଁରେ ସେ ଏକ କଳା ମଇଳା ଚାଦର ନିଜ କାନ୍ଧରୁ ତଳ ପର୍ଯ୍ୟନ୍ତ ଗୁଡ଼ାଇ ରଖିଥିଲା ।

 

ବାବୁ ! ସେ ପତଳା ଏବଂ ଥର ଥର ଗଳାରେ କହିଲା, ତୁମେ ଆଗରୁ କାହିଁକି ଆସିଲନି-। ଏବେ ଆମ ପାଖରେ ଅଳ୍ପ କିଛି ଗୃହପାଳିତ ଜୀବିତ ଅଛନ୍ତି । ଜଙ୍ଗଲୀ ହିଂସ୍ର ପଶୁ ତାଙ୍କୁ ମଧ୍ୟ ନେଇଯିବେ । ତା’ପରେ ଆମର ପିଲା ଏବଂ ସ୍ତ୍ରୀମାନଙ୍କ ପାଳି ଆସିବ ।

 

ବାଘ ଦିନବେଳେ କେଉଁଠାରେ ରହୁଛି ତାହା ଜାଣିବା ଜରୁରୀ ଥିଲା । ମଲ୍‌ଡୁନ୍‌ ମୁଖିଆକୁ ଏ ସମ୍ବନ୍ଧରେ ପଚାରିଲେ । ସେ କହିଲା ବାଘ ନୁହେଁ, ସେ ହେଉଛି ଅନିଷ୍ଟକାରୀ ପ୍ରେତାତ୍ମା । କୌଣସି ଲୋକ ଶତ୍ରୁତା ସାଧିବା ପାଇଁ ତାଙ୍କୁ ଆମ ପଛରେ ଲଗାଇ ଦେଇଛି । ଗାଁ ମୁଖିଆଠାରୁ ଏସବୁ କଥା ଶୁଣି, ସେ କହିଲେ, ପ୍ରେତାତ୍ମା କଥାଛାଡ଼, ମୋତେ ବାଘ ସମ୍ପର୍କରେ କୁହ-

 

ଗାଁ ମୁଖିଆ କେତେ ମାଇଲ ଦୂରରେ ଥିବା ଗୋଟିଏ ଗଛମାନଙ୍କ ସମୂହକୁ ସଙ୍କେତ ଦେଇ କହିଲା, “ବାଘ ସେଠାରୁ ଏ ଦିଗକୁ ଆସୁଛି । ସେଇଠି ରହୁଛି । ସୂର୍ଯ୍ୟ ବୁଡ଼ିବା ମାତ୍ରେ ଆମକୁ ତା’ର ହେଣ୍ଟାଳ ଶୁଣା ଯାଉଛି । ଏହାଦ୍ଵାରା ଆମେ ଆଗଭଳି ବାହାରେ ବସି ଖାଇ ମଧ୍ୟ ପାରୁନାହୁଁ । ସନ୍ଧ୍ୟା ହେଉ ହେଉ କୁଡ଼ିଆକୁ ଚାଲିଯାଉଛୁ ।

 

ସେହି ଗଛମାନଙ୍କ ସମୂହ ସେ ଜଙ୍ଗଲର ଗୋଟିଏ ଅଂଶଥିଲା । ମୁଖିଆ, ଜଙ୍ଗଲରୁ ତାଙ୍କ ଗାଁଆଡ଼େ ଆସିଥିବା ରାସ୍ତା ଦେଖାଇ କହିଲା, “ସେ ଏଇ ରାସ୍ତାରେ ହିଁ ଆସୁଛି । ମଲ୍‌ଡୁନ୍‍ ପଚାରିଲେ “ଯେତେବେଳେ ତୁମେସବୁ କୁଡ଼ିଆରେ ରହୁଛ ତା’ହେଲେ କିପରି କହୁଛ ଯେ, ସେ ଏହି ରାସ୍ତାରେ ଆସୁଛି ।”

 

ଆମକୁ ତାଙ୍କ କଥାବାର୍ତ୍ତା ଶୁଣାଯାଏ ।

 

କଥାବାର୍ତ୍ତା ?

 

ହଁ କଥାବାର୍ତ୍ତା ।

 

ଦେଖିବାକୁ ସେ ବାଘଭଳି କିନ୍ତୁ ବାଘ ନୁହେଁ । ବନ୍ଧୁକ ଗୁଳି ଏମାନଙ୍କ ରାସ୍ତା ରୋକିପାରିବେ ନାହିଁ । ଶିକାରୀମାନେ ତା’ ଉପରକୁ ଗୁଳି ଚଳାଇବା ଦେଖିଛି । ଗୁଳି ସବୁ ପାଣିରେ ବଦଳିଯାଏ । ମଲ୍‍ଡୁନ୍‍ ତାଙ୍କ ରାଇଫଲର ନଳକୁ ଥାପୁଡ଼େଇ କହିଲେ, “କିନ୍ତୁ ଏହାର ଗୁଳି ନୁହେଁ । ଅକିନ ତୁମେ ମୋ ସାଙ୍ଗେ ବହୁତ ଶିକାର କରିଛ । ଏବେ ଏହି ବୁଢ଼ାକୁ ବତାଇଦିଅ ଯେ ମୋର ଏ ରାଇଫଲର ଗୁଳି କ’ଣ କରିପାରେ ।’’

 

ଅକିନ ମଲ୍‍ଡୁନ୍‍ ଆଡ଼କୁ ଚାହିଁଲା । କିନ୍ତୁ ବୁଢ଼ାକୁ କିଛି କହିଲା ନାହିଁ । “କହ ! ତାକୁ ବତାଇଦିଅ । ମଲ୍‍ଡୁନ୍‍ ପୁଣି କହିଲେ ।’’

 

ଅକିନ ପୂରା ଗମ୍ଭୀରତା ସହକାରେ କହିଲା, “ମୋ ମତରେ ବର୍ତ୍ତମାନ ଆମେ ଏଇଠୁ ଫେରିଯିବା ଉଚିତ ।’’ “କାରଣ କ’ଣ ।’’

 

ମୁଁ ମନେ କରୁଛି ଯେ ବାଘନହୋଇ ବାସ୍ତବରେ ଅନିଷ୍ଟକାରୀ ପ୍ରେତାତ୍ମା ଅଟେ । ମୁଁ ଜାଣେ ଆପଣମାନଙ୍କଭଳି ଗୋରାଲୋକେ ଏକଥା ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଆମେ ଆଫ୍ରିକୀୟ ଲୋକେ ଏଠାରେ ପୁରୁଷ ପୁରୁଷ ଧରି ରହିଛୁ । ଏବଂ ଏହା ସତକଥା ବୋଲି ଜାଣୁ ।

 

ଅକିନକୁ କିଛି କହିବା କିମ୍ବା ଗାଳିଦେବା ବେକାର । ସେ ଥରେ ଯାହା ନିଷ୍ପତ୍ତି କରିନେଇଛି ତାକୁ ବଦଳାଇବା କଷ୍ଟକର ।

 

ମଲ୍‌ଡୁନ୍‌ କହିଲେ, ଯାଅ ଏବଂ ଟ୍ରାଇବକୁ ମୋ ପାଖକୁ ଡାକିଆଣ । ମୋର ବ୍ୟାଗ, ଟିଣରେ ଭର୍ତ୍ତି ହୋଇଥିବା ଖାଇବା ପଦାର୍ଥ ଏବଂ ଭୂମିରେ ପକାଇବା ଚଦର ମଧ୍ୟ ନେଇ ଆସିବ ।

 

ତା’ ଆଡ଼କୁ ପିଠିକରି ମଲ୍‍ଡୁନ୍‍ ମୁଖିଆ ଆଡ଼କୁ ଚାହିଁ କହିଲେ, “ମୋତେ ସେ ଜାଗା ଦେଖାଅ । ଯେଉଁଠାରେ ତୁମେ ତୁମ ପଶୁ ରଖୁଛ ।”

 

ଗୃହପାଳିତ ପଶୁ ରଖିବା ପାଇଁ ତିନୋଟି ଖୁଆଡ଼ ଥିଲା ଏବଂ ସେଗୁଡ଼ିକ ସବୁ ଲଗାଲଗି ହୋଇଥିଲା । ତିନୋଟିଯାକ ଖୁଆଡ଼ରେ ବହୁତ ସଂଖ୍ୟାରେ ପଶୁ ରଖାଯାଇପାରୁଥିଲେ । ମୁଖିଆ ଖୁଆଡ଼ ଆଡ଼କୁ ନିର୍ଦ୍ଦେଶ କରି କହିଲା, “ଏଠାକୁ ସେ ଆସୁଛି ଏବଂ ଆମ ପଶୁମାନଙ୍କୁ ଉଠାଇ ନେଇଯାଉଛି । ଏବେତ ଗୋଟିଏ ଖୁଆଡ଼ରେ ରହିଲାଭଳି ପଶୁହିଁ ଆମର ବଞ୍ଚିଛନ୍ତି ।’’ ବାଘ ଅପେକ୍ଷାରେ ସେଠାରେ ବସିବାଭଳି ସ୍ଥାନ ଖୋଜିବା ପାଇଁ ମଲ୍‍ଡୁନ୍‌ ନଜର ପକାଇଲେ । କିଛି ଦୂରରେ ଆଠଫୁଟ ଉଚ୍ଚ ଛଅ ଫୁଟ ଗୋଲେଇରେ ଗୋଟିଏ ବାଉଁଶ ତିଆରି ଘର ଥିଲା । ତା’ର ଉପର ଖୋଲାଥିଲା ମକା ଶୁଖାଇବା ପାଇଁ । ସେଠାକୁ ଯିବାପାଇଁ ଗୋଟିଏ ସିଡ଼ିଥିଲା । ଘରେ ମକା ଭରି ରହିଥିଲା । ମଲ୍‍ଡୁନ୍‌ ଭାବିଲେ ନିଶ୍ଚୟ ଏସ୍ଥାନ ଶିକାର ପାଇଁ ଉପଯୁକ୍ତ ହେବ ।

 

ଅକିନ ଓ ଟ୍ରାଇବୁ ଆସି ପହଞ୍ଚିଗଲେ । ସେମାନେ ଲାଇଟ୍ ଲ୍ୟାମ୍ପ ଓ ଅନ୍ୟ ଅତିରିକ୍ତ କାର୍ତୁସ ମଧ୍ୟ ଆଣିଥିଲେ । ସୂର୍ଯ୍ୟ ପୂରା ଅସ୍ତ ହୋଇ ଯାଇଥିଲେ । ଗାଁ ଲୋକ ଘରେ ବସି ସେମାନଙ୍କର ଭୋଜନ ଶେଷ କରିଛନ୍ତି କି ନାହିଁ ଗର୍ଜନ ଶୁଣାଗଲା । ଆବାଜ ଏତେ ପାଖରେ ଶୁଣା ଗଲାଯେ ସେମାନେ ସମସ୍ତେ ଚମକି ଠିଆ ହୋଇ ପଡ଼ିଲେ । ତଳ ଗାଁ ଭିତରେ ଦୌଡ଼ା ଦୌଡ଼ି ଆରମ୍ଭ ହୋଇଗଲା । ମାଇପିମାନେ ଜିନିଷପତ୍ର ସବୁ ଧରି ସେମାନଙ୍କ କୁଡ଼ିଆ ଭିତରକୁ ପଶିଗଲେ । ଶୀଘ୍ର କୁଡ଼ିଆମାନଙ୍କ ଦୁଆର ସବୁ ପଡ଼ିଗଲା ଏବଂ ତା’ପରେ ଗାଁର ବୁଢ଼ା ମୁଖିଆ ଯେକି କିଛି ସମୟ ପୂର୍ବେ ସେମାନଙ୍କୁ ସେଠାରେ ଛାଡ଼ିଯାଇଥିଲା, ପୁଣି ଫେରି ଆସିଲା । ତା’ର ଚେହେରା ଭୟରେ ଫିକା ଦିଶୁଥିଲା ଏବଂ ଝାଳ ବୋହୁଥିଲା ।

 

ସେ ଗାଁ ମୁଖିଆ କହିଲା, “ତୁମେ ତା’ର ଗର୍ଜନ ଶୁଣି ପାରୁଛତ । ଶୀଘ୍ରହିଁ ସେ ଏଠାରେ ଆସି ପହଞ୍ଚିଯିବ । ଗାଁର ଅନ୍ୟ ଲୋକମାନଙ୍କ ଭଳି ଆମକୁ ମଧ୍ୟ ଲୁଚି ଯିବାକୁ ପଡ଼ିବ । ତାକୁ ଚିଡ଼େଇବାର ମୋହ ମଲ୍‍ଡୁନ୍‌ ସମ୍ବରଣ କରିପାରିଲେ ନାହିଁ । କହିଲେ, “ଆମର କ’ଣ ହେବ ? କ’ଣ ଆମକୁ ଛାଡ଼ି ତୁମେ ଚାଲି ଯିବ ? ଆମ ସାଙ୍ଗରେ ତୁମେ ରୁହନା !”

 

ସେ ସେଠାରେ ଠିଆ ହୋଇ ତା’ର ଫଟା ପୋଷାକକୁ ଖୋଲିଲା ବନ୍ଦକଲା । କିଛି କହିଲାନି । ପ୍ରକୃତରେ ସେ ଭଲ ସ୍ୱଭାବର ଓ ଶିଷ୍ଟ ବିଚାରର ବୃଦ୍ଧ ଥିଲା ଯିଏକି ଏତେ ଭୟରେ ମଧ୍ୟ ଥରି ଥରି ସେମାନଙ୍କୁ ଦେଖିବାକୁ ଆସିଥିଲା । ମଲ୍‍ଡୁନ୍‌ ମଧ୍ୟ ଏହା ଅନୁଭବ କଲେ ଯେ ସେ ତାଙ୍କ ସଙ୍ଗେ ରହିବାକୁ ଚାହୁଁନଥିଲା । କିନ୍ତୁ ମନା କରିବାକୁ ମଧ୍ୟ ସଙ୍କୋଚ କରୁଥିଲା । ତାକୁ ତା’ର ଭୟ ଯୋଗୁ ଲଜ୍ଜା ଲାଗୁଥିଲା ।

 

ତାକୁ ଛାଡ଼ିବାକୁ ଖରାପ ଲାଗୁଥିଲା । ମଲ୍‍ଡୁନ୍‌ କହିଲେ, ‘‘ତୁମେ ଯାଆ ଆମେ ଏଠାରେ ନିରାପଦରେ ଅଛୁ ।’’ ବହୁତ ସମୟ ପର୍ଯ୍ୟନ୍ତ ମଲ୍‍ଡୁନ୍‌ ଓ ଅନ୍ୟମାନେ ବାଘ ଅପେକ୍ଷାରେ ଏପଟ ସେପଟକୁ ନଜର ପକାଇଲେ । ସେଠାରୁ ଗୃହପାଳିତ ପଶୁମାନଙ୍କ ବାଡ଼ ପରିଷ୍କାର ଦେଖାଯାଉଥିଲା । ସେ ରାସ୍ତା ମଧ୍ୟ ଦେଖାଯାଉଥିଲା, ଯେଉଁ ରାସ୍ତା ଦେଇ ବାଘ ଆସିବାର ସମ୍ଭାବନାଥିଲା । ସେମାନେ ବହୁତ ବେଳ ପର୍ଯ୍ୟନ୍ତ ଅପେକ୍ଷା କରି ଠିଆହୋଇ ବାଘର ଆସିବାକୁ ଚାହିଁ ରହିଲେ । କିନ୍ତୁ ବାଘ ସେଠାକୁ ଆସିବାର କୌଣସି ଆଶା ଦେଖାଯାଉ ନ ଥିଲା । ଶେଷକୁ ମଲ୍‍ଡୁନ୍‌ ଫୁସ୍‌ ଫୁସ୍‌ କରି ପଚାରିଲେ, ତୁମର ମତ କ’ଣ ? ବାଘ ଆଉ କ’ଣ ଆସିବ ।

 

“ସେ ଜାଣେ ଯେ ଆମେ ଏଠାରେ ଅଛୁ । ଅକିନ ନିମ୍ନ ଗଳାରେ କହିଲା ବୁଢ଼ା ମୁଖିଆ ଯାହା କହୁଥିଲା ସତ କହୁଥିଲା । ବର୍ତ୍ତମାନ ମଧ୍ୟ ସମୟ ଅଛି ଆମେ ଆମ ଗାଡ଼ି ପାଖରେ ପହଞ୍ଚି ନିରାପଦରେ ଯାଇ ଘରେ ପହଞ୍ଚିପାରିବା ।’’ ହଠାତ୍‌ ଗୋଟାଏ ଶବ୍ଦ ଶୁଣାଗଲା ଟ୍ରାଇବ୍ ଠିଆ ହୋଇଥିବା ଅବସ୍ଥାରେ ଚେତେଇ ଦେଲା ଯେ, ସେ ଆସୁଛି । ପଶୁମାନଙ୍କୁ ତା’ର ଆସିବା ସୂଚନା ମିଳିଯାଇଥିଲା । ତେଣୁ ସେମାନେ ଅସ୍ଥିର ହୋଇ ଉଠିଥିଲେ । ଖୁବ୍ ଶୀଘ୍ର ମଲ୍‍ଡୁନ୍‌ ନାଇଟ୍ ଲ୍ୟାମ୍ପ ମୁଣ୍ଡରେ ବାନ୍ଧି ନେଲେ ଏବଂ ତାଙ୍କର ଜ୍ୟାକେଟ ପକେଟରୁ ଥିବା ବ୍ୟାଟେରୀ ଦୁଇଟି ସହ ତା’ର ସଂଯୋଗ କରିଦେଲେ । ସୁଇଚ ଅନ୍ କରି ନ ଥିଲେ । କେବଳ ତାଙ୍କ ରାଇଫଲ ଧରି ଠିଆ ହୋଇ ରହିଲେ । ଖୁଆଡ଼ ମଧ୍ୟରେ ଗୃହପାଳିତ ପଶୁମାନଙ୍କ ଅସ୍ଥିରତା ଓ ଭାରିପାଦର ଶବ୍ଦ ତାଙ୍କୁ ଶୁଣାଯାଉଥିଲା । ତାଙ୍କୁ ବିପଦର ସୂଚନା ମିଳି ସାରିଥିଲା । କିନ୍ତୁ କିଛି ସମୟପରେ ସେମାନେ ପୂରାପୂରା ଶାନ୍ତ ହୋଇଗଲେ । ମଲ୍‍ଡୁନ୍‌ ଚିନ୍ତା କଲେ ଯେ ତାହା ହେଲେ ବାଘ ଗଲା କୁଆଡ଼େ ? ସେମାନେ ଆହୁରି କିଛି ସମୟ ସେପରି ବସିଲେ । କିନ୍ତୁ ବାଘର ସ୍ୱର କିମ୍ଵା ଶବ୍ଦର ଗନ୍ଧ ମିଳିଲାନି-

 

ପ୍ରାୟ ଘଣ୍ଟାଏ ପରେ ସେମାନଙ୍କୁ ମାଇଲିଏ ଦୂରରେ ଥିବା ଅନ୍ୟ ଏକ ଗାଁରେ ଢୋଲ ବାଜିବା ଶବ୍ଦ ଶୁଣାଗଲା । ବାଘ ସେଠାରେ ପହଞ୍ଚି ଗଲାଣି । ଚାଲ କହି, ମଲ୍‍ଡୁନ୍ ସେ ଘର ଉପରୁ ତଳକୁ ଡେଇଁ ପଡ଼ିଲେ । ଅକିନ ଏବଂ ଟ୍ରାଇବ ତାଙ୍କ ପଛରେ ଥିଲେ । ସେ ନାଇଟ୍ ଲ୍ୟାମ୍ପର ସୁଇଚ ଅନ କଲେ । ତା’ପରେ ଲମ୍ବା ଲମ୍ବା ଘାସ ପଥକୁ ଅତିକ୍ରମ କରି ସେଇ ଗାଁ ଅଭିମୁଖେ ଯାତ୍ରା କଲେ-। ଅକିନ ଏବଂ ଟ୍ରାଇବ ସେମାନଙ୍କ ସୁରକ୍ଷା ପାଇଁ କୁରାଢ଼ି ଧରି ଚାଲିଥିଲେ । ଏହି ଇଲାକା ତାଙ୍କ ପାଇଁ ଅପରିଚିତ ଥିଲା । ତେଣୁ ପ୍ରତ୍ୟେକ ମୋଡ଼ ପାଖରେ ଅଧିକ ସତର୍କତା ଓ ସଜାଗତା ରହିବାକୁ ପଡ଼ୁଥିଲା । କିଛି ଦୂର ଗଲାପରେ ଢୋଲ ଆବାଜ ବନ୍ଦ ହୋଇଗଲା । ମଲ୍‍ଡୁନ୍ ବ୍ୟସ୍ତ ହୋଇପଡ଼ିଲେ । ବାଘ କ’ଣ ତା’ର ଶିକାର ଲକ୍ଷ୍ୟରେ ସଫଳ ହୋଇ ଶିକାର ନେଇ ଚାଲିଗଲା ନା ଶିକାର ପୂର୍ବରୁ ତାକୁ ତଡ଼ିଦିଆହେଲା !

 

କିଛି ସମୟ ପରେ ସେମାନେ ଯେତେବେଳେ ଗାଁ ନିକଟରେ ପହଞ୍ଚିଲେ ଗୋଟିଏ ଆଶ୍ଚର୍ଯ୍ୟଜନକ ଆବାଜ ଶୁଣି ସ୍ଥିର ହୋଇଗଲେ । ଗୋଟିଏ ଲମ୍ବା ହସ । କାନ୍ଦିବାର ଶବ୍ଦ । ପ୍ରଥମେ ଜୋରରେ, ପୁଣି ମଧ୍ୟମ ପୁଣି ଜୋରରେ ଏବଂ ମଧ୍ୟମ । ପୁଣି ଜୋରରେ । ମଲ୍‍ଡୁନ୍ ଆଗରୁ ଗଧିଆର ଏପରି ଶବ୍ଦ ଶୁଣିଥିଲେ । କିନ୍ତୁ ଏପରି ସ୍ୱର ଶୁଣି ନ ଥିଲେ । ମଲ୍‍ଡୁନ୍ ତାଙ୍କର ନାଇଟ୍ ଲ୍ୟାମ୍ପକୁ ଚାରିଆଡ଼େ ପକାଇଲେ କିନ୍ତୁ ଲମ୍ବା ଲମ୍ବା ଘାସ, ବୁଦା ଏବଂ ତା’ ଭିତରେ ଥିବା ରାସ୍ତା ବ୍ୟତୀତ ଆଉ କିଛି ଦେଖାଗଲାନି ।

 

ବହୁ ସମୟ ପର୍ଯ୍ୟନ୍ତ ନୀରବ ରହିବା ପରେ ଅକିନ କହିଲା; “ବାବୁ ଚାଲ ଫେରିଯିବା ।” ସେ ଶୀଘ୍ର ଭୟଭୀତ ହେବା ଲୋକ ନଥିଲା । କିନ୍ତୁ ତା’ ମନରେ ବସା ବାନ୍ଧିଥିଲା ଯେ ଏସବୁ ଅମୋକ୍ଷପ୍ରେତଙ୍କ କାମ ତା’ ବିରୁଦ୍ଧରେ ପ୍ରତିକାର କରିବା ସେମାନଙ୍କର ସାଧ୍ୟାତୀତ ।

 

ଚୁପ୍ ରହ ! ମଲ୍‍ଡୁନ୍ କହିଲେ ଓ ପୁଣି ଗାଁ ଆଡ଼େ ଆଗେଇ ଚାଲିଲେ । ଏହି ଗାଁର ମୁଖିଆ ବାଘ ମାରିବାପାଇଁ ପୂର୍ବ ଗାଁର ମୁଖିଆ ଅପେକ୍ଷା ବହୁତ ଆଗ୍ରହୀ ଥିଲା । ଚାଳିଶ ବର୍ଷ ବୟସ୍କ ଲମ୍ବା ଏବଂ ବିଶାଳବପୁ ଏ ବ୍ୟକ୍ତି ଆଫ୍ରିକୀୟ ଢଙ୍ଗରେ ଗୋଟିଏ ରଙ୍ଗୀନ ଚାଦର ଘୋଡ଼ି ହୋଇଥିଲା । ମଲ୍‍ଡୁନ୍ ଯେତେବେଳେ ତାକୁ ପଶୁମାନଙ୍କ ରହିବା ଖୁଆଡ଼କୁ ତାକୁ ନେଇ ଯିବାକୁ କହିଲେ, ସେ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଲା । ଦଉଡ଼ିଯାଇ ଗୋଟିଏ ଲମ୍ବା ଭାଲି ତା’ଘରୁ ଧରି ବାହାରି ଆସିଲା । ବଡ଼ ଉତ୍ସାହ ସହକାରେ ସେ ଆଗରେ ଚାଲି ଚାଲି ସେମାନଙ୍କୁ ରାସ୍ତା ଦେଖାଇ ଦେଖାଇ ନେଲା । ଯେତେବେଳେ ତାକୁ ଡାକି ସେମାନଙ୍କ ପଛରେ ଆସିବାକୁ କହିଲେ, ସେ ନାରାଜ ହେଲା । କିନ୍ତୁ ମଲ୍‍ଡୁନ୍ ତାଙ୍କ ରାଇଫଲ ଆଗରେ କାହାକୁ ଯିବାପାଇଁ ସୁଯୋଗ ଦେବାକୁ ଚାହୁଁ ନ ଥିଲେ । ସେମାନେ କିଛି ଦୂର ଆଗେଇଛନ୍ତି ଗୋଟିଏ ଜୋରଦାର୍‍ ଶବ୍ଦ ଶୁଣାଗଲା । ଜଣାଗଲା ସତେ ଯେପରି ଭୂମିକମ୍ପ ହେବ ।

 

ମୁଖିଆ କହିଲା, ବାଘ ପଶୁମାନଙ୍କ ଖୁଆଡ଼ ଭିତରେ ଅଛି । ସେମାନେ ଶୀଘ୍ର ଶୀଘ୍ର ଚାଲିବାରେ ଲାଗିଲେ । ମଲ୍‍ଡୁନ୍ ନାଇଟ୍ ଲ୍ୟାମ୍ପ ଜଳାଇ ରଖିଥିଲେ ଏବଂ ତା’ର ଉଜ୍ଜ୍ୱଳ ଆଲୋକରେ ସେମାନେ ଚଞ୍ଚଳ ଗତିରେ ଆଗେଇ ଚାଲିଥିଲେ । କିଛି ସମୟପରେ ତାଙ୍କୁ ସେ ପଶୁ ଖୁଆଡ଼ର କାଠ–ଖମ୍ବସବୁ ଦେଖାଗଲା । ପ୍ରଥମେ ତାଙ୍କୁ କିଛି ଅସ୍ଵାଭାବିକ ଦେଖାଗଲାନି ବା ବାଘ ମଧ୍ୟ ଦେଖାଗଲାନି । କିନ୍ତୁ ମୁଣ୍ଡ ବୁଲାଇ ସବୁଆଡ଼େ ନଜର ପକାଇବା ପରେ ହଠାତ୍ ନାଇଟ୍ ଲ୍ୟାମ୍ପର ଆଲୁଅରେ ଯୋଡ଼ିଏ ଉଜ୍ଜ୍ୱଳ ଆଖି ଚମକି ଉଠିଲା ।

 

ସେମାନେ ସମସ୍ତେ ଠିଆ ହୋଇ ରହିଗଲେ । କିଛି ସମୟ ପରେ ସେମାନଙ୍କୁ ଭଲଭାବେ ଜଣାପଡ଼ିଗଲା ଯେ ସେ ଆଖି ହେଉଛି ବାଘର । କଦାକାର ଏବଂ ଖୁବ୍ ହୃଷ୍ଟପୁଷ୍ଟ ସେ ବାଘ ପ୍ରାୟ ଷାଠିଏ ଗଜ ଦୂରରେ ସେମାନଙ୍କ ଆଗକୁ ଆଗେଇ ଆସୁଥିଲା । ତା’ର ଦୂରତ୍ଵ ପ୍ରତି ମୁହୂର୍ତ୍ତରେ କମି କମି କମି ଯାଉଥିଲା । ତାଙ୍କ ଲଲାଟରୁ ପଡ଼ୁଥିବା ହେଡ୍‍ଲାଇଟ୍‍ର ଆଲୋକ ତାକୁ ବୋଧହୁଏ ଆଶ୍ଚର୍ଯ୍ୟ ଏବଂ ଚିନ୍ତିତ କରିଦେଇଥିଲା । କିନ୍ତୁ ସେ ଏହାର ରହସ୍ୟ ଉଦ୍‍ଘାଟନ ପାଇଁ ପ୍ରତିଜ୍ଞା କରି ଆସୁଥିଲା । ତାଙ୍କ ମନରେ ହଠାତ୍ ଗୋଟିଏ ଖିଆଲ ଜୁଟିଲା ଯେ ଆହୁରି ମଧ୍ୟ ବାଘ ଥାଇପାରନ୍ତି । ସେ ତାଙ୍କ ହେଡ୍‌ଲାଇଟ୍‌ର ଆଲୋକ ସେ ବାଘ ଉପରୁ ହଟାଇ ନେଇ ତା’ର ବାମ ଡାହାଣ ଚାରିଆଡ଼େ ପକାଇଲେ । ସାଙ୍ଗେ ସାଙ୍ଗେ ଡଜନେ ଯୋଡ଼ି ଆଖି ଚମକି ଉଠିଲା । ଏବଂ ତା’ ସାଙ୍ଗେ ସାଙ୍ଗେ ସେ ଭୟଙ୍କର ହସ ଓ କାନ୍ଦ ଶୁଣାଗଲା ଯାହା ସେମାନେ ଏ ଗାଁରେ ପହଞ୍ଚିବା ପୂର୍ବରୁ ଶୁଣିଥିଲେ ।

 

ଟ୍ରାଇବ ଫୁସ୍ ଫୁସ୍ କରି କହିଲା, “ବାବୁ ! ଗଧିଆ ।” ଏଥରକ ତାଙ୍କର ପୂରା ବିଶ୍ଵାସ ହେଲା ଯେ ସେ ଯାହା କହୁଥିଲା ସତ । ଦୁଇକଡ଼ରେ ବାଘ ନ ଦେଖି ସେ ପୁଣି ଲାଇଟ୍‌କୁ ଦୁଇଟି ବାଘ ଉପରେ କେନ୍ଦ୍ରିତ କଲେ, ଯେଉଁ ଦୁଇଟି ଆଗକୁ ମାଡ଼ି ଆସୁଥିଲେ । ସୌଭାଗ୍ୟକୁ ସେ ଠିକ୍ ସମୟରେ ଏହା କଲେ । ଟିକିଏ ଡେରି ସେମାନଙ୍କ ପାଇଁ ବିପଜ୍ଜନକ ହୋଇଥାନ୍ତା । ତାଙ୍କ ଭିତରୁ ଗୋଟିଏ କୋଡ଼ିଏ ଗଜ ଦୂରରେ ଥିଲା ଏବଂ ତା’ର କାନ୍ଧ ଏବଂ ମୁଣ୍ଡ ଝୁଙ୍କାଇ କୁଦା ମାରିବା ଚେଷ୍ଟାରେ ଥିଲା । ସେ ଆଣ୍ଠେଇ ପଡ଼ି ସଙ୍ଗେ ସଙ୍ଗେ ଲକ୍ଷ୍ୟକରି ଟ୍ରିଗର ଦବାଇ ଦେଲେ । ଗୁଳି ଚଳାଇବା ଶବ୍ଦ ଶେଷ ନ ହେଉଣୁ ବାଘର ମରଣାନ୍ତକ ଗଁ ଗଁ ଶବ୍ଦ ଶୁଣାଗଲା ଏବଂ ସେ ଗୋଟିଏ କଡ଼କୁ କଡ଼ ଲେଉଟାଇ ପଡ଼ିଗଲା ଏବଂ ନିଶ୍ଚଳ ହୋଇଗଲା ।

 

ଏ ଭିତରେ ଦ୍ଵିତୀୟ ବାଘ ତା’ ଗୋଡ଼ ଦୁଇଟିରେ ବସି ସେମାନଙ୍କୁ ଘୂରି ଘୂରି ଦେଖୁଥିଲା । ମଲ୍‍ଡୁନ୍‍ ତାଙ୍କ ରାଇଫଲ ସିଧାକରି ତା’ର କାନ ମୁଣ୍ଡାକୁ ଲକ୍ଷ୍ୟ କରୁଛନ୍ତି, ପ୍ରଥମ ବାଘ ଯାହାକୁ ସେ ମୃତ ବୋଲି ଭାବିଥିଲେ ସେ ଗର୍ଜନ କରି ଉଠିଲା । ସେ ତା’ର ମୁଣ୍ଡ ଉଠାଇଲା ଏବଂ ପରକ୍ଷଣରେ ଉଠି ଠିଆ ହେବାପାଇଁ ଚେଷ୍ଟାକଲା । ସେ ତିନିଥର ଏଇପରି କଲା । କିନ୍ତୁ ତିନିଥରଯାକ ତାକୁ ସଫଳତା ମିଳିଲା ନାହିଁ । ତାକୁ ଜିଅନ୍ତା ଦେଖି ଟିକନଚାନ୍ଦ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଚତୁର୍ଥ ପ୍ରୟାସରେ ସେ ଉଠି ଠିଆହେଲା, ତଥାପି ସେ ସ୍ଥିର ରହିପାରୁ ନ ଥିଲା ଏବଂ ଜଣାପଡ଼ୁଥିଲା ଯେ ଏଥର ମଧ୍ୟ ପଡ଼ିଯିବ । କିନ୍ତୁ ଦୁଇଥର ଗର୍ଜନ କରି ସେ ସେମାନଙ୍କ ଉପରକୁ ଡିଆଁ ମାରିବାକୁ ଚେଷ୍ଟା କଲା । ସେ ତୁରନ୍ତ ରାଇଫଲରେ ଲକ୍ଷ୍ୟନେଇ ଗୁଳି ଚଳାଇବାକୁ ଯାଉଛନ୍ତି ବାଘଟି ମୁଣ୍ଡପଟେ ଆଗକୁ ପଡ଼ିଗଲା ଏବଂ ପର କ୍ଷଣରେ କେଜାଣି କୁଆଡ଼େ ଅଦୃଶ୍ୟ ହୋଇଗଲା-। କେବଳ ଗୋଟିଏ ହାଲୁକା ପତନ ଶବ୍ଦ ହୋଇଥିଲା । ତା’ର ଅଦୃଶ୍ୟ ହୋଇଯିବା ରହସ୍ୟର କୌଣସି ପତ୍ତା ମଲ୍‍ଡୁନ୍‍ ପାଉ ନ ଥିଲେ । ଯେଉଁ ଜାଗାରୁ ସେ ବାଘ ଅଦୃଶ୍ୟ ହୋଇଯାଇଥିଲା, ସେହି ଜାଗାକୁ ସେ ଅନେକ ସମୟ ପର୍ଯ୍ୟନ୍ତ ଆଲୁଅ ପକାଇଲେ ।

 

ଅକିନ ହଠାତ୍ ମଲ୍‍ଡୁନ୍‍ଙ୍କୁ ସତର୍କ କରାଇଦେଲା ଏବଂ ସେ ତୁରନ୍ତ ଦ୍ଵିତୀୟ ବାଘ ସେମାନଙ୍କ ଆଡ଼େ ଅଗ୍ରସର ହେଉଥିବାର ଲକ୍ଷ୍ୟ କରିପାରି ସଙ୍ଗେ ସଙ୍ଗେ ଗୁଳି ଚଳ‌ାଇ ଦେଲେ । ଗୁଳି ଠିକ୍ ବସିଲା । ସେ ସ୍ଥିରହୋଇ ତା’ର ପଛଭାଗ ସାହାଯ୍ୟରେ ବସିଗଲା ଏବଂ ମୁଣ୍ଡକୁ ଆଗ‌ଆଡ଼େ ଲେଉଟାଇ ପକାଇଥିଲା । କିନ୍ତୁ କେତେ ସମୟ ପରେ ହେଡ୍‍ଲାଇଟ୍‍ ପକାଇବାରେ ତା’ର ଚିହ୍ନବର୍ଣ୍ଣ ନପାଇ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ତାଙ୍କ ପଛରେ ଠିଆ ହୋଇଥିବା ଅକିନ ଅତ୍ୟଧିକ ବିବ୍ରତ ଏବଂ ବ୍ୟସ୍ତ ହୋଇ କହିଲା, “କିଛି ଲାଭ ନାହିଁ ବାବୁ । ଆମେ ଏଠାରୁ ଶୀଘ୍ର ପଳାଇଯିବା ଉଚିତ ।’’ ମଲ୍‍ଡୁନ୍ ମନେ ମନେ ଜାଣି ସାରିଲେଣି ଏମାନଙ୍କୁ ଏପରି ଛକି କିଛି କରି ହେବନି । ଏମାନେ ପ୍ରକୃତରେ ବାଘ ନୁହନ୍ତି । ତାଙ୍କୁ କିଛି ଉତ୍ତର ମିଳୁ ନ ଥିଲା । ସେ ସେଠାରେ ଆଶ୍ଚର୍ଯ୍ୟ ଚକିତ ହୋଇ ଠିଆହୋଇ ରହିଲେ । ତାଙ୍କର ଏ ଅବସ୍ଥା ଦେଖି ଗାଁ ମୁଖିଆ କହିଲା, ସାହେବ ! ଆମ ଆଗରେ ସେଠାରେ ଗୋଟିଏ ଖାଲ ଅଛି ଓ ତା’ ତଳେ ନଦୀ ବହୁଛି । ଦିନର ଆଲୁଅରେ ସେ ଖାଲ ଜଣାପଡ଼ିବ । ବାଘ ଦୁଇଟି ସେ ଖାଲ ଭିତର ଦେଇ ଯାଇ ଗଡ଼ି ଗଡ଼ି ପଡ଼ିଛନ୍ତି । ଏହା ଶୁଣି ସେ ଆଶ୍ଵସ୍ତି ଲାଭ କଲେ । ମଲ୍‍ଡୁନ୍ ଜାଣିପାରିଲେ ଯେ ଆଗରେ ଗୋଟିଏ ନ‌ଈ ଅଛି ଏବଂ ସେ ନଦୀରେ ଯାଇ ବାଘ ଦୁଇଟି ପଡ଼ିଛନ୍ତି । ନଦୀକୂଳକୁ ଯାଇ ଦେଖିନେବାକୁ ସେ ଚାହିଁଲେ । ସେମାନେ ଦଶବାର ପାହୁଣ୍ଡ ଯାଇଛନ୍ତି ତାଙ୍କ ପଛରେ କାନ ଫଟାଇ ଦେବାଭଳି ଗର୍ଜନ ଶୁଣାଗଲା, ଗର୍ଜନ ଏତେ ନିକଟରେ ଶୁଣାଗଲା ଯେ ସେ ଚମକି ଛାନିଆ ହୋଇଗଲେ ପୁଣି ଫୁର୍ତ୍ତିରେ ପଛକୁ ବୁଲି ପଡ଼ିଲେ । ଭାବିଲେ ବାଘ ସାମନାସାମନି ହୋଇଯିବା କିନ୍ତୁ ବାଘର ଚିହ୍ନବର୍ଣ୍ଣ ନ ଥିଲା ।

 

“ସେ ସେହି କୁଡ଼ିଆ ପଛରେ ଅଛି” ବୋଲି ଶୁଖିଲା ଭାଲାରେ ପଛକୁ ଯିବାକୁ କହିଲା । ହଠାତ୍ ତାଙ୍କର ଆଗକୁ ଯିବା ପରିବର୍ତ୍ତେ ଇଶରା ଦେଇ କହିଲା । ସେମାନେ ସମସ୍ତେ ପାଖକୁ ପାଖ ଲଗାଲଗି ହୋଇ ଚାଲୁଥିଲେ । ଆଗେ ଆଗେ ଚାଲିଥିଲେ ଟିକିନଚାନ୍ଦ । ପଛରେ ଅକିନ ଓ ଟାଇବ କୁରାଢ଼ି ଧରି ସତର୍କ ହୋଇ ଚାଲିଥିଲେ । ପଛରେ ମୁଖିଆ ତା’ ଭାଲାକୁ ଉପରକୁ ଅଧା ଉଠାଇ ଚାଲୁଥିଲା । ସେତେବେଳେ ସେମାନଙ୍କ ଡାହାଣପଟୁ ଭୟଙ୍କର ଗର୍ଜନ ଶୁଣାଗଲା ଏବଂ ଟିକନଚାନ୍ଦଙ୍କୁ ଜଣାଗଲା ସେ ରାତିରେ ଚାରିଆଡ଼େ କେବଳ ବାଘ ଆଉ ବାଘ । ପ୍ରଥମ ଗର୍ଜନର ଜବାବରେ ବାଁପଟୁ ଗୋଟିଏ ବାଘ ଗର୍ଜନ କରି ଉଠିଲା । ତା’ର ଗର୍ଜନ ଶେଷ ନ ହେଉଣୁ ସାମନାପଟୁ ଗୋଟିଏ ବାଘ ଗର୍ଜନ କରି ଉଠିଲା । ଟିକନଚାନ୍ଦ ଚାରିପଟକୁ ତାଙ୍କର ହେଡ୍‍ଲାଇଟ୍‌ ପକାଇଲେ କିନ୍ତୁ ଗୋଟିଏ ହେଲେ ମଧ୍ୟ ବାଘ ଦେଖାଗଲା ନାହିଁ । ପ୍ରକୃତରେ ତାହା ଅଦୃଶ୍ୟ ବାଘମାନଙ୍କର ରାତି ଥିଲା । ଏହା ସବୁ ଏତେ ଆଶ୍ଚର୍ଯ୍ୟ ଓ ଅପ୍ରତ୍ୟାଶିତ ଥିଲା ଯେ, ସେମାନେ ପଥରଭଳି କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଲେ ।

 

ଟ୍ରାଇବ ପ୍ରଥମେ ଏହି ନିରବତା ଭଗ୍ନକଲା । ଟିକନଚାନ୍ଦ ! ଆମକୁ ଗୋଟିଏ କୁଡ଼ିଆ ଭିତରକୁ ଚାଲିଯିବା ଦରକାର । ଏହା କହି ସେ ଗୋଟିଏ କୁଡ଼ିଆ ଆଡ଼େ ଦୌଡ଼ିଲା । ରହିଯାଅ ! ଟିକନଚାନ୍ଦ ପଛରୁ ଡାକିଲେ । କିନ୍ତୁ ଟ୍ରାଇବ ଗୋଟିଏ କୁଡ଼ିଆ ଭିତରେ ପଶି ସେଠାରୁ ଜବାବ ଦେଲା । “ମୁଁ ଏଠାରେ ସୁରକ୍ଷିତ ଅଛି, ଟିକନଚାନ୍ଦ ।’’

 

ସକାଳର ସୁନେଲି କିରଣ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ି ସାରିଥିଲା । ଯେତେବେଳେ କି ଟିକନଚାନ୍ଦକୁ ଅକିନ ହଲାଇ ଉଠାଇଲା । ଟ୍ରାଇବ ମଧ୍ୟ ଭିତରକୁ ଆସିଲା । ସେ ସୂଚନା ଦେଲା ଯେ, ଟିକନଚାନ୍ଦ ! ତୁମେ ଦୁଇଟି ବାଘ ମାରି ଦେଇଛ । କାରଣ ଦୁଇଟି ବାଘ ସେ ନଦୀ ସ୍ରୋତରେ ପଡ଼ିଛନ୍ତି ।

 

ଗୋଟିଏ ସେଠାରେ ମରି ପଡ଼ିଛି । ଦ୍ୱିତୀୟଟି ସେଠାରୁ ଚାଲିଯିବା ଚିହ୍ନ ମିଳୁଛି । କିନ୍ତୁ ସେ ଏପର୍ଯ୍ୟନ୍ତ ବଞ୍ଚି ନ ଥିବ, ସେ ବର୍ତ୍ତମାନ ସୁଦ୍ଧା ମରିଯିବଣି । କୁଡ଼ିଆ ବାହାରେ ନିଆଁ ଜଳାଇ ସେଠାରେ ଗାଁର ମୁଖିଆ ଓ ଅନ୍ୟକେତେକ ଲୋକ ବସିଥିଲେ । ସେମାନଙ୍କୁ ସାଙ୍ଗରେ ନେଇ ଟିକନଚାନ୍ଦ ସେ ନଦୀ ପାଖେ ପହଞ୍ଚିଲା । ସୁଅ ପାଣିରେ ଗୋଟିଏ ବାଘ ମରି ପଡ଼ିଥିଲା । କାନମୁଣ୍ଡାରେ ବାଜିଥିବା ଗୁଳି ଦ୍ଵାରା ତା’ର ମୃତ୍ୟୁ ହୋଇଥିଲା । ଟିକନଚାନ୍ଦଙ୍କୁ ଏହା ବୁଝିବାକୁ ଡେରିହେଲାନି ଯେ ରାତିରେ ସେ ଗୁଳିକରି ଥିବା ବାଘ ଦୁଇଟି ମଧ୍ୟରୁ ଏହା ହେଉଛି ଦ୍ଵିତୀୟ ବାଘ-

 

ପ୍ରଥମ ବାଘର ଅନୁସନ୍ଧାନରେ ଯେତେବେଳେ ଟିକନଚାନ୍ଦ ପଦ ଚିହ୍ନ ଖୋଜିଲେ ସେତେବେଳେ ସ୍ରୋତର ବାଲି ନିକଟରେ ସେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ତଳକୁ ନଇଁ ନଇଁ ସେ ସାବଧାନ ସହକାରେ ନିରୀକ୍ଷଣ କଲେ । ତା’ର ଜଖମ ଖୁବ୍ ଗଭୀର ଥିଲା । ପୁଣି ଯେଉଁଠାରେ ସେ ଠିଆ ହେବାକୁ ଚେଷ୍ଟା କରିଥିଲା, ସେଠାରେ ମଧ୍ୟ ତା’ର ରକ୍ତ ରଞ୍ଜିତ ପଞ୍ଝାର ଚିହ୍ନ ପଡ଼ିଥିଲା, କିନ୍ତୁ ତାଙ୍କୁ ଅତି ଆଶ୍ଚର୍ଯ୍ୟ କଲା ଆଉ ଦୁଇଟି ବାଘର ପଞ୍ଝାର ଚିହ୍ନ ସେଠାରେ ଦେଖି ।

 

ଟିକନଚାନ୍ଦ ଆଗରୁ ଅନୁଭବଥିଲା ଯେ ବାଘ ପ୍ରାୟ ନିଜର ଆହତ ସାଥିକୁ ପଳାଇ ଯିବାପାଇଁ ସୁଯୋଗ ଦେବାପାଇଁ ନିଜେ ଆସି ସେଠାରେ ଚଲାବୁଲା କରେ ଏବଂ ଯଦି ତାକୁ ଶିକାରୀର ଭୟ ନ ରହେ ତା’ହେଲେ ସାଧାରଣତଃ ସେ ତା’ ସଙ୍ଗେ ସେ ପର୍ଯ୍ୟନ୍ତ ରହେ, ଯେ ପର୍ଯ୍ୟନ୍ତ ଆହତ ବାଘ ମରିଯାଇଛି । କିନ୍ତୁ ସେଠାରୁ ମିଳୁଥିବା ଚିହ୍ନରୁ ଜଣାପଡ଼ୁଥିଲା ଯେ ଦୁଇଟି ସୁସ୍ଥ ଏବଂ ମୋଟା ବାଘ ସେ ଆହତ ବାଘର ଦୁଇପାଖେ ଠିଆହୋଇ ତାକୁ ଭରା ଦେଇ ନେଇଯିବା ପାଇଁ ସାହାଯ୍ୟ କରିଥିଲେ । ଟିକନଚାନ୍ଦର ବର୍ତ୍ତମାନ ପର୍ଯ୍ୟନ୍ତ ଶିକାରୀ ଜୀବନରେ ଏହା ନୂଆ କଥା ଥିଲା । ଯେଉଁଠାରେ ବାଘକୁ ସେ ଏପରି କରିବା ଦେଖିଲେ ।

 

ନରମ ବାଲି ଉପରେ ସ୍ପଷ୍ଟ ଦେଖାଯାଉଥିବା ଚିହ୍ନ ସାହାଯ୍ୟରେ ସେମାନେ ସୁବିଧାରେ ଆଗେଇ ଚାଲିଥିଲେ । ପ୍ରାୟ ତିନିଶହ ଗଜ ଯିବା ପରେ ସେ ଚିହ୍ନ ନଦୀ ପାର ହୋଇ କୂଳର ଦୁଇ ପଟେ ପଡ଼ିଥିଲା । ଯେଉଁଠାରେ ଲମ୍ବା ଉଚ୍ଚ ଘାସର ଜଙ୍ଗଲ ଓ ଘଞ୍ଚବୁଦାମାନ ଥିଲା । ବାଘ ସେ ଘାସ ଭିତରେ ବା ଘଞ୍ଚବୁଦାରେ ଥିବ ବୋଲି ଟିକନଚାନ୍ଦର ପୂରା ବିଶ୍ୱାସ ଥିଲା । ତା’ହେଲେ ଆଗକୁ ପାଦ ବଢ଼ାଇବା ଅର୍ଥ ମୃତ୍ୟୁ ।

 

ଗୋଟାଏ ଉପାୟଥିଲା ଯେ କିଛି ଗୃହପାଳିତ ପଶୁଙ୍କୁ ସେ ଘାସ ଭିତରେ ଚରିବାକୁ ଛାଡ଼ିଦିଆଯିବ । ଟିକନଚାନ୍ଦ ମୁଖିଆକୁ ବୁଝାଇଲେ ଯେ ଯଦି କାହାର ପଶୁ ମରିଯାଏ ତେବେ ପ୍ରତି ରାତିରେ ହେଉଥିବା ଆକ୍ରମଣରୁ ତ ରକ୍ଷା ମିଳିବ । ମୁଖିଆ ଗାଁ ଲୋକଙ୍କୁ ତାହା ବୁଝାଇଲେ ଏବଂ ସେମାନେ ସମସ୍ତେ ପଶୁ ଆଣିବା ପାଇଁ ଚାଲିଗଲେ । ପଶୁମାନେ ଆସିବାପରେ ସେମାନେ ସେମାନଙ୍କୁ ସେହି ବୁଦାଆଡ଼େ ଓଡ଼ାଇ ଦେଲେ । ଗୋଠର ଗୋଟିଏ ପଟେ ଟ୍ରାଇବ ଚାଲିଥିଲା ଓ ଅନ୍ୟପଟେ ଅକିନ । ଗାଁ ଲୋକେ ପଶୁମାନଙ୍କୁ ଓଡ଼େଇ ପଛେ ପଛେ ମଝିରେ ଚାଲିଥିଲେ । ଟିକନଚାନ୍ଦ ଚାରିଆଡ଼େ ନଜର ଘୂରାଇ ପୋଜିସନ ନେଇ ଚାଲିଥିଲେ । ଯେପରିକି ଦରକାର ପଡ଼ିବା ମାତ୍ରେ ଗୁଳି ଚଳାଇ ପାରିବେ ଏବଂ ତାଙ୍କ ରାଇଫଲ ସାମନାରେ କାହାକୁ ରଖାଇ ଦେଉ ନଥିଲେ । ପ୍ରାୟ ଦେଢ଼ଶହ ଗଜ ଦୂର ଯିବାପରେ ନାଲି ଓ ଧଳା ଛିଟଥିବା ଗୋଟିଏ ଗାଈ ରଡ଼ିକରି ପଛକୁ ଧାଇଁଲା । ସାଙ୍ଗେ ସାଙ୍ଗେ ବାକି ପଶୁମାନଙ୍କ ମଧ୍ୟରେ ଦୌଡ଼ା ଦୌଡ଼ି ଆରମ୍ଭ ହୋଇଗଲା ଓ ସେମାନଙ୍କ ମଧ୍ୟରୁ କେତେ ଲୋକଙ୍କୁ ଲାତମାରି ପକାଇଦେଇ ପଳାଇଗଲେ ।

 

ଟିକନଚାନ୍ଦ ପ୍ରକୃତ କଥା ଜାଣିବାପାଇଁ ଆଗକୁ ଦୌଡ଼ିଗଲେ । ପ୍ରାୟ ପଚାଶ ଗଜ ଦୂରରେ ଗୋଟିଏ ଉଇହୁଙ୍କା ପାଖରେ ତାଙ୍କୁ ଗୋଟିଏ ବାଘୁଣୀର ମୁଣ୍ଡ ଓ କାନ୍ଧ ଦେଖାଗଲା । ସାଙ୍ଗେ ସାଙ୍ଗେ ଲକ୍ଷ୍ୟକରି ସେ ଟ୍ରିଗର ଦବାଇ ଦେଲେ । ଏବଂ ତତ୍‌କ୍ଷଣାତ୍‍ ବାଘୁଣୀ ସେ ହୁଙ୍କା ପାଖରେ ଗଡ଼ିପଡ଼ିଲା । ଘାସ ଓ ବୁଦା ମଧ୍ୟରେ ସେ ବାଘୁଣୀ କେଉଁଠି ପଡ଼ିଥିଲା ଦେଖିବା ସମ୍ଭବ ନଥିଲା । ତା’ଦ୍ଵାରା ଉଠିବାକୁ ଚେଷ୍ଟା କରିବା ଓ ପଡ଼ିଯିବା ଶବ୍ଦ ସେ ବୁଦା ମଧ୍ୟରୁ ସ୍ପଷ୍ଟ ଶୁଣାଯାଉଥିଲା । ଜଣା ଯାଉଥିଲା ଯେ ସେ ଖୁବ୍ ଗୁରୁତର ଆହତ ହୋଇଛି । କିଛି ସମୟପରେ ବୁଦା କୁଦିବାରୁ ଉତ୍ପନ ହେଉଥିବା ଖଡ଼ ଖଡ଼ ଶବ୍ଦ ବନ୍ଦ ହୋଇଗଲା । ଟିକନଚାନ୍ଦଙ୍କୁ ମଧ୍ୟ ମୃତ୍ୟୁ ସଙ୍ଗେ ଲଢ଼ୁଥିବା ବାଘୁଣୀର ରହି ରହି ନିଃଶ୍ଵାସ ନେବା ଶବ୍ଦ ଶୁଣାଯାଉଥିଲା । ପ୍ରାୟ ପନ୍ଦର ମିନିଟ ପରେ ସେ ଶବ୍ଦ ବନ୍ଦ ହୋଇଗଲା ଓ ଟିକନଚାନ୍ଦ ଯାଇ ସେ ହୁଙ୍କା ପାଖେ ପହଞ୍ଚି ଠିଆ ହୋଇ ଚାରିଆଡ଼େ ନଜର ପକାଇଲେ । କିଛି ଦୂରରେ ବାଘୁଣୀ ମରି ପଡ଼ିଥିଲା । ଗୁଳି ତା’ର କଣ୍ଠରେ ବାଜିଥିଲା ।

 

ପାଟିତୁଣ୍ଡ ଶୁଣି ପ୍ରାୟ ତିରିଶଜଣ ଯାଏଁ ଆଫ୍ରିକୀୟ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଆସି ପହଞ୍ଚିଲେ । ସମସ୍ତେ ସଶସ୍ତ୍ରଥିଲେ । ରାତିରେ ଆଘାତ ପ୍ରାପ୍ତ ପ୍ରଥମ ବାଘର ଖୋଜିବା କାର୍ଯ୍ୟ ଜାରି ରହିଥିଲା । ପଶୁଜନ୍ତୁ ସବୁ ଏତେ ଭୟ ପାଇଥିଲେ ଯେ ସେମାନଙ୍କ ସାହାଯ୍ୟ ନେବା ପ୍ରଶ୍ନ ଉଠୁନଥିଲା । ତେଣୁ ଏଥରକ ଟିକନଚାନ୍ଦ ନିଜେ ସେ ଜଙ୍ଗଲକୁ ଚାଲିଲେ । ସେ ସବୁ ଗାଁ ଲୋକଙ୍କୁ ତାଙ୍କ ପଛେ ଆସିବାକୁ କହିଲେ । ସେମାନେ ବଡ଼ ପାଟିରେ କଥାବାର୍ତ୍ତା ହୋଇ ଆସୁଥିଲେ ଯାହାଦ୍ଵାରା ବାଘ ତା’ ଲୁଚିବା ଜାଗାରୁ ବାହାରି ଆସିବ ।

 

ପ୍ରାୟ ସାରା ଜଙ୍ଗଲ ବୁଲି ଆସିବା ପରେ ସେମାନେ ଗୋଟିଏ ଛୋଟିଆ ଗାଡ଼ିଆ ପାଖେ ଆସି ପହଞ୍ଚିଲେ, ଯେଉଁଠାରେ କେଉଁଠି କେମିତି ବୁଦା ଗୋଟିଏ ଯୋଡ଼ିଏ ବ୍ୟତୀତ ଆଉ କିଛି ନଥିଲା । ସେତେବେଳେ ଟ୍ରାଇବ ଟିକନଚାନ୍ଦକୁ ଗୋଟିଏ ବୁଦା ଆଡ଼େ ଆଙ୍ଗୁଳି ଦର୍ଶାଇ ଦେଖାଇଲା ଗୋଟିଏ ବାଘର ମୁଣ୍ଡ ଦେଖାଗଲା । ବିନା ବିଚାରରେ ଟିକନଚାନ୍ଦ ଗୋଟିଏ ଗୁଳି ଚଳାଇ ଦେଲେ । ବାଘର ସ୍ଥିର ଶରୀରରେ କିଛି ହେଲେ ପ୍ରତିକ୍ରିୟା ଦିଶିଲାନି । ପାଖକୁ ଯାଇ ଦେଖିଲେ ପେଟରେ ଗୁଳି ବାଜିଥିବାରୁ ସେ ବାଘର ମୃତ୍ୟୁ କିଛି ଘଣ୍ଟା ପୂର୍ବେ ହୋଇଛି । ଏହା ସେହି ବାଘଥିଲା ଯାହାକୁକି ଟିକନଚାନ୍ଦ ରାତିରେ ସର୍ବ ପ୍ରଥମେ ଗୁଳି କରିଥିଲେ ।

 

ତୃତୀୟ ବାଘ ସମ୍ପର୍କରେ ଏହା ନିଶ୍ଚିତଥିଲା ଯେ ଏତେ ପାଟିତୁଣ୍ଡ ଗଣ୍ଡଗୋଳ ପରେ ଯେ କୌଣସି ବୁଦ୍ଧିମାନ ବାଘ ସେ ଅଞ୍ଚଳ ଛାଡ଼ି ଘନ ଜଙ୍ଗଲକୁ ପଳାଇଯିବ ।

 

ଟିକନଚାନ୍ଦ ଗାଁକୁ ଫେରି ଆସିଲେ । ଲୋକେ ତାଙ୍କୁ ଅପେକ୍ଷା କରିଥିଲେ । ମୃତ ବାଘଗୁଡ଼ିକ ସେମାନଙ୍କ ମନରେ ନୂଆ ଜୀବନ ନୂଆ ଉତ୍ସାହ ଭରି ଦେଇଥିଲେ । ଖୁସିରେ ମାତି ଉଠି ସେମାନେ ନାଚି ନାଚି ସେମାନଙ୍କୁ କୃତଜ୍ଞତା ଜଣାଉ ଥିଲେ ।

✽✽✽

 

ମହୀଶୂରର ଜଙ୍ଗଲରେ

 

ମହୀଶୂରର ମହାରାଜାଙ୍କର ଦୁଇଟି ଜ୍ୟୋତିଷଙ୍କ ଉପରେ ଅଗାଧ ବିଶ୍ଵାସ ଥିଲା । ସେମାନଙ୍କ ମଧ୍ୟରୁ ଜଣେ ମହାରାଜାଙ୍କୁ କହିଥିଲେ କି ଯଦି ସେ ପଞ୍ଚସ୍ତରଟି ବାଘ ଶିକାର କରିବେ ତେବେ ତାଙ୍କୁ ପୁତ୍ରରତ୍ନ ପ୍ରାପ୍ତି ହେବ । ଏକଥା ସତ କି ମିଛ ଯଦି ବା ଜଣାନାହିଁ ତେବେ ଏକଥା ସତ ଯେ ତାଙ୍କ ପୁତ୍ରକୁ ଦେଢ଼ବର୍ଷ ହେଲା ବେଳକୁ ସେ ଶହେ ତିନୋଟି ବାଘ ଶିକାର କରି ସାରିଥିଲେ ।

 

ମହାରାଜାଙ୍କର ଶିକାର ପ୍ରତି ବଡ଼ ଶ୍ରଦ୍ଧାଥିଲା । ସେ ଶହେରୁ ଅଧିକ ବାଘ ବ୍ୟତୀତ ଅନେକ ଚିତା, ଭାଲୁ ଓ ଜଙ୍ଗଲ ମଇଁଷି ଶିକାର କରିଥିଲେ । କିନ୍ତୁ ନଭେମ୍ବର ୧୯୫୪ ମସିହାରେ ସେ ଏପରି ଏକ ବିରାଟ ବାଘ ଶିକାର କଲେ ଯାହାର ଲମ୍ବା ଦଶଫୁଟ ସାତଇଞ୍ଚ ଓ ଓଜନ ଛଅଶହ ପାଉଣ୍ଡ ଥିଲା । ଏପରି ବିରାଟ ଏବଂ ଶକ୍ତିଶାଳୀ ବାଘ ଶିକାର ଏହା ପୂର୍ବରୁ ସେ କରିନଥିଲେ । କେବଳ ସେ କାହିଁକି ଭାରତର ନାମଜାଦା ଶିକାରୀମାନଙ୍କ ମଧ୍ୟରୁ ମଧ୍ୟ ଅନେକ ଏ ସୁଯୋଗ ପାଇ ନାହାନ୍ତି ।

 

ଏହି ଶିକାର ଯୋଜନାଟିର ଶୁଭାରମ୍ଭ ଏକ ଐତିହାସିକ ଘଟଣାରୁ । ଘଟଣାଟି ଏପରି, ବିଖ୍ୟାତ ଇଂରାଜୀ ରହସ୍ୟ ଔପନାସିକ ଆର୍ଥର କାନନ ଡାୟଲ (ଯେ କି ଡିଟେକ୍‌ଟିଭ ଇନ୍‌ସପେକ୍ଟର ସାରଲକ ହୋମସ୍‌ଙ୍କ ଜନ୍ମଦାତା)ଙ୍କର ପୁତ୍ର ଏକଦା ମହାରାଜାଙ୍କର ଅତିଥି ଥିଲେ । ତାଙ୍କର ପିତାଙ୍କର ପ୍ରାଗୈତିହାସିକ ଯୁଗର ପଶୁଙ୍କ ସମ୍ବନ୍ଧରେ ଲିଖିତ ବଡ଼ ଚମତ୍କାର ବର୍ଣ୍ଣନାତ୍ମକ ପୁସ୍ତକ ଦିଲାଷ୍ଟ ଓ୍ୱାରଲଡ଼ରୁ ପଢ଼ି ତାହାରି ଅନୁସନ୍ଧାନରେ ସେ ଆଫ୍ରିକା ଓ ଏସିଆର କେତେକ ଦେଶ ଜନ୍ତୁଙ୍କ ସମ୍ବନ୍ଧରେ ଖବର ସଂଗ୍ରହ କରୁଥିଲେ । କାନନ ଡାୟଲଙ୍କ ପୁତ୍ରଙ୍କର ବିଶ୍ୱାସଥିଲା ଯେ ପିତାଙ୍କ ବର୍ଣ୍ଣିତ ପଶୁ ଆଫ୍ରିକାର କେତେକ ଅଂଶରେ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳିବେ । ତେବେ ସେ ଯାହା ହେଉ କାନନଡାୟଲ ମହୀଶୂର ମହାରାଜାଙ୍କ ଅତିଥି ଥିଲେ ଏବଂ ମହାରାଜା ତାଙ୍କ ପାଇଁ ହାତୀ ଓ ବାଘ ଶିକାରର ବ୍ୟବସ୍ଥା କରିଥିଲେ । ସେମାନେ ରାଜ ଉଆସରୁ କାରରେ ଜଙ୍ଗଲର ସୀମା ପଯ୍ୟନ୍ତ ଯାଇ ତା’ପରେ ହାତୀ ଉପରେ ବସି ଯାତ୍ରା ଆରମ୍ଭ କରିଥିଲେ । ଗୋଟିଏ ହାତୀ ଉପରେ ପଥ ଦର୍ଶାଇବା ପାଇଁ ଜଣେ ପଥ ପ୍ରଦର୍ଶକ ଆଗେ ଆଗେ ଯାଉଥିଲେ ଏବଂ ତା’ ପଛରେ ଆଉ ଗୋଟିଏ ହାତୀ ଉପରେ କାନନଡାୟଲ, ମହାରାଜା ଓ ମହାରାଜାଙ୍କର ସହକରୀମାନେ ଯାଉଥିଲେ ।

 

ଜଙ୍ଗଲ ଖୁବ୍ ଘଞ୍ଚଥିଲା ଓ ସୂର୍ଯ୍ୟ କିରଣ ଭୁଇଁରେ ପଡ଼ୁନଥିଲା । ସେମାନେ ବାଟ କାଟି କାଟି ଆଗକୁ ବଢ଼ି ଚାଲିଥିଲେ । କୋଡ଼ିଏ ମିନିଟ ପରେ ଦଳର ନେତା ହଠାତ୍ ରହିଗଲେ ଓ ପଛକୁ ବୁଲିପଡ଼ି କହିଲେ ହାତୀ...ହାତୀ । ଦଳର ସମସ୍ତେ ଚାହିଁ ଦେଖନ୍ତିତ ଖଣ୍ଡେ ଦୂରରେ ଗୋଟିଏ ଘଞ୍ଚ ବୁଦା ଆଢ଼ୁଆଳରେ ହାତୀ ଡାଳପତ୍ର ଭାଙ୍ଗି ଭାଙ୍ଗି ସେମାନଙ୍କ ଆଡ଼କୁ ମାଡ଼ି ଆସୁଛି । ଆଉ ଭାବିବାକୁ ସମୟ ନାହିଁ । ବିପଦ ଅନେକ । ଯଦି ଗୁଳିରେ ହାତୀ ନମରେ ତେବେ ନିଜ ଜୀବନ ବଞ୍ଚାଇବା କାଠିକର ପାଠ । ତେବେ ଅଗତ୍ୟା କିଛି ଭାବି ନପରି ସମସ୍ତେ ଲକ୍ଷ୍ୟ କରି ହାତୀ ଆଡ଼େ ଗୁଳି ଛାଡ଼ିଲେ । ମହାରାଜ ଗୁଳି ଚଳାଇସାରି କାନନଡାୟଲଙ୍କ ଆଡ଼େ ବୁଲିପଡ଼ି କହିଲେ ସାବାସ୍ ! ତୁମର ପ୍ରଥମ ଗୁଳିରେ ହିଁ ହାତୀ ମରିଗଲା । ଡାୟଲ ମନେକଲେ ଯେ ସେଇ ହିଁ ହାତୀ ମାରିଛନ୍ତି ।

 

ଏହାର କିଛିଦିନପରେ ବାଘ ଶିକାର ପାଇଁ ଯୋଜନା ହେଲା । ଜଙ୍ଗଲରକ୍ଷୀମାନେ ଆସି ଖବର ଦେଲେ ଯେ ବଣରେ ତିନୋଟି ବାଘ ମାତିଛନ୍ତି । ସାଙ୍ଗେ ସାଙ୍ଗେ ଶିକାର ପାଇଁ ପଶୁ ଯୋଗାଡ଼ କରାଯାଇ ଜଙ୍ଗଲକୁ ପଠାଗଲା । ଯାହାଦ୍ୱାରାକି ଶିକାରୀମାନଙ୍କୁ ବାଘଙ୍କର ରହିବା ଜାଗା ସହଜରେ ଜଣାପଡ଼ିଯିବ ।

 

ଯେତେବେଳେ ଖବର ମିଳିଲା ବାଘ ଶିକାରପଶୁଙ୍କୁ ଖାଇ ଦେଇଛି ସାଙ୍ଗେ ସାଙ୍ଗେ ବାରଜଣ ଶିକାରୀ ଏବଂ ଶହେ-ତିରିଶ-ଜଣ ରକ୍ଷୀଙ୍କର ଏକ ବିରାଟ ଦଳ ବାଘଶିକାରକୁ ଚାଲିଲେ-। ମହାରାଜା ଓ କାନନଡାୟଲଙ୍କ ପାଇଁ ଏକ ବିଶେଷ ମଞ୍ଚାର ବ୍ୟବସ୍ଥା କରାଗଲା ।

 

ଘଟଣାସ୍ଥଳ ନିକଟରେ ପହଞ୍ଚି ବାଘମାନଙ୍କୁ ଉତ୍ତେଜିତ କରେଇବାପାଇଁ ରକ୍ଷୀମାନଙ୍କ ମଧ୍ୟରୁ ଦଳେ ଲୋକ ଢୋଲ ବଜେଇବାକୁ ଲାଗିଲେ । ଏହାଦ୍ୱାରା ପ୍ରଥମେ ଗୋଟିଏ ବାଘୁଣୀ ବିଜୁଳି ଗତିରେ ଶିକାରୀ ଦଳ ଆଡ଼େ ମାଡ଼ି ଆସିଲା । ଏହାର ବୟସ ଅତିବେଶୀ ଓ ମାଈ ବାଘ ହୋଇଥିବା ହେତୁ ମହାରାଜା ଶିକାର ନିୟମ ଧର୍ମ ଅନୁସାରେ ତାକୁ ଗୁଳି କଲେ ନାହିଁ । ସେ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଗଲା ।

 

କିଛି ସମୟପରେ ଦ୍ଵିତୀୟ ବାଘ ନିକଟସ୍ଥ ଏକ ବୁଦା ଯାହାକି ଖୁବ୍ ଗହଳିଆଥିଲା ତାରି ଭିତରକୁ କୁଦା ମାରିଲା କିନ୍ତୁ ବାହାରକୁ ବାହାରିଲା ନାହିଁ । ଲୋକମାନେ ଆହୁରି ପାଖେଇ ଆସି ସେ ବୁଦା ଚାରିପଟେ ଢୋଲ ବାଡ଼ାଇଲେ ଯାହାଫଳରେ କି ବିରକ୍ତ ହୋଇ ବାଘ ବାହାରି ଆସିଲା ଓ ଶିକାରୀମାନେ ଗୁଳି କରିଦେଲେ ।

 

ତୃତୀୟ ବାଘକୁ ଗୁଳିକରିବାପାଇଁ ଢୋଲ ପିଟା ହେଲା । ପ୍ରାୟ କୋଡ଼ିଏ ମିନିଟପରେ ବାଘ ଗର୍ଜନ କରି ନିଜେ ଲୁଚିଥିବା ବୁଦା ମଧ୍ୟରୁ ଡେଇଁ ପଡ଼ିଲା । ମହାରାଜା ଗୁଳି କଲେ ମାତ୍ର ଏହା ଘାଇଲା ହୋଇ ପଳାଇଗଲା । ନିରାଶ ହୋଇ ସମସ୍ତେ ମନ ଦୁଃଖରେ ଫେରି ଆସିଲେ ।

 

ତିନିଚାରି ସପ୍ତାହ ପରେ ପୁଣି ପୂର୍ବ ନିର୍ଦ୍ଦିଷ୍ଟ ବୁଦା ନିକଟରେ ମଞ୍ଚା ବନ୍ଧାହେଲା । ମଞ୍ଚାର ବିପରୀତ ଦିଗରେ ପ୍ରାୟ ଅଶୀଜଣ ଲୋକ ଖୁବ୍ ଜୋରରେ ଢୋଲ ପିଟିଲେ । ବାଘ ଅତି ବିରକ୍ତ ହୋଇ ସେ ବୁଦା ମଧ୍ୟରେ ଗର୍ଜନ କରିବାକୁ ଲାଗିଲା । ମହାରାଜା ଅନ୍ଦାଜରେ ତା’ ଉପରକୁ ଗୁଳିକଲେ । ନିଶାଣ ଠିକ୍ ଯାଇ ବାଘର ମର୍ମ ସ୍ଥଳରେ ବାଜିଲା ଓ ବାଘର ଶରୀର ଶିଥିଳ ପାଲଟି ଗଲା ।

 

ବାଘ ଖୁବ୍ ବଡ଼ ଓ ଓଜନଦାର ଥିଲା ତେଣୁ । ତେଣୁ ତା’ର ଛାଲ ଛାଲିବାପାଇଁ ମହୀଶୂରକୁ ଗୋଟିଏ ଟ୍ରକରେ ଲଦାହୋଇ ଗଲା ।

 

ପରେ ମହାରାଜା କହିଲେ ଯେ ଏହି ବାଘ ପଛରେ ପ୍ରାୟ ସେ ଦୁଇବର୍ଷ ହେବ ପିଛା କରୁଥିଲେ । ଚାଳିଶଥର ଏହି ବାଘ ପାଖ ଗାଁମାନଙ୍କରେ ପଶି ଉପଦ୍ରବ କରି ମଣିଷ ମାରିଛି । ଗ୍ରାମବାସୀମାନେ ଅତିଷ୍ଠ ହୋଇ ମହାରାଜାଙ୍କୁ ସାହାଯ୍ୟ ନିବେଦନ କରିଛନ୍ତି ।

 

ଶିକାର ପରଦିନ ବାଘର ଓଜନ ଏବଂ ଆକୃତି ବିଷୟରେ ଅନେକ ଅତିରଞ୍ଜିତ କଥା ଖବରକାଗଜରେ ପ୍ରକାଶିତ ହେଲା । ଗୋଟିଏ ଖବରକାଗଜରେ ଏହାର ଓଜନ ନଅଶହ ପାଉଣ୍ଡ ବୋଲି କୁହାଯାଇଥିଲା । କାରଣ ଏହା ମିଛ ଥିଲା । ତା’ର ପ୍ରକୃତ ଓଜନ ଛଅଶହ ପାଉଣ୍ଡ ଥିଲା । ଯାହାକି ସାଧାରଣତଃ ବାଘ ଅପେକ୍ଷା ଯଥେଷ୍ଟ ବେଶୀ ହେବ ।

✽✽✽

 

ବାଘ ଖୋଲରେ ଦିନେ

 

ରାମସିଂହ ଜୀପ୍‍କୁ ନାଳ କୂଳରେ ଥକାଇ ଦେଲେ । ସେଥିରୁ ସମସ୍ତେ ଓହ୍ଲାଇ ପଡ଼ିଲେ-। ରାମସିଂହଙ୍କ ସାଙ୍ଗରେ ବୁଢ଼ା ଲୋକଟିଏ ଥିଲା ଯେ କି ପାଦ ଚିହ୍ନକୁ ଦେଖି ଚୋର ଡକାୟତଙ୍କ ଠାରୁ ଆରମ୍ଭ କରି ଜଙ୍ଗଲର ହିଂସ୍ର ପଶୁମାନଙ୍କୁ ମଧ୍ୟ ପତା ଲଗାଇବାରେ ଦକ୍ଷ ଥିଲା-। ସେମାନେ କାଲି ଆସି ଏଠାରେ ପହଞ୍ଚିଲେ କିନ୍ତୁ ରାତି ହୋଇଯିବା ଯୋଗୁ ଆଗକୁ ଯିବା ଉଚିତ ମନେ କଲେ ନାହିଁ । ନାଳର ତିନି ମାଇଲି ଦୂରରେ ବସିଥିବା ଗାଁର ନିକଟରେ ଥିବା କ୍ଷେତରୁ ଅଚାନକ ଭାବେ ଆକ୍ରମଣ କରି ବାଘ ଗୋଟିଏ ମାଇପିକୁ ଉଠାଇ ନେଇଥିଲା । ଠିକ୍ ଦ୍ୱିପ୍ରହର ବେଳେ ଏ ଘଟଣା ଘଟିଥିଲା । ଆଘାତପ୍ରାପ୍ତ ହୋଇଥିବା ମାଇପିର ହୃଦୟ ବିଦାରକ ଚିତ୍କାର ଗାଁକୁ ମଧ୍ୟ ଶୁଣାଯାଉଥିଲା । ଲୋକମାନେ ସ୍ତ୍ରୀଲୋକଟିର ଆର୍ତ୍ତଚିତ୍କାର ଶୁଣି ଲାଠି ଆଦି ଧରି ବାଘ ପଛରେ ଦୌଡ଼ୁଥିଲେ । କିନ୍ତୁ ଖୁବ୍ ଶୀଘ୍ର ସବୁ ଶାନ୍ତ ହୋଇଗଲା ଏବଂ ପୁଣି ଶତ ଚେଷ୍ଟା ପରେ ମଧ୍ୟ ବାଘର କୌଣସି ଆଡ଼େ ପତା ମିଳିଲାନି ।

 

ଗାଁ ଲୋକେ ଦୌଡ଼ି ଦୌଡ଼ି ଆସି ରାମସିଂହକୁ ଖବର ଦେଲେ । ସେହି ସମୟରେ ରାମସିଂହ ଗୋଟିଏ ଜରୁରୀ ମାମଲାର ରିପୋର୍ଟ ଲେଖୁଥିଲେ । ତାଙ୍କ ଇଲାକାରେ ମର୍ଡ଼ର କେସ୍‍ଟିଏ ହୋଇଥିଲା । ହତ୍ୟାରେ ବ୍ୟବହୃତ କରାଯାଇଥିବା ଅସ୍ତ୍ର ଶସ୍ତ୍ର ସବୁ ଧରାପଡ଼ିଥିଲା । ତାକୁ ସବୁ ମାଜିଷ୍ଟ୍ରେଟଙ୍କ ସାମନାରେ ପେଶ୍ କରିବାର ଥିଲା । ଏହି ସମ୍ବନ୍ଧରେ ଜିଲା ପୋଲିସ ଅଫିସରଙ୍କୁ ଜଣାଇବା ପାଇଁ ରାମସିଂହ ବିସ୍ତୃତ ବିବରଣୀ ତିଆରି କରୁଥିଲେ ।

 

ଗାଁ ଲୋକଙ୍କ ଠାରୁ ପୂରା ବିବରଣୀ ଶୁଣି ସାରିବା ପରେ ରାମସିଂହଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ଏକ ଗାଁକୁ ଯିବାକୁ ପଡ଼ିଲା କାରଣ ସେଠାରେ ଦୁଇଦଳ ଲୋକଙ୍କର ଝଗଡ଼ା ଲାଗିଥିବା ଖବର ଆଗରୁ ମିଳିଥିଲା । ରାମସିଂହ ରାଇଟରକୁ ସେ ଲୋକଙ୍କର ବୟାନ ଲେଖିବାକୁ କହି ଥାନା ବାବୁଙ୍କୁ ସାଙ୍ଗରେ ଧରି ଦ୍ୱିତୀୟ ଗାଁକୁ ଚାଲିଲେ ।

 

ଏହିସବୁ କାମ ତୁଟାଇ ଜୀପରେ ବସି ସେ ଦୁଇଜଣ ଘଟଣା ସ୍ଥଳକୁ ଆଗେଇଥିଲେ । ଗାଁ ମଣ୍ଡପ ନିକଟରେ ଲୋକଭିଡ଼ ଲାଗିଥାଏ । ସାହାସ ବାନ୍ଧି ଗାଁ ମୁଖିଆ ଓ ଅନ୍ୟ ଦୁଇଟି ଲୋକଙ୍କୁ ସାଙ୍ଗରେ ଧରି ସେମାନେ କ୍ଷେତ ଆଡ଼େ ମାଡ଼ି ଚାଲିଲେ । ସାଙ୍ଗରେ ଦୁଇଟି ପୋଲିସ କନେଷ୍ଟବଳ ମଧ୍ୟ ଥିଲେ । ଗୋଟିଏ ଜମିରେ ଥିବା ମହୁଲ ଗଛତଳେ ବହୁତ ରକ୍ତ ପଡ଼ିଥିଲା ଏବଂ ଏହିଠାରୁ ଝାମ୍ପମାରି ବାଘ ଯୁବତୀଟିକୁ ଉଠାଇ ନେଇଥିଲା । ରକ୍ତ ଦାଗକୁ ଅନୁସରଣ କରି ସେମାନେ ଦୁଇ ମାଇଲ ପର୍ଯ୍ୟନ୍ତ ଚାଲି ଚାଲି ଗଲେ । ଆଗରେ ଗୋଟିଏ ନାଳଥିଲା । ସେହି ନାଳର ଦୁଇପଟେ ଉଚ୍ଚ ପଥର ଚଟାଣ ଥିଲା । ସେହିଦିନ ରାତି ଗଭୀର ହୋଇଯିବା ଯୋଗୁ ସେମାନେ ଖୋଜା ଖୋଜି କରିବା କାମ ଅନ୍ୟଦିଗକୁ ବନ୍ଦ ରଖି ଫେରି ଆସିଲେ ।

 

ପରଦିନ ମଧ୍ୟ ଦଶଟା ଏଗାରଟା ବାଜିବା ପର୍ଯ୍ୟନ୍ତ ରାମସିଂହ କାମରେ ବ୍ୟସ୍ତ ରହିଲେ-। ଖାଇବା ସମୟରେ ମଧ୍ୟ ସେ ଖାଦ୍ୟ ଖାଇଲେ ନାହିଁ କାରଣ ଅଳସୁଆ ଲାଗିବ-। ଅତଏବ କଡ଼ାଚାହା ଦୁଇକପ ଖାଇ ବିସ୍କୁଟ କିଛି ପକେଟରେ ପୂରାଇ ବାହାରିଲେ । ଗରମ ଭୀଷଣ ଭାବେ ହେଉଥାଏ । ଆକାଶ ନିର୍ମଳ ଦେଖାଯାଉଥାଏ । ବାଦଲ ଶୂନ୍ୟ । ଗାଁରେ ପହଞ୍ଚି ପାଦଚିହ୍ନ ବିଶାରଦକୁ ସାଙ୍ଗରେ ନେଇ ନାଳପାଖେ ପହଞ୍ଚିଲେ ଓ ଜୀପ୍ ଫେରାଇ ଦେଲେ-। ଗୋଟିଏ ଗଛତଳେ କିଛି ସମୟ ଆରାମ କଲାପରେ ବାହାରିଲେ ।

 

ପାଦ ଚିହ୍ନ ବିଶାରଦ ତା’କାମରେ ଲାଗିଲା । ରକ୍ତ ଦାଗ ଶୁଖି ଯାଇଥିଲା । ତେଣୁ ଖୁବ୍ ସତର୍କତାର ସହିତ ଖୋଜା ଲୋଡ଼ାପରେ ପାଦଚିହ୍ନ ମିଳୁଥିଲା । ନାଳକୂଳରେ ବସି ବସି ସେମାନେ ପାଦ ବିଶାରଦ କାମକୁ ଲକ୍ଷ୍ୟ କରିବାରେ ଲାଗିଲେ ।

 

ପାଦ ବିଶାରଦ ସେ ଜମିଉପରେ ତୀକ୍ଷ୍ଣ ନଜର ପକାଇଲା ଏବଂ ପାଦ ପକାଇ ପକାଇ ଉପରଆଡ଼େ ଚାଲିଲା । ଶହେ ଗଜ ଦୂରକୁ ସେ କୋଡ଼ିଏ ମିନିଟରେ ପାରିକଲା । ପୁଣି ସେହି ରାତିରେ ଫେରି ଆସିଲା । ରାମସିଂହ ବସିଥିବା ଗଛଠାରୁ କୋଡ଼ିଏ ଗଜ ଦୂରରେ ସେ ପୁଣି ହାମୁଡ଼େଇ ବସିପଡ଼ିଲା । ପୁଣି ସେ ଜମି ଉପରେ ଗୋଟିଏ ଗୋଲ ନିଶାଣ କଲା ଏବଂ ନାଳକୁ ଡେଇଁ ପଡ଼ିଲା । ନାଳରେ ଅଣ୍ଟା ପର୍ଯ୍ୟନ୍ତ ପାଣିଥିଲା । ସେଠାରେ ସ୍ରୋତ ମଧ୍ୟ ପ୍ରଖର ଥିଲା । ପହଁରି ଆରପଟକୁ ଯାଇ ସେ ନିଶାଣକୁ ଲକ୍ଷ୍ୟ କଲା, ପୁଣି ଦୁଇଶହ ଗଜ ଯାଇ ଗୋଟିଏ ସଂକୀର୍ଣ୍ଣ ଜାଗାରେ ନାଳ ପାର ହେଲା । ଏପଟକୁ ଆସି ପ୍ରଥମେ କରିଥିବା ଗୋଲ ଚିହ୍ନ ନିକଟକୁ ଫେରି ଆସିଲା ।

 

ବାଘର ପାଦ ଚିହ୍ନ ତାକୁ ମିଳିଯାଇ ଥିଲା । ସେମାନେ ସବୁ ପ୍ରସ୍ତୁତ ହୋଇ ତା’ ପାଖେ ପହଞ୍ଚିଗଲେ । ଗୋଲ ନିଶାଣକୁ ଦେଖାଇ ସେ କହିଲା, ଲାସ୍‍କୁ ଏଠାରେ ରଖି ବାଘ ପ୍ରଥମେ ନାଳ ପାର ହୋଇଛି । ପୁଣି ଫେରିଆସି ଅଳ୍ପ ପାଣିଥିବା ଗୋଟିଏ ଜାଗା ଦେଖାଇ କହିଲା କି ବାଘ ସେଠାରୁ ଲାସ୍‌ ନେଇ ଏ ଜାଗାରେ ନାଳପାର ହୋଇଛି । ତାକୁ ଅନୁସରଣ କରି ରାମସିଂହ ନାଳର ଅନ୍ୟ ଦିଗରେ ଚାଲିଲେ । ପ୍ରାୟ ତିନିଶହ ଗଜ ଯିବା ପରେ ବାଘ ସିଧା ଚଟାଣ ଉପରକୁ ଚଢ଼ି ଯାଇଥିଲା । ସମସ୍ତଙ୍କୁ ସାଙ୍ଗରେ ନେଇ ଚଟାଣ ଉପରକୁ ଚଢ଼ିବା, କଷ୍ଟକର ଥିଲା । ରାମସିଂହ ତାଙ୍କର ରାଇଫଲ ଅର୍ଦ୍ଦଳିକୁ ଦେଲେ ଓ ଆସ୍ତେ ଆସ୍ତେ ପାଦ ପକେଇ ପାଦଚିହ୍ନ ଦିଶାରଦ ସଙ୍ଗେ ଆଗେଇ ଚାଲିଲେ ।

 

ପାଦ ବିଶାରଦ ଚଟାଣ ଉପରକୁ ପ୍ରଥମେ ଚଢ଼ିଲା । ପୁଣି ହାତ ବଢ଼ାଇ ରାମସିଂହକୁ ଉପରକୁ ଉଠିବାରେ ସାହାଯ୍ୟ କଲା । ଏହି ଚଟାଣ ଉପରେ ଜୋତା ପିନ୍ଧି ଯିବା କଷ୍ଟକର ପୁଣି ନପିନ୍ଧିଲେ ମଧ୍ୟ ଚଳୁନି କାରଣ ପଥର ଖରାରେ ନିଆଁଭଳି ତାତିଛି । ତେବେ ଗୋଡ଼ରୁ ଜୋତା କାଢ଼ି ଦେଇ କଷ୍ଟ କରି ସେ ଦୁଇଜଣ ଆଗକୁ ଚାଲିଲେ । ଚଟାଣର ଗୋଟିଏ ଦିଗରେ କଳାରକ୍ତ ପଡ଼ିଥିଲା । ଏହିପରି ତିନିଚାରିଶହ ଗଜ ଚଟାଣ ପାରି ହୋଇ ପୁଣି ସେମାନେ ନାଳକୁ ଓହ୍ଲାଇଲେ-। ଏଠାରେ ନାଳର ମୁହଁ ଗୋଟିଏ ଦିଗରେ ଖୋଲାଥିଲା ଓ ଅନ୍ୟଦିଗରେ ଚଟାଣଥିଲା-। ପାଣିର ଗଭୀରତା ମଧ୍ୟ ଥିଲା । ଯେଉଁ ଦିଗରେ ଚଟାଣ ବିଛାଡ଼ି ହୋଇଥିଲା ସେ ଦିଗରେ ପାଣି ବହୁ ନଥିଲା । ନାଳ ଏଇଠାରୁ ମୋଡ଼ ନେଇଥିଲା । ଆଖପାଖ କାଦୁଅ ଦେହରୁ ଉତ୍କଟ ସଢ଼ା ଗନ୍ଧ ଆସୁଥିଲା । ଗଛ ବୁଦା ଏତେ ଗଭୀର ଥିଲା ଠିକ୍ ଦ୍ଵିପ୍ରହରକୁ ମଧ୍ୟ ଅନ୍ଧାର ଛାଇ ହୋଇ ରହୁଥିଲା-

 

ବର୍ତ୍ତମାନ ସେମାନେ ବାଘ ନିକଟରେ ପହଞ୍ଚି ସାରିଥିଲେ । ଏକଥା ଜାଣିବାରେ ରାମସିଂହଙ୍କୁ ଡେରିଲାଗିଲା ନାହିଁ । ଏହି ଅଞ୍ଚଳର ଏ ସ୍ଥାନ ସବୁଠୁ ନିରାପଦଥିଲା । ହିଂସ୍ର ପଶୁ ରହିବା ପାଇଁ ଏଠାରେ ଆଉ ଜଙ୍ଗଲିଆ ଜାଗା କୁଆଡ଼େ ନଥିଲା । ଏଠାରେ ପହଞ୍ଚି ରାମସିଂହ, ସେ ପାଦଚିହ୍ନ ଖୋଜିଲା ଲୋକକୁ ଫେରାଇଦେଲେ । ଯେଉଁ ଦିଗରେ ପଥର ଚଟାଣ କୋରଡ଼ିଆ ହୋଇଯାଇଥିଲା ସେବାଟେ ମାତ୍ର ଜଣେ ଲୋକ ଯିବା ସମ୍ଭବ ଥିଲା । ରାମସିଂହ କିଛି ସମୟ ଗୋଟିଏ ଗଛକୁ ଆଉଜି ବସି ସବୁଆଡ଼େ ନଜର ପକାଇବାରେ ଲାଗିଲେ ।

 

ଯେଉଁଆଡ଼ୁ ନାଳ ବହି ଆସିଥିଲା ସେ ଆଡ଼େ ଗୋଟିଏ ପାହାଡ଼ଥିଲା । ଯାହା ଗଛ ଓ ବୁଦାରେ ଢାଙ୍କି ହୋଇଥିଲା । ନିଶ୍ଚୟ ଏହି ପାହାଡ଼ ଉପରେ ଜଙ୍ଗଲୀ ଜନ୍ତୁଙ୍କ ଆଡ୍‍ଡା ଥିବ । କିନ୍ତୁ ଚଟାଣର ସଂକୀର୍ଣ୍ଣ ବାଟକୁ ଦେଖି ରାମସିଂହଙ୍କୁ ଜଣାପଡ଼ିଲା ବାଘ ଏହି କୋରଡ଼ ଭିତରେ ନିଶ୍ଚୟ ଅଛି । ଏହାର ଦୁଇଟି କାରଣଥିଲା । ଗୋଟିଏ ହେଲା ପିଇବା ପାଣି ନିକଟରେ ଅଛି ଓ ଅନ୍ୟଟି ଏ ଜାଗା ଏତେ ଖୋଲା ଯେ ଅନ୍ୟ ବଣୁଆ ପଶୁ ମଧ୍ୟ ପାଣି ପିଇବାକୁ ଆସୁଥିଲେ । ଯାହାଫଳରେ ବାଘ ସହଜରେ ତା’ର ଖାଦ୍ୟ ପାଇଁ ଏଠାରେ ଶିକାର ଧରି ପାରୁଥିଲା ।

 

କିନ୍ତୁ ଏ ବାଘ ନରହତ୍ୟା ପ୍ରତି କିପରି ଆକୃଷ୍ଟ ହେଲା, ଏପର୍ଯନ୍ତ ତା’ର କାରଣ ରାମସିଂହ ଜାଣିପାରୁ ନଥିଲେ । କିଛି ମାସ ପୂର୍ବେ ଏସ୍ଥାନ ବାଘଠାରୁ ନିରାପଦଥିଲା । ଏହି ବର୍ଷ ବର୍ଷାଋତୁଠାରୁ ପ୍ରଥମଥର ପାଇଁ ଏ ଉପଦ୍ରବର ସାମନା ଗ୍ରାମବାସୀମାନଙ୍କୁ କରିବାକୁ ପଡ଼ିଥିଲା । ବାଘ ଏକାକୀ ଥିଲା । ତେଣୁ କୁହାଯାଇ ପାରେ ଯେ ବାଘ ବୁଲୁ ବୁଲୁ ଏଠାରେ ଆସି ରହିଯାଇଛି । ପ୍ରଥମେ ଏଠାରୁ ଦଶ ମାଇଲ ଦୂର ତଳହଟ୍ଟିରେ ତା’ର ଡେରାଥିଲା । ହଠାତ୍ ବନ୍ଧ ବାନ୍ଧିବା ପାଇଁ ପଥର ଖୋଳା ଆରମ୍ଭ ହେଲା । ମଜୁରିଆମାନେ ପାଟିତୁଣ୍ଡ କରି ବାଘ ପରିବାରକୁ ସେଠାରୁ ତଡ଼ି ଦେଲେ । ବାଘୁଣୀକୁ ଗୁଳି କରିଦେଲେ । କିନ୍ତୁ ବାଘ ଖସି ପଳାଇଲା । କିଛିଦିନ ପର୍ଯନ୍ତ ପ୍ରତିଶୋଧ ଭାବନାରେ ସେ ମଜୁରିଆ କାଁ ଭାଁ ଆକ୍ରମଣ କରୁଥିଲା । ଏହା ରହିବା ପରେ ମଧ୍ୟ ସେ ମୁହଁରେ ଲାଗିଥିବା ସ୍ଵାଦକୁ ଛାଡ଼ିପାରି ନଥିଲା ।

 

ରାମସିଂହଙ୍କ ସାମନା ପାହାଡ଼ ଉପରୁ ଓହ୍ଲାଇ ସମ୍ବରଟିଏ ପାଣିରେ ମୁହଁ ଦେଲା । ରାମସିଂହଙ୍କୁ ଦେଖି ସମ୍ବର ଯେପରି ଦବି ନଯାଏ ସେଥିପାଇଁ ସେ ଟିକିଏ ଲୁଚିଗଲେ । ବାଲି ଉପରେ ବସିଥିବା ଟିଟିଭ ପକ୍ଷୀ ଟି ଟି ସ୍ୱରରେ ବୋବାଇବାରେ ଲାଗିଥିଲା । ଅନ୍ୟ ଗୋଟିଏ ମାଈ ସମ୍ବର ଆସିଲା । ସେ ମଧ୍ୟ ପାଣି ପିଇଲା ଏବଂ ସେଠାରେ ଦୁଇଜଣ ଯାକ ନାଚ କୁଦ କରିବାରେ ଲାଗିଲେ ।

 

ଟିଟିଭ ଲାଗି ଲାଗି ବୋବାଉଥିଲା । ରାମସିଂହଙ୍କୁ ଯେପରି ଚଢ଼େଇ ଏବଂ ସମ୍ବର ଦ୍ୱୟ ଦେଖି ନପାରନ୍ତି ଓ ସେ ଉପସ୍ଥିତ ଥିବାର ସୂଚନା ଯେପରି ବାଘକୁ ନଦିଅନ୍ତି ସେଥିପାଇଁ ସେ ମଲାଭଳି ତଳେ ପଡ଼ିରହିଥାନ୍ତି । ପାଦଚିହ୍ନ ସ୍ପଷ୍ଟ କହିଦେଉଥାଏ ବାଘ ଆଗରେ ଥିବା ଖୋଲରେ ଅଛି । ରାମସିଂହ ଗୁଳି ଚଳାଇ ବାଘକୁ ସତର୍କ କରାଇବାପାଇଁ ଚାହୁଁନଥିଲେ କି ବାଘ ମଧ୍ୟ ସମ୍ବର ଦ୍ୱୟଙ୍କ ଉପସ୍ଥିତି ଜାଣି ସେଠାକୁ ଆସିବାକୁ ଚାହୁଁନଥିଲା । ରାମସିଂହ ବାଘକୁ ବାହାରକୁ ଆସିବା ପାଇଁ ମୌକା ନଦେଇ ତା’ର ଗୁମ୍ଫାରେ ହିଁ ମାରିବା ପାଇଁ ଚାହୁଁଥିଲେ ।

 

ସମ୍ବର ଦୁହିଁଙ୍କ ମଧ୍ୟରୁ ଗୋଟିଏ ରାମସିଂହଙ୍କୁ ଦେଖିଦେଲା । ଭାଗ୍ୟକୁ ଦୁହେଁ କାନ ଠିଆକରି ପଳାଇଗଲେ । ରାମସିଂହ ଜାଣିପାରିଲେ ଯେ ସେମାନେ ବେଶୀ ବାଟ ନଯାଇ ପ୍ରାୟ ପଚାଶ ଗଜ ଦୂରରେ ହିଁ ଅଛନ୍ତି । ଟିଟିଭ ରାମସିଂହଙ୍କୁ ଦେଖି ଜୋରରେ ବୋବାଇଲା । ସେ ତେଣୁ ଅଗତ୍ୟା ସେ ଜାଗା ଛାଡ଼ି ଆଗେଇ ଚାଲିଲେ । ଚଟାଣ ମଧ୍ୟରେ ଥିବା ସରୁବାଟ ଦୁଇ ପାଖେ ଶିଉଳି ଓ କାଇଥିଲା । ବୁଦାମାନଙ୍କୁ ହଟାଇ ହଟାଇ ରାମସିଂହ ଆଗକୁ ବଢ଼ୁଥିଲେ । ଆଖପାଖ ଧୂଆଁଳିଆ ଦେଖା ଯାଉଥିଲା । କୋଡ଼ିଏ ଗଜ ଦୂରକୁ ଯିବାପାଇଁ ଏକ ଘଣ୍ଟା ଲାଗିଗଲା । ଅତ୍ୟନ୍ତ ସତର୍କତା ସହ ରାମସିଂହ ଆଗଉଥିଲେ । ଟିକିଏ ସାମାନ୍ୟ ଭୁଲରେ ରାମସିଂହଙ୍କର ପ୍ରାଣହାନି ଘଟିବା ସମ୍ଭାବନା ଥିଲା । ଆଗରେ ଗଭୀର ଖୋଲଥିଲା । ଅସ୍ପଷ୍ଟ ଆଲୋକରେ ଶହେଗଜ ଦୂରରେ ଗୋଟିଏ ବିଶାଳ ଆକୃତି ଶୋଇଥିବା ଦେଖାଗଲା ।

 

ରାମସିଂହ ନିଜକୁ ଖୁବ୍ ଗାଳିଦେଲେ, କାରଣ ସେ କାହିଁକି ରାଇଫଲ ନେଇ ନ ଆସିଲେ । କିନ୍ତୁ ଯଦି ରାଇଫଲ ନେଇ ସେ ଆସିଥାନ୍ତେ ତେବେ ଏହି ଚଟାଣ ଉପରେ ଏତେ ସହଜରେ କୁଆଡ଼େ ଚାଲିପାରିଥାନ୍ତେ ଗୋଟିଏ ଗୋଟିଏ କଦମ ପକାଇ ସେ ଆଗକୁ ଗଲେ । ତାଙ୍କର ନଜର ସେ ଆକୃତି ଉପରେ ଥିଲା । କୌଣସି ପ୍ରକାରେ ପଚାଶ ଷାଠିଏ ଗଜ ଗଲେ । ସାରା ଶରୀର ତାଙ୍କର ଝାଳରେ ଓଦା ହୋଇଗଲା । ବର୍ତ୍ତମାନ ତାଙ୍କୁ ମଧ୍ୟ ଭୟ ଲାଗିଲା । ତାଙ୍କର ଏପରି ଅବସ୍ଥା ହୋଇ ସାରିଥିଲା ଯେ ସେ ଆଗକୁ ଯାଇପାରୁ ନଥିଲେ କି ଫେରିଆସି ପାରୁନଥିଲେ । ତାଙ୍କ ମସ୍ତିଷ୍କର ଭାରସାମ୍ୟ ହଜିଯାଇଥିଲା । ଏପରି ତାଙ୍କୁ ଜଣାଗଲା ଯେ କୌଣସି ଅଜ୍ଞାତ ପାଶବିକ ଶକ୍ତି ତାଙ୍କୁ ଆଗକୁ ଆଗକୁ କଢ଼ାଇ ନେଉଛି । ପବନର ଗତି ବାଘ ଆଡ଼େ ନଥିଲା । ତାହା ବିପରୀତାଭିମୁଖୀ ଥିଲା । ଏହି କାରଣ ଯୋଗୁ ରାମସିଂହଙ୍କ ଉପସ୍ଥିତି ବାଘକୁ ଜଣାପଡ଼ିନଥିଲା । ବାଘ ଏବଂ ତାଙ୍କ ମଧ୍ୟରେ ଆଉ ମାତ୍ର ଦଶଗଜ ଦୂରତା ଥିଲା ।

 

ଖୋଲ ଭିତରେ ରାମସିଂହଙ୍କ ପାଦ ଖୁବ୍ ଜୋରରେ ଥରିଲା । ସେ ବନ୍ଧୁକ ସିଧାକଲେ କିନ୍ତୁ ବାଘ ଶରୀରର କୌଣସି ମର୍ମସ୍ଥଳ ତାଙ୍କ ନଜରକୁ ଆସିଲା ନାହିଁ । ଯାହାଦ୍ୱାରା କି ଗୋଟିଏ ଗୁଳି ଯଥେଷ୍ଟ ହେବ ସେ ଖୋଲ ଭିତରେ ଦ୍ଵିତୀୟ ଗୁଳି ଚଳାଇବା ସୁବିଧା ନଥିଲା କି ତା’ର ଅବସର ମଧ୍ୟ ବାଘ ଦେଇ ନଥାନ୍ତା ।

 

ରାମସିଂହ ତାଙ୍କର ଭୁଲ ଜାଣିପାରିଲେ । ଯଦି ବାଘ ଆହତ ହୋଇ ପଳାଇବାକୁ ଚାହିଁବ ତେବେ ରାମସିଂହଙ୍କୁ ମାରି ବା କୁଦା ମାରି ଯିବା ବ୍ୟତୀତ ଅନ୍ୟବାଟ ନାହିଁ, ରାମସିଂହ ଏଇପରି ଭାବନାରେ ଥିଲେ । ଗୋଟିଏ ଦୀର୍ଘଶ୍ୱାସ ନେଇ ବାଘ କଡ଼ ଲେଉଟାଇଲା । ବାଘ ମୁହଁ ସିଧା କରି ରାମସିଂହକୁ ଅନାଇଲା । ବାଘ ଓ ରାମସିଂହ ଉଭୟଙ୍କ ଆଖି ଏକାଠି ହୋଇଗଲା । ବାଘର ଓଠ ଓ ଆଖିରେ ଜଣାପଡ଼ୁଥାଏ ସେ ଖୁବ୍ ଆନନ୍ଦ ଅବସ୍ଥାରେ ଅଛି । ସେ ନିଜକୁ ଭାଗ୍ୟବାନ ମଣୁଥିଲା କାରଣ ଶିକାରୀ ଖୋଦ୍‍ ତା’ଘର ଭିତରକୁ ଆସିଯାଇଛି । ଏପରି ଅବସ୍ଥା କେତେ ସମୟ ପର୍ଯ୍ୟନ୍ତ ରହିଲା କହି ହେବନି । କିନ୍ତୁ ରାମସିଂହଙ୍କର ମାନସିକ ଦୁଃଶ୍ଚିନ୍ତା ବଢ଼ି ଚାଲିଥିଲା । ଗୋଡ଼ହାତ ଥରିବାକୁ ଲାଗିଲା । ସେଇ ଅବସ୍ଥାରେ ରାମସିଂହ ବନ୍ଧୁକ ସିଧାକରି ଗୁଳି ଚଳାଇଲେ । ଗୋଟିଏ ହାଲୁକା ଶବ୍ଦ ହେଲା । ବାଘକୁ ଚିତ୍କାର କରିବାକୁ ଅବସର ମିଳିଲାନାହିଁ କି ପ୍ରତି ଆକ୍ରମଣ କରିବାକୁ ମଧ୍ୟ ସମୟ ମିଳିଲା ନାହିଁ । ଗୁଳିଛାଡ଼ିବା ମାତ୍ରେ ରାମସିଂହ ମଧ୍ୟ ଥକିଯାଇ ସେଠାରେ ଗଡ଼ିପଡ଼ିଲେ ।

 

ବଡ଼ କଷ୍ଟରେ ପାଦଚିହ୍ନ ବିଶାରଦ ଓ ଅର୍ଡ଼ରଲି କାନ୍ଧରେ ଭରାଦେଇ ବାହାରକୁ ଆସିଲେ । ତାଙ୍କ ଅବସ୍ଥା ଦେଖି ଯେ କେହି ଅନୁମାନ କରିବ ଯେ ସେ ବହୁତ ଦିନର ରୋଗୀ ବା ଆଘାତପ୍ରାପ୍ତ ଅଟେ । ନାଳକୂଳରେ ପହଞ୍ଚି ସେ ଚିତ୍‍ ହୋଇ ଶୋଇଗଲେ । ଟିଟିଭର ଟି ଟି ଶବ୍ଦ ତାଙ୍କ ମନରେ ନୂଆ ଚେତନା ସୃଷ୍ଟି କରୁଥିଲା । ଟିକିଏ ସୁସ୍ଥ ହେଲାପରେ ରାମସିଂହ ଦେଖିଲେ ନାଳର ଆରପାଖ ସେ ସମ୍ବର ଦମ୍ପତି ତାଙ୍କୁ ଗାରଡ଼େଇ ଗାରଡ଼େଇ ଦେଖୁଛନ୍ତି ।

✽✽✽

 

ଚିତା ମୋର ଗୁରୁ

 

ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି,– “ବାଘ ନ ଦେଖିଲେ ବିରାଡ଼ି ଦେଖ” ଏହି ପ୍ରବାଦଟି କୌଣସି କାରଣରୁ ମିଥ୍ୟା ନୁହେଁ । କାରଣ ବିରାଡ଼ିକୁ ସିଂହର ମାଉସୀ କୁହାଯାଏ । କିନ୍ତୁ ତାକୁ ଯଦି ଚିତାବାଘର ମା କୁହାଯାଏ, ତାହାହେଲେ ପ୍ରବାଦଟିର ଯୁକ୍ତି ଯଥାର୍ଥ ହେବ । ମୁଁ ଦିନେ ବି ମୋର ଶିକାରୀ ଜୀବନରେ ଜଣକୁ ନିଜର ଗୁରୁ କରିଥିଲି । ଆପଣ ପଢ଼ି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଯେ, ସେ ଗୁରୁ କୌଣସି ମଣିଷ ନୁହେଁ, ଗୋଟିଏ ଚିତାବାଘ । ମୁଁ ଜାଣିଶୁଣି ତାକୁ ଗୁରୁଭାବେ ଅଭିଶିକ୍ତ କରିନଥିଲି । ପରିସ୍ଥିତିରେ ପଡ଼ି ସେ ମୋର ଗୁରୁ ହୋଇଗଲା । ସେ ବର୍ଷ ବର୍ଷ ପର୍ଯ୍ୟନ୍ତ ମୋତେ ବଣ୍ୟ ଜୀବନ ଏବଂ ଶିକାର ସମ୍ବନ୍ଧୀୟ ସତର୍କତା ମୂଳକ ଶିକ୍ଷା ସହିତ ଆନୁସଙ୍ଗିକ ଶିକ୍ଷା ଦେଲା, ଯେଉଁ ଶିକ୍ଷାଗୁଡ଼ିକ ବହିଗୁଡ଼ିକର ଅଧ୍ୟୟନଠାରୁ ସମ୍ଭବତଃ କେବେ କମ୍ ନୁହେଁ ।

 

ଆପଣ ମୋ କଥାକୁ ବିଶ୍ୱାସ କରି ନପାରନ୍ତି, ମୁଁ ଚିତାବାଘକୁ ଗୁରୁ କରିବା କଥା, ମୋତେ ସତ, ତୁମକୁ ମିଛ ।

 

ସିଂହ ଯେତେବେଳେ ଡିଏଁ, ଆକ୍ରମଣ କରେ ଏବଂ ଦୌଡ଼େ ସେତେବେଳେ ହୃଦୟ କମ୍ପାଇଦିଏ । ମାଟି ଦୁଲୁକିଯାଏ । ଦେଖିବା ଲୋକର ଦିହ ଶୀତେଇଯାଏ । ସିଂହର ସାମନାକୁ ଚିତାବାଘ ଯିବାକୁ ସାହସ କରେ ନାହିଁ । କାରଣ ଚିତାବାଘକୁ ଈଶ୍ୱର ସିଂହର ସାହସ ଦେଇନାହାନ୍ତି-। ସେ ଗଛ ଉପରେ ସହଜରେ ଚଢ଼ି ଶିକାର କରିପାରେ । ଧୈର୍ଯ୍ୟ ନ ହରାଇ ସେ ଘଣ୍ଟା ଘଣ୍ଟା ଧରି ଶିକାର ପଛରେ ଦୌଡ଼ିଥାଏ । କିନ୍ତୁ ସିଂହର ମହାଅଳସୁଆ, ବେଖାତିରିଭାବ ଯୋଗୁ ସେ ସର୍ବଦା ଶିକାର ପାଏନି । ଚିତାବାଘଠାରେ ଏପରି ଦେଖାଯାଏ ନାହିଁ । ଚମକି ସତର୍କତାର ସହିତ ଶିକାର କରେ । ଖାଲି ଏତିକି ନୁହେଁ ଗଛର ପତ୍ର ହଲିଲେ ମଧ୍ୟ ସେ ତା’ର କାନଦ୍ଵାରା ଜାଣିପାରେ-

 

ଯେଉଁ ପରିସ୍ଥିତି ଗୁଡ଼ିକରେ ମୋର ଗୁରୁଦେବଙ୍କ ସହିତ ପ୍ରଥମ ପରିଚୟ ହେଲା, ସେଗୁଡ଼ିକୁ ଭଲ କୁହାଯାଇ ନପାରେ । କାରଣ ଆମେ ଦୁଇଜଣ ଏପରି ଅବସ୍ଥାରେ ଥିଲୁ ଯେ ଜଣେ ଅନ୍ୟ ଜଣକୁ କାବୁ କରିବା କଠିନ ଥିଲା । କେବଳ ଆମର ଏ ସାକ୍ଷାତକାର ଗୁରୁଙ୍କ ଦୃଷ୍ଟିକୋଣରୁ ହୃଦୟ ବିଦାରକ ଓ ବିପଜ୍ଜନକ ଥିଲା ।

 

ସେହିଦିନ ମୁଁ ବନ୍ଧୁକ ଚାଳନା କରିବା ଶିଖିଥିଲି ଏବଂ ଏକାଧିକ ସମୟ ସିଂହ ଓ ବାଘ ମାରି ନିଜକୁ ଜଣେ ଶିକାରୀ ବୋଲି ମାନିନେଇଥିଲି । ସେହି ମୂର୍ଖତା ସେ ପର୍ଯ୍ୟନ୍ତ ମଧ୍ୟ ତିଷ୍ଠି ରହିଥିଲା, ଯେ ପର୍ଯ୍ୟନ୍ତ ଗୁରୁଦେବଙ୍କ ଦର୍ଶନ ମିଳିପାରୁ ନଥିଲା । ଥରେ ଦର୍ଶନ କରିସାରିବାପରେ ବହୁ ଶୁଭାଶୁଭ ସମୟରେ ଆସି ଗୁରୁଦେବଙ୍କୁ ଦର୍ଶନ କରିବାକୁ ମୋତେ ପଡ଼ିଲା । ସେ ମଧ୍ୟ ଗୋଟି ଗୋଟି କରି ଉଚ୍ଚସ୍ୱରରେ ଶିକାରୀ ଜୀବନର ମହତ୍ୱପୂର୍ଣ୍ଣ କଥାଗୁଡ଼ିକ ବର୍ଣ୍ଣନା କଲେ । ପ୍ରଥମ ଆଲୋଚନାଟି ମୋ ଉପରେ ଗଭୀର ଛାପ ପକାଇଥିଲା ।

 

ସେହିଦିନ ଗୋଧୂଳି ସମୟରେ ସୂର୍ଯ୍ୟ ଢଳି ପଡ଼ିଥିଲେ ପଶ୍ଚିମ ଦିଗକୁ । ଶିକାର କାର୍ଯ୍ୟ ସମାପ୍ତ କରି ମୁଁ ଏବଂ ଚାରିଜଣ ପରିଶିକାରୀ ଶୀଘ୍ର ଶୀଘ୍ର ଆଗକୁ ଆଗକୁ ପାଦବଢ଼ାଇ ଡାକବଙ୍ଗଳା ଆଡ଼କୁ ଚଲିଯାଉଥିଲୁ । ପାହାଡ଼ ତଳିଆ ଧାନକ୍ଷେତମାନଙ୍କରୁ ଧାନ କଟାଯାଇଥିଲା । ସନ୍ଧ୍ୟାର ପ୍ରକୋପ ଗଭୀର ହେବାକୁ ଲାଗିଲା । ସେ ନିକଟରେ ଜନବସତି ସବୁ ଥିଲା । ନିକଟ ବାଉଁଶ ବଣରେ ବସିଥିବା କେତେକ ପକ୍ଷୀ କିଚିରି ମିଚିରି ଶବଦ କରୁଥିଲେ । ମୁଁ ଭାବିଲି ବିରାଡ଼ି କିମ୍ବା ନେଉଳ ସେଠାରେ ଥିବେ । ଗୋଟିଏ ଢେଲା ସେଇ ଗହଳିଆ ବଣଆଡ଼କୁ ଲକ୍ଷ୍ୟ କରି ଫୋପାଡ଼ିଲି, ସର୍ ସର୍ ଶବ୍ଦହେଲା ଏବଂ ପୁଣି ଜୋରରେ ଶବ୍ଦ ଶୁଣାଗଲା । ପକ୍ଷୀମାନେ ଉଡ଼ିଗଲେ । ବୁଦିବୁଦିଆ ଜଙ୍ଗଲର ପଛ ପଟୁ ନଅ ଫୁଟ ଲମ୍ବର ଗୋଟାଏ ଚିତାବାଘ ଲାଞ୍ଜ ହଲାଇ ହଲାଇ ଆସି ଛିଡ଼ାହେଲା ।

 

ଆମ୍ଭେମାନେ ଭୟଭୀତ ହୋଇଗଲୁ । ଗୁରୁଦେବଙ୍କ ସହିତ ଏ ହେଉଛି ମୋର ପ୍ରଥମ ସାକ୍ଷାତ । ଯୁଦ୍ଧ ନୀତିରେ ସେ ସ୍ଵୟଂ ଶୁକ୍ରାଚାର୍ଯ୍ୟ । କୌଣସି ଶିକାରୀ ବୋଧହୁଏ ଗୁଳି କରି ତା’ର ଗୋଟିଏ ଆଖିକୁ ଫୁଟାଇ ଦେଇଛି ।

 

ବୁଦାରୁ ବାହାରି ଚିତା ହଠାତ୍ ମୋ ଆଗରେ ଅଟକି ଗଲା । ସୁଦୀର୍ଘ ଫିକା ରଙ୍ଗର ଘାସରେ ସେ ଏପରି ଛପିଗଲା ଯେ କେଉଁଠି ଅଛି ଜାଣି ହେଲାନି । କାରଣ ମୋର ଆଗରେ ଏକ ବିରାଟ ଘାସର ଜଙ୍ଗଲ ଥିଲା । ସେହି ଘାସ ବଣ ଭିତର ଦେଇ ଡାକବଙ୍ଗଳାକୁ ଗାଁ ମଧ୍ୟ ଦେଇ ପାଦଚଲା ବାଟ ଯାଇଥିଲା । ଏହି ପାଦଚଲା ବାଟକୁ ଆମେ ଯଦି ଛାଡ଼ିଦେଉ, ସେହି ଘାସ ବଣରେ ସୁଦୀର୍ଘ ବାଟ ବୁଲିବୁଲି ଅତିକ୍ରମ କରିବାକୁ ପଡ଼ୁଥିଲା । ଏହା ମଧ୍ୟ ଆମ୍ଭ ପକ୍ଷେ ଅସମ୍ଭବ ଥିଲା । ଆମ୍ଭେ ପାଦଚଲା ବାଟରେ ଫେରିଯିବାକୁ ସ୍ଥିର କଲୁ ।

 

ଘାସ ବଣର ଚଲାବାଟର ଅନ୍ୟ ପାର୍ଶ୍ଵରେ ଲୋକମାନେ ଚାଲି ଚାଲି ଯାଉଥିଲେ । ସେମାନଙ୍କର କଥାବାର୍ତ୍ତାର ସ୍ୱର ବଡ଼ପାଟିରେ ଶୁଭୁଥିଲା । ମୁଁ ବନ୍ଧୁକଟିକୁ ସିଧାକରି ଦେଇଥିଲି । ହଠାତ୍ ଗୋଟାଏ ଆଡ଼େ କିଛି ଘାସ ହଲିବାର ମୋ ନଜରରେ ପଡ଼ିଲା । ପୁଣି ଚିତାବାଘର ସୁଦୀର୍ଘ ଶରୀରର ଆକୃତି ଦେଖାଗଲା । ଅଧମିନିଟି ଭଲ ଭାବରେ ମୁଁ ସେହି ଆଡ଼କୁ ଦୃଷ୍ଟି ନିକ୍ଷେପ କଲି । ଯାହା ଦେଖିଲି ଶେଷରେ ଲୋଭ ସମ୍ବରଣ କରିନପାରି, ଯେଉଁଠାରେ ଘାସ ହଲୁଥିଲା, ସେହିସ୍ଥାନକୁ ହଠାତ୍ ଗୁଳି ମାରିଦେଲି ।

 

ଗୁଳି ଫୁଟିବାର ଆବାଜ ଶୁଣି ମୋର ପରିଶିକାରୀମାନେ ସେହିସ୍ଥାନ ଆଡ଼କୁ ଦୌଡ଼ିଲେ-। ଭୀଷଣ ଗର୍ଜନ କରି ଚିତାବାଘ ଛିଡ଼ା ହୋଇପଡ଼ିଲା । ଗୁଳିଟି ତା’ ଦେହରେ ବାଜିଲା ନାହିଁ ଓ ତତ୍‍କ୍ଷଣାତ୍ ମୁଁ ତଳେ ପଡ଼ିଗଲି । ଦଶ ମିଟର ଦୂରରେ ଥିବା ଚିତାଟି ହଠାତ୍ ମୋ ଉପରକୁ କୁଦାମାରିଲା ଏବଂ ମୋ ଉପର ଦେଇ ଡେଇଁ ଚାଲିଗଲା । ଡେଇଁପଡ଼ି ପଦଚଲା ବାଟ ଉପରେ ଆସି ବସିଲା । ଠିକ୍ ଝାମ୍ପ ମାରି ଆକ୍ରମଣ କରିବା ଉଦ୍ଦେଶ୍ୟରେ ।

 

ଚିତା ମୋ ଆଗରେ ଥିଲା । ବନ୍ଧୁକ ହାତରେ ଥିଲେ ବି ସିଧାକରି ମାରିବାକୁ ସାହାସ ପାଉନଥାଏ । ଏଥିପୂର୍ବରୁ କେବେହେଲେ ଏପରି ପରିସ୍ଥିତିରେ ପଡ଼ିନଥିଲି । ମୋ ନାକପୁଡ଼ାରୁ ଦୀର୍ଘନିଃଶ୍ଵାସ ଭାସିଯାଉଥିଲା ଏବଂ ଚିତା ବାରମ୍ବାର ଗର୍ଜନ କରୁଥିଲା । ସୌଭାଗ୍ୟ ବଶତଃ କେଉଁଠାରୁ ଗୋଟିଏ ବିଲୁଆ ତା’ର ଛୁଆମାନଙ୍କୁ ସାଙ୍ଗରେ ଧରି ବାହାରି ପଡ଼ିଲା । ଏହା ଚିତାର ଧ୍ୟାନ ଆକର୍ଷଣ କଲା । ସେ ବିଜୁଳି ବେଗରେ ଡିଆଁଟାଏ ମାରି କ୍ଷେତଆଡ଼କୁ ପଳାଇଲା । ଶେଷରେ ମୁଁ ଜାଣିଲି ମୃତ୍ୟୁ ମୋ ପାଇଁ ଆସିନଥିଲା, ଆସିଥିଲା ଅନ୍ୟ କାହାପାଇଁ । କାରଣ ଗୋଟିଏ ବିଲୁଆ ପିଲାକୁ ମୁହଁରେ ଧରିନେଇ ପଳାଇଲା । ଏହି ପରିପ୍ରେକ୍ଷୀରେ ଚାରିଆଡ଼େ ବିଲୁଆମାନଙ୍କର ସ୍ୱରର ଶବ୍ଦ ଖେଳିଗଲା । ମୁଁ ମଧ୍ୟ ଡେଇଁପଡ଼ି ନିକଟରେ ଥିବା ଏକ ଉଚ୍ଚ ସ୍ଥାନରେ ଚଢ଼ିଗଲି । ଦୁଇଟି ବିଶାଳ ଶରୀରର ବିଲୁଆ ଚିତାବାଘର ପଛେ ଦୌଡ଼ୁଥିଲେ । ସେମାନେ ଚିତା ପଛରେ ପହଞ୍ଚୁ ପହଞ୍ଚୁ ବାଘଟି ବିଲୁଆ ପିଲାଟିକୁ ମୁହଁରେ କାମୁଡ଼ିଧରି ହଠାତ୍ ଗୋଟିଏ ଗଛ ଉପରେ ଚଢ଼ିଗଲା । ମୁଁ ଛିଡ଼ା ହୋଇଥିବା ଉଚ୍ଚ ସ୍ଥାନରୁ ସବୁ ଦୃଶ୍ୟ ଦେଖାଯାଉଥିଲା । ଚିତା ଗଛ ଡାଳରେ ବସି ବିଲୁଆ ଛୁଆଟିର ମାଂସ ଖାଇବା ଆରମ୍ଭ କରିଦେଲା । ତଳେ ଗର୍ଜନ କରି ବିଲୁଆ ଦୁଇଟି ଗଛକୁ ନିଜର ଦାନ୍ତରେ ଆକ୍ରମଣ କରୁଥିଲେ ।

 

ଚିତା ନିଜର ଭୋଜନ କରୁଥିଲା ଏବଂ ଚାରିଆଡ଼େ ସତର୍କତାର ସହିତ ନିଜର ଦୃଷ୍ଟି ନିକ୍ଷେପ କରୁଥିଲା । ମୁଁ ନିଜର ବନ୍ଧୁକଟା ଆୟତ୍ତକରି ଗୁଳି ନିକ୍ଷେପ କରିବାକୁ ଚାହୁଁଥିଲି । ଚିତାଟିର ଅଣ୍ଟା ମୋ ମାରିବା ନଜର ଭିତରକୁ ଆସୁଥିଲା, କିନ୍ତୁ ମାରିବାର ଆବଶ୍ୟକତା ନଥିଲା । କାରଣ ବାଘ ଉଠି ଛିଡ଼ା ହୋଇଯାଇଥିଲା । ବଳକା ମାଂସକୁ ଖାଇ ଖାଇ ସେ ବିରାଡ଼ିପରି ଗଛଡାଳରେ ଲୋଟି ସବୁଠାରୁ ଉଚ୍ଚ ଡାଳରେ ଯାଇ ବସିଲା ଏବଂ ଶେଷ ମାଂସତକ ସୁରକ୍ଷାର ସହିତ ବାନ୍ଧି ଗଛରେ ଓହଳାଇ ଦେଲା । ନିର୍ଭୟ ହୋଇ ସେ ଛିଡ଼ା ହୋଇଥିବା ବିଲୁଆମାନଙ୍କର ବିକଳତାକୁ ଓହଳିରହି ଦେଖୁଥିଲା ।

 

ଘୋର ଅନ୍ଧାର ଘୋଟେଇ ଆସିବାରୁ ମୁଁ ଡାକବଙ୍ଗଳାକୁ ଫେରି ଆସିଲା । ମୋର ଫେରିବାର ଡେରିହେବାରୁ ବଙ୍ଗଳାର ଶ୍ରମିକ ଓ ରକ୍ଷକମାନେ ଚିନ୍ତିତ ହୋଇପଡ଼ିଥିଲେ । ସେମାନେ ମଶାଲଧରି ମୋତେ ଖୋଜିବାପାଇଁ ବାହାରି ପଡ଼ିଥିଲେ । ମୋତେ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଆନନ୍ଦ ପ୍ରକାଶ କଲେ । ଗାଁର କେତେକ ଲୋକ ମଧ୍ୟ ଏଠାରେ ଜମା ହୋଇ ଯାଇଥିଲେ । ସେମାନେ ନିଜର ଅନୁଭୂତି ଅନୁସାରେ ଯାହା ବ୍ୟକ୍ତକଲେ, ବାସ୍ତବରେ ମୁଁ ଯାହାକୁ ଗୁରୁ କରିଛି, ସବୁ ଦୃଷ୍ଟିରୁ ସେ ଯୋଗ୍ୟ ଅଟନ୍ତି ।

 

ଗାଁ ଲୋକମାନେ କହୁଥିଲେ–ଏହି ଚିତାକୁ ମାରିବା ସମ୍ଭବ ନୁହେଁ । କେତେଥର ଖ୍ୟାତନାମା ଶିକାରୀ ଏହା ଚେଷ୍ଟା କରି ବିଫଳ ହୋଇଛନ୍ତି । କିନ୍ତୁ ସେ ଆୟତ୍ତକୁ ଆସିନାହିଁ ।

 

ସେହି ରାତିରେ ମୁଁ ସିଦ୍ଧାନ୍ତ କଲି ଯେ ବାଘଟିକୁ ମାରି ବିଶ୍ରାମ ନେବି । ବାଘକୁ ଶିକାର କରିବାପାଇଁ ପ୍ରସ୍ତୁତ କାର୍ଯ୍ୟ ସମାପ୍ତକରି ମୁଁ ଏବଂ ନିକଟସ୍ଥ ଥାନାର ଦୁଇଜଣ ପୋଲିସ ବନ୍ଧୁକଧରି ଚିତା ଅନୁସନ୍ଧାନରେ ବାହାରି ପଡ଼ିଲୁ । ବାସ୍ତବରେ ମୁଁ ଏଡ଼େ ନିର୍ଭୀକ ବାଘ କେବେ ଦେଖିନଥିଲି । ଦଶ ବାର କିଲୋମିଟର ଘେର ଭିତରେ ରହିଥ‌ିବା ଗାଁଗୁଡ଼ିକରେ ସେ ନିର୍ଭୀକତାର ସହିତ ବୁଲେ, ଯେପରି କୌଣସି ପୋଷା କୁକୁର ଗାଁ ଗହଳିରେ ବୁଲେ ।

 

ଆମର ସନ୍ଦେହ ହେଲା, ଚିତା କେଉଁ ଗଛଉପରେ ଛପିଥିବ ଛୋଟ ଛୋଟ ବାର୍‍‍ହା ଶିଶୁକୁ ଖାଇବା ପାଇଁ କିମ୍ବା ପଛରେ ଆଉ ଟିକକ ପରେ ଏଠାକୁ ଆସିବ । ଏକଥା ଭାବି ଆମ୍ଭେମାନେ ଗଛଠାରୁ ଦୁଇଶହ ମିଟର ଦୂରରେ ଭାଡ଼ି ଉପରେ ବସିଲୁ । ସେତେବେଳକୁ ରାତି ଅଧକରୁ ବେଶୀ ହେଲେଣି । ମୋର ନଜର ଗଛଆଡ଼େ ଥିଲା । ଏହି ସମୟରେ ପତ୍ରଗୁଡ଼ିକର ଖଡ଼ ଖଡ଼ ଶବ୍ଦ ଶୁଣାଗଲା । ଗଛଗହଳରେ ଗୋଟିଏ ଡାଳରେ ଓହଳିଥିବା ମାଂସ ଉପରେ ମୋର ଦୃଷ୍ଟି ପଡ଼ିଲା । ହଠାତ୍ ଗାଁ ଭିତରେ ବାରବୁଲା କୁକୁରଗୁଡ଼ାକ ଭୋ ଭୋ ହୋଇ ଭୁକିଲେ । ଆମେ ଭାବିଲୁ ଚିତା ନିଶ୍ଚିୟ ଏହି ଭିତରେ ଅଛି, ପରେ ସେ ଏଠାକୁ ଆସିବ । ଏହି ଆସ୍ଥାରେ ଆମେ ସେଠାରେ ଜଗିରହିଲୁ । ଆଗରୁ ଖସ୍ ଖସ୍ ବନ୍ଦ ହୋଇଗଲା । ପ୍ରାୟ ଭୋର ହୋଇ ଆସିଲାଣି । ସାରା ରାତି ଅନିଦ୍ରାରେ କଟିଲା । ଚିତାବାଘର ଆଉ ଦେଖାଦର୍ଶନ ମିଳିଲାନାହିଁ । ଗଛରେ ଓହଳିଥିବା ମାଂସ ଚାରିପଟେ କୁଆମାନେ ପଇଁତରା ମାରିଲେ । ସାରା ରାତିଟାଯାକ ବେକାରରେ ଅତିବାହିତ କରିସାରିବା ପରେ ଆମ୍ଭେ ଫେରି ଆସିବାକୁ ବାଧ୍ୟ ହେଲୁ । ମୁଁ ବନ୍ଧୁକ ଖାଲିକରି ଦେଇଥିଲି । ଭାଡ଼ିଉପରୁ ଉତୁରିବା ସମୟରେ ସାଥିରେ ଥିବା ଜଣେ ପୋଲିସ ମୋ କାନ୍ଧକୁ ଟାଣି ତଳ ଆଡ଼କୁ ସଙ୍କେତ ଦେଲେ ।

 

ଦୃଶ୍ୟଟି ଅତୀବ ମନୋହରଥିଲା । ଛେଳି ଛୁଆଟି ମରି ତଳେ ପଡ଼ିଥିଲା ଏବଂ ଚିତା ସେଥିରେ ମୁହଁ ଭର୍ତ୍ତିକରି ପେଟ ଭରଣା କରୁଥିଲା । ଦୁଇଟା କାଠହଣା ଚଢ଼େଇ ତା’ର ଚାରିପାଖେ ଘେରାମାରୁଥିଲେ‚ ସତେ ଯେପରି ସେ ଆନନ୍ଦରେ ନାଚୁଥିଲେ । ଚିତା ବାରମ୍ବାର ଗର୍ଜନକରି ସେମାନଙ୍କୁ ଦୂରେଇ ଦେଉଥିଲା । ଏହା ଦେଖି ମୁଁ ମୋର ବନ୍ଧୁକଟିକୁ ସିଧାକଲି ଏବଂ ଗୁଳି ଭର୍ତ୍ତି କରିବାକୁ ଲାଗିଲି । ଚିତା ଆମର ସୁରାକପାଇ ଶବ ଉପରେ ବସିଲା । ପ୍ରଥମେ ସେ ଆମ ଆଡ଼କୁ ଚାହିଁ ଗର୍ଜନ କଲା । ତା’ପରେ ଗୋଟିଏ କୁଦାମାରି ନାଳ ସେପଟକୁ ଡେଇଁପଡ଼ିଲା ।

 

କେତେଦିନ ପର୍ଯ୍ୟନ୍ତ ଚିତାବାଘ ଏବଂ ଆମ ମଧ୍ୟରେ ଲୁଚା ଛପା ଚାଲିଲା । କିନ୍ତୁ ଯେତେ ଚେଷ୍ଟାକଲେ ମଧ୍ୟ ତାକୁ କରାୟତ କରିପାରିଲୁ ନାହିଁ । ବେଳକୁ ବେଳ ତାହାର ଆକ୍ରମଣ ଅତିମାତ୍ରାରେ ବୃଦ୍ଧି ପାଇଲା । ଏପରିକି ଗୋଟିଏ ଗୋଟିଏ ରାତିରେ ଗାଁ ଭିତରେ ପଶି ଦୁଇ ଦୁଇଟା ମଣିଷକୁ କାମୁଡ଼ିଧରି ପଳାଏ । ଚାରିଆଡ଼େ ଭୟର ତାଣ୍ଡବଲୀଳା ଚାଲିଲା । ଲୋକମାନେ ସନ୍ଧ୍ୟାହେଲେ ଘରୁ ବାହାରିବାକୁ ସାହାସ କଲେ ନାହିଁ ।

 

ଦିନେ ରାତିରେ ଗୋଟିଏ ସଦ୍ୟ ମରିଥିବା ମଇଁଷିକୁ ନେଇ ଜଙ୍ଗଲ ଭିତରେ ଛକି ବସିଲି-। ବହୁତ ରାତି ପର୍ଯ୍ୟନ୍ତ ଅପେକ୍ଷା କରି କରି ଅଣ୍ଟା ପିଠି ଗେନ୍ଥି ହେଲା ପଛେ, ବାଘ ଆସିଲା ନାହିଁ-। କିନ୍ତୁ ବିରକ୍ତ ହୋଇ ଆଗକୁ ଚାହିଁ ଦେଖେତ ବାଘ ଗୋଟିଏ ଛୋଟିଆ ବୁଦା ପାଖରେ ବସି ଲାଞ୍ଜକୁ ତଳେ ବାଡ଼ଉଛି । ଆଖି ପିଛୁଳାକେ ଏପରି ଗୋଟିଏ ଘଟଣା ସେ ଘଟାଇ ଦେଲା ଯାହା କେବେ କୋଉ ବାଘ ପକ୍ଷରେ ସମ୍ଭବନୁହେଁ । ବାଘ ମଲାଶିକାର ଖାଇବା ପୂର୍ବରୁ ଆଗେ ବହୁ ସମୟ ସୁଙ୍ଘିବ ତା’ପରେ ଖାଇବ କିନ୍ତୁ ଏଠାରେ ବାଘ ଗୋଟାଏ କୁଦା ମାରି ମଲାମଇଁଷିକୁ ଦାନ୍ତରେ କାମୁଡ଼ିଧରି ନାଳ ସେପଟକୁ ପଳାଇଲା । ଏଥିରୁ ଜଣାପଡ଼ିଲା ବାଘ ଠଉରେଇ ନେଲା ଯେ ଏସ୍ଥାନରେ ଶିକାର ଖାଇବା ନିରାପଦ ନୁହେଁ ।

 

ଏହାପରେ ମୁଁ ଜଣେ ସିପାହୀକୁ ଆଙ୍ଗୁଠିରେ ଟାକରା ମାରି ପଛେ ଆସିବାକୁ ସଙ୍କେତ ଦେଲି । ରାସ୍ତାଟି କଣ୍ଟାଳିଆ ଏବଂ ଖାଲଢିପ ଥିଲା କେତୋଟି କାଉ ଆମକୁ ବାଟ ଦେଖାଉଥିଲେ । ଚିତାବାଘଟି ଯେଉଁ ଆଡ଼େ ଯାଉଥିଲା ସିଆଡ଼େ ଗଛଲତା ଉପରେ ବସି କାଉମାନେ କା’କା ଶବ୍ଦ କରି ଚିତାବାଘର ଉପସ୍ଥିତି ଜଣାଇ ଦେଉଥିଲେ । ପ୍ରାୟ ଦେଢ଼ମାଇଲ ଅତିକ୍ରମ କରିବାପରେ ଗୋଟିଏ ସଂକୀର୍ଣ୍ଣ ସ୍ରୋତପୂର୍ଣ୍ଣ ନଦୀପାର ହେବାପରେ ସେ ତା’ ଆଗରେ ଥିବା ପାହାଡ଼ ଉପରେ ଚଢ଼ିଗଲା । କୁଆମାନେ ସେହିପରି କା’କା ରଡ଼ି ଛାଡ଼ୁଥାନ୍ତି । କୌଶଳ କରି କୌଣସିମତେ ମୁଁ ସେହି ପାହାଡ଼ ଉପରେ ଚଢ଼ିଲି । ଗୋଟିଏ ମସୃଣ ପଥର ଉପରେ ଛିଡ଼ା ହୋଇ ଚାରିଆଡ଼କୁ ଚାହିଁ ଦେଖିଲି ପାହାଡ଼ ଉପରେ ଚିତା ତଳକୁ ମୁହଁ କରି କୁଟ୍ରା ମାଂସ ଖାଉଛି । ଲକ୍ଷ୍ୟକରି ମୁଁ ଗୁଳି ମାରିଲି, ଗୁଳି ସିଧା ଯାଇ ତା’ର ଖପୁରୀ ଉପରେ ବାଜିଲା ଏବଂ ଚିତା ସେଠାରେ ଢଳି ପଡ଼ିଲା । ସେ ମରିଛି କି ନାହିଁ ମୁଁ ଜାଣିପାରିଲି ନାହିଁ ତେଣୁ ଆଉଥରେ ତା’ ଉପରକୁ ଲକ୍ଷ୍ୟକରି ଗୁଳିଚଳାଇଲି । ଦେଖିଲି ଚିତାଟି ମରିଯାଇଛି । ମୁଁ ଏବଂ ସାଥି ସିପାହୀମାନେ ତାକୁ ଘୋଷାରି ଘୋଷାରି ତଳକୁ ଆଣିଲୁ । ବାଘଟି ବଡ଼ ଓଜନିଆ ଥିଲା । ସେହି ସମୟରେ ମୋର ଦୃଷ୍ଟି ଗୋଟିଏ ଖୋଲ ଭିତରେ ପଡ଼ିଲା । ଦେଖିଲା ବେଳକୁ ତା’ଭିତରେ ଦୁଇଟି ବାଘଛୁଆ । ସାଥି ସିପାହୀ ତାଙ୍କର ବଡ଼ପଣ ଦେଖାଇବାପାଇଁ ବନ୍ଧୁକର ନଳୀ ସିଧାକରି ଗୁଳିକରିବା ଅବସ୍ଥାରେ ଥିଲେ, ମୁଁ ତାଙ୍କୁ ବାରଣ କଲି । ସାହାସ କରି ମୁଁ ଖୋଲ ଭିତରେ ପଶିଲି । ତା’ଭିତରେ ଥିବା ଚିତାର ଦୁଇଟି ଛୁଆ, ମୋତେ ନିଜର ମା’ଭାବି ଲାଞ୍ଜ ହଲାଇ ହଲାଇ ମୋ ପାଖକୁ ଆସିଲେ । ଅଣ୍ଟାରୁ ବେଲ୍‌ଟ ଖୋଲି ଓ ଖାକି କୋର୍ଟ ଉତାରି ମୁଁ ସେହି ଚିତା ଛୁଆ ଦୁଇଟିକୁ ବଡ଼ କଠିନତାର ସହିତ ବାନ୍ଧି ପକାଇଲି ଯେପରି ସେମାନଙ୍କ ନଖ ମୋ ଦେହରେ ନବାଜେ । ସେମାନଙ୍କୁ ଧରି ମୁଁ ବାହାରି ଆସିଲି । ଛୁଆଗୁଡ଼ିକୁ ଆଣି ଆମ୍ଭେ ନଦୀ କୂଳିଆ ଏକ ଗାଁରେ ପହଞ୍ଚିଲୁ । ସେଠାରେ ପହଞ୍ଚି ସିପାହୀଙ୍କ ସହିତ କେତେଜଣ ଗ୍ରାମବାସୀଙ୍କୁ ପଠାଇଲି ସେଠାରୁ ଚିତାବାଘର ମୃତ ଶବକୁ ଆଣିବା ପାଇଁ । ଅଧ ଘଣ୍ଟା ମଧ୍ୟରେ ସେମାନେ ମୃତ ଚିତାବାଘକୁ ଆଣି ଗ୍ରାମର ଚୌପାଲ ପାଖରେ ପହଞ୍ଚିଲେ । ଗ୍ରାମର ବୁଢ଼ା ବୁଢ଼ା ଲୋକମାନେ ଦେଖି କହିଲେ, ଆପଣମାନେ ଯାହାକୁ ମାରିକରି ଆଣିଛନ୍ତି ସେ କୌଣସି ଚିତାବାଘ ହୋଇପାରେ କିନ୍ତୁ ସେ ଚାଲାକ ଚିତା ନୁହେଁ । ବଡ଼ ଦୁଃଖ ଲାଗିଲା ଠିକ୍ ରୂପେ ଶିକାର ନିରୂପଣ କରିପାରିନଥିବାରୁ । କାରଣ ଗୋଟିଏ ବାଘ ଏକା ରାତିକେ ଦୁଇଟି ଶିକାର କରିବ କିପରି ? ସେହିଦିନ ମୋତେ ମୋର ଭୁଲ ପାଇଁ ଅନୁତାପ କରିବାକୁ ପଡ଼ିଲା ।

 

ଛୁଆଗୁଡ଼ିକୁ ମୁଁ ଚିଡ଼ିଆଖାନା ପାଇଁ ପଠାଇଦେଲି । ସ୍ତ୍ରୀ ଏବଂ ଛୁଆ ବିନା ସେହି ନିରୀହ ଚିତା ଅଧିକ ମାରାତ୍ମକ ହୋଇପଡ଼ିଲା । ବର୍ତ୍ତମାନ ସେ ଦିନରାତି ସର୍ବଦା ରାସ୍ତାରେ ଯାଉଥିବା, ବିଲବାଡ଼ିକୁ କାମକରିବାକୁ ଯାଉଥିବା ଲୋକ, ଡାକବାଲା, ପାଣିନେଉଥିବା ସ୍ତ୍ରୀଲୋକମାନଙ୍କୁ କିମ୍ବା ପଶୁ ଚରାଉଥିବା ଗଉଡ଼ମାନଙ୍କୁ ଆକ୍ରମଣ କରିବାକୁ ଲାଗିଲା । ପାଖାପାଖି ଗାଁଗୁଡ଼ିକରେ ଭୟଙ୍କର ଭାବେ ଚିତାବାଘର ପ୍ରାଦୁର୍ଭାବ ବଢ଼ିଗଲା । ସହରରୁ ବଛା ବଛା ଶିକାରୀମାନଙ୍କୁ ଡକାଯାଇ ଚିତାବାଘର ଆଡ୍‍ଡା ସ୍ଥଳରେ ଆଠ ଦଶଜଣ ଶିକାରୀଙ୍କୁ ବନ୍ଧୁକ ଦେଇ ନିଯୁକ୍ତ କରାଗଲା । ସବୁ ଗାଁରେ ମୃତ କୁଟ୍ରା ଓହଳାଇ ଦିଆଗଲା । ଥରେ ଦୁଇଥର ମଧ୍ୟ ସେହି ଚିତା ଉପରେ ବନ୍ଧୁକ ଚାଳନା କରାଗଲା । ହାବଭାବ ଉଣ୍ଡି ବେଳେ ବେଳେ ସେ କାଁ ଭାଁ ଦେଖାଦେଲା । ବେଶୀ ସମୟ ବାହାରକୁ ବାହାରିଲାନାହିଁ । ବହୁ ରାତି ଅନିଦ୍ରା ହୋଇ ଜଗିଲେ କିନ୍ତୁ ସେ ଆଉ ହାବୁଡ଼େ ପଡ଼ିଲା ନାହିଁ । କେବଳ କେତେବେଳେ କେମିତି ଘଡ଼ିଏ ପହରେ ଦେଖାଦେଇ ଅଦୃଶ୍ୟ ହୋଇଯାଉଥିଲା । ଯେତେ ପ୍ରକାର କୌଶଳ ଅବଲମ୍ବନ କରାଗଲେ ମଧ୍ୟ ସବୁ ବିଫଳ ହେଲା । ତାକୁ ଶିକାର କରିବା ଉଦ୍ଦେଶ୍ୟରେ ବନ୍ଧା ଯାଉଥିବା ଶବମାନଙ୍କୁ ଶୁଙ୍ଘିଦେଇ ଦୂରକୁ ପଳାଇ ଯାଉଥିଲା ।

 

ପରିଶେଷରେ ମୋତେ ଏକ ଉପାୟ ଜଣାପଡ଼ିଲା । ଶିମୂଳିଗଛ ଗୁଡ଼ିଏ ଥିବା ଗୋଟିଏ ଗାଁରେ ମୁଁ ଗୋଟିଏ ଛୋଟ କୁଡ଼ିଆଘର ସଫାକରି ନେଲି । ସେଥିରେ ଚାରି ପାଞ୍ଚୋଟି ଛେଳି, ଗୋଟିଏ ଦୁଇଟି କୁକୁର ପ୍ରଭୃତିକୁ ବନ୍ଦ କରି ରଖିଲି । କୃଷକ ପୋଷାକ ପିନ୍ଧି ମୁଁ ସାରାଦିନ କୁଡ଼ିଆର ଭିତରକୁ ବାହାରକୁ ଯିବାଅସିବା କଲି । ଠିକ୍ ସନ୍ଧ୍ୟା ଆସିବା ପୂର୍ବରୁ ମୁଁ କୁଡ଼ିଆ ଭିତରୁ ବାହାରି ଶିମୂଳିଗଛ ଉପରେ ଚଢ଼ି ଛପି ବସିଲି ।

 

ଧୀରେ ଧୀରେ ସୂର୍ଯ୍ୟ ଅସ୍ତାଚଳଗାମୀ ହେଲେ । ରାତିହେଲା । କୁଡ଼ିଆରେ କେଉଁଠି ହେଲେ କେହି ନଥିଲେ । ଦୁଇ ତିନି ଘଣ୍ଟା ଅତିବାହିତ ହୋଇଯାଇଥିଲେ ମଧ୍ୟ ଚିତାର ଆଭାସ ମିଳିଲାନାହିଁ । କୁଡ଼ିଆରେ ଅଟକାଯାଇଥିବା କୁକୁରଗୁଡ଼ାକ ଭୟଭୀତ ହୋଇ ରହି ରହି ଭୁକିବାକୁ ଲାଗିଲେ । ଏହାର ଅର୍ଥ ଏହି ଯେ ଚିତା ବୋଧହୁଏ ନିକଟକୁ ଆସିଗଲାଣି । ଠିକ୍ ଅର୍ଦ୍ଧ ରାତ୍ରରେ କୁକୁରମାନଙ୍କର ଭୁକିବା ଶବ୍ଦ ଅଧିକରୁ ଅଧିକ ହେବାକୁ ଲାଗିଲା ଏବଂ ଭିତରୁ ଖଡ଼ଖଡ଼ ଶବ୍ଦ ଶୁଣାଗଲା । ମୁଁ ଗୁଳିମାରିବାପାଇଁ ବନ୍ଧୁକ ଉଠାଇଛି କି ନାହିଁ ଚିତା ଗୋଟିଏ ଛେଳି ପିଲାକୁ କୁଡ଼ିଆଭିତରୁ ଘୋଷାରି ଘୋଷାରି ନେଇ ଆସିଲା ଏବଂ ମୁଁ ବସିଥିବା ଗଛର ଠିକ୍ ତଳେ ଖାଇବାକୁ ଲାଗିଲା । ଏହା ବର୍ତ୍ତମାନ ଠିକ୍ ସୁଯୋଗ ଥିଲା । ବାଘଟି ଅତି ସାବଧାନ ହୋଇ ଶିକାର ଖାଉଥିଲା । ବନ୍ଧୁକ ଠିକ୍ କରି ମୁଁ ଜୋରରେ ଗୁଳି ମାରିଦେଲି । ମୋ ଗୁଳି ତା’ର ପଞ୍ଜରା ହାଡ଼କୁ ଚିରି କଲିଜାରେ ଗଭୀର ଚୋଟ ଦେଲା । ସେ ଭୀଷଣ ଗର୍ଜନ କରି ହାତଗୋଡ଼ ପିଟିହୋଇ ତଳେ ପଡ଼ିଲା । ସାଙ୍ଗେ ସାଙ୍ଗେ ପୁଣି ଗୋଟିଏ ଗୁଳି ଲଗେଇ ଦେଲି । ବାଘଟି ସେଇଠି ଶେଷ ଜୀବନ ତ୍ୟାଗ କରି ଟଳିପଡ଼ିଲା ।

 

ରାତିଟି ସେଇଠି ସେଇଠି ଯଥାଯଥ ଭାବେ କଟେଇ ସକାଳୁ ସକାଳୁ ଗଡ଼କୁ ଫେରିଲା ବେଳକୁ ଗଡ଼ଯାକ ଲୋକରେ ପରିପୂର୍ଣ୍ଣ । ମୁଁ ଜାଣେନି କିପରି ରାତାରାତି ଏ ଖବର ଚାରିଆଡ଼େ ବ୍ୟାପିଗଲା । ମୃତ ଚିତାବାଘଟି ଅତି ପୁରୁଣା ଏବଂ ବୁଢ଼ା ହୋଇଯାଇଥିଲା । ତା’ର କେତୋଟି ଦାନ୍ତ ମଧ୍ୟ ଖସି ପଡ଼ିଥିଲା ।

 

କେବଳ ଏହି ବୟୋବୃଦ୍ଧ ଅଭିଜ୍ଞ ଚିତାଟି ମୋତେ ଶିକାରୀ ଜୀବନ ପାଇଁ ଯେଉଁ ବ୍ୟବହାରିକ ଶିକ୍ଷା ଦେଲା, ସେପରି ବୋଧେ କୌଣସି ବିଦ୍ୟାଳୟରେ ମିଳିପାରିବ ନାହିଁ । ଶେଷରେ ସେଇ ଚିତାବାଘର ମୃତ ଦେହକୁ ଭକ୍ତିପୂର୍ଣ୍ଣ ହୃଦୟରେ ନମସ୍କାର କଲି । କାରଣ ସେହି ହିଁ ବାସ୍ତବରେ ମୋର ଉପଯୁକ୍ତ ଗୁରୁଥିଲେ ।

✽✽✽

 

ଜଙ୍ଗଲ ଭିତରେ ସ୍ଵାଧୀନତା ଆନ୍ଦୋଳନ

 

କ୍ୟାପଟେନ ମାଧବ ବିନାୟକଙ୍କର ସାରାଦିନଟି ବହୁ ଘାତ ପ୍ରତିଘାତ ମଧ୍ୟରେ କଟିଲା-। ଦିନପରେ ରାତିହେବ, ସେଇ ରାତିଟି ତାଙ୍କର କିପରି କଟିବ ସେଇଥିପାଇଁ ସେ ଚିନ୍ତିତ-। କ୍ରମେ କ୍ରମେ ରାତି ଆସି ଗାଁ ଗଣ୍ଡା ସବୁଆଡ଼େ ମାୟା ଅସୁରପରି ଘେରିଗଲା । ବିଭିନ୍ନ କଥା ଚିନ୍ତା କରୁ କରୁ ରାତି ଆସି କେତେ ହେଲାଣି ତାଙ୍କୁ ଜଣାନଥାଏ । ତଥାପି ରାତି ବହୁତ ହୋଇସାରିଥାଏ-। ସେତେବେଳକୁ କ୍ୟାପଟେନ ମାଧବ ବିନାୟକ ଓ ତାଙ୍କର ସାଙ୍ଗମାନେ ଲୋକ ବସତିଠାରୁ ବହୁ ଦୂରରେ ଜଙ୍ଗଲ ଭିତରେ ନିଆଁଜାଳି ଫ୍ଲାସ୍କରୁ କଫି ଶେଷ କରିବାରେ ଲାଗିଥିଲେ-। ମାଧବ ବିନାୟକ ସାଙ୍ଗରେ ଥିଲେ ଜଙ୍ଗବାହାଦୁର ଏବଂ ପ୍ରେମସିଂହ । ତିନିଜଣ ଯାକ ସକାଳୁ ସକାଳୁ ଜଙ୍ଗଲକୁ ଆସିଥିଲେ । ସେମାନେ ଜଙ୍ଗଲକୁ ଶିକାର କରିବାକୁ ଆସିନଥିଲେ, ଆସିଥିଲେ ହୁରୁଜୁରୁ କରୁଥିବା ଡକାୟତମାନଙ୍କୁ ଖୋଜିବା ପାଇଁ । ନିକଟରେ ଦିନେ ଦୁଇଦିନ ତଳେ ଜଙ୍ଗଲରେ ପାଖଆଖ ଅଞ୍ଚଳରେ ଡକାୟତମାନେ ପଶି ଦକାୟତିକରି ଜଙ୍ଗଲ ମଧ୍ୟରେ ଲୁଚିଯାଇଥିଲେ-। ଜଙ୍ଗଲର ଚାରିଆଡେ଼ ତନ୍ନ ତନ୍ନ କରି ସେମାନେ ଦିନସାରା ଖୋଜିଲେ କିନ୍ତୁ ଫଳ କିଛି ମିଳିଲାନି-। ଶେଷରେ ଜଙ୍ଗଲ ମଧ୍ୟରେ ରାସ୍ତା ଭୁଲିଯାଇ ଏଣେତେଣେ ବୁଲିବାକୁ ଲାଗିଲେ । ସେଇ ରାତିଟି ଜଙ୍ଗଲ ଭିତରେ କଟାଇଦେବା ନିମନ୍ତେ ସ୍ଥିରକଲେ । କାରଣ ସୂର୍ଯ୍ୟ କିରଣରେ ମଧ୍ୟ ଏଜଙ୍ଗଲ ପଥକୁ ଶିକାରୀମାନେ ମଧ୍ୟ ନପାଇ ବାଟବଣା ହୋଇଯାଆନ୍ତି । ଏ ଭୟଙ୍କର ରାତିରେ ସେମାନେ ବାଟ ଖୋଜି କୁଆଡେ଼ ବା ଯିବେ ।

 

ତିନିଜଣଙ୍କ ପାଖରେ ଭଲ ରାଇଫଲ ଥିଲା । ନୂଆ ବାୟନଟ୍ ଓ ପାଞ୍ଚଶହ କାର୍ଟୁସ ମଧ୍ୟ ଥିଲା । ଜଙ୍ଗବାହାଦୁର ତା’ ଜୁଆନ୍‍ ସମୟରେ ଜଣେ ନାମକରା ଶିକାରୀ ଥିଲେ । ଆଜି ତାକୁ ବୟାଅଶୀ ବର୍ଷ ଟପି ତେୟାଅଶୀ ବର୍ଷ ଗ୍ରାସ କଲାଣି ତଥାପି ସେ ଚାଳିଶ ପଇଁଚାଳିଶ ବର୍ଷର ଲୋକ ଭଳିଆ ଜଣାପଡ଼ୁଛି । ପ୍ରେମସିଂହ ଜବାନ୍‍ ଥିଲା ଗଡ଼ଜାତ ରାଜାଙ୍କର । ଶରୀର ହୃଷ୍ଟପୁଷ୍ଟ-। ସମସ୍ତଙ୍କ ଭଳି ପ୍ରେମସିଂହ ଜଙ୍ଗବାହାଦୁରଙ୍କୁ ଚାଚା ବୋଲି ସମ୍ବୋଧନ କରେ । ଖୁବ୍ ନିଶାଣ ବାଦ-। କଫି ପିଇସାରିଲା ପରେ ଏଣୁ ତେଣୁ ଗୁଡ଼ାଏ କଥାବାର୍ତ୍ତା ହେଲେ । ଶେଷରେ ପ୍ରେମସିଂହ ରାତିଟି କଟାଇବାର ଗୋଟିଏ ଉପାୟ ବାହାରକଲା । ଚାଚାକୁ କହିଲା ଗୋଟିଏ ଶିକାର କାହାଣୀ କହିବାକୁ । କିନ୍ତୁ ପ୍ରେମସିଂହ ଯେତେ କହିଲେ ମଧ୍ୟ ଚାଚା କଦାପି ରାଜିହେଲେ ନାହିଁ ଶିକାର କାହାଣୀ କହିବାକୁ । ବହୁତ ଅନୁରୋଧ କରିବା ପରେ ଜଙ୍ଗବାହାଦୁର କହିଲେ, କହିବେ ଯଦି ଅନ୍ୟ କାହାଣୀ କହିବେ କିନ୍ତୁ ଶିକାର କାହାଣୀ ନୁହେଁ ।

 

ଜଙ୍ଗବାହାଦୁର ଖୁବ୍ ଶିକାର ପ୍ରିୟ ଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ସେ ଦିନେ ଶିକାରରୁ ଫେରି ବନ୍ଧୁକଗୁଳି ଫୋପାଡ଼ି ଦେଲା ଓ ତା’ର ସ୍ତ୍ରୀକୁ କହିଲା, ଆଉ ଶିକାର କରିବନି । ସେଇଦିନଠୁ ଜଙ୍ଗବାହାଦୁର ଆଉ ଶିକାର କଲେନି । ଏକଥା ସମସ୍ତେ ଜାଣନ୍ତି କିନ୍ତୁ କେହି ଏହାର କାରଣ ଜାଣନ୍ତି ନାହିଁ ।

 

ସେହି କାହାଣୀ ଶୁଣାଇବାପାଇଁ କ୍ୟାପଟେନ ମାଧବ ବିନାୟକ ଜଙ୍ଗବାହାଦୁରଙ୍କୁ ଅନୁରୋଧ କଲେ । କ୍ୟାପଟେନଙ୍କ ଅନୁରୋଧକୁ ଏଡ଼ିନପାରି ଜଙ୍ଗବାହାଦୁର କହିଲେ, ସାହେବ ! ଏହା ମୋର ଜୀବନର ଅତି ଗୋପନୀୟ ପବିତ୍ର କାହାଣୀ । କାହାକୁ ମୁଁ କହିନି । କିନ୍ତୁ ଆଜି ମନ କହୁଛି ଆପଣକୁ ମୁଁ କହିବି ।

 

ଜଙ୍ଗବାହାଦୁର ନିଆଁରେ ଆଉକିଛି ଡାଳପତ୍ର ପକାଇ ଦେଲେ ଏବଂ ଫୁଙ୍କିଦେଇ ଜୋରରେ ଜଳାଇଦେଲେ । କ୍ୟାପଟେନ ମାଧବ ବିନାୟକ ଓ ପ୍ରେମସିଂହ ଉତ୍ସାହର ସହିତ ଶୁଣିବାପାଇଁ କାନ ଡେରିଥାନ୍ତି । ସେଇଠୁ ଜଙ୍ଗବାହାଦୁର ଆରମ୍ଭ କରି କହିଲେ, ସାହେବ ! ଶୁଣନ୍ତୁ-। ବହୁଦିନ ତଳର ଏହି ଜଙ୍ଗଲର ଘଟଣା । ପ୍ରଥମ ବିଶ୍ଵଯୁଦ୍ଧ ଶେଷହୋଇ ସାରିଥାଏ-। ଗାଁ ପାଖ ସ୍ୱତନ୍ତ୍ର ବ୍ୟାରକରେ କିଛି ଜର୍ମାନୀ କଇଦୀ ରଖାଯାଇ ଥାନ୍ତି । ଦିନେ ରାତିରେ ଅକସ୍ମାତ ଛଅ ଜଣ କଇଦୀ ଖସି ପଳାଇଗଲେ । ଆଖପାଖରେ ଜନବସତି ଥିଲା । ତେଣୁ ସେମାନେ ଜଙ୍ଗଲରେ ପଶିଗଲେ । ରାତି ନପାହୁ ଆଫିସର ମହଲରେ ଏକଥା ପ୍ରଘଟ ହୋଇଗଲା-। ଚାରିଆଡ଼େ ଖୋଜାଚାଲିଲା ଏବଂ ଯେତେବେଳେ ଜଣାପଡ଼ିଲା ସେମାନେ ଜଙ୍ଗଲ ଭିତରେ ଲୁଚିଛନ୍ତି, ସେତେବେଳେ ଅଫିସରମାନଙ୍କ ଚିନ୍ତା କିଛି ରହିଲାନି କାରଣ ଏ ଜଙ୍ଗଲ କଇଦୀଖାନାଠାରୁ ଆହୁରି ଭୟଙ୍କର ଥିଲା । ଯିଏ ଏ ଭିତରକୁ ଥରେ ଯାଇଛି, ସେ ଲୋକ ବାହାରକୁ ଫେରିଆସିବା କାଠିକର ପାଠ । ତଥାପି ଜଙ୍ଗଲ ଭିତରେ ସେମାନଙ୍କୁ ଖୋଜାଚାଲିଲା । ଜଙ୍ଗଲ ରାସ୍ତା ସହିତ ପରିଚିତ ଚାରିଜଣ ଶିକାରୀ ସେମାନଙ୍କୁ ଖୋଜିବାପାଇଁ ବାହାରିଲେ । ଜଙ୍ଗଲ ଭିତରେ ଲାଗିପଡ଼ି ଖୋଜିଲେ କିନ୍ତୁ ପାଞ୍ଚ ଦିନ ପର୍ଯ୍ୟନ୍ତ କିଛି ଫଳ ହେଲାନି । ଷଷ୍ଠଦିନ ସକାଳୁ ଯେତେବେଳେ ସେମାନେ ସବୁଆଡ଼ୁ ନିରାଶହୋଇ ଗୋଟିଏ ଅଧା ଶୁଖିଲା ନାଳରୁ ଭୂଇଁ ତାଡ଼ି ତାଡ଼ି ପାଣି ପିଉଥିଲେ ସେତେବେଳେ ଗୋଟିଏ ଭାଲୁ ସେ ଜାଗାକୁ ବାରମ୍ଵାର ଯିବାଆସିବା କରିବା ଦେଖି କିଛି ସନ୍ଦେହ ହେଲା । ଶିକାରୀମାନେ ବସିଯିବା ଦେଖି ସେ ଭାଲୁ ମଧ୍ୟ ବସିଗଲା । ଭାଲୁର ଗତିବିଧିରୁ ଜଣାପଡ଼ୁଥାଏ ଯେ, ସେ ଶିକାରୀମାନଙ୍କ ପଛ ଅନୁସରଣ କରୁଥାଏ । ତେଣୁ ଶିକାରୀମାନେ ଭାଲୁକୁ କିପରି ପାନେ ଦେବେ ସେଥିପାଇଁ ଷଡ଼ଯନ୍ତ୍ର ଖଞ୍ଜିବାକୁ ଲାଗିଲେ । ସେମାନେ କିଛି ଆଗକୁ ଗଲେ ଓ ଗୋଟିଏ ବଡ଼ଗଛତଳେ ଶୋଇବା ଅଭିନୟ କଲେ । ଭାଲୁ କିଛି ସମୟ ବସି ମାଟି ତାଡ଼ିବାରେ ଲାଗିଲା । କିନ୍ତୁ ସନ୍ଦେହ ମୁକ୍ତ ହେବାପରେ ସେ ସେଠାରୁ ଧୀରେ ଧୀରେ ଉଠି ସେମାନଙ୍କ ପାଖଦେଇ ବାଁ ପଟେ ଖୁବ୍ ଜୋରରେ ପଳାଇବାକୁ ଲାଗିଲା । ବୋଧହୁଏ ସେ କୌଣସି କାମ ପାଇଁ ତରତର ହୋଇ ଯାଉଥିଲା । ଶିକାରୀମାନେ ଇସାରାରେ କଥାବାର୍ତ୍ତା ହୋଇ ସଙ୍ଗେ ସଙ୍ଗେ ଦୁଇଜଣ ଶିକାରୀ ପାଦ ଚିପି ଚିପି ସେ ଭାଲୁର ପଛେ ପଛେ ଗଲେ-। ଭାଲୁ ଏପରିଭାବେ ଆତ୍ମନିମଗ୍ନ ଥିଲା ଯେ ସେ ପଛକୁ ଫେରି ଚାହୁଁନଥିଲା । ଚାଲୁ ଚାଲୁ ଭାଲୁ ଗୋଟିଏ ବୁଦା ଆଢ଼ୁଆଳରେ ରହିଗଲା ଏବଂ ସାମନାଆଡ଼େ ତୀକ୍ଷ୍‌ଣ ନଜର ପକାଇଲା । ଶିକାରୀ ଦୁଇଜଣ ମଧ୍ୟ ରହିଗଲେ ଓ ଭାଲୁ ଚାହୁଁଥିବା ଦିଗକୁ ନଜର ପକାଇଲେ । ପ୍ରାୟ ଅଧମିନିଟିଏ ଭାଲୁ ସେ ଜାଗାରେ ବସିବାପରେ ହଠାତ୍‌ ଠିଆ ହୋଇଗଲା । ଶିକାରୀମାନେ ମଧ୍ୟ ନିଜ ନିଜର ଛୁରା କାଢ଼ି ଧରିଲେ । ଭାଲୁ ଗୋଟିଏ କଦମ ଆଗକୁ ଆଗେଇଛି ହଠାତ୍ ଗୋଟିଏ ଅସନ୍ତୋଷ ଗର୍ଜନ ଶୁଣାଗଲା । ଭାଲୁ ଅନ୍ଧଭଳି ଆଗକୁ ଝପଟିଛି ତ ଆଗରୁ ଡେଇଁପଡ଼ିଲା ଗୋଟାଏ ହେଟାବାଘ-। ଦୁଇଜଣଯାକ ଶିକାରୀ ଗୋଟିଏ ବୁଦା ପାଖରେ ଚଟାଣଉପରେ ଲୁଚିକରି ଶୋଇପଡ଼ିଲେ । ସୁଦକ୍ଷ ଯୋଦ୍ଧାଭଳି ଦୁଇଜଣଯାକ ଜନ୍ତୁ ହେଟା ଓ ଭାଲୁ ନିଜ ନିଜ ମଧ୍ୟରେ ଲଢ଼େଇରେ ମାତି ରହିଲେ-। ହେଟା କ୍ରୋଧରେ ଗର୍ଜନ କରୁଥିଲା ଓ ଭାଲୁର ବେକକୁ ଧରିବାପାଇଁ ବିଜୁଳିପରି ଆକ୍ରମଣ କରୁଥିଲା କିନ୍ତୁ ଭାଲୁ ତାଲିମପ୍ରାପ୍ତ ବକ୍ସିଙ୍ଗ ଏକସ୍‌‌ପର୍ଟପରି ବାଁ, ଡାହାଣ କରି ହେଟାର ଶରୀର ଉପରେ ଚାପୁଡ଼ା ମାରୁଥିଲା । ହେଟା ମଧ୍ୟ ତା’ ପଞ୍ଝାରେ ଜମେଇକରି ପ୍ରହାର କରୁଥିଲା-। କିନ୍ତୁ ଭାଲୁ ଦେହରେ ଥିବା ବାଳଯୋଗୁ ତା’ ପ୍ରହାର ବସୁ ନଥିଲା । ଏହିପରି ତାଙ୍କର ଲଢ଼େଇ ଚାଲିଲା-। କେହି କାହାକୁ ଜୀବନରେ ମାରିପାରୁ ନଥିଲେ । ହେଟାର ବଳ ବେଶୀ ନହେଲେ ମଧ୍ୟ ତା’ର ସଂକଳ୍ପ ଶକ୍ତି ପ୍ରବଳ । କୁକୁର ଭୁକିଲେ ସେ କାପୁରୁଷଭଳି ପଳାଇଯାଇପାରେ । ତା’ର ସାମର୍ଥ୍ୟ ଅସୀମ । ଭାଲୁ ଯଦିବା କାପୁରୁଷ ନୁହେଁ ତେବେ ସେ ଲଢ଼େଇ କଲାବାଲା ନୁହେଁ । ହିଂସ୍ରନୁହେଁ କେବଳ ଆତ୍ମରକ୍ଷା ପାଇଁ ହିଁ ସେ ଲଢେ଼ । ବଳ ତା’ଠାରେ କାହିଁରୁ କେତେ କିନ୍ତୁ ହେଟାପରି ଫୁର୍ତ୍ତି ଏବଂ ରିଜର୍ଭ ଶକ୍ତି ନଥାଏ । ଶେଷରେ ହେଟା ଭାଲୁର ବେକକୁ ମାଡ଼ିବସିଲା ଓ ଭାଲୁର ମର୍ମସ୍ଥାନକୁ ଖୋଜିଲାଗିଲା । ଶିକାରୀଦୁହେଁ ନିଜ ନିଜ ଛୁରି ଜୋରରେ ଧରି ପ୍ରସ୍ତୁତ ହେଲେ ବିପଦପାଇଁ-

 

ହଠାତ୍‌ ଯାଦୁକରର ମାୟାଭଳି ଗୋଟିଏ ଲୋକ ଗଛଉପରୁ ଡିଆଁ ମାରିଲା ତଳକୁ ଓ ହେଟାବାଘର ଲାଙ୍ଗୁଳଧରି ପଛକୁ ଫୋପାଡ଼ିଦେଲା । ହେଟା ଏପରି କେବେ କଳ୍ପନା କରିନଥିଲା । ସେ ହଠାତ୍ ଉଠିପଡ଼ି ବୁଲିଯାଇ ନିଜର ନୂଆ ଶତ୍ରୁକୁ ଦେଖିବାରେ ଲାଗିଲା । କିନ୍ତୁ ସେ ଲୋକ ହାତରେ ଥିଲା ମାତ୍ର ଗୋଟିଏ ଠେଙ୍ଗା । ଲୋକଟାକୁ ହେଟା ଆକ୍ରମଣ କରିବାରୁ ତା’ ମୁହଁରେ ଠେଙ୍ଗାଟି ଭର୍ତ୍ତି କରିଦେଲା । ହେଟା ରାଗରେ ଠେଙ୍ଗାଟାକୁ ଚୋବାଇ ପକାଇଲା ଓ ମେସିନ୍‍ପରି ପଞ୍ଝାମାରିବାକୁ ଲାଗିଲା । କିନ୍ତୁ ଲୋକଟି ଠେଙ୍ଗାକୁ ଏପରି ଭାବେ ଧରିଥିଲା ଯେ ହେଟାର ପଞ୍ଝା ଲୋକଟି ଦେହରେ ବାଜୁନଥିଲା । ଶିକାରୀଦୁହେଁ ସ୍ତବ୍‌ଧ ହୋଇ ହେଟା ଆଉ ସେ ଲୋକମଧ୍ୟରେ ହେଉଥିବା ଲଢ଼ାଇକୁ ଦେଖୁଥିଲେ ଏବଂ ଭାବୁଥିଲେ ଏ ସବୁ ସ୍ୱପ୍ନ ନା ସତ୍ୟ ।

 

ହଠାତ୍ ସେ ଲୋକଟି ଠେଙ୍ଗା ଫୋପାଡ଼ି ଦେଲା ଓ ହେଟାର ବେକକୁ ଖୁବ୍ ଜୋରରେ ଧରି ପକାଇ ଚିପିବାରେ ଲାଗିଲା । ହେଟା ନିଜର ସମସ୍ତ ଶକ୍ତି ଖଟାଇ ମଧ୍ୟ ନିଜକୁ ମୁକ୍ତ କରି ପାରିଲାନାହିଁ । ଭାଲୁ ଭୂଇଁରୁ ଉଠି ହାତ ଉଠାଇ ହେଟାକୁ ମାରି ଗୋଡ଼ାଇଲା । କିନ୍ତୁ ସେ ଲୋକ ଆଦେଶ ଦେବା ଭଙ୍ଗିରେ କହିଲା, ଦୂରକୁ ଯା ।

 

ଭାଲୁ ଯେଉଁଠି ଥିଲା ସେଇଠି ସେଇମିତି ବସିଗଲା । ହେଟାକୁ ସେ ଲୋକ ଖୁବ୍ ଜୋରରେ ବେକଚିପି ମାରିଦେଲା । ହେଟା ଜିଭଟାକୁ ବାହାରକୁ କାଢ଼ି ମରି ସେଇଠାରେ ପଡ଼ିଥାଏ-। ଶିକାରୀମାନେ ଆଗରେ ଯାହା ଯାହା ଦେଖିଗଲେ ତାଙ୍କ ଆଖିକୁ କଦାପି ବିଶ୍ଵାସ କରି ପାରିଲେ ନାହିଁ । ସବୁ ଘଟଣା ରହସ୍ୟମୟ କାହାଣୀପରି ଜଣାପଡ଼ୁଥାଏ ।

 

ସେ ଲୋକ ବାଘ ଚମଡ଼ାକୁ ଲେଙ୍ଗୁଟି କରି ପିନ୍ଧିଥିଲା । ଦେହରେ ମଧ୍ୟ ବାଘ ଚମଡ଼ାର ଜ୍ୟାକେଟ ପରି ରହିଥିଲା । କାନରେ ଦୁଇଟି ମୋଟା ରୁଦ୍ରାକ୍ଷ । ଚେହେରା ଦେଖିଲେ ଦେଖିଲାଲୋକ ମନରେ ଛନକା ପଶିଯିବ । ସେ ଲୋକ ଭୂଇଁରୁ ଉଠି ହେଟାକୁ ଦେଖିଲା ଓ କାନ୍ଦିବାକୁ ଲାଗିଲା । ସେ ଲୋକ ତଳକୁ ନଇଁପଡ଼ିଲା ଓ ହେଟାର ମୁଣ୍ଡକୁ କୋଳରେ ରଖି ଜୋରରେ କାନ୍ଦିବାକୁ ଲାଗିଲା । ସତେ ଯେପରି ପୁତ୍ର ବିରହରେ ପିତା କାନ୍ଦୁଛି । ଏଇପରି ଦୁଇ ତିନି ମିନିଟ ଚାଲିଲା ।

 

ଭାଲୁ ଧୀରେ ଧୀରେ ଭୂଇଁକୁ ଉଠି ଚାଲିଲା ଓ ସେ ଲୋକର କାନ୍ଧ ଉପରେ ନିଜ ପଞ୍ଝା ରଖିଲା । ପୁଣି ସେ ତାକୁ ହାତରେ ଜୋରରେ ଟାଣିଲା ଗୁମ୍ଫାରୁ ବାହାରକୁ ଯିବାଲାଗି । ତା’ର ଆତ୍ମୀୟତା ପ୍ରତିଫଳିତ ହେଲା ଓ ସେ ଲୋକ ଭାଲୁ ପଛେ ପଛେ ଯିବାପାଇଁ ଉଠି ଠିଆ ହେଲା । ସେ ଲୋକଟି ଭାଲୁ ପଛେ ପଛେ ଚାଲିଲା କଦମ ଉପରେ କଦମ ପକାଇ କିନ୍ତୁ ଲୋକଟିର ଦୃଷ୍ଟି ଅପଲକ ଭାବେ ପଡ଼ିଥାଏ ହେଟା ଉପରେ । ଯେତେବେଳେ ସେ ଦୁହେଁ ଖୋଲ ବାହାରକୁ ଚାଲିଗଲେ, ଶିକାରୀ ଦୁହେଁ ଉଠି ଠିଆ ହେଲେ ଏବଂ ହେଟା ପାଖକୁ ଗଲେ । ହେଟାଟି ବଡ଼ ହୃଷ୍ଟପୁଷ୍ଟ ଥିଲା ଏବଂ ଭାରି ସୁନ୍ଦର ଦେଖାଯାଉଥିଲା । କିନ୍ତୁ ଯେତେବେଳେ ସେମାନଙ୍କ ଦୃଷ୍ଟି ହେଟା ଉପରେ ପଡ଼ିଲା, ଶିକାରୀ ଦୁହେଁ ହେଟାକୁ ଦେଖି ପଥର ପାଲଟିଗଲେ । ସେଠାରେ ଦୁଇଟି ଲାସ୍ ପଡ଼ିଥିଲା ଜର୍ମାନୀ କଇଦୀମାନଙ୍କର ।

 

ଲାସ୍‍ ସେହିଠାରେ ପଡ଼ିଥାଏ । ଦୁଇଜଣଯାକ ଶିକାରୀ ଖୁବ୍ ଶୀଘ୍ର ଖୋଲବାହାରକୁ ଆସି ନିଜ ସାଥିମାନଙ୍କ ସଙ୍ଗେ ପରାମର୍ଶକରି ଚାରିଜଣଯାକ ଚାରିଦିଗକୁ ଖେଦିଗଲେ । ଭାଲୁ ପ୍ରଥମେ ଯେଉଁଠାରେ ବସିଥିଲା ସେ ଜାଗାଆଡ଼େ ଚାଲିଲେ । ଯେଉଁ ଶିକାରୀ ଜଣକ ଉତ୍ତର ପଟକୁ ଯାଇଥିଲା, ସେ ଯେମିତି ସେ ଆଡ଼କୁ ଯାଇଛି ଗୋଟିଏ ମାଙ୍କଡ଼ ଡେଇଁ ଡେଇଁ କିଛି ଦୂର ଯିବାପରେ ଗୋଟିଏ ଝଙ୍କାଳିଆ ବୁଦା ଭିତରେ ପଶିଯିବାର ଦେଖିଲା ଓ ସେ ମାଙ୍କଡ଼ ପଶିଥିବା ବୁଦା ମଧ୍ୟରୁ ଆହୁରି ପାଞ୍ଚ ଛଅଟା ମାଙ୍କଡ଼ ଏକାଠି ବାହାରିପଡ଼ି ପଳାଇଗଲେ । ଶିକାରୀ ଆହୁରି ସତର୍କତା ସହ ସେ ବୁଦାଆଡ଼େ ଚାଲିଲା । କିନ୍ତୁ ଯେମିତି ତା’ର ଦୃଷ୍ଟି ସେ ବୁଦାଠି ପଡ଼ିଛି ତା’ ପାଦ ଆଉ ଚାଲିଲାନି । ସେଠାରେ ଗୋଟାଏ ବାଘ ପ୍ରସ୍ତୁତ ହୋଇ ଶିକାରୀ ଆଡ଼କୁ ଚାହିଁଥିଲା । ଶିକାରୀ ବାଘକୁ ଦେଖି ପଛକୁ ଫେରି ଆସିଲା ।

 

ଯେଉଁ ଶିକାରୀ ଜଣକ ପୂର୍ବ ଦିଗକୁ ଯାଇଥିଲା, ସେ ବହୁତ ଦୂର ଚାଲିବାପରେ ଭାଲୁ ବସିଥିବା ସ୍ଥାନରେ ଯାଇ ପହଞ୍ଚିଲା ଏବଂ ଆଗକୁ ଆଗେଇ ଚାଲିଲା । ସେ ଯୁଆଡ଼େ ଯାଉଥାଏ ସିଆଡ଼େ ଘଞ୍ଚଜଙ୍ଗଲ । ଗଛକୁ ଗଛ ଲଗାଲଗି ହୋଇ ରହିଥାଏ । ଜଙ୍ଗଲ ମଧ୍ୟରେ ଶିକାରୀ ଜଣକ ସବୁ ଅତିକ୍ରମ କରି ଯାଉ ଯାଉ ଗୋଟିଏ ଚଲାବାଟ ଦେଖିଲା । ସେ ଚଲାବାଟରେ ଯାଇ ଯାଇ ଗୋଟିଏ ଖୋଲା ପଡ଼ିଆରେ ପହଞ୍ଚିଲା । ସେଠାରେ ପଥରଗୁଡ଼ିଏ ପଡ଼ିଥିଲା ଓ ଗୋଟିଏ ପାଣିକୁଣ୍ଡ ଥିଲା । ସେହି ପାଣିକୁଣ୍ଡ ପାଖରେ ବସିପଡ଼ି ଆଗକୁ ଆଉ ଯିବକି ନାହିଁ ସେକଥା ଭାବିଲା-। କୁଣ୍ଡର ସାମନାରେ ଗୋଟିଏ କୁଦଥିଲା, ତା’ ଉପରେ ଗୋଟିଏ ପଥର ଚଟାଣ ଥାଏ-। ଶିକାରୀ ସେହି କୁଦ ଉପରେ ଚଢ଼ି ଚାରିଆଡ଼କୁ ଦେଖିବାକୁ ଲାଗିଲା କିନ୍ତୁ ଯେମିତି ସେ ପଥରର ପଛପଟକୁ ଗଲା ତା’ର ଚେତା ଚାଲିଯିବାକୁ ବସିଲା । ଗୋଟିଏ ବାଘୁଣୀ ଶିକାରୀକୁ ପୂରା ଲକ୍ଷ୍ୟ କରି ନେଇଛି-। ଶିକାରୀ ଭୟରେ କୁଦଉପରୁ ଓହ୍ଲାଇ ଆସିଲେ କୁଣ୍ଡପାଖକୁ । କିନ୍ତୁ ପରକ୍ଷଣରେ ଶିକାରୀ ଚାହିଁଲା ବେଳକୁ ବାଘୁଣୀ ସେଠାରେ ନାହିଁ । ଶିକାରୀର ଭୟ ବଢ଼ିଗଲା । ସେ ଭାବିଲା ବାଘୁଣୀ ଅକସ୍ମାତ ତାକୁ ଆକ୍ରମଣ କରିବ । ଗଁ ଗଁ ଶବ୍ଦ ଓ ପଥରର ଖଡ଼ଖଡ଼ ଆବାଜ ଶୁଣାଗଲା । ଶିକାରୀ କିଛି ଠିକ୍ କରି ନପାରି ହୁଇସିଲ୍ ବଜାଇଲା ଓ ସେ କୁଦଉପରକୁ ଦୌଡ଼ିଯାଇ ରୁମାଲକୁ କାଢ଼ି ବନ୍ଧୁକ ଆଗରେ ରଖି ଉପରକୁ ଉଠାଇଲା । ହୁଇସିଲ୍‍ ବାଜିବାରୁ ତା’ର ଜବାବରେ ଜଙ୍ଗଲ ମଧ୍ୟରୁ ଆଉ ତିନୋଟି ହୁଇସିଲ୍‍ ବାଜିଲା । ପ୍ରତ୍ୟୁତ୍ତରରେ ଦୁଇ ନମ୍ବର ଶିକାରୀ ପୁଣିଥରେ ହୁଇସିଲ୍‍ ବଜାଇଲା-। କିନ୍ତୁ ଏଥର ହୁଇସିଲ୍‍ ସେ ପୂରା ବଜାଇ ପାରିଲାନି । ବାଘୁଣୀ ଗୋଟିଏ ଦମରେ ତାକୁ ଝାମ୍ପିନେଇ ତଳେପଡ଼ିଲା । ରୁମାଲ ଗୋଟିଏ ଆଡ଼େ ତ ବନ୍ଧୁକ ଅନ୍ୟ ଆଡ଼େ ଏବଂ ସେ ନିଜେ ଓ ବାଘୁଣୀ ଅନ୍ୟ ଗୋଟିଏ ପଟେ । ବାଘୁଣୀର ଲକ୍ଷ୍ୟ ପ୍ରକୃତରେ ଭୁଲ ହୋଇଥିଲା । ବାଘୁଣୀ ବନ୍ଧୁକ ଉପରେ ଲାଗିଥିବା ରୁମାଲକୁ ଲୋକ ବୋଲି ଭାବି ଲମ୍ପପ୍ରଦାନ କରିଥିଲା । ନାହିଁ ଯଦି ସେ ଶିକାରୀ ଉପରକୁ କୁଦା ମାରିଥାନ୍ତା ତା’ହେଲେ କଥା ଶେଷ ହୋଇଯାଇ ଥାନ୍ତା ।

 

ଶିକାରୀ ତା’ ଛୁରି ବାହାର କରି ହାତରେ ମଜବୁତ୍ କରି ଧରିଲା ଓ ହୁଇସିଲ୍‍ ବଜାଇ ନିଜ ବନ୍ଧୁକ ଧରିବାକୁ ଦୌଡ଼ିଲା । କିନ୍ତୁ ବାଘୁଣୀ ମଧ୍ୟ ତା’ଠାରୁ ଆହୁରି ଚାଲାକ ଥିଲା । ବାଘୁଣୀ ପୂରା ତାକତ ଲଗାଇ ଶିକାରୀ ଉପରକୁ ଜଂପ କଲା । କିନ୍ତୁ ଶିକାରୀ ତା’ ଶରୀରକୁ ଏପରି ଭାବରେ ବୁଲାଇ ଦେଲା ଯେ ବାଘୁଣୀର ଲକ୍ଷ୍ୟ ଭ୍ରଷ୍ଟ ହେଲା । ଅସଫଳତାରେ ଅସହିଷ୍ଣୁ ବାଘୁଣୀ ବାରମ୍ବାର କୁଦାମାରିଲା । କିନ୍ତୁ ସୁଦକ୍ଷ ଶିକାରୀ ନିଜ ଶରୀରକୁ ଏପଟ ସେପଟକୁ ବୁଲାଇ ନେଇ ଲକ୍ଷ୍ୟ ଭ୍ରଷ୍ଟ କରି ଦେଉଥାଏ । ପଞ୍ଚମଥର ଶିକାରୀ ବୁଲିଗଲାବେଳକୁ ତା’ର ଗୋଡ଼ ଖସିଗଲା ଓ ସେ ଯାଇ ବାଘୁଣୀ ଉପରେ ପଡ଼ିଲା । ବାଘୁଣୀ ମୁହଁରେ ବନ୍ଧୁକ ନଳୀ ହାବୁଡ଼େ ପଡ଼ିଯିବାରୁ, କ୍ରୋଧରେ ସେ ବନ୍ଧୁକ ନଳୀକୁ ଚୋବାଇ ଲାଗିଲା । ଶିକାରୀ ଛୁରାଟି କାଢ଼ି ବାଘୁଣୀର ପେଟରେ ବସାଇ ଦେଲା । ବାଘୁଣୀ ବନ୍ଧୁକକୁ ଛାଡ଼ି ଶିକାରୀ ଉପରକୁ କୁଦାମାରିଲା । ଶିକାରୀ ଏଥର ମଧ୍ୟ ମରୁ ମରୁ ବଞ୍ଚିଗଲା । କିନ୍ତୁ ଶିକାରୀ ହାତରେ ଏଥରକ ବନ୍ଧୁକ କି ଛୁରି କିଛି ନଥିଲା । ଛୁରି ବାଘୁଣୀ ପୁଟାରେ ଓ ବନ୍ଧୁକ ତଳେ ପଡ଼ିଯାଇଥିଲା । ଶିକାରୀର ଶରୀର ଝାଳରେ ଓଦା ହୋଇଗଲା ବାଘୁଣୀ, ଏଥରକ ସାମନାପଟୁ ଜଂପ ମାରିଲା । ବାଘୁଣୀ ଜଂପ ମାରିବା ପୂର୍ବରୁ ଶିକାରୀ ଢାଏ କିନି ଗୋଟାଏ ଚୋଟ ଲଗେଇଦେଲା ସେଇଥିରେ ବାଘୁଣୀ ତଳେ ପଡ଼ିଗଲା ଆଉ ଉଠିଲାନି । ଆଉ ଗୋଟିଏ ଗୁଳି ମଧ୍ୟ ଫୁଟିଲା । ପ୍ରଥମ ଗୁଳି କାନ ମୁଣ୍ଡାରେ ଏବଂ ଦ୍ଵିତୀୟଟି ଛାତିରେ ବସିଲା-। ସାରା ଜଙ୍ଗଲ ବନ୍ଧୁକ ଆବାଜରେ କମ୍ପି ଉଠିଲା । ଶିକାରୀ ଦେଖିଲା ତା’ ତିନି ସାଥି ଆସି ତା’ପାଖେ ପହଞ୍ଚିଯାଇଛନ୍ତି । ଶିକାରୀ ବାଘୁଣୀ ପାଖକୁ ଯାଇ ଯାହା ଦେଖିଲା ସେଥିରେ ଆଶ୍ଚର୍ଯ୍ୟ ନହୋଇ ରହି ପାରିଲା ନାହିଁ । ବାଘୁଣୀର ଦୁଇ କାନରେ ରୁଦ୍ରାକ୍ଷ ଗୋଟିଏ ଗୋଟିଏ ବନ୍ଧା ହୋଇଥିଲା । ଏ ସବୁ ଘଟଣା ଶିକାରୀକୁ ଯାଦୁବିଦ୍ୟା ପରି ଜଣାପଡ଼ୁଥିଲା ।

 

ସେତେବେଳକୁ ସନ୍ଧ୍ୟା ଉପସ୍ଥିତ ହୋଇ ସାରି ଥାଏ । ତେଣୁ ସେମାନେ ରାତିଟି ସେଠାରେ କଟାଇବାକୁ ସ୍ଥିର କଲେ । ପୁଣି ସେମାନଙ୍କର ଇଛା ହେଲା ଏ ରହସ୍ୟର ସତ୍ୟ ଘଟଣା ଉଦ୍‌ଘାଟନ କରିବାକୁ । ଚତୁର୍ଥୀର ଚନ୍ଦ୍ର ଆସ୍ତେ ଆସ୍ତେ ଅସ୍ତ ହେବାପରେ ସେମାନେ ଦେଖିଲେ ପଶ୍ଚିମ ଦିଗରେ ଗୋଟିଏ ଲୋକକୁ । ସମସ୍ତଙ୍କର ଦୃଷ୍ଟି ସେଇ ଆଡ଼କୁ ପଡ଼ିଲା । ଆହୁରି ମଧ୍ୟ ଦେଖାଗଲା ଜଣେ ଲୋକ ମଶାଲଟିଏ ଧରି ଆସୁଛି ଏବଂ ତା’ ସାଙ୍ଗରେ ଆଉ ଜଣେ ଲୋକ ବନ୍ଧୁକଟିଏ ଧରି ପଛେ ପଛେ ଅଗ୍ରସର ହେଉଛି । କିଛି କ୍ଷଣପରେ ଅନ୍ୟ ତିନି ଦିଗରୁ ମଧ୍ୟ ସେହିପରି ମଶାଲ ବାହାରି ସେମାନଙ୍କ ଆଡ଼କୁ ଆଗେଇ ଆସିଲା । ଚାରିଜଣ ଯାକ ଶିକାରୀ ଭୟରେ ନିଜ ନିଜର ବନ୍ଧୁକ ସମ୍ଭାଳି ଧରିଲେ । ଚାରିଜଣ ଯାକ ମଶାଲ ବାହକ ଖୁବ୍ ଜୋରରେ ସେମାନଙ୍କ ଆଡ଼କୁ ଆଗେଇ ଆସୁଥିଲେ । ଶିକାରୀମାନେ ଆତ୍ମରକ୍ଷା ପାଇଁ ବନ୍ଧୁକରେ ଲକ୍ଷ୍ୟଭେଦ କରିବାକୁ ଉଦ୍ୟତ ହେଲେ । କିନ୍ତୁ ହଠାତ୍ ପିସ୍ତଲ ଫୁଟିବାର ଶବ୍ଦ ହେଲା ଏବଂ ଚାରିଜଣ ବଳିଷ୍ଠ ଲୋକ ସେମାନଙ୍କ ବନ୍ଧୁକ ଛଡ଼ାଇ ନେଲେ । ଗୁଳି ଆବାଜ ଶୁଣି ସେ ମଶାଲ ବାହକମାନେ ଓ ଅନ୍ୟ ବନ୍ଧୁକଧାରିମାନେ ଦୌଡ଼ିଆସି ଶିକାରୀ ଚାରିଜଣଙ୍କୁ ଘେରିଗଲେ । ଛଅଜଣ ଲୋକ ବାଘୁଣୀକୁ ବାନ୍ଧି କାନ୍ଧେଇଲେ ଓ ଚାଲିଲେ । ତାଙ୍କ ଆଗରେ ଗୋଟିଏ ମଶାଲ ଚାଲିଲା ପୁଣି ତାଙ୍କ ପଛରେ ଚାରିଜଣ ଶିକାରୀ ଏବଂ ସଶସ୍ତ୍ର ପ୍ରହରୀ ଓ ଶେଷରେ ଆଉଜଣେ ମଶାଲ ବାହାକ ।

 

ଗୋଟିଏ ବଡ଼ଗଛ ପାଖରେ ସମସ୍ତେ ଅଟକି ଗଲେ । ମଶାଲ ଧରିଥିବା ଲୋକମାନେ ମଶାଲକୁ ଲିଭେଇ ଦେଲେ । ସମସ୍ତେ ଅନ୍ଧକାର ମଧ୍ୟରେ ପ୍ରାୟ ଦଶ ମିନିଟ ଚାଲିଲେ ଏବଂ ଗୋଟିଏ ବଡ଼ ପଥର ଚଟାଣ ଥିବା ସ୍ଥାନରେ ଅଟକି ଗଲେ । ଚାରିପଟେ ବଡ଼ ବଡ଼ ବୃକ୍ଷ ରାଜି ଭୟଙ୍କର ଅନ୍ଧକାର ସୃଷ୍ଟି କରୁଥାଏ ।

 

ସମସ୍ତେ ଚଟାଣ ମଧ୍ୟରେ ଗୋଟିଏ ସରୁଗଳି ରାସ୍ତାରେ ଚାଲିଲେ । କିଛି ସମୟପରେ ସେମାନେ ଗୋଟିଏ ନିଆଁ ଜଳୁଥିବା ସ୍ଥାନରେ ପହଞ୍ଚିଲେ । ସେଠାରେ ଦୁଇଜଣ ଲୋକଥିଲେ । ସମସ୍ତେ ତାଙ୍କୁ ଅଭିବାଦନ ଜଣାଇ ସେଠାରେ ବସିପଡ଼ିଲେ । କିଛି କ୍ଷଣ ପରେ ଗୋଟିଏ ବାଘ ବାହାରିଲା । ପୁଣି ଗୋଟିଏ ମୃଗ ଓ ତା’ପରେ ବାଘଚମଡ଼ା ପିନ୍ଧିଥିବା ଜଣେ ସାଧୁ । ସାଧୁଙ୍କ ପଛରେ ପୂର୍ବ ବର୍ଣ୍ଣିତ ସେ ଭାଲୁ ଥିଲା । ସାଧୁ ଆସି ନିଆଁ ଜଳୁଥିବା ସ୍ଥାନରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋଟିଏ ଆସନରେ ବସିଗଲେ । ତା’ଙ୍କ ପାଖଲାଗି ଗୋଟିଏ କୋଣରେ ଶୋଇଥିବା ଗୋଟିଏ ହେଟାବାଘ ଓ ତା’ର ଦୁଇଛୁଆଙ୍କୁ ସ୍ନେହରେ ଚାହିଁଲେ । କିଛିକ୍ଷଣ ଆଖିବୁଜି ବସିଲେ । ପୁଣି ଆଖି ଫିଟାଇ ଗମ୍ଭୀର ସ୍ଵରରେ କହିଲେ, ଚାରିଜଣଙ୍କ ପାଇଁ ଖାଦ୍ୟ ଆଣ ।

 

ଶୁଣିବା ମାତ୍ରେ ତିନିଜଣ ଲୋକ ଭିତରକୁ ଗଲେ ଓ ପାଞ୍ଚୋଟି ଥାଳିରେ ଖାଦ୍ୟପଦାର୍ଥ ଆଣି ପ୍ରଥମ ଚାରୋଟି ଥାଳି ଚାରିଜଣ ଶିକାରୀଙ୍କୁ ଦେଲେ ଓ ପଞ୍ଚମ ଥାଳିଟି ସାଧୁଙ୍କ ଆଗରେ ରଖିଲେ । କିନ୍ତୁ ସାଧୁ ସେ ଭୋଜନ ଥାଳିକି ଦେଖି କାନ୍ଦିବାରେ ଲାଗିଲେ ଏବଂ ରୁଦ୍ଧ ଗଳାରେ କହିଲେ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ହରାଇ କେଉଁ ବାପ ଅବା ଭୋକ ଅନୁଭବ କରିବ । ପୁଣି ସେ କାନ୍ଦିବାରେ ଲାଗିଲେ । ତାଙ୍କ କାନ୍ଦଣା ଏଡ଼େ ହୃଦୟ ବିଦାରକ ଥିଲା ଯେଉଁଥିରେ କି ଶିକାରୀମାନଙ୍କ ହୃଦୟ ମଧ୍ୟ ସେ ଶବ୍ଦରେ ଦୁଃଖିତ ହୋଇଗଲା । ସେମାନେ ଭୋକିଲା ଥାଇ ମଧ୍ୟ ଖାଦ୍ୟ ଖାଇଲେନି । ସାଧୁ ସେମାନଙ୍କୁ କହିଲେ ଆପଣମାନେ ଖାଇ ନିଅନ୍ତୁ । ମୋର ଆପଣଙ୍କ ପାଖେ କାମ ଅଛି ।

 

ଖାଇ ସାରି ଆମେ ସମସ୍ତେ ସେ ଧୁନିର ଚାରିପଟେ ବସି ପଡ଼ିଲୁ । ଧ୍ୟାନରେ ବସିଥିବା ସାଧୁ ସେଇଠୁ ଆରମ୍ଭ କଲେ, ଆପଣମାନେ ସବୁ ପେଶାଦାର ଶିକାରୀ ଏବଂ ଜଙ୍ଗଲର ଏପଟକୁ କେବେ ଆସିନାହାନ୍ତି ଏହା ମୁଁ ଜାଣେ । ମୋର ମଧ୍ୟ ଏ ବିଶ୍ଵାସ ଅଛି ଭବିଷ୍ୟତରେ ଆପଣମାନେ ଏପଟକୁ ଆସିବେନି । ମନାକଲା ଲୋକ କେହି ନାହିଁ । କିନ୍ତୁ ଆପଣଙ୍କ ବିବେକ ବାଧା ଦେବ । ମୁଁ ବର୍ତ୍ତମାନ ଆମ୍ଭମାନଙ୍କ ପରିଚୟ ଆପଣମାନଙ୍କୁ ଦେଉଛି । ଆମେ ହେଉଛୁ ଗୋଟିଏ ବିଦ୍ରୋହୀ ଦଳ । ଦେଶକୁ ଇଂରେଜମାନଙ୍କ ଗୋଲାମିରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଆମେ ଭାରତ ବ୍ୟାପୀ ଗୋଟିଏ ଗୁପ୍ତ ଆନ୍ଦୋଳନ ଆରମ୍ଭ କରିଛୁ । ଏଠାରେ ଆମେ ବିଗତ ଆଠ ବର୍ଷ ଧରି ଅଛୁ । ଯଦି ଭଗବାନ ଚାହାନ୍ତି ତେବେ ୪/୫ ବର୍ଷ ମଧ୍ୟରେ ଆମେ ଇଂରେଜମାନଙ୍କୁ ଦେଶରୁ ବଳପ୍ରୟୋଗ କରି ବାହାର କରିଦେବୁ । ଆମକୁ ଦେଶବାସୀଙ୍କ ଠାରୁ ଅକୁଣ୍ଠ ସାହାଯ୍ୟ ଓ ସହାନୁଭୂତି ମିଳୁଛି । ସମୟ ଆସିଲେ ଆମେ ଆପଣମାନଙ୍କୁ ମଧ୍ୟ ଆନ୍ଦୋଳନ ପାଇଁ ଆହ୍ଵାନ କରିବୁ ।

 

କିଛିକ୍ଷଣ ନୀରବ ରହି କିଛି ମାଟି ଉଠାଇ ନେଇ ସେ ସାଧୁ ଜଣଙ୍କ କହିଲେ, ଏହି ମାଟିରୁ ଆମ ଶରୀର ଜନ୍ମ । ଆମର ପୂର୍ବପୁରୁଷମାନଙ୍କ ଶରୀର ମଧ୍ୟ ଏଥିରୁ ନିର୍ମିତ ହୋଇଥିଲା ଏବଂ ଆମେ ମଧ୍ୟ ଏ ମାଟିକୁ ଫେରିଯିବା । ମହାନ ଆମର ଏ ଦେଶ । ଏହାକୁ ବିଦେଶୀଙ୍କ କବଳରୁ ରକ୍ଷା କରିବା ଆମର ପରମ ଧର୍ମ । ପୁଣି ଆପଣମାନେ ଏ ପଶୁମାନଙ୍କୁ କାହିଁକି ହତ୍ୟା କରୁଛନ୍ତି । ଏହା କ’ଣ ମନୁଷ୍ୟର ମହତ୍ ପଣିଆ, ମୁଁ ବିଗତ ଆଠ ବର୍ଷ ଧରି ଏଠାରେ ରହୁଛି ନିରସ୍ତ୍ର ହୋଇ କିନ୍ତୁ କୌଣସି ଜନ୍ତୁ ମୋତେ ଖାଇ ନାହାନ୍ତି । ମୁଁ ମୋ ବୁଦ୍ଧି ବଳରେ ପଶୁମାନଙ୍କୁ ବଶ କରି ରଖିଛି । ମନୁଷ୍ୟ ଅପେକ୍ଷା ପଶୁକୁ ବଶ କରିବା ସହଜ । ଏହାମାନେ ନୁହେଁ ମନୁଷ୍ୟ ଅନ୍ତରର ପୁଣ୍ୟ ମହତ୍ତ୍ଵପ୍ରତି ମୋର ଆସ୍ଥା ନାହିଁ । ଏ ଜଙ୍ଗଲର ପଶୁପକ୍ଷୀ, ଗଛଲତା ସବୁ ମୋର ଅତି ପ୍ରିୟ ମୁଁ ଏମାନଙ୍କୁ ପ୍ରେମକରେ ଏବଂ ଦୁଷ୍ଟାମି ପାଇଁ ମଧ୍ୟ ଶାସ୍ତିଦିଏ । ସେହି ହେଟାକୁ ମୁଁ ମାରିଦେଲି କାରଣ ସେ ମଣିଷଖିଆ ପାଲଟିଯାଇଥିଲା । କିନ୍ତୁ ଦଣ୍ଡଟା ଅତି କଠିନ ହୋଇଗଲା ତେଣୁ ମୁଁ ଦୁଃଖିତ ।

 

ସେ ପୁଣି କହିଲେ, କିଛି ବିଦେଶୀ କଇଦୀ ଜେଲରୁ ପଳାଇ ଆସି ଏଠାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ହେଟାର ଆହାର ହୋଇଛନ୍ତି । ଅବଶିଷ୍ଟ ଚାରିଜଣ ଆମର ଆଶ୍ରୟ ନେଇଛନ୍ତି । କିନ୍ତୁ ସେମାନେ ଆମର ଅତିଥି । ସେମାନଙ୍କୁ କେହି ଏଠାରୁ ନେଇ ଯାଇପାରିବେ ନାହିଁ । ଆପଣମାନେ ମଧ୍ୟ ଚେଷ୍ଟା କରିବା ଅନୁଚିତ । ସେମାନେ ଭାରତର ମିତ୍ର । ସେମାନେ ଆମ ଦେଶର କିଛି ଅନିଷ୍ଟ କରିନାହାନ୍ତି । ଆପଣମାନେ ବର୍ତ୍ତମାନ ଯାଆନ୍ତୁ । ଆମ ପ୍ରହରୀ ଆପଣମାନଙ୍କୁ ନେଇ ଗାଁ ପାଖେ ଛାଡ଼ିଦେବ । କିନ୍ତୁ ଶେଷରେ ମୋ ଅନୁରୋଧ ଏ ନିରୀହ ପଶୁହତ୍ୟା କରିବେ ନାହିଁ । ଆପଣଙ୍କ ଦେହର ରକ୍ତ ମଧ୍ୟ ସେମାନଙ୍କ ଦେହରେ ପ୍ରବାହିତ ହେଉଛି-। ନିଜ ମାତୃଭୂମିର ଋଣ ପରିଶୋଧ ପାଇଁ ଚେଷ୍ଟା କରନ୍ତୁ କିନ୍ତୁ ବର୍ତ୍ତମାନ ଆମ ବିଷୟରେ ଅନ୍ୟ କାହାକୁ କିଛି କହିବେନି ।

 

ଦୁଇଜଣ ପ୍ରହରୀ ଆମକୁ ନେଇ ଛାଡ଼ି ଆସିବା ପାଇଁ ପ୍ରସ୍ତୁତ ହେଲେ । ଚାରିଜଣ ଶିକାରୀଙ୍କ ମଧ୍ୟରୁ ଜଣେ ଉଠି ଠିଆ ହେଲା ଓ ସେ ସାଧୁର ପାଦଛୁଇଁ ପ୍ରତିଜ୍ଞା ସ୍ୱରରେ କହିଲା, ଆପଣଙ୍କ ପ୍ରତ୍ୟେକ ଶବ୍ଦ ଆମପାଇଁ ପିତାର ଆଜ୍ଞା ସଦୃଶ । ଆପଣଙ୍କ ହୁକୁମ ମିଳିବାମାତ୍ରେ ଆମେ ଚାରିଜଣ ନୋହୁଁ ଚାରିହଜାର ଆପଣଙ୍କ ସେବାରେ ହାଜର ହୋଇଯିବୁ । ମୋ ନାଁ ଜଙ୍ଗବାହାଦୁର ଏବଂ ମୁଁ ଏହି ମାଖନପୁର ଗାଁର ନିବାସୀ ଅଟେ ।

 

ଏ କାହାଣୀ ଶୁଣି କ୍ୟାପଟେନ ମାଧବ ବିନାୟକ ଅବାକ୍ ହୋଇଗଲେ ତାଙ୍କର ମଥା ଜଙ୍ଗବାହାଦୁରଙ୍କ ପାଖରେ ଅବନତ ହେବାକୁ ଚାହିଁଲା । କିଛି କ୍ଷଣ ରହି ଜଙ୍ଗବାହାଦୁର କହିଲେ, ମାଲିକ, କିନ୍ତୁ ସେ ମୋତେ ଆଉ ଡାକିଲେନି । ମୁଁ ତାଙ୍କୁ ବହୁତ ଖୋଜିଲି କିନ୍ତୁ ପାଇଲିନି । ବୋଧହୁଏ ସେ ମୋତେ ବିଶ୍ୱାସ କଲେନି । ସେ ତ ପଶୁମାନଙ୍କୁ ମଧ୍ୟ ବିଶ୍ୱାସ କରୁଥିଲେ । କିନ୍ତୁ ମୁଁ କ’ଣ ଏଡ଼େ ପାପୀ ପଶୁମାନଙ୍କ ଠାରୁ ?

 

ଜଙ୍ଗବାହାଦୁର କଇଁ କଇଁ ହୋଇ କାନ୍ଦିବାରେ ଲାଗିଲେ । କିନ୍ତୁ ତାଙ୍କର ବିଶ୍ୱାସ ତା’ର ମାଲିକ ନିଶ୍ଚୟ ତାକୁ ଡାକିବେ । ମାତୃଭୂମିପ୍ରତି ତାଙ୍କର ବନ୍ଧୁକ ମଧ୍ୟ ସେଇ ଅପେକ୍ଷାରେ ରହିଛି ।

 

ଜଙ୍ଗବାହାଦୁର ହସି ହସି ବନ୍ଧୁକକୁ ଚାହିଁ ଚାହିଁ ଚିତ୍କାର କରୁଥିଲେ, ରେ ବନ୍ଧୁକ, ତୋ’ର ସଦ୍‌‌ବ୍ୟବହାର ମୁଁ କରିବି, ମୋ ମାତୃଭୂମିର ସ୍ଵାଧୀନତା ପାଇଁ ।

✽✽✽

 

ମହାରାଜାଙ୍କ ପରିବାର

 

ଶିକାରୀ ଜୀବନରେ ଆଚମ୍ବିତ କଥାର ଅଭାବ ନାହିଁ । ଏପରି ଘଟଣା ଘଟିବ, ଯାହାକି ତୁମେ କେବେ କଳ୍ପନା କରିପାରିବ ନାହିଁ । ବେଳେ ବେଳେ ଗୋଟିଏ ଶିକାର କରିବାକୁ ଯାଇ ଅନ୍ୟ ଜନ୍ତୁ ଶିକାର କରି ଘରେ ଆସି ପହଞ୍ଚିବାକୁ ହୁଏ, ସମୟେ ସମୟେ ଜଙ୍ଗଲ ଭିତରେ ଏପରି ଦୃଶ୍ୟ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ କୌତୂହଳାତ୍ମକ । କିଛି ବର୍ଷ ପୂର୍ବେ ଖବରକାଗଜରେ ପ୍ରକାଶ ପାଇଥିଲା ଯେ ମଧ୍ୟପ୍ରଦେଶର ଗୋଟିଏ ଜଙ୍ଗଲରେ ଅଜଗରଟିଏ ବାଘକୁ ଗିଳି ଦେଇଥିଲା । ବଣରାଜାର ଦାନ୍ତ ଓ ପଞ୍ଝା ବାହାରକୁ ରହିଯାଇଥିଲା ଓ ଅଜଗର ଗର୍ଭରେ ତା’ର ହାଡ଼ ଗୁଣ୍ଡ ହୋଇଯାଇଥିଲା । ମେଜର କୈଳାସ ବାବୁ ଏବଂ ଅନେକ ଲୋକ ବସରେ ବସି ଏହିଦୃଶ୍ୟ ଦେଖୁଥିଲେ । ଭଲା କାହାର ଏହି ଦର୍ଶକମାନଙ୍କ ସୌଭାଗ୍ୟ ପ୍ରତି ଈର୍ଷା ନହେବ ।

 

ମେଜର କୈଳାସ ବାବୁ ଗୋଡ଼େନାଥ ମେଳା ଦେଖିବାକୁ ଯାଇଥିଲେ । ଗୋଡ଼େନାଥ ନେପାଳ ସୀମାରେ ଅବସ୍ଥିତ କିନ୍ତୁ ତାଙ୍କ ଘରଠାରୁ ପ୍ରାୟ ୨୪।୨୫ ମାଇଲ ହେବ । ସୋମେମ୍ବର ପାହାଡ଼ ପାରି ହେବାପରେ ଗୋଡ଼େନାଥରେ ଯାଇ ପହଞ୍ଚିବାକୁ ହୁଏ ।

 

ମେଜର କୈଳାସ ବାବୁଙ୍କ ଆସିବା ଖବର ପାଇ ରାମପ୍ରସାଦ ଆସିଗଲେ । କହିଲେ, ବହୁତ ଦିନରେ ଦର୍ଶନ ମିଳିଲା । କୈଳାସ ବାବୁ ତାଙ୍କୁ ଉତ୍ତର ଦେବାକୁ ଯାଇ କହିଲେ, କ’ଣ କରିବି ? ମୋତେ ତ ମୋଟେ ସମୟ ମିଳୁନି, ରାମପ୍ରସାଦର ସହୃଦୟତା ଓ ସରଳତା କଥାରେ ଅତି ପ୍ରୀତ ହୋଇଗଲେ ମେଜର କୈଳାସ ବାବୁ । ସେ ହସି ହସି କହିଲେ, ଅନ୍ୟବେଳେ ସମୟ ମିଳୁନି ଯେ, ମେଳାକୁ ଆସିବାପାଇଁ ଆପଣଙ୍କୁ ସମୟ ମିଳିଲା ।

 

କୈଳାସ ବାବୁ ଛେପ ଢୋକି କହିଲେ, ଏତ କହିବାକୁ ଗଲେ ନେପାଳ ଜଙ୍ଗଲର ସୌନ୍ଦର୍ଯ୍ୟ ଓ ସୁଷମା ମୋତେ ଆକୃଷ୍ଟ କରିଛି । ସେହି ମୋତେ ଆଣି ଏଠାରେ ପହଞ୍ଚାଇ ଦେଲା । ନହେଲେ ଅଗସ୍ତି କୁଣ୍ଡପରି ଅନେକ ପ୍ରପାତ ମୁଁ ଦେଖିଛି । ହଁ ଅବଶ୍ୟ ନିଘଞ୍ଚ ବନାନୀର ଶୋଭା ମୋତେ ପାଗଳ କରିଛି, ବିମୁଗ୍‌ଧ କରିଛି । କିନ୍ତୁ ତୁମର ହୁକୁମ କ’ଣ ?

 

ବାସ୍‍ ! ଗୋଟିଏ ଘୁଷୁରି ମାରି ଦିଅନ୍ତୁ । ହସି ହସି ରାମପ୍ରସାଦ କହିଲେ । ଦନ୍ତା ଘୁଷୁରି ମାଂସ ଖାଇବା ବହୁତ ଦିନ ହୋଇ ଗଲାଣି । କୈଳାସ ବାବୁ କହିଲେ, ଦନ୍ତା ଘୁଷୁରି ତ ମୋ ପକେଟରେ ନାହାନ୍ତି ଯେ ସାଙ୍ଗେ ସାଙ୍ଗେ ଗଡ଼ାଇ ଦେବି । ଶିକାରର ଠିକ୍‍ ଠିକଣା ନାହିଁ । ଘରୁ ଆସୁ ଆସୁ କୁଆଡ଼େ ସାଙ୍ଗେ ସାଙ୍ଗେ ଶିକାର କରିଦେବେ ।

 

କୈଳାସ ବାବୁଙ୍କ କଥା ଶୁଣି ରାମପ୍ରସାଦ ରାଗିଗଲେ ଏବଂ କହିଲେ, ନାହିଁ ମୁଁ ଆପଣଙ୍କ କଥାରେ ଆସିବିନି କେତେଥର ଆପଣ ଏମିତି କହି ଆସି ନାହାନ୍ତି । ଘୁଷୁରି ମାରିସାରିବାପରେ ହିଁ ଆପଣ ଯିବେ । କୈଳାସ ବାବୁଙ୍କ ଚେହେରା ଖରାପ ହୋଇଗଲା । ସୋମେଶ୍ୱର ପାହାଡ଼ର ଅଧିକାଂଶ ସମୟ ଶିକାରବେଳେ ରାମପ୍ରସାଦ ତାଙ୍କ ସାଙ୍ଗରେ ରୁହନ୍ତି, ସେ ଜଣେ ଖୁସି ମିଜାଜର ଚାଷୀ । ତାଙ୍କ ସଙ୍ଗେ ଶିକାରକୁ ଯିବା ଖୁବ୍ ଆନନ୍ଦଦାୟକ । କୈଳାସ ବାବୁ ମଧ୍ୟ ତାଙ୍କ ମନରେ ଦୁଃଖ ଦେବାକୁ ଚାହୁଁନଥିଲେ । ସେଠାରୁ କାହାକୁ ପଠାଇ ଘରୁ ବନ୍ଧୁକ ମଗାଇ ପାରିଥାନ୍ତେ । କିନ୍ତୁ ଅଯଥାରେ ଗୋଟିଏ ଦିନ ନଷ୍ଟହୋଇ ଯାଇଥାନ୍ତା । କୈଳାସ ବାବୁ ପ୍ରାର୍ଥନା କରିବା ସ୍ୱରରେ କହିଲେ, ମୁଁ ତୁମକୁ କଥା ଦେଉଛି ରାମ ପ୍ରସାଦ ଆଜିଠାରୁ ଠିକ୍ ଆଠ ଦିନ ମଧ୍ୟରେ ମୁଁ ଫେରି ଆସିବି ଏବଂ ଦନ୍ତା ଘୁଷୁରି ଶିକାର କରି ତୁମକୁ ଦେଇକରି ଯିବି । ଯଦି ତୁମେ ଅବିଶ୍ୱାସ କରୁଛ ତା’ହେଲେ ମୋର କିଛି ଜିନିଷ ବନ୍ଧା ରଖ ।

 

କୈଳାଶ ବାବୁ ତାଙ୍କର ପ୍ରତିଜ୍ଞା ରକ୍ଷାକଲେ । ଠିକ୍ ଯେଉଁଦିନ ଆଠ ଦିନ ହେଲା ସେହିଦିନ ବନକଟବାରେ ପହଞ୍ଚିଲେ । ପହଞ୍ଚିବା ମାତ୍ରେ ରାମପ୍ରସାଦ କୈଳାସ ବାବୁଙ୍କୁ ସ୍ଵାଗତ ଜଣାଇଲେ । ବୋଧହୁଏ ତାଙ୍କ ଆସିବା ଖବର ଚାରିଆଡ଼େ ଜଣାଶୁଣା ହୋଇଯାଇଥିଲା । ତାଙ୍କୁ ଦେଖିବା ପାଇଁ ଗ୍ରାମର ଲୋକମାନେ ଆସି ଠୁଳ ହୋଇଗଲେ । କୁଶଳତା କଥା ପଚାରିବା ପୂର୍ବରୁ ଘୁଷୁରି କଥା ପଡ଼ିଲା । ସେଦିନ କୁଆଡ଼େ ଯିବାପାଇଁ କୈଳାଶ ବାବୁଙ୍କର ଇଚ୍ଛା ହେଲାନି ।

 

ପରଦିନ ସକାଳେ ବାହାରିଲେ । କେବଳ ଦୁଇଜଣ ଲୋକ ତାଙ୍କ ସାଙ୍ଗରେ ଥିଲେ । ବାହାରିବାରେ ଟିକିଏ ବିଳମ୍ବ ହୋଇଯାଇଥିଲା । ସୂର୍ଯ୍ୟ ଉଇଁ ସାରିଥିଲେ । ଅନେକ ବୁଦିଆ ଜଙ୍ଗଲକୁ ତନ୍ନ ତନ୍ନ କରି ପରୀକ୍ଷା କଲେ । ରାତିରେ ବୁଲା ବୁଲି ଶେଷକରି ସକାଳୁ ଫେରି ଯାଇଥିବା ଅନେକ ଘୁଷୁରିଙ୍କ ପାଦ ଚିହ୍ନ ମିଳିଲା । ଘୁଷୁରିମାନଙ୍କ ପାଦ ଚିହ୍ନ ମିଳିଲା ପଛେ ଗୋଟିଏ ଘୁଷୁରି କିନ୍ତୁ ଦେଖିବାକୁ ପାଇଲେ ନାହିଁ । ଅନେକ ଜାଗା ବୁଲି ବୁଲି ଫେରିଲେ । ରାମପ୍ରସାଦ କହିଲେ, ଗୋଟିଏ ଉପାୟ କରିବା ।

 

କି ଉପାୟ । କୈଳାସ ବାବୁ ପଚାରିଲେ । ସବୁଠାରୁ ଭଲ ଉପାୟ ହେଉଛି, ରାତି ଦୁଇଘଣ୍ଟାଥିବ ଯେଉଁଠାରେ ଘୁଷୁରି ସବୁ ଚରୁଛନ୍ତି ସେଇ ଜାଗାରେ ଯାଇ ଆମେ ପହଞ୍ଚିବା । ସେମାନେ ଫେରିବା ସମୟରେ ନିଶ୍ଚୟ ଆମର ଶିକାର ହେବେ । ସେମାନଙ୍କ ମଧ୍ୟରୁ ଜଣେ ଆପତ୍ତିକରି କହିଲା, ନାହିଁ ତାହା ଉପାୟ ନୁହେଁ, କାରଣ ଘୁଷୁରି ଯେଉଁବାଟେ ଯାଇଥାନ୍ତି, ସେହିପଟେ ଫେରିବା ନଫେରିବା ନିଶ୍ଚିତନୁହେଁ । ସେମାନେ ଅନ୍ୟ କୌଣସି ବାଟରେ ମଧ୍ୟ ଫେରି ପାରନ୍ତି ।

 

କୈଳାସବାବୁ ତାଙ୍କ କଥାକୁ ସମର୍ଥନ କରି କହିଲେ, ତୁମେ ଆଜି ତୃତୀୟ ପ୍ରହରରେ ଏପରି ସ୍ଥାନ ନିରୂପଣ କର ଯେଉଁଠାରେ କି ସେମାନେ ଯିବା ଆସିବା କରିବାର ବେଶୀ ପାଦଚିହ୍ନ ପଡ଼ିଥିବ । ଆମେ ରାତିସାରା ସେଠାରେ ବସି ଭାଗ୍ୟ ପରୀକ୍ଷା କରିବା । ତାହାହିଁ କରାଗଲା । ଗୋଟିଏ ଭଲ ଜାଗା ଖୋଜାଗଲା । ସେମାନେ ସବୁ ଖାଇପିଇ ରାତି ପ୍ରାୟ ନଅଟା ବାଜିବା ବେଳକୁ ସେଠାରେ ପହଞ୍ଚି ନିଜନିଜ ଜାଗାରେ ଛପି ରହିଲେ । ଜହ୍ନପକ୍ଷ ରାତି । ରାତ୍ରିର ଶେଷପ୍ରହରରେ ଘୁଷୁରିଙ୍କର ଗୋଟିଏ ଛୋଟ ଦଳ ବାହାରିଲେ । କିନ୍ତୁ ସେମାନେ ଏପରିଭାବେ କୈଳାସବାବୁଙ୍କ ଡାହାଣପଟେ ଚାଲିଗଲେ ଯେ, ସେ ତାଙ୍କୁ ଗୁଳି କରି ପାରିଲେନାହିଁ । ସାରା ରାତିର ତପସ୍ୟାପରେ ସେମାନେ ତାଙ୍କର ଆଶ୍ରୟସ୍ଥଳକୁ ଫେରିଆସିଲେ । ଏବେ ପୁଣି କି ଉପାୟ କରିବେ ! ତୃତୀୟ ପ୍ରହରରେ ସେମାନେ ଶଗଡ଼ରେ ବସି ଜଙ୍ଗଲକୁ ଗଲେ । କାଳେ କିଛି ଘୁଷୁରି ମିଳିଯିବ ଭାବି ଚିହ୍ନ ସବୁକୁ ଅନୁକରଣ କରି କରି ଯାଉଥାନ୍ତି । ଗୁଡ଼ାଏ ବାଟ ଏଣେତେଣେ ବୁଲିଲେ କିନ୍ତୁ କିଛି ତାଙ୍କୁ ମିଳିଲାନାହିଁ । ଗୋଟିଏ ଝରଣା ପାଖରେ ପହଞ୍ଚିବାରେ କିଛି ହଲଚଲ ହେବା ସେମାନଙ୍କୁ ଦେଖାଗଲା । ସେମାନଙ୍କ ପଛରୁ ଘୁଷୁରି ପଲ ବାହାରିଲେ । ବୋଧହୁଏ ସେମାନେ ଗାଡ଼ିର ଶବ୍ଦକୁ ବାରି ସାବଧାନ ସହ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରୁଥିଲେ । ଗାଡ଼ି ଟିକିଏ ଆଗକୁ ବଢ଼ିଗଲାରୁ ସେମାନେ ପଛପଟେ ବାହାରିଗଲେ । କୈଳାଶବାବୁ ଖୁବ୍ ଶୀଘ୍ର ପଛକୁ ବୁଲିଯାଇ ଗୁଳି ଚଳାଇଲେ । ନିଶାଣ ଲଗାଇବା ପାଇଁ ସୁଯୋଗ ପାଇନଥିଲେ ତେଣୁ ଲକ୍ଷ୍ୟଭ୍ରଷ୍ଟ ହେଲା । ତାଙ୍କୁ ଭାରି ଖରାପ ଲାଗିଲା ।

 

ଆଉ କିଛି ସମୟ ବୁଲାବୁଲି କରି ସେମାନେ ଡେରାକୁ ଫେରିଆସିଲେ । ଦି’ଦିନ ହେଲା ତାଙ୍କୁ ଗାଁର ଲୋକ ଦେଖି ହସୁଥିଲେ ଓ ଥଟ୍ଟା ପରିହାସ କରୁଥିଲେ । ସେମାନଙ୍କ ପାଖରେ ଗାଁ ପିଲାମାନେ ଯାଇ ପହଞ୍ଚିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା କହିଲା, ଆପଣମାନେ ଅଯଥା ପରିଶ୍ରମ କରୁଛନ୍ତି । ପିଲାଟିର କଥାରେ କୈଳାଶବାବୁଙ୍କର ଉତ୍ସୁକତା ବଢ଼ିଲା । ଦନ୍ତା ଘୁଷୁରିତ ପ୍ରତିଦିନ ଗୋଟିଏ କ୍ଷେତକୁ ଆସୁଛନ୍ତି । ଆମେ ତାଙ୍କୁ ପ୍ରତିଦିନ ଦେଖୁଛୁ । କେଉଁଠି କୋଉ କ୍ଷେତରୁ, କୈଳାସବାବୁଙ୍କର ଆଖି ଉଜ୍ଜ୍ୱଳ ହୋଇଗଲା । ଏଠାରୁ ଅଧକୋଶ ଦୂରରେ ଚନ୍ଦରା ଭାଇର କ୍ଷେତକୁ ପ୍ରତିଦିନ ଘୁଷୁରି ଆସୁଛନ୍ତି ଏବଂ ତାଙ୍କ ମଧ୍ୟରେ ଗୋଟିଏ ଦୁଇଟି ଦନ୍ତା ଘୁଷୁରି ମଧ୍ୟ ଅଛନ୍ତି-। ଏକାଥରକେ ଅନେକ ଲୋକ ତା’ କଥାକୁ ସମର୍ଥନ କଲେ । ରାମପ୍ରସାଦ କହିଲେ, ହଁ ହଁ ମୁଁ ଏକଥା ଜାଣିଛି । କ୍ଷେତ ପାଖରେ ଝରଣାଟିଏ ମଧ୍ୟ ଅଛି । ଲୁଚିବା ପାଇଁ ପାହାଡ଼ ଓ ସୁରକ୍ଷିତ ସ୍ଥାନ ସେଠାରେ ବିଦ୍ୟମାନ । ପଳାଇବାକୁ ପଡ଼ିବ ନାହିଁ କି ଦଉଡ଼ିବାକୁ ହେବ ନାହିଁ । ଶୁଖିଲାରେ ଦନ୍ତା ଘୁଷୁରି ମାରିପାରିବା । ଏକଥା ତୁମମାନଙ୍କୁ କହିବାକୁ ମୋର ମନେ ନାହିଁ ।

 

ତା’ ପରଦିନ ସକାଳୁ ଯାଇ କୈଳାସବାବୁ ସେ ଜାଗା ଦେଖି ଆସିଲେ । ଘୁଷୁରିମାନେ କ୍ଷେତଟା ଯାକର ଗହମ ନଷ୍ଟକରି ଦେଇଥିଲେ । ଯଦିବା କ୍ଷେତରେ ଘାସ ତିଆରି ପିତୁଳା ସବୁଥିଲା କିନ୍ତୁ ପିତୁଳାକୁ ଘୁଷୁରିଙ୍କର ଡରନଥିଲା । ଜାଗାଟି ଦେଖି ତାଙ୍କୁ ଖୁବ୍ ଆନନ୍ଦ ଲାଗିଲା । ଚରିବାପାଇଁ ଜାଗା ଅଛି ଏବଂ ପାଣି ମଧ୍ୟ ଅଛି । ପାଖରେ ଲୁଚିରହିବା ପାଇଁ ଜଙ୍ଗଲ ଓ ପାହାଡ଼ । ଲୁଚିବା ପାଇଁ କୈଳାସବାବୁ ଗୋଟିଏ ଜାଗା ବାଛି କିଛି ଗହୀରିଆକଲେ । ପାଖରେ ଗଛଟିଏ ଥାଏ-। ତା’ ଅନ୍ୟ ଦୁଇପଟେ ବୁଦାଗୁଡ଼ିଏ ଆଣି ବାନ୍ଧିଦେଲେ । ଦିନ ଥାଉ ଥାଉ ଆସି ଏଠାରେ ବସିବାକୁ ହେବ । ଯଦି ଆଜି ସୁଯୋଗ ମିଳେ ତାଙ୍କ ମୁଣ୍ଡରୁ ବୋଝଯିବ ।

 

ସୂର୍ଯ୍ୟ ବୁଡ଼ିବାକୁ ଏକଘଣ୍ଟା ବାକିଥିଲା । କୈଳାସବାବୁ ସେ ଜାଗାରେ ଯାଇ ବସିଗଲେ-। ରାମପ୍ରସାଦ ତାଙ୍କ ସାଙ୍ଗେ ରହିବାକୁ ଆଗ୍ରହ କଲେ କିନ୍ତୁ କୈଳାସବାବୁ ଫେରାଇଦେଲେ ଓ କହିଲେ ବନ୍ଧୁକ ଫୁଟିଲେ ଆସିବ । ପ୍ରତୀକ୍ଷା କରିବାର ମଜା ସେଇହିଁ ଜାଣେ ଯିଏ କି କେବେ ପ୍ରତୀକ୍ଷା କରିଛି । ଅଳ୍ପଟିକିଏ ଡେରି ମଧ୍ୟ ଘଣ୍ଟାଏ ଭଳି ଲାଗେ । ଅଧଘଣ୍ଟାକ ଜଣାପଡ଼ୁଥାଏ ଯେ ସେ ଯେପରି ଦିନେ କାଳ ସେଠାରେ ବସିଛନ୍ତି ।

 

ତାଙ୍କ ସାମନାରେ ଏକ ବିସ୍ତୃତ କ୍ଷେତଥିଲା ଏବଂ ଜଙ୍ଗଲ ଢାଙ୍କି ହୋଇଥିବା ତିନିପଟେ ପାହାଡ଼ଥିଲା । ଝରଣାଥିବା ପାହାଡ଼ର ତଳେ ଯାଇ କୈଳାସବାବୁ ବସିଲେ । ପାହାଡ଼ି ଝରଣାର ତୀବ୍ର ସ୍ରୋତ ମାଟି କାଟି ଗୋଟିଏ ବଡ଼ ଖାଲ ସୃଷ୍ଟି କରିଥିଲା । ବର୍ଷାପାଣି ସେ ଖାଲରେ ପଡ଼ି ପୋଖରୀଟିଏ ସୃଷ୍ଟି କରିଥିଲା । ତାଙ୍କ ଆଖି ସମ୍ମୁଖ ପାହାଡ଼ରେ ଲାଗି ରହିଥିଲା । ବହୁତ ସମୟ ଅତିକ୍ରମ ହୋଇଗଲା କିନ୍ତୁ ଦନ୍ତା ଘୁଷୁରି କଥା ପଚାରେ କିଏ, ଘୁଷୁରି ପିଲାଟିଏ ମଧ୍ୟ ଦେଖିବାକୁ ମିଳିଲାନାହିଁ । ପବନ ମଧ୍ୟ ବହୁନଥିଲା । ତେଣୁ କୈଳାସବାବୁ ଭାରି କଷ୍ଟ ଅନୁଭବ କରୁଥିଲେ ।

 

ହଠାତ୍ ବାମପଟ ପାହାଡ଼ରୁ, ଯେଉଁଠାରେ ସେ ପାଣି ଭରି ରହିଥିବା ଖାଲଥିଲା, ଗୋଟିଏ ବାଘ ଓହ୍ଲାଉଥିବାର ଦେଖାଗଲା । ତା’ ଶରୀର ଉପରେ ହାଲୁକା ଅସ୍ତଗାମୀ ସୂର୍ଯ୍ୟ କିରଣ ପଡ଼ିଥାଏ । ଭାରି ସୁନ୍ଦର ସେ ଦୃଶ୍ୟ । କୈଳାସବାବୁ ବାଘ ଶିକାର ପାଇଁ ପ୍ରସ୍ତୁତ ନଥିଲେ । ଯଦି ସେ ବାଘ ଶିକାର ପାଇଁ ଆସିଥାନ୍ତେ, ତେବେ ଗଛ ଉପରେ ମଞ୍ଚାବାନ୍ଧି ବସିଥାନ୍ତେ । କିଛି ନ ହେଲେ ଏ ଗାଡ଼ ଭିତରେ ବସିନଥାନ୍ତେ । ସେ ଚୁପ୍ କରି ତା’ର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ । ସେ ପାହାଡ଼ର ତଳପାଖେ ପହଞ୍ଚିଛି କି ନାହିଁ ଆଉ ଗୋଟିଏ ବାଘ ଆସିଲା ।

 

ଏଥରକ କୈଳାସବାବୁ ତା’ର ଆକୃତି ଉପରେ ଧ୍ୟାନଦେଲେ । ଦୁଇଟିଯାକ ଏକା ବୟସର । ଦ୍ଵିତୀୟଟି ଆକାରରେ ଛୋଟ । ପ୍ରଥମ ବାଘ ସାମାନ୍ୟ ଗୁଁ ଗୁଁ ଶବ୍ଦକରି ପଛକୁ ବୁଲି ଓହ୍ଲାଇ ଆସୁଥିବା ବାଘକୁ ଦେଖିବାରେ ଲାଗିଲେ । ଓହ୍ଲାଉଥିବା ବାଘ ବଡ଼ ନିର୍ଭୟତାର ସହିତ ଓହ୍ଲାଉଥିଲା । କିନ୍ତୁ ବର୍ତ୍ତମାନ ସେ ମଧ୍ୟ ପାହାଡ଼ର ପାଦଦେଶରେ ପହଞ୍ଚିଛି କି ନାହିଁ ଅନ୍ୟ ଗୋଟିଏ ତୃତୀୟ ବାଘ ଓହ୍ଲାଇବା ଦେଖାଗଲା । କୈଳାସବାବୁ ତିନୋଟିଯାକ ବାଘକୁ ଦେଖି ଭଗବାନଙ୍କୁ ଡାକିବାରେ ଲାଗିଲେ । କାରଣ ବାଘ ପଲ ଆଗରୁ ତ୍ରାହି ପାଇବା ବଡ଼ ମୁସ୍କିଲ ବ୍ୟାପାର ।

 

ଆଶ୍ଚର୍ଯ୍ୟ ସେ ଦୃଶ୍ୟ । ଏକାଥରକେ ତିନୋଟି ବାଘ ଆଗରେ ଏବଂ ବନ୍ଧୁକର ରେଞ୍ଜ ମଧ୍ୟରେ । କୈଳାସବାବୁ ଗୋଟିଏ ଦୀର୍ଘନିଃଶ୍ଵାସ ମାରିଲେ । ସେହି ତିନି ବାଘକୁ ଦେଖି ସେମାନଙ୍କ ବୟସ ବିଷୟରେ ସେ ଭାବିବାକୁ ଲାଗିଲେ । ଏକ ଚତୁର୍ଥ ବାଘର ଆବିର୍ଭାବ ହେଲା । ଚତୁର୍ଥ ବାଘଟିକୁ ଦେଖିବାମାତ୍ରେ କୈଳାସବାବୁଙ୍କ ମନରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଗଲା । ଚତୁର୍ଥ ବାଘଟି ବଡ଼ଥିଲା ଓ ସେ ଏ ତିନି ବାଘଙ୍କର ମା’ ଥିଲା । ଏପରିଭାବେ ଜଙ୍ଗଲ ରାଜାର ପରିବାର ଜଙ୍ଗଲ ଭିତରେ ବୁଲିବା ଦୃଶ୍ୟ ସେ କଦାପି ଦେଖିନଥିଲେ । ମା ବସିପଡ଼ିଲା । ତା’ ଚାରିପାଖେ ଛୁଆ ତିନୋଟି ଡିଆଁ ଡେଇଁ କରିବାରେ ଲାଗିଲେ । ତେଣେ ସୂର୍ଯ୍ୟ ଅସ୍ତ ହେବାକୁ ତରତର ହେଲେଣି ।

 

କୈଳାସବାବୁ ମନରେ ବହୁତ ଅନୁତାପ କଲେ, କାହିଁକି କାହାକୁ ପାଖରେ ବସାଇଲେ ନାହିଁ । ଘୁଷୁରି ନହେଲେ ନାହିଁ ବାଘତ ମାରିଥାନ୍ତେ । ଚୁପ୍‍ଚାପ୍ ବସି ତାମସା ଦେଖିବାକୁ ତାଙ୍କୁ ଭଲ ଲାଗିଲା ନାହିଁ । କିନ୍ତୁ କ’ଣ କରିବେ ? ସାଙ୍ଗରେ ଦୁଇନଳିଆ ବନ୍ଧୁକ ଥିଲା । ସେ ବନ୍ଧୁକ ଉପରେ ତାଙ୍କର ଭରସା ନଥିଲା କାରଣ ସେ ବନ୍ଧୁକରେ ଭଲ ଲକ୍ଷ୍ୟ ରଖି ମାରିହୁଏନି । ଯଦି ସାଙ୍ଗରେ ରାଇଫଲ ଥା’ନ୍ତା, ତା’ହେଲେ ତାଙ୍କୁ ଭୟ କରିବାକୁ ପଡ଼ି ନଥାନ୍ତା ।

 

ମୁଣ୍ଡରେ ତାଙ୍କର ଗୋଟାଏ ଉପାୟ ଜୁଟିଲା । ସେ କାହିଁକି ଏ ଗାଡ଼ରୁ ବାହାରି ଗଛ ଉପରେ ଚଢ଼ି ନଯିବେ । ଯଦି ସୁବିଧା ହେବତ ଭାଗ୍ୟ ପରୀକ୍ଷା କରିବାରେ କ୍ଷତି କ’ଣ ? ଯଦି କିଛି ନହେଲା, କିଛି ସମୟତ ଆନନ୍ଦ ଉପଭୋଗ କରିହେବ । କିନ୍ତୁ ପୂର୍ବର ଅନୁଭୂତି ବିବେକକୁ ମନାକରି ଦେଉଥିଲା ଏପରି କରିବାକୁ ।

 

କୈଳାସବାବୁ ଗଛ ଉପରେ ଆଖି ପକାଇଲେ । ସେ ଗଛରେ ଚଢ଼ିବା କିଛି କଷ୍ଟ ନଥିଲା । କିନ୍ତୁ କୈଳାସ ବାବୁଙ୍କ ପାଇଁ କଠିନ ନହେଲେ ବାଘ ପାଇଁ କିପରି କଠିନ ହେବ । ସେ ତ ଗୋଟିଏ ଲକ୍ଷ୍ୟରେ କୈଳାସବାବୁଙ୍କ ଗୋଡ଼କୁ ଟାଣିଆଣି ତଳେ ପକାଇଦେବ । ପରିଣାମକୁ ଚିନ୍ତା ନକରି କୈଳାସବାବୁ ସେ ଗାଡ଼ରୂପି କାଳ କୋଠରୀରୁ ବାହାରିପଡ଼ିବା ପାଇଁ ଛଟପଟ ହୋଇପଡ଼ିଲେ । ଗୋଡ଼ରୁ ଜୋତାକୁ କାଢ଼ିଦେଲେ । ଖୋଲା ଓ ଚିପା ପାଦରେ ସେ ସେ ଖାଲରୁ ବାହାରି ପଡ଼ିଲେ । କୌଣସି ପ୍ରକାରର ଶବ୍ଦ ହେଲାନାହିଁ । ବନ୍ଧୁକ ଧରି ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛନ୍ତି ଗୋଟିଏ ସମସ୍ୟା ଦେଖାଦେଲା । ବନ୍ଧୁକକୁ ବାନ୍ଧିବା ଫିତା ନାହିଁ । ସେ ତଥାପି ଧୋତି ଖୋଲି ଧୋତିଦ୍ଵାରା ବନ୍ଧୁକକୁ ପିଠିରେ ବାନ୍ଧିଲେ । ଗଛ ଉପରେ ଚଢ଼ି ସେ ଏପରି ଏକ ଡାଳ ଖୋଜିବାରେ ଲାଗିଲେ ଯେଉଁଠାରୁ ସେ ବାଘକୁ ଦେଖିପାରିବେ ଓ ସେ ସୁରକ୍ଷିତ ରହିପାରିବେ ଏବଂ ନିଶାଣ ଲଗାଇପାରିବେ । ଗୋଟିଏ ଜାଗାରେ ଦୁଇଟି ଡାଳ ପାଖାପାଖି ଏକାଠି ହୋଇଥିଲେ । ତା’ ଉପରେ ମଧ୍ୟ ଅନ୍ୟ ଏକ ଡାଳ ଯାଇଥିଲା । ଅନ୍ଧକୁ ଦୁଇଟି ଆଖି ମିଳିଗଲା ଭଳି ତାଙ୍କୁ ଲାଗିଲା । ସେଠାରୁ ସବୁ ବାଘ ଭଲଭାବେ ଦେଖାଯାଉଥିଲେ । ସୂର୍ଯ୍ୟ ମଧ୍ୟ ବୁଡ଼ିବାରେ ଲାଗିଥିଲେ । ସେ ଡାଳ ଦୁଇଟି ଉପରେ ଆସନ ଜମେଇଲେ । କୌଣସି ବିପଦ ଘଟିଲେ ଉପର ଡାଳକୁ ଧରି ଝୁଲି ପଡ଼ିବା କଳ୍ପନା କଲେ ।

 

ତାଙ୍କର ଠିକ୍ ସାମନାରେ ଦୁଇଟି ବାଘ ଥିଲେ । ଗୋଟିଏ ଟିକିଏ ଆଗରେ ଥିଲା । ଅନ୍ୟଟି ତାଙ୍କୁ ଦେଖାଯାଉ ନଥିଲା । ବାଘୁଣୀ ଟିକିଏ ପଛରେ ଥିଲା ଏବଂ ଗୋଟିଏ ପାଖରେ ପଛଗୋଡ଼ ଦେଖାଯାଉଥିଲା । ସୂର୍ଯ୍ୟ ବୁଡ଼ିଯିବା ପୂର୍ବରୁ ତାଙ୍କ ଭାଗ୍ୟ ସେ ନିଜେହିଁ ପରୀକ୍ଷା କରିବେ । ସେ ଗୋଟିଏ ବାଘକୁ ଗୁଳି କରିବା ପାଇଁ ନିଷ୍ପତ୍ତି କଲେ । ବନ୍ଧୁକ ଧରି ନଳି ସିଧା କରି, ଲକ୍ଷ୍ୟ ନେଇ ଟ୍ରିଗାର ଟିପିଲେ ।

 

ଗୁଳି ଲାଗିବା ମାତ୍ରେ ସେ ବାଘ ଡେଇଁପଡ଼ିଲା ଏବଂ ଆଗକୁ ଟଳି ଟଳି ଆଖି ଆଗରୁ କୁଆଡ଼େ ଅଦୃଶ୍ୟ ହୋଇଗଲା । ତା’ର ଗର୍ଜନ ଶୁଣି ବାଘୁଣୀ ଆଗକୁ ଚାଲିଲା । ରେଞ୍ଜ ଭିତରକୁ ଆସିବାକ୍ଷଣି କୈଳାସବାବୁ ତା’ର ବେକକୁ ଲକ୍ଷ୍ୟ କରି ଗୁଳିକଲେ । ଲାଞ୍ଜପିଟି ବାଘୁଣୀ ଡେଇଁ ପଳାଇବାପାଇଁ ଚେଷ୍ଟା କଲା ମାତ୍ର ପାରିଲାନି । ତା’ ଦେହ ଟିକିଏ ଉପରକୁ ଉଠିଲା ସତ କିନ୍ତୁ ମୁଣ୍ଡଟି ସାଙ୍ଗେ ସାଙ୍ଗେ ଆଗକୁ ଝୁଲିପଡ଼ିଲା ।

 

ନିଜର ସଫଳତା ପାଇଁ ସେ ନାଚିଉଠିଲେ । ରାଜପରିବାରକୁ ସେ ଠିକ୍ ଭାବେ ସ୍ଵାଗତ କରିପାରିଥିଲେ । ଦୁଇଟି ଯୁବରାଜ ଅକ୍ଷତ ଅବସ୍ଥାରେ ଚାଲିଗଲେ କ’ଣ ହେଲା, ଗୋଟିଏ ଯୁବରାଜର ସ୍ଵାଗତରେ କୌଣସି କମ୍ କଥା ନୁହେଁ । ଯଦିବା କୌଳାସବାବୁ କହିପାରିବେ ନାହିଁ ଯେ ଗୁଳି କେଉଁଠାରେ ଲାଗିଥିଲା । ତଥାପି ତା’ର ପ୍ରତିକ୍ରିୟାରୁ ସେ ଜାଣିଥିଲେ ଯେ ଗୁଳି ଠିକ୍ ଲାଗିଥିଲା ।

 

କିଛି ସମୟପରେ ରାମପ୍ରସାଦ ଆସିଲେ । ତାକୁ ପଠାଇ ଶଗଡ଼ ମଗାଇନେଲେ । ବାଘୁଣୀର ଲାସ୍‍କୁ ଲଦି ସେମାନେ “ବନକଟବୀ”ରେ ପହଞ୍ଚିଲେ । ପରଦିନ ସେ ବାଘର ସନ୍ଧାନ ନେଲେ । ସାରାଜଙ୍ଗଲ ଖୋଜିଲେ । କିନ୍ତୁ ତା’ର ପତା ପାଇଲେ ନାହିଁ । ସେ ନିଶ୍ଚୟ ମରିଯାଇଥିବ ତାଙ୍କର ବିଶ୍ୱାସ ଥିଲା ।

✽✽✽

 

Unknown

ନରଭକ୍ଷୀ ହେଟା ଶିକାର

 

ଦିନ ପ୍ରାୟ ଦଶଟା ହେବ ଗଜରାଜ ସିଂହଙ୍କ କକା କୁବେର ସିଂହ ସଶୋବନ୍ତ ସିଂହଙ୍କ ହାତରେ ବହି ପଠାଇଲେ ଯେ ଶିକାରକୁ ଯିବାପାଇଁ । ଶୁଣିବା କ୍ଷଣି ସେ ଖୁସି ହୋଇଗଲେ । ଶିକାରକୁ ଯିବା କଥା କହିଲେ ଗଜରାଜ ସିଂହ ଭାରି ଉତ୍ତେଜିତ ହୋଇପଡ଼ନ୍ତି । ତୁରନ୍ତ ରାଇଫଲ ଓ ଗୁଳିଧରି ଗଜରାଜ ସିଂହ ଓ ଯଶୋବନ୍ତ ସିଂହ ଦୁହେଁ ଯାଇ ଡାବଡ଼ି ଗାଁରେ ପହଞ୍ଚିଗଲେ । ସେଠାରେ ଗୋଟିଏ ଶିକାରୀ ମଧ୍ୟ ତାଙ୍କ ସାଙ୍ଗରେ ଶିକାରକୁ ଯିବା ପାଇଁ ଆଗରୁ ପ୍ରସ୍ତୁତ ଥିଲେ ।

 

ସନ୍ଧ୍ୟା ପାଞ୍ଚଟା ବେଳକୁ ଗଜରାଜ ସିଂହଙ୍କ ଦଳ ମଠ ମଠ ଗାଁ ଜଙ୍ଗଲରେ ପହଞ୍ଚିଲେ । ଯେଉଁ ସ୍ଥାନରେ ସକାଳେ ହେଟା ବାଘ ଦେଖା ଯାଇଥିଲା । ପ୍ରାୟ ଚାଳିଶି କି ପଚାଶ ଆଦିବାସୀ ଲୋକ ସେଠାରେ ବସି ନଜର ରଖିଥିଲେ । ଆଦିବାସୀମାନେ ବକ୍‌ସିସ୍‌ ତଥା ମଦଲୋଭରେ ଶିକାରୀମାନଙ୍କୁ ପୂରା ସହାୟତା କରନ୍ତି । ସେ ଲୋକମାନେ କହିଲେ ଯେ ହେଟା ଏପର୍ଯ୍ୟନ୍ତ ଏ ଅଞ୍ଚଳ ଛାଡ଼ି ନାହିଁ । ପ୍ରାୟ ଏକ ସପ୍ତାହ ତଳେ ଏହି ଜଙ୍ଗଲରେ ହେଟାବାଘ ତା’ ପିଲା ଦୁଇଟିସହ ବୁଲୁଥିବାର ଦେଖା ଯାଇଥିଲା । କିନ୍ତୁ ଆଜି ସେମାନଙ୍କ ମଧ୍ୟରୁ କେବଳ ଗୋଟିଏ ହେଟା ଦେଖା ଯାଇଥିଲା । ଏମାନେ ଅନୁମାନ କଲେ ଯେ ସେଇ ହେଟା ବାଘଟି ପୁରୁଷ ହୋଇଥିବ । କାରଣ ମାଈ ହେଟା ପିଲାଙ୍କ ସାଙ୍ଗ ଛାଡ଼ିବା ସମ୍ଭବ ନୁହେଁ ।

 

ସୂର୍ଯ୍ୟାସ୍ତ, ହେବାକୁ କେବଳ ଦେଢ଼ଘଣ୍ଟା ବାକିଥିଲା । ସେମାନେ ଆଦିବାସୀମାନଙ୍କୁ ଚାରିପଟେ ଘେରି କରିବା ପାଇଁ ତିଆର କଲେ ଓ ନିଜେ ଏପରି ବ୍ୟୁହ କରି ଠିଆ ହେଲେ ଯେ ଯେପରିକି ହେଟା ରାଇଫଲ ରେଞ୍ଜ ଭିତରକୁ ଆସିବ କିନ୍ତୁ ଗୁଳି ଅନ୍ୟ କାହାଠି ଲାଗିବନି । ସେମାନେ ମଞ୍ଚାରେ ବସି ଶିକାର କରିବାକୁ ପସନ୍ଦ କରନ୍ତି ନାହିଁ । ଘେର ତିଆରି ସରିଲା ପରେ ପାଟି ତୁଣ୍ଡ ଚାଲିଲା କିନ୍ତୁ ହେଟା ଜଙ୍ଗଲ ଭିତରୁ ବାହାରିଲା ନାହିଁ । ସମସ୍ତେ ଉତ୍କଣ୍ଠିତ ହୋଇପଡ଼ିଲେ । ସେତେବେଳେ ଗଜରାଜ ସିଂହଙ୍କ ମନକୁ ଗୋଟିଏ କଥା ଆସିଲା ଯେ ସେମାନେ ଯେଉଁଠାରେ ଛିଡ଼ା ହୋଇଛନ୍ତି ତା’ ତଳ ଭାଗରେ ହେଟା ରହିଛି ।

 

“ଏହା କିପରି ସମ୍ଭବ ହେବ” ଆଦିବାସୀମାନେ କହିଲେ । କିନ୍ତୁ ଦେଖିବାରେ ଅସୁବିଧା କ’ଣ ? ଗଜରାଜ ସିଂହ କହିଲେ । ସେମାନେ ଛିଡ଼ା ହୋଇଥିବା ସ୍ଥାନ ଚାରିପଟେ ପୁଣି ଡକାହକା ଚାଲିଲା ଏବଂ ଏମାନେ ତଳକୁ ଯାଇ ଛିଡ଼ାହେଲେ । ହେଟା ଏ ପାଟିତୁଣ୍ଡରେ ଲାଞ୍ଜ ପିଟି ଡିଆଁ ମାରିଲା ଓ ଘେର ଡେଇଁ ପଳାଇ ଗଲା । ତା’ର ଏପରି ଆବିର୍ଭାବରେ ଆଦିବାସୀ ଲୋକମାନେ ଭୟରେ ଚିତ୍କାର କରିବାକୁ ଲାଗିଲେ ।

 

ଗଜରାଜ ସିଂହ ଏବଂ କୁବେର ସିଂହ ଲାଞ୍ଜ ପିଟା ଗର୍ଜନ ଓ ଚିତ୍କାର ଶୁଣି ସେ ଦିଗରେ ଆଗେଇଗଲେ । ସେମାନେ ଭାବୁଥିଲେ ଯେ ହେଟା କୌଣସି ଆଦିବାସୀକୁ ବୋଧହୁଏ ଧରି ନେଇଛି । ହଠାତ୍ କୁବେର ସିଂହ ରହିଗଲେ ଏବଂ କହିଲେ ସାବଧାନ । ହେଟା ଏଇଆଡ଼େ ଆସୁଛି-। ଗଜରାଜ ସିଂହ ମଧ୍ୟ ସତର୍କ ହୋଇଗଲେ । ତାଙ୍କୁ ହେଟା ତ ଦେଖା ଯାଉନଥିଲା କିନ୍ତୁ ତିରିଶ ଚାଳିଶ ଗଜ ଦୂରରେ ସେ ଗର୍ଜନ କରି ଏପଟକୁ ଆସିବାର ଆଭାସ ମିଳୁଥିଲା । ପରେ କୋଡ଼ିଏ ଗଜ ଦୂରରେ ହେଟା ତାଙ୍କୁ ଦେଖାଗଲା । ସେ ଦୁହେଁ ରାଇଫଲ ସିଧା କଲେ ଓ ନିଶାଣ ନେଲେ-। ଟ୍ରିଗର ଦବାଇବାକୁ ଯାଉଛନ୍ତି ହେଟାର ପିଛା କରୁଥିବା କୋଡ଼ିଏ ପଚିଶଜଣ ଆଦିବାସୀ ଆଗକୁ ଚାଲି ଆସିଲେ । ରାଇଫଲ ଚଳାଇବା ସମ୍ଭବ ନଥିଲା । ହେଟା ଦଶ ଗଜ ଦୂରରେ ଥାଏ-। ସେମାନେ ତାକୁ କଡ଼ପଟୁ ନିଶାଣ ନେଇ ମାରିବାକୁ ଚାହିଁଲେ । ହେଟା ଦୌଡ଼ିବା ସଙ୍ଗେ ସଙ୍ଗେ ସେମାନେ ରାଇଫଲ ବୁଲାଇ ନିଶାଣ ଲଗାଇବାରେ ଲାଗିଲେ । ଯେତେବେଳେ ହେଟା ପାଞ୍ଚ ଗଜ ଦୂରରେ ସେମାନେ ପୁଣି ଟ୍ରିଗର ଦବାଇବା ପାଇଁ ଚାହିଁଲେ । କିନ୍ତୁ ଦୁର୍ଭାଗ୍ୟର କ’ଣ ଅନ୍ତଥାଏ ଗୋଟିଏ ଆଦିବାସୀ ଘାବରେଇଯାଇ ତାଙ୍କ ଆଗରେ ଆସି ଠିଆ ହୋଇଗଲା । ବର୍ତ୍ତମାନ ହେଟା ବିଲକୁଲ ଆସି ତାଙ୍କ ଆଗରେ । ଇଏତ ବର୍ତ୍ତମାନ ତାଙ୍କ ମୁଣ୍ଡ ଉପରକୁ ଆସିଗଲା । ଏହା ସହିତ କୁସ୍ତି ଲଢ଼ିବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ, ଚିତ୍କାର କରି କୁବେର ସିଂହ କହିଲେ । ସାଙ୍ଗେ ସାଙ୍ଗେ ହେଟା ଗର୍ଜନ କରି ତାଙ୍କ ହାତକୁ ଧରି ଏପରି ଏକ ଝଟକା ମାରିଲା ଯେ ସେ ଆସି ତଳେ ପଡ଼ିଗଲେ । ରାଇଫଲ ତାଙ୍କ ହାତରୁ ଖସି ପାଞ୍ଚଗଜ ଦୂରରେ ପଡ଼ିଲା । ବର୍ତ୍ତମାନ ହେଟା ତାଙ୍କ ଉପରେ ସେ ତଳେ । ହଠାତ୍ ସେ ହେଟାକୁ ଜୋରରେ ଏକ ଧକ୍କା ମାରିଲେ । ଫଳତଃ ବର୍ତ୍ତମାନ ସେ ହେଟା ଉପରେ ରହିଲେ । କହୁଣୀଦ୍ଵାରା ହେଟାର ଆଗଗୋଡ଼ ଓ ଦୁଇ ହାତରେ ତା’ର ମୁଣ୍ଡକୁ ଜାବୋଡ଼ି ଧରିଥିଲେ । ଏହି ପ୍ରକାରେ ତାଙ୍କ ମୁହଁ ହେଟା ମୁହଁଠାରୁ ପ୍ରାୟ ତିନିଚାରିଇଞ୍ଚ ଦୂରରେ ଥିଲା ।

 

ଗୁଳି ଚଳାଅ । ଗୁଳି ଚଳାଅ । ସେ ଚିତ୍କାର କରି କରି ଗଜରାଜ ସିଂହଙ୍କୁ ଆଦେଶ ଦେଉଥିଲେ । କିନ୍ତୁ ସେ କିପରି ଗୁଳି ଚଳାଇଥାନ୍ତେ ଦୁଇଜଣ ଯାକ ଏପରି ଗୁନ୍ଥି ହୋଇଥିଲେ ଯେ ଗୁଳି ହେଟାକୁ ଲାଗିବା ପରିବର୍ତ୍ତେ ଗଜରାଜ ସିଂହଙ୍କ ଦେହରେ ଲାଗିବାର ବହୁତ ସମ୍ଭାବନାଥିଲା । ସେ ଦେଖୁଥିଲେ ହେଟାର କୌଣସି ଅଙ୍ଗ ଖୋଲା ପାଇଲେ ଗୁଳି କରିବେ । କିନ୍ତୁ ଦୁଇଜଣ ଯାକ ଜଡ଼ିରହିଥିଲେ । ଗଜରାଜ ସିଂହ କିଛି ଉପାୟ ସ୍ଥିର କରି ନପାରି କହିଲେ, ଯେ ପର୍ଯ୍ୟନ୍ତ ତୁମେ ହେଟାକୁ ଛାଡ଼ି ଅଲଗା ହୋଇ ନାହଁ, ମୁଁ ଗୁଳି ଚଳାଇ ପାରିବି ନାହିଁ ।

 

କୁବେର ସିଂହ କହିଲେ, ମୁଁ ଯଦି ହେଟାକୁ ଛାଡ଼ି ଦେବି ସେ କ’ଣ ମୋତେ ଛାଡ଼ି ଦେବ-? ପ୍ରକୃତରେ ବଡ଼ ବିଷମ ପରିସ୍ଥିତି ଥିଲା । ସେ ଗଜରାଜ ସିଂହଙ୍କୁ କିଛି କହିବା ପାଇଁ ମୁଣ୍ଡ ବୁଲାଇଲେ ଏବଂ ଏହା କରିବା ଫଳରେ ହେଟା ମୁଣ୍ଡର କିଛି ଅଂଶ ଢିଲା ହୋଇଗଲା-। ହେଟା ତୁରନ୍ତ ତା’ର ଫାଇଦା ଉଠାଇବାକୁ ଯାଇ କୁବେର ସିଂହର ହାତକୁ କାମୁଡ଼ି ଧରିଲା-। ସେ ସାଙ୍ଗେ ସାଙ୍ଗେ ଝଟକା ମାରି ହାତ ଛଡ଼ାଇ ନେବା ପାଇଁ ଭିଡ଼ିଲେ । ହାତ ବାହାରି ଆସିଲା କିନ୍ତୁ ହେଟା ତାଙ୍କ ସାରା ଶରୀର ଉପରେ ଚଢ଼ିଗଲା । ବର୍ତ୍ତମାନ ସେ ପୁଣିଥରେ ହେଟାକୁ ଜାବୋଡ଼ି ଧରିବା ପାଇଁ ଚେଷ୍ଟା କରୁଥିଲେ । ତାକୁ ଛାଡ଼ି ଦିଅ ଓ ମୋତେ ଗୁଳି ଚଳାଇବାକୁ ଦିଅ ବୋଲି–ଗଜରାଜ ସିଂହ କହିଲେ । କୁବେର ସିଂହ ହେଟାକୁ ପଛକୁ ଠେଲିଦେଲେ ମାତ୍ରେ ସେ ଗୁଳି ଚଳାଇଦେଲେ-। କିନ୍ତୁ ଭାଗ୍ୟ ସେଦିନ ଧୋକା ଦେବା ପାଇଁ ହିଁ ବସିଥିଲା । ଗୁଳି ହେଟାର ପେଟତଳ ଚମଡ଼ାରେ ଘଷିହୋଇ ଯାଇ ଭୂଇଁରେ ବସିଲା । ଗଜରାଜ ସିଂହ ଅତି ମର୍ମାହତ ହୋଇ ପଡ଼ିଲେ କାରଣ ଦୁଇହାତ ଦୂରରେ ଥିବା ଗୋଟିଏ ହେଟାକୁ ସେ ଲକ୍ଷ୍ୟ କରି ଗୁଳି କରିପାରିଲେ ନାହିଁ । ଏକଥା ସତ୍ୟ ଯେ ସେ ହେଟାକୁ ଗୁଳି କରିବା ପୂର୍ବରୁ ବ୍ୟସ୍ତ ହୋଇ ପଡ଼ିଥିଲେ ।

 

ହଠାତ୍ ହେଟା କୁବେର ସିଂହଙ୍କୁ ଛାଡ଼ି ଗଜରାଜ ସିଂହଙ୍କୁ ଧରିବାକୁ ଲମ୍ଫ ଦେଲା କିନ୍ତୁ ବନ୍ଧୁକର ନଳପାଖେ ଅଟକିଗଲା । ତା’ ମୁହଁ ୟାଙ୍କ ବନ୍ଧୁକ ଧରିଥିବା ହାତ ପାଖରେ ପହଞ୍ଚି ସାରିଥିଲା । ସେ ତାଙ୍କ ହାତରୁ ମାଂସ ଖଣ୍ଡେ ଛିଣ୍ଡାଇ ନେଇ ଖାଇଦେଲା । କୁବେର ସିଂହ ବଡ଼ ଘାଏଲ ହୋଇ ପଡ଼ିଥିଲେ । କିନ୍ତୁ ସେ ଯେତେବେଳେ ଦେଖିଲେ ଯେ ହେଟା ଗଜରାଜ ସିଂହଙ୍କୁ ଆକ୍ରମଣ କରୁଛି ସେ ଘୁଷୁରି ଘୁଷୁରି ଯାଇ ରାଇଫଲ ଧରିଲେ ଓ ଲକ୍ଷ୍ୟ ଠିକ୍ କରି ଉପଯୁକ୍ତ ଅବସରକୁ ଅପେକ୍ଷା କଲେ । ବର୍ତ୍ତମାନ ହେଟା ଗଜରାଜ ସିଂହଙ୍କ ବେକକୁ ଦାବି ଧରିବାକୁ ଚେଷ୍ଟାକଲା ଏବଂ ଏପରି ଚେଷ୍ଟାରେ ହେଟାର ମୁଣ୍ଡ ତାଙ୍କ କାନ୍ଧଠାରୁ ପ୍ରାୟ ଏକଫୁଟ ଦୂରରେ ଅଛି ହଠାତ୍ କୁବେର ସିଂହଙ୍କ ରାଇଫଲ ଗର୍ଜିଉଠିଲା । ଗୁଳି ଠିକ୍ କାନ ପଟିରେ ବସିଲା ଏବଂ ସେ ଟଳି ପଡ଼ିଲା । ସେଇଟି ମାଈ ହେଟା ଥିଲା । କୁବେର ସିଂହ ଓ ଗଜରାଜ ସିଂହ ଚିକିତ୍ସା ପାଇଁ ମିସନ୍ ହସ୍‌ପିଟାଲକୁ ଗଲେ ।

 

ରତଲାସରେ ମିସନ୍ ହସ୍‌ପିଟାଲ ଥିଲା । ହସ୍‌ପିଟାଲର ନର୍ସ ମଙ୍ଗଳା ତାଙ୍କ ଶିକାର କାହାଣୀ ଶୁଣି ତାଙ୍କ ସାଙ୍ଗରେ ଶିକାରକୁ ଯିବାପାଇଁ ଆଗ୍ରହ ପ୍ରକାଶ କଲା । ଶିକାରକୁ ଯିବା ସମୟ ମଧ୍ୟ ଆସି ପହଞ୍ଚିଗଲା । ସେମାନେ ପୂରା ସୁସ୍ଥ ହୋଇ ନାହାନ୍ତି ଖବର ମିଳିଲା ଯେ ମଠ ମଠ ଜଙ୍ଗଲରେ ଗୋଟିଏ ପୁରୁଷ ହେଟା ତା’ର ଦୁଇଟି ଶିଶୁ ହେଟା ସହିତ ବହୁତ ଉତ୍ପାତ କରୁଛି । ସେ ବିଶେଷ କରି ସ୍ତ୍ରୀଲୋକକୁ ଆକ୍ରମଣ କରୁଛି । ବିଗତ ପାଞ୍ଚ ଦିନରେ ସେ ଦୁଇଟି ସ୍ତ୍ରୀଲୋକଙ୍କୁ ମାରି ଖାଇସାରିଲାଣି । ସ୍ତ୍ରୀଲୋକମାନେ ଦୌଡ଼ିକରି ଯାଇପାରୁ ନଥିଲେ ଓ ତା’ର ମୁକାବିଲା କରିପାରୁ ନଥିଲେ । ଏଥିପାଇଁ ହେଟା ସ୍ତ୍ରୀଲୋକମାନଙ୍କ ଉପରେ ହିଁ ବେଶୀ ଆଖି ରଖୁଥିଲା । ସେମାନେ ହେଟାର ଆବଭାବରୁ ଜାଣିପାରିଲେ ଯେ ହେଟାଟି ବୁଢ଼ା ହୋଇଯାଇଥିଲା କାରଣ ସେ କମଜୋର ପ୍ରାଣୀମାନଙ୍କ ଉପରେ ହିଁ ଆକ୍ରମଣ କରୁଥିଲା ।

 

ତା’ ଆରଦିନ ତାଙ୍କ ଦଳ ହେଟାର ଚଳପ୍ରଚଳ ଜାଗାଆଡ଼େ ଯାଇ ଅନୁସନ୍ଧାନ ଆରମ୍ଭ କଲେ । ତାଙ୍କ ସହିତ ଉତ୍ସାହୀ ନର୍ସ ମଙ୍ଗଳା ବି ଥିଲା । ସୂର୍ଯ୍ୟ ଉଦୟ ବେଳକୁ ସେମାନେ ମଠ ମଠ ଗାଁରେ ଯାଇ ପହଞ୍ଚିଲେ । ଠିକ୍ ହେଲା, ହେଟାକୁ ଆକୃଷ୍ଟ କରିବା ପାଇଁ ଚାରା ବନ୍ଧାଯିବ । ଯେଉଁଠାରେ ମାଈ ହେଟା ମରିଥିଲା, ସେଇ ଜାଗାରେ ଯାଇ ସେମାନେ ପହଞ୍ଚିଲେ । ସେମାନେ ଚାରା ପାଇଁ ଗୋଟିଏ କୁକୁର ମଧ୍ୟ ନେଇଥିଲେ । କୁକୁରକୁ ଶିକୁଳି ଦ୍ଵାରା ଗୋଟିଏ ଗଛରେ ବାନ୍ଧି ଦିଆଗଲା । ସେମାନେ କୁକୁରଠାରୁ ପ୍ରାୟ ଶହେ ଗଜ ଦୂରରେ ବୁଦା ଆଢ଼ୁଆଳରେ ବସିଗଲେ । ମଙ୍ଗଳା ଓ କୁମାର ହଟସିଂହଙ୍କୁ ଗୋଟିଏ ମଞ୍ଚା ଉପରେ ବସାଇ ଦିଆଗଲା । କାରଣ ସେ ଦୁହେଁ ନୂଆ ଶିକାରୀ ଥିଲେ । ବର୍ତ୍ତମାନ ସେମାନେ ହେଟାର ପ୍ରତୀକ୍ଷାରେ ରହିଲେ । କୁକୁର ନିଜକୁ ଏକାକୀ ପାଇ ଖୁବ୍ ଜୋରରେ ଚିତ୍କାର କରିବାରେ ଲାଗିଲା । ଅପେକ୍ଷାରେ ପ୍ରାୟ ଚାରି ଘଣ୍ଟା ବିତିଗଲା । ମଞ୍ଚା ଉପରେ ବସିଥିବା ମଙ୍ଗଳା ଓ କୁମାର ବିରକ୍ତ ହୋଇ ଉପନ୍ୟାସ ପଢ଼ିବାରେ ମଜ୍ଜି ଯାଇଥିଲେ । ପୁଣି ଦୁଇଘଣ୍ଟା କଟିଗଲା । ତା’ପରେ କୁକୁର ଶାନ୍ତ ହୋଇଗଲା ଓ ଶୋଇପଡ଼ିଲା । ସେମାନେ ସତର୍କ ହୋଇ ବସି ରହିଲେ । ହେଟା ଆଗପାଖରେ ଅଛି ବୋଲି ସେମାନେ ନିଶ୍ଚିତ ଥିଲେ । ଗଜରାଜ ସିଂହ ମଙ୍ଗଳା ବସିଥିବା ମଞ୍ଚଆଡ଼େ ନଜର କଲାବେଳକୁ ହେଟା ତାଙ୍କୁ ଦେଖାଗଲା । ସେ ଗୋଡ଼ ଉପରେ ଗୋଡ଼ ଥୋଇ ଲୋଭିଲା ଆଖିରେ କୁକୁର ଆଡ଼କୁ ଚାହୁଁଥିଲା । ଉପର ମଞ୍ଚାରେ ମଙ୍ଗଳା ଓ କୁମାର ଉପନ୍ୟାସ ପଢ଼ିବାରେ ନିମଗ୍ନ ଥିଲେ । ଗଜରାଜ ସିଂହ ଓ କୁବେର ସିଂହ ଭୀଷଣ ଭାବରେ ରାଗିଗଲେ ମଙ୍ଗଳା ଓ କୁମାର ଉପରେ । ହେଟା ସେମାନଙ୍କର ରାଇଫଲ ରେଞ୍ଜର ବାହାରେ ଥିଲା ଓ ଆଗକୁ ବଢ଼ିଲେ ଶବ୍ଦ ହୋଇପାରେ । ସେତିକିବେଳେ କୁମାର ଛିଙ୍କି ଦେବାରୁ ହେଟା ଅଦୃଶ୍ୟ ହୋଇଗଲା । ହେଟା ଚାଲିଯିବା ଶବ୍ଦରେ ସେମାନଙ୍କ ତନ୍ଦ୍ରା ଭାଙ୍ଗିଲା ଓ ରାଇଫଲ ଧରି ପକାଇଲେ କିନ୍ତୁ ସେତେବେଳକୁ କଥା ସରିଯାଇଥିଲା ।

 

ଦ୍ଵିତୀୟ ଦିନ ଖବର ମିଳିଲା ଯେ ହେଟା ସନ୍ଧ୍ୟା ହେଲାବେଳକୁ ତା’ ପିଲାଙ୍କ ସହିତ ଗୋଟିଏ ପାହାଡ଼ି ନାଳ ପାଖକୁ ଆସୁଛି । ନାଳ ପାଖରେ ଗଛଲତା ନଥିଲା । ତେଣୁ ଲୁଚି ବସିବା ସମ୍ଭବ ହେଲାନି । ବର୍ତ୍ତମାନ ଗୋଟିଏ ସାହସିକ ଯୋଜନା କଲା ମଙ୍ଗଳା । ସେ କହିଲା ଯେ ଆଦିବାସୀ ସ୍ତ୍ରୀଲୋକ ପୋଷାକ ପିନ୍ଧି ପାଣି ପାଖକୁ ଯିବ ଏବଂ ହେଟାକୁ ଦେଖି ଚିତ୍କାର କରିବ ଏବଂ ଆମେ କିଛି ଦୂରରୁ ଗୁଳି ମାରିଦେବୁ ।

 

ମଙ୍ଗଳା ସେ ଅନୁସାରେ ସନ୍ଧ୍ୟା ହେବା ମାତ୍ରେ ଗାଉଁଲୀ ସ୍ତ୍ରୀଲୋକ ବେଶରେ ନାଳ ପାଖକୁ ଗଲା । ସେମାନେ କିଛି ଦୂରରେ ଲୁଚିଥାନ୍ତି । ପ୍ରାୟ ସାତଟା ପନ୍ଦର ମିନିଟ ବେଳକୁ ମଙ୍ଗଳା ଚିତ୍କାର କଲା । ହେଟା ତା’ ପିଲା ଦୁଇଟି ସହ ମଙ୍ଗଳା ପାଖକୁ ଆସୁଥାଏ । ପ୍ରାୟ ଶହେଗଜ ଦୂରରେ ସେମାନେ ରହିଗଲେ । ମଙ୍ଗଳା ଆହୁରି ଜୋରରେ କାନ୍ଦିବାର ଅଭିନୟ କରି ଚାଲିଥାଏ । ବର୍ତ୍ତମାନ ହେଟା ଜାଣିପାରିଲା ସେ ଗାଉଁଲୀ ସ୍ତ୍ରୀଲୋକ ଡରି ଭୟରେ କାନ୍ଦୁଛି । ହେଟା ବସି ରହିଲା ଓ ଛୁଆ ଦୁଇଟି ଆଗେଇଲେ । କିନ୍ତୁ ସେ ଦୁହେଁ ପଞ୍ଚସ୍ତରୀ ଗଜ ଦୂରରେ ଖେଳିବାକୁ ଲାଗିଲେ । ସେମାନେ ସମସ୍ତେ ରାଇଫଲ ଠିକ୍ କରି ଲକ୍ଷ୍ୟ କରିବାକୁ ଲାଗିପଡ଼ିଲେ । ହେଟା ପୁଣି ଷାଠିଏ ସତୁରୀ ଗଜ ଆଗେଇ ଯାଇ ରହିଗଲା । ହଠାତ୍ ସେ ମଙ୍ଗଳା ଉପରକୁ କୁଦା ମାରିଲା ଓ ଗଜରାଜ ସିଂହ ଓ ଅନ୍ୟମାନେ ତଡ଼ାତଡ଼ ଭାବେ ତିନି ଚାରୋଟି ଗୁଳି ଚଳାଇଦେଲେ । ହେଟା ଟଳିପଡ଼ିଲା । ତା’ ଛୁଆ ଦୁଇଟି ଆଗେଇ ଗଲେ । ଗୁଳିମାଡ଼ରେ ସିଏ ବି ଧରାଶାୟୀ ହୋଇ ପଡ଼ିରହିଲେ ।

✽✽✽

 

ନସ୍ତରବାଲାର ନରଭକ୍ଷୀ

 

ଯେଉଁଠାରେ ବୁଦା ବୁଦାକେ ନରଭକ୍ଷୀର ସତ୍ତା ବିଦ୍ୟମାନ, ସେଠାରେ ଆଠଇଞ୍ଚ ରିଭଲଭର ଧରି ବୁଲିବା ବୁଦ୍ଧିମାନ କାମନୁହେଁ । କିନ୍ତୁ ଯଦି କେବଳ ଆତ୍ମସନ୍ତୋଷ ପାଇଁ କେହି ଏହାକୁ କୌଣସି ବଡ଼ ଆଶା ନ ଥାଇ ପାଖରେ ରଖିଥାଏ ତେବେ ଏହାକୁ ବୋକାମି ବୋଲି କୁହାଯାଇ ପାରିବନି ।

 

ବିଶିଷ୍ଟ ଶିକାରୀ ଶ୍ରୀନିଧି କହନ୍ତି ଏପରି ସନ୍ଦିଗ୍‌ଧ ସ୍ଥାନରେ ରାଇଫଲ ବା ସଟଗନ ସାଙ୍ଗରେ ରଖିବା ଭଲ ଅଟେ । କେବେ କେବେ ପ୍ରଜ୍ଜ୍ଵଳିତ ମଶାଲ ମଧ୍ୟ କାମ ଦେଇଥାଏ କିନ୍ତୁ ଏ ତିନୋଟିରୁ ଯଦି କିଛିହେଲେ କାହା ପାଖରେ ନାହିଁ ତେବେ ପାଣି ସୁଅର କୁଟାଖିଆ ଭଳି ରିଭଲଭର ମଧ୍ୟ କାମଦିଏ ।

 

ଏଥିପାଇଁ ହରଦ୍ଵାରଠାରୁ ଯିବାବେଳେ ଶ୍ରୀନିଧି ଏହାକୁ ସାଙ୍ଗରେ ନେଇଥିଲେ । ଏଥିରୁ ବିପଦର ସାହାଯ୍ୟ ମିଳିବ ଏ ଆଶା ସେ କରି ନ ଥିଲେ । ନସ୍ତର ବାଲା ସ୍ରୋତ ଯେଉଁନାମରେ ଏହା ସେଠାରେ କଥିତ ହରଦ୍ଵାରଠାରୁ ମାଇଲର ଏକ ପଞ୍ଚମାଂସରୁ ବେଶୀ ନୁହେଁ । ପ୍ରଥମେ ଚଣ୍ଡିଘାଟ, ନୈନାଗଡ଼ ଏବଂ ସେଠାରୁ କଦଳୀବନକୁ ଡେଇଁ ନସ୍ତରବାଲାରେ ପହଞ୍ଚିବାକୁ ହୁଏ । ବାଟରେ ହୁଏତ ଗଛ ବୁଦା ଥିବା ଜଙ୍ଗଲ ମିଳେ ବା ହାତୀମାନଙ୍କ ଦ୍ଵାରା ଭଙ୍ଗା ହୋଇ ପଡ଼ିଥିବା ଡାଳ ଏବଂ ଶୁଖିଲା ନାଳର ବାଲି ଉପରେ ପଡ଼ିଥିବା ବାଘ ଭାଲୁଙ୍କ ପାଦ ଚିହ୍ନ ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳେ ନାହିଁ । ମନୁଷ୍ୟ ତ ଦୂରର କଥା ତା’ର ଛାଇ ମଧ୍ୟ ଦେଖିବାକୁ ମିଳେନି ।

 

ଶ୍ରୀନିଧି ହରିଦ୍ୱାରରୁ ଯିବା ସମୟରେ ଆଶା କରିଥିଲେ ଯେ ନସ୍ତର ବାଲାରେ ପହଞ୍ଚିଲେ ଆଦିବାସୀ ଗୁର୍ଜ୍ଜରମାନଙ୍କ କୁଡ଼ିଆତ ମିଳିବ । ଯାହାଦ୍ଵାରା କି ଭୟରୁ ରକ୍ଷା ମିଳିଯିବ । କିନ୍ତୁ ଶ୍ରୀନିଧି ସେଠାରେ ପହଞ୍ଚିବା ପରେ ଏହି ଆଶା ତାଙ୍କର ନିରାଶାରେ ପରିଣତ ହେଲା ଓ ମନରେ ଭୀଷଣ ଦକା ପଶିଗଲା ।

 

ଗୋଟିଏ ଯୋଡ଼ିଏ ଜାଗାରେ କେତୋଟି ଡେରା ଦେଖିବାକୁ ମିଳିଲା । କିନ୍ତୁ ସେଠାରେ ଲୋକବାକ କିଛି ନ ଥିଲେ । ସବୁ କୁଡ଼ିଆ ଖାଲି ପଡ଼ିଥିଲା । ଡେରାମାନଙ୍କରେ ବିକ୍ଷିପ୍ତ ଭାବରେ ପଡ଼ିଥିବା ଗୃହୋପକରଣରୁ ଜଣାପଡ଼ୁଥିଲା ଯେ ସେ କୁଡ଼ିଆରେ ବାସ କରୁଥିବା ବାସିନ୍ଦାମାନେ କୌଣସି ବିଶେଷ କାରଣରୁ ତିନି ଚାରି ଦିନ ପୂର୍ବେ ଏହି ସ୍ଥାନ ଛାଡ଼ି ଚାଲି ଯାଇଛନ୍ତି ।

 

ଏହି ବିଶେଷ କାରଣ ଯାହା ହେଉନା କାହିଁକି, ଏହି କୁଟୀର ଗୁଡ଼ିକ ଶୂନଶାନ୍ ପଡ଼ିଥିବାରୁ, ଶ୍ରୀନିଧି ସେତେ ଯିବାର ଉଦ୍ଦେଶ୍ୟ ବ୍ୟର୍ଥ ହୋଇଯାଇଥିଲା । ସେତେବେଳେ ରହିବାର କିଛି ଆଶ୍ରୟ ନ ଥିଲା ସେତେବେଳେ ସେଠାରେ ସେ ରହି କ’ଣ କରିବେ ? ଏମିତି ରାତି କାଟିବା ପାଇଁ ଖାଲି କୁଡ଼ିଆରେ ଆଶ୍ରୟ ମିଳିବ କିନ୍ତୁ ଯେଉଁ ବିଶେଷ କାରଣ ଯୋଗୁ ଏ ଲୋକମାନେ ଏଠାରୁ ପଳାଇ ଯାଉଛନ୍ତି, ସେ ବିଶେଷ କାରଣ ତାଙ୍କ ପ୍ରତି ଲାଗୁ ନ ହେବ କାହିଁକି ?

 

ଏହି ଡେରା ଖୋଜିବାରେ ତାଙ୍କର ବହୁତ ସମୟ ନଷ୍ଟ ହୋଇଯାଇଥିଲା । ଏବଂ ଶୂନ୍ୟତାରେ ଭରିଥିବା ଜଙ୍ଗଲ ତଥା ତା’ର ଶୁଖିଲା ନାଳରେ ଦୁଇଘଣ୍ଟା କାଳ ଏପଟ ସେପଟ ହୋଇ ବୁଲିବାପରେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ତାଙ୍କ ବ୍ୟତୀତ ସମୁଦାୟ ଘାଟିଟିରେ ଜନ ମାନବ ନାହାନ୍ତି । ସେ ଏକାକୀ ସେଠାରେ । ଯଦି କୌଣସି ବିପତ୍ତି ପଡ଼େ ତେବେ ଏକାକୀ ତାଙ୍କୁ ମୁକାବିଲା କରିବାକୁ ପଡ଼ିବ । ତେଣୁ ଶେଷରେ ସେ ଏହି ନିର୍ଣ୍ଣୟରେ ପହଞ୍ଚିଲେ ଯେ ଜଳାଶୟ ନିକଟରେ ମଧ୍ୟାହ୍ନ ଭୋଜନ କରିବା ପରେ ତୁରନ୍ତ ସେ ହରିଦ୍ୱାର ଫେରିଯିବେ । ସମୟ ମଧ୍ୟାହ୍ନ ହେବ । ସନ୍ଧ୍ୟା ପାଞ୍ଚଟା ବେଳକୁ ମଜାରେ ପହଞ୍ଚିଯିବେ ।

 

ଜଳାଶୟ ଖୋଜିବାରେ ବିଶେଷ ସମୟ ଲାଗିଲା ନାହିଁ । ପ୍ରାୟ ଶହେ କଦମ ଦୂରରେ କାଶତଣ୍ଡି ଫୁଲରେ ଶୋଭିତ ବୃକ୍ଷ ଛାୟାରେ ଗୋଟିଏ ଜଳ କୁଣ୍ଡ ଦେଖାଗଲା । ତା’ ପାଖରେ ଥିବା ସ୍ୱଚ୍ଛ ସ୍ଫଟିକ ଶିଳା ଉପରେ ଯାଇ ବସିଲେ । ସେ ଅଧା ଖାଦ୍ୟ ଖାଇଛନ୍ତି କି ନାହିଁ ଐଶାନ କୋଣରୁ କୌଣସି ଗୋଟିଏ ମଇଁଷିର ଶବ୍ଦ ତାଙ୍କୁ ଆକୃଷ୍ଟ କଲା । ଜଲଦି ଜଲଦି ଭୋଜନ ଶେଷକରି ଶ୍ରୀନିଧି ସେ ଶବ୍ଦ ଦିଗରେ ଚାଲିଲେ ଏବଂ ପ୍ରାୟ ଅଧ ମାଲିଏ ଚାଲିବାପରେ ଗୋଟିଏ ପାହାଡ଼ର ଛାଇରେ ଦୁଇଟି କୁଟିର ଥିବା ଡେରାରେ ଯାଇ ପହଞ୍ଚିଲେ । ତାହା ତିନି ଦିଗରେ ତିନୋଟି ଶୁଖିଲା ନାଳର ସଂଗମଠାରେ କୌଣସି ମୋନି ବାବା ଭଳି ଜଣାପଡ଼ୁଥିଲା । ବାହାର ଚଉତରା ଠାରେ ଧୁ ଧୁ ହୋଇ ଜଳୁଥିବା ଗୋଟିଏ ପ୍ରଚଣ୍ଡ ଧୁନି ଯାହାକି ବଣ ପଶୁମାନଙ୍କୁ ଦୂରରେ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା । ତା’ ବ୍ୟତୀତ ଅନ୍ୟ କୌଣସି ଲୋକର ଚିହ୍ନ ମିଳୁ ନ ଥିଲା । କିଛି ଦୂରରେ ଚାରି ପାଞ୍ଚୋଟି ମଇଁଷି ଚରୁଥିଲେ । ଡେରା ପାଖକୁ ଯାଇ ବଡ଼ ପାଟିରେ ଡାକିଲେ, କିଏ ଅଛ କି ?

 

ପର ମୁହୂର୍ତ୍ତରେ ଆଗ କୁଡ଼ିଆଟିର କବାଟ ସାମାନ୍ୟ ଖୋଲିଲା ଏବଂ ଗୋଟିଏ ଶଙ୍କିତ ଶବ୍ଦ ପଚାରିଲା, କିଏ ସେ ? ଟିକିଏ କବାଟ ଖୋଲ ବୋଲି ଶ୍ରୀନିଧି କହିଲେ । ତାଟି କବାଟଟି ପୂରା ଖୋଲିଗଲା ଓ ଗୋଟିଏ ଯୁବକ ବାହାରି ଆସିଲା ଏବଂ କହିଲା, ଆପଣ ଏଠାରେ କେମିତି-? ତା’ର କଥାରେ ବିସ୍ମୟ ଭରି ରହିଥିଲା । କାହିଁକି ? କ’ଣ ହେଲାକି ? ଶ୍ରୀନିଧି ପଚାରିଲେ, ଆପଣ କ’ଣ ଏକାକୀ ? ଦ୍ଵିତୀୟ ପ୍ରଶ୍ନ । ଶ୍ରୀନିଧି ଉତ୍ତର ଦେଲେ ହଁ ମୁଁ ଏକାକୀ ।

 

ତାହା ହେଲେ ଆପଣ କମାଲ କରିଦେଲେ । ପୁଣି ଶ୍ରୀନିଧି କାନ୍ଧରେ ଲଟକିଥିବା ରିଭଲଭରକୁ ଦେଖି କହିଲା; ଏହି ଛୋଟ ବନ୍ଧୁକ ତା’ର କ’ଣ କରିବ ? ଆପଣଙ୍କୁ ବୋଧେ ଜଣାନାହିଁ ସେ ଏବେ ତିନିଦିନ ପୂର୍ବେ ଗୋଟିଏ କାଠ କଟାଳିକୁ ମାରି ଦେଇଛି । ଶ୍ରୀନିଧି କହିଲେ ମୋତେ ସେକଥା ଜଣା ନ ଥିଲେ ଏଠାକୁ ଆସିଥାନ୍ତି କାହିଁକି ? ଏହି କଥା ଶୁଣିକରି ମୁଁ ଆସିଛି । ଏହି କଥା କହି କହି ତା’ କୁଟୀରରେ ପଡ଼ିଥିବା ଖଟରେ ବସିପଡ଼ିଲେ ।

 

କିନ୍ତୁ ଏହାପରେ କୁଟୀରର ସେ ଶୂନ୍ୟ କକ୍ଷ ଚାରିଜଣ ଆଗନ୍ତୁକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଗଲା । ବୋଧହୁଏ ଶ୍ରୀନିଧିଙ୍କ ପାଟି ଶୁଣି ପାଖ କୁଡ଼ିଆରୁ ସେମାନେ ଆସିଥିଲେ । ସେମାନେ ବଡ଼ ବିସ୍ମୟ ଦୃଷ୍ଟିରେ ଶ୍ରୀନଧିଙ୍କୁ ଚାହୁଁଥିଲେ ।

 

ଏମାନଙ୍କ ମଧ୍ୟରୁ ଦୁଇଜଣ ବୁଢ଼ାଥିଲେ ଯେଉଁମାନେ କି ଯୁବକର ପିତା ଓ ମାତା ବୋଲି ପରେ ଜାଣିଲେ । ଅନ୍ୟ ଦୁଇଜଣ ତା’ର ଛୋଟ ଭଉଣୀ ଥିଲେ । ଯୁବକର ନାଁ ନିଆଜି ଓ ବୟସ ତେଇଶି କି ଚବିଶ ବର୍ଷ ହେବ । ଖୁବ୍ ଉତ୍ସାହୀ ଓ ସାହାସୀ ବୋଲି ଜଣା ପଡ଼ୁଥିଲା । ଶ୍ରୀନିଧି ପାଖେ ବସି ନରଭକ୍ଷକ ସମ୍ପର୍କରେ କେତେକଥା କହିଗଲା ଏବଂ ଏମିତିକି ନିଜ ବାପାଙ୍କର ମନାସତ୍ତ୍ଵେ ତାଙ୍କୁ ସେ ଜାଗାକୁ ନେଇଗଲା । ଯେଉଁଠାରେ ସେ କାଠକାଟିଲା ବାଲା ତିନି ଦିନ ତଳେ ବାଘ ହାବୁଡ଼ରେ ପଡ଼ି ପ୍ରାଣ ହରାଇ ଥିଲା, ସେହି ବୃକ୍ଷ ତଳେ ଥିବା ମାଟି ଉପରେ ସେ ପର୍ଯ୍ୟନ୍ତ ଶୁଖିଲା ରକ୍ତର ଦାଗ ଦିଶୁଥିଲା ଏବଂ ପାଖ ଆଖରେ ନରଭକ୍ଷୀର ଭାରିପାଦର ଚିହ୍ନ ମଧ୍ୟ ପଡ଼ିଥିଲା ।

 

ଫେରିଲାବେଳେ ସେ ଶ୍ରୀନିଧିଙ୍କୁ ଦୁଇ ଚାରିପଦ ସତ୍ ପରାମର୍ଶ ମଧ୍ୟ ଦେଲା । କହିଲା, ଏପରି ଭୟଙ୍କର ଘାଟିନିକଟକୁ ଆପଣ ଏକାକୀ, ଏପରିକି ଚାରି ପାଞ୍ଚଜଣ ସାଥିଙ୍କ ସହିତ ଆସିବା ଆଦୌ ଉଚିତ ନୁହେଁ । ଆମମାନଙ୍କ କଥା ଛାଡ଼ନ୍ତୁ । ଆମେ ତ ପୁରୁଷାନୁକ୍ରମେ ଏହି ଜଙ୍ଗଲରେ ରହି ଆସିଛୁ ଓ ଏଠାକାର ଦୁଷ୍ଟ ଜନ୍ତୁମାନଙ୍କୁ ଚିହ୍ନି ରଖିଛୁ । କିନ୍ତୁ ଏ କଥା ସତ ଆଜି ପ୍ରଥମଥର ପାଇଁ ଏ ନରଭକ୍ଷୀ ଆମକୁ ହଇରାଣରେ ପକାଇ ଦେଇଛି । ଏଥିପାଇଁ ଆମକୁ କେତେ ସତର୍କ ରହିବାକୁ ପଡ଼ୁଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

 

ସେ ଲୋକଟିର କଥା ଶୁଣି ଶ୍ରୀନିଧି କହିଲେ, ହଁ ଭାଇ ! ଏକଥାତ ତୁମେ କହିବା ପୂର୍ବରୁ ମୁଁ ଜାଣି ସାରିଛି । ଆଶ୍ଚର୍ଯ୍ୟ ହେଉଛି ଯେ ତୁମର ସବୁ ସାଙ୍ଗସାଥିମାନେ ପଳାଇଯିବା ପରେ ମଧ୍ୟ ତୁମେମାନେ କିଭଳି ଏଠାରେ ଏବେ ବି ରହିଛି ?

 

ଭାଗ୍ୟ ! ଆଜ୍ଞା ଭାଗ୍ୟ । ଆଉ କିଛି ନୁହେଁ ବାବୁ । ତାଙ୍କ ଭାଗ୍ୟ ତାଙ୍କ ସଙ୍ଗେ ଏବଂ ଆମ ଭାଗ୍ୟ ଆମ ସାଙ୍ଗରେ । କିଏ ଜାଣେ ଏବେ ଆମକୁ ଭଗବାନ କାହିଁକି ଏଠାରେ ରଖିଛନ୍ତି ଏବଂ ଏହା କହି ସେ ଶ୍ରୀନିଧିଙ୍କ ଆଡ଼କୁ ଚାହିଁ ଆତ୍ମିୟତା ସହ କହିଲା, କିନ୍ତୁ ବାବୁ ! ଆପଣ ଏଠାରେ ରହନ୍ତୁ ନାହିଁ । ଗୋଟିଏ ମିନିଟ ମଧ୍ୟ ନୁହେଁ । ଆଜ୍ଞା କେତେ ସମୟ ହେଲା ଘଡ଼ିରେ ?

 

ଶ୍ରୀନିଧି ଉତ୍ତର ଦେଲେ, ତିନ୍ । ତାହା ହେଲେ ଠିକ୍ ଅଛି, ସେ ସନ୍ତୋଷ ସହ କହିଲା ସନ୍ଧ୍ୟା ପ୍ରାୟ ପାଞ୍ଚଟା ହେବ । ବର୍ତ୍ତମାନ ଚାଲିଲେ ପାଞ୍ଚଟା ପୂର୍ବରୁ ହରଦ୍ୱାରରେ ପହଞ୍ଚିଯିବେ । ମୁଁ ଆପଣଙ୍କୁ ଛାଡ଼ିବାକୁ ସାଙ୍ଗରେ ଯିବିକି ?

 

ଶ୍ରୀନିଧି ଉତ୍ତର ଦେଲେ, ନା, ମୁଁ ଚାଲିଯିବି । ମୋ ପାଇଁ ତୁମେ ଚିନ୍ତା କରନି ।

 

କିନ୍ତୁ ଶ୍ରୀନିଧି ଗଲେ ନାହିଁ । ତାଙ୍କର ଉଦ୍ଦେଶ୍ୟ ଥିଲା ଅନ୍ୟ ପ୍ରକାର । ନିଆଜିର ଆଖିରେ ନ ପଡ଼ି ସେ ଲମ୍ବା ଚକରଟିଏ କାଟି ଗୁମ୍ଫା ଆଡ଼େ ଗଲେ । ଯେଉଁଠାରେ କି ସେ ନରଭକ୍ଷୀ ରହିଛି ବୋଲି ଆଗରୁ ଶୁଣିଥିଲେ । ଗୁମ୍ଫାର ଅବସ୍ଥିତି ସମ୍ପର୍କରେ ଠିକଣା ନିଆଜି କହିଥିଲା ଏବଂ ସେଠାରେ କିପରି ସିଧାସଳଖ ରାସ୍ତାରେ ଯାଇ ପହଞ୍ଚିବାକୁ ହେବ ବତେଇ ଦେଇଥିଲେ । ଶ୍ରୀନିଧିଙ୍କର ଉଚିତ ଥିଲା ନିଆଜିର ପରାମର୍ଶ ପାଇଁ ହରଦ୍ୱାର ଫେରିଯିବା । ଶ୍ରୀନିଧି ମଧ୍ୟ ଫେରି ଆସିଥାନ୍ତେ କିନ୍ତୁ ନିଆଜି ଶ୍ରୀନିଧିଙ୍କୁ ନରଭକ୍ଷୀ ସମ୍ପର୍କରେ ଏପରି ଏକ ଅଦ୍ଭୁତ କଥା କହିଲା, ଯାହା ଫଳରେ କି ସେ ସେଠାରେ ସ୍ଵଚକ୍ଷୁରେ ଦେଖିବାର ଆଗ୍ରହକୁ ଏଡ଼େଇ ଦେଇ ଆସିପାରିଲେ ନାହିଁ । ନିଆଜି କଥା ପ୍ରସଙ୍ଗରେ କହିଥିଲା ଯେ ଆଜିକାଲି ନରଭକ୍ଷୀକୁ (ଏ ନରଭକ୍ଷୀ ହେଟା ବାଘ ଅଟେ) ଗୋଟିଏ ବାଘୁଣୀ (ମହାବଳ ବାଘ) ସହିତ ବୁଲିବା ଦେଖାଯାଉଛି-। ଏ କଥା ଶୁଣି ଶ୍ରୀନିଧି ଆଶ୍ଚର୍ଯ୍ୟ ହୋଇନଥିଲେ । କାରଣ ଚିଡ଼ିଆଖାନାରେ ଆଜିକାଲି ଏପରି ଅନେକ ବର୍ଣ୍ଣଶଙ୍କର ସନ୍ତାନ ଜନ୍ମଗ୍ରହଣ କରୁଛନ୍ତି । କିନ୍ତୁ ସେତେବେଳେ ତାଙ୍କ ପ୍ରତି ଏହା ଏକ ଅଦ୍ଭୁତ କଥା ଥିଲା ଏବଂ ବିପଦକୁ ବରଣ କରି ମଧ୍ୟ ସେ ଏହାର ସତ୍ୟତା ପରୀକ୍ଷା କରିବାକୁ ଚାହୁଁଥିଲେ ।

 

ସେ ଯେତେ ଯେତେ ଗଛ ଛାଇରେ ଗୁମ୍ପା ଛାଇରେ ଆଡ଼େ ଅଗ୍ରସର ହେଉଥିଲେ, ଭୟର ଅଗ୍ରଦୂତ ଚୁପ୍‌ଚାପ୍‍ ତାଙ୍କର ପିଛା କରୁଥିଲେ । ଏଥିପାଇଁ ବହୁତ ସତର୍କ ଏବଂ ସାବଧାନ ସହକାରେ ତାଙ୍କୁ ଚାଲିବାକୁ ପଡ଼ୁଥିଲା । ତଥାପି ବାଟରେ ପଡ଼ିଥିବା ଶୁଖିଲା ନାଳର ପଥର ଦୁଷ୍ଟ ପଣିଆରେ ଓଲଟି ପଡ଼ୁଥିଲେ ଏବଂ ତାଙ୍କର ଉପସ୍ଥିତି ଘୋଷଣା କରି ଦେଉଥିଲେ । ଏପରି ଘୋଷଣାର ପରିଣାମ ଗୋଟିଏ କଥା ଥିଲା ଯେ ନରଭକ୍ଷୀର ଅଚାନକ ଆକ୍ରମଣ ନିଆଜି ତାଙ୍କୁ କହିଥିଲା । ଏହି ଜାଗାକୁ ଆସିବା ପୂର୍ବରୁ ହେଟା ବାଘଟି ତାଳଗାଁ ନାମକ ଏକ ପଡ଼ୋଶୀ ଗାଁର ଜଙ୍ଗଲରେ ରହୁଥିଲା ଏବଂ ସେ ଦୁଇ ତିନୋଟି ଲୋକଙ୍କୁ ସେଠାରେ ଖାଇ ଦେଇଥିଲା । ସେଠାକାର କେତେ ଶିକାରୀ ତାକୁ ମାରିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ସେ ସମସ୍ତଙ୍କୁ ଚିତାକାଟି ଦେଇଛି । ଶେଷରେ ‘କୁମାଁଉ’ ଅଞ୍ଚଳର ଜଣେ ଶିକାରୀ ତାକୁ ମାରିତ ପାରିଲାନି କେବଳ ଚିଲ୍ମ ରେଞ୍ଜ ଅଞ୍ଚଳକୁ ତାକୁ ଘଉଡ଼େଇ ଦେଇଥିଲେ । ଏଠାକୁ ଆସି ସେ କେତେକାଳ ସେପଟ ଏପଟ ବୁଲିଲା । କିନ୍ତୁ ଶେଷରେ ଏ ନସ୍ତରବାଲା ସ୍ରୋତକୁ ନିଜର କାର୍ଯ୍ୟକ୍ଷେତ୍ର କରି ଏଠାରେ ରହିଲା । ଧୀରେ ଧୀରେ ଏଠାରେ ସେ ତାଳଗାଁ ଅଞ୍ଚଳରେ କରୁଥିବା ଦୌରାତ୍ମ ସୃଷ୍ଟି କଲା । କାଠକଟାଳୀର ରକ୍ତ ତା’ର ପ୍ରଥମ ଶିକାର ଥିଲା । ଯଦି ଜଙ୍ଗଲ ବିଭାଗ ଅଫିସର ଏହାର ପ୍ରତିକାର ନିମନ୍ତେ କିଛି ବ୍ୟବସ୍ଥା ନକଲେ, ସେ ନିଶ୍ଚୟ ଅନ୍ୟ ଲୋକଙ୍କ ଜୀବନ ହାନି କରିବା ଅସମ୍ଭବ ନୁହେଁ । ନରଭକ୍ଷୀର ଏ ପୂର୍ବକାହାଣୀ ଶୁଣାଇବା ପରେ ନିଆଜି ଗାରକାଟି ସେ ଗୁମ୍ଫାର ନକ୍‌ସା କାଟି ଦେଖାଇ ଦେଇଥିଲା । ଯେଉଁଠାରେ ତା’ ବିଚାରରେ ନରଭକ୍ଷୀ ରହୁଥିଲା, ସେ ଗୁମ୍ଫାଟି ଶ୍ରୀନିଧିଙ୍କର ଜଣାଶୁଣା ଥିଲା । ଏଥିପାଇଁ ସେ ଏପଟ ସେପଟ ହେବା ଦରକାର ନଥିଲା । ପନ୍ଦର ମିନିଟ୍ ପରେ ଶ୍ରୀନିଧି ଯାଇଁ ସେଠାରେ ପହଞ୍ଚିଗଲେ ।

 

ସାମନାରେ ପ୍ରାୟ ପଚାଶ ହାତ ଦୂରରେ ଗୋଟିଏ ଛୋଟ ପାହାଡ଼ ଦେଖାଯାଉଥିଲା । ତା’ ପାଖରେ ପଞ୍ଚଚାଳିଶ ଡିଗ୍ରୀ କୋଣ ଅଙ୍କନ କରି ପଥର ଚଟାଣଟିଏ ଏପରି ପଡ଼ିଥିଲା ଯେ ଚଟାଣ ଓ ପାହାଡ଼ ମଧ୍ୟରେ ଗୋଟିଏ ଖାଲି ସ୍ଥାନ ସୃଷ୍ଟି ହୋଇଥିଲା । ନିଆଜିର ମତରେ ସେ ନରଭକ୍ଷୀ ହେଟା ଆଜିକାଲି ସେଇଠି ହିଁ ରହୁଛି । ଗୁମ୍ଫା ଦ୍ୱାରରେ କିଛି ଝୁରାମାଟି ପଡ଼ିଥିଲା । ଯାହା ଉପର ପଦ ଚିହ୍ନରୁ ଏହା ପତା ଲଗାଇନେବା କିଛିହେଲେ କଷ୍ଟ ନ ଥିଲା ଯେ ହେଟା ଭିତରେ ଅଛି କି ନାହିଁ । କିନ୍ତୁ ଏଥିପାଇଁ ଗୁମ୍ଫାର ଅତି ନିକଟକୁ ଯିବା ନିହାତି ଆବଶ୍ୟକ ଥିଲା, ଯାହାକି ନିଶ୍ଚିତଭାବେ ବିପଜ୍ଜନକ । କାରଣ ହେଟାବାଘ ଶିକାର ସମୟତକ ଛାଡ଼ିଦେଲେ ବାକି ସମୟତକ ନିଜ ଗୁମ୍ଫାରେ ରହୁଥିଲା । ଏଥିପାଇଁ ଗୁମ୍ଫାପାଖକୁ ଯିବାର ଲୋଭ ତ୍ୟାଗକରି ଶ୍ରୀନିଧି ନିକଟରେ ଥିବା ଗୋଟିଏ ଗଛ ଉପରେ ଚଢ଼ିଗଲେ ଏବଂ ତା’ର ଗୋଟିଏ ଡାଳରେ ଲୁଚିକରି ବସିଲେ ।

 

କ୍ରମଶଃ ସନ୍ଧ୍ୟା ହୋଇ ଆସିଲା । ସେ ଚଢ଼ିଥିବା ଗଛ ପାଖରେ ଗୋଟିଏ ଘଞ୍ଚ ବୁଦାଥିଲା । ଗୋଟିଏ ଲମ୍ବା ପୁଚ୍ଛଥିବା ପକ୍ଷୀଟିଏ କୁଆଡ଼ୁ କେମିତି ଆସି ସେ ବୁଦାରେ ଲୁଚି ଗଲା । ଆଘାତରେ ଗଛଟି କିଛି ସମୟ ପାଇଁ ଅସ୍ଥିର ହୋଇ ପୁଣି ନିସ୍ତବ୍‌ଧ ହୋଇଗଲା । ତା’ପରେ ଆଉ ଗୋଟିଏ ପକ୍ଷୀ ଆସି କେଁ କେଁ କରିବାରେ ଲାଗିଲା । ଏହା ତାଙ୍କୁ ସନ୍ଧ୍ୟା ଆସିବା ଓ ହେଟାବାଘର ବାହାରିବା କଥା ମନେ ପକାଇ ଦେଲା ।

 

ସେ ଗୁମ୍ଫା ଦ୍ଵାର ଆଡ଼େ ନଜର ପକାଇଲେ । ତାଙ୍କର ବିଶ୍ୱାସ ହେଲା ଯେ ହେଟା ଆଜି ନିଶ୍ଚୟ ଶିକାରକୁ ବାହାରିବ କାରଣ ତିନିଦିନ ତଳେ କାଠୁରିଆକୁ ମାରି ଖାଇଥିବା ମାଂସ ହେଟାର ଜୀର୍ଣ୍ଣ ହୋଇଯିବଣି । ସେ ବର୍ତ୍ତମାନ ହିଁ ବାହାରିବ । ଏଠାରେ ପାଠକମାନେ ଜାଣିବା ଉଚିତ ଯେ ହେଟାବାଘ, ବିଶେଷତଃ ନରଭକ୍ଷୀ ହେଟାବାଘ ଅନ୍ଧାର ହେଲାମାତ୍ରେ ଶିକାର କରିବାକୁ ବାହାରେ ।

 

ପ୍ରତୀକ୍ଷା କରୁ କରୁ ସନ୍ଧ୍ୟା ଅତୀତ ହୋଇଗଲା । କିନ୍ତୁ ନରଭକ୍ଷୀର ଦେଖା ମିଳିଲା ନାହିଁ । ସେତେବେଳକୁ ଚତୁର୍ଥୀର ଚନ୍ଦ୍ର ପଶ୍ଚିମ ଆକାଶରେ ଦେଢ଼ଘଣ୍ଟା ଆଗରୁ ପହଞ୍ଚି ସାରିଥିଲେ । ଚନ୍ଦ୍ର ବିଦାୟ ଦେଇଯିବା ପରେ ଅନ୍ଧାର ପୁଣି ଚାରିଆଡ଼େ ମାଡ଼ିଗଲା । କିନ୍ତୁ ଗୁମ୍ଫାଦ୍ଵାରର କିଛି ପରିବର୍ତ୍ତନ ହେଲା ନାହିଁ । ଅଧରାତି ବେଳକୁ ଟିକିଏ ଶବ୍ଦ ଶୁଣାଯାଇଥିଲା । ଶ୍ରୀନିଧିଙ୍କ ମନରେ ଟିକିଏ ସନ୍ଦେହ ହେଲା । ଅନେକବେଳ ପର୍ଯ୍ୟନ୍ତ ଲକ୍ଷ୍ୟ କରିବା ପରେ ମଧ୍ୟ କିଛି ଉଲ୍ଲେଖଯୋଗ୍ୟ କଥା ତାଙ୍କ ନଜରକୁ ଆସିଲା ନାହିଁ । ସେ ବିରକ୍ତିରେ ଆଖି ଫେରାଇ ଆଣି ଆରାମରେ ବସିଗଲେ-। କିଛି କ୍ଷଣ ପରେ ତାଙ୍କୁ ଜଣାଗଲା ଯେ ସେ ବସିଥିବା ଗଛତଳେ କେହି ଯେପରି ଟହଲ ମାରୁଛି-। ଅଳ୍ପ ଖଡ଼ ଖଡ଼ ଶବ୍ଦ ହେଉଥିଲା । ସେ ସତର୍କ ହୋଇ ବସିଲେ । କିଏ ଜାଣେ କ’ଣ ହେବ-? କାଳେ ସେ ନରଭକ୍ଷକ ହୋଇଥିବ ।

 

କିନ୍ତୁ ନା । ତା’ କାମ ଶ୍ରୀନିଧି ବସିଥିବା ଗଛ ତଳେ ରହିବା ନ ଥିଲା ବୋଧେ ତେଣୁ ଆଗକୁ ଚାଲିଗଲା ପତ୍ର ଉପରେ ଚାଲିବାର ଶବ୍ଦ ଆସ୍ତେ ଆସ୍ତେ ଦୂରକୁ ଦୂରକୁ ଚାଲିଗଲା । କିଛି ସମୟ ଗତ ହେବା ପରେ ଆଉ ମୋଟେ ଶୁଣାଗଲା ନାହିଁ । ବୋଧେ ଘଣ୍ଟାଏ ଯାଇଥିବ କି ନାହିଁ କାହାର ଆର୍ତ୍ତଚିତ୍କାରରେ ବନ ପ୍ରାନ୍ତର କମ୍ପି ଉଠିଲା । ସେ ଚିତ୍କାର ନିଆଜିର ଡେରାଥିବା ଦିଗରୁ ଆସୁଥିଲା । କେହି ବାରମ୍ବାର ନିଆଜିର ନାମ ଧରି ଡାକୁଥିଲା । ଶ୍ରୀନିଧି ଅନୁଭବ କଲେ ସତେ ଯେପରି ସେଠାରେ କିଛି ଦୁର୍ଘଟଣା ଘଟିଯାଇଛି । ତାଙ୍କର ପାଦ ମନକୁ ମନ ଗଛରୁ ତଳକୁ ଓହ୍ଲାଇବାରେ ଲାଗିଲା । ଅନ୍ଧାର ଯୋଗୁ ବୃକ୍ଷର ଡାଳପତ୍ର ସବୁ ଦେଖାଯାଉ ନଥିଲା । ତଥାପି ଅନୁମାନରେ ତଳକୁ ଓହ୍ଲାଇ ପଡ଼ିଲେ । ହେଟାବାଘ ଆକ୍ରମଣ କରିବା କଥା ଶ୍ରୀନିଧି ଭୁଲିଯାଇଥିଲେ । କେବଳ ତାଙ୍କର ମନଲାଖି ରହିଥିଲା ଆର୍ତ୍ତଚିତ୍କାର ଆଡ଼େ । ପାଦ ମାଟିରେ ଲାଗିବା‌‌କ୍ଷଣି ଦୌଡ଼ିଲେ । ଖାଲି ଢିପ କଣ୍ଟାବୁଦା ସବୁ ଡେଇଁ ଡେଇଁ ଯାଇ ପହଞ୍ଚି ପଚାରିଲେ, କ’ଣ ହେଲା । ନିଆଜି ! ସବୁ ଭଲତ ? କେହି ଉତ୍ତର ଦେଲେ ନାହିଁ । ଚଉତରା ଉପରେ ଜଳୁଥିବା ମଶାଲ ସାମାନ୍ୟ ମାନ୍ଦା ପଡ଼ି ଯାଇଥିଲା । କିନ୍ତୁ ତା’ ଆଲୋକରେ ଆଖପାଖ ଜିନିଷ ସବୁ ସ୍ପଷ୍ଟ ଦିଶୁଥିଲା । ତିନିଜଣ କୁଡ଼ିଆ ଦ୍ଵାର ନିକଟରେ ଠିଆ ହୋଇ କାନ୍ଦୁଥିଲେ ନିଆଜିର ମା ଓ ଦୁଇଟି ଛୋଟ ଭାଇ ଭଉଣୀ । ନିଆଜିର ବାପା କୁଡ଼ିଆର ଆଗକୁ ପଛକୁ ପାଗଳ ପରି ଦୌଡ଼ୁଥିଲା ।

 

ଶ୍ରୀନିଧିଙ୍କୁ ଦେଖି ସେ ହଠାତ୍ ରହିଗଲା । ତୁମେ ! ନିଧି ବାବୁ । ତୁମେ ! ତୁମେ ତ ହରଦ୍ଵାର ଚାଲି ଯାଇଥିଲ । ଏଠାରେ କେମିତି ! ଶ୍ରୀନିଧି ବାବୁ କହିଲେ, ହରଦ୍ଵାର ଯିବା ସମ୍ଭବ ହେଲାନି । ଏହି ଜଙ୍ଗଲରେ ରହିବାକୁ ପଡ଼ିଲା । କିନ୍ତୁ ତୁମେ କାନ୍ଦୁଛ କାହିଁକି ? ନିଆଜି କୁଆଡ଼େ ଗଲା ?

 

ଯଦି ତୁମେ ଜଙ୍ଗଲରେ ଥିଲ, ତେବେ ବହୁତ ଡେରିରେ ଆସିଲ ବାବୁ ! ନିଆଜିକୁ... । ସେ ତା’ କଥା ଶେଷ କରି ପାରିଲା ନାହିଁ । ମୂର୍ଚ୍ଚା ହୋଇ ପଡ଼ିଗଲା । ତା’ କଥା ଶ୍ରୀନିଧି ବାବୁଙ୍କୁ ଅଜଣା ରହିଲା ନାହିଁ । ଭୟଙ୍କର ଦୁର୍ଘଟଣା ଘଟିଯାଇଥିଲା । ଏବେ କିଛି ସମୟ ପୂର୍ବେ ତାଙ୍କ ଗଛ ତଳେ ଯାହାର ପଦଶବ୍ଦ ଶୁଣାଯାଇଥିଲା ସେ ଶବ୍ଦ ଥିଲା ନରଭକ୍ଷୀ ହେଟାର, ଏବଂ ଏଠାରେ ନିଆଜିର ଯମଦୂତ ଭାବେ ପହଞ୍ଚିଥିଲା । ରାତି ତିନିଟାବେଳେ ଏ ନିଘଞ୍ଚ ଜଙ୍ଗଲରେ ଖୋଜିବାର ଉପାୟ କ’ଣ ? ଟର୍ଚ୍ଚର ପ୍ରଚାର ସେଠାରେ ନଥିଲା । ଗୁର୍ଜ୍ଜରଙ୍କ ଘରେ ମଧ୍ୟ ମଶାଲ କଲା ଭଳି ଲୁଗା ମିଳିଲାନି । ଶୁଖିଲା ଝାଟି ଆଣି ମଶାଲ କରାଯାଇପାରେ । କିନ୍ତୁ ତାହା କେତେ ସମୟ ରହିବ ? ଅଧ ମିନିଟରେ ଲିଭିଯିବ । ତେଣୁ ଲାଭ କିଛି ହେବନି ।

 

ଶେଷରେ ଶ୍ରୀନିଧି ବାବୁ ତାଙ୍କ ପତଳା ଚାଦରରେ କିଛି ଅଂଶ ଚିରି ଦୁଇଟି ମଶାଲ କଲେ । ତେଲ ଜାଗାରେ ଘିଅ ବୁଡ଼ାଇ ନିଆଁ ଲଗାଇ ନେଇ ଚାଲିଲେ । ନିଆଜିର ବାପା ତାଙ୍କୁ ପରେ କହିଥିଲା ଯେ ଚଉତରା ପାଖରେ ଜଳୁଥିବା ଧୁନିକୁ ଆଉ ଟିକିଏ ତେଜି ଦେବା ପାଇଁ । ନିଆଜି ଯେମିତି ଆସି ଧୁନି ପାଖେ ବସିଛି ପଛ ଆଡ଼ୁ ତାକୁ କେହି ଯେପରି ମାଡ଼ି ମାଡ଼ି ବସିଲା ଏମିତି ନିଶବ୍ଦରେ ଉଠାଇ ନେଲା ଯେ ଆମକୁ କିଛି ଶୁଣାଗଲା ନାହିଁ । ପରେ ଗୋଟିଏ ହାଲୁକା ଚିତ୍କାର ଶୁଣାଗଲା । ଯାହା ଫଳରେ କି ସେମାନେ ଘଟଣା ସ୍ଥଳରେ ପହଞ୍ଚି ଦେଖନ୍ତି, ଏ ଅବସ୍ଥା । ବହୁତ ଡକା ହକା ପରେ ମଧ୍ୟ କିଛି ଉତ୍ତର ପାଇଲେନି ।

 

ତେଣୁ ଶ୍ରୀନିଧି ଏପରି ଜଣେ ଲୋକକୁ ସାଙ୍ଗରେ ନେବା ଉଚିତ ଭାବିଲେ ନାହିଁ । ନିଜେ ଏକାକୀ ମଶାଲ ଧରି ନିଆଜି ନିଆଜି ଡାକି ଡାକି ଚାଲିଲେ । ରକ୍ତଦାଗ ଦେଖିବାକୁ ଚେଷ୍ଟାକଲେ କିନ୍ତୁ କିଛିହେଲେ ଦେଖିବାକୁ ପାଇଲେ ନାହିଁ । ମଶାଲ ମଧ୍ୟ ଅଧଘଣ୍ଟାରେ ଶେଷ ହୋଇଗଲା । ତେଣୁ ସେ ଫେରି ଆସିଲେ । ଯାହାଦ୍ୱାରା ସେମାନଙ୍କ ସନ୍ଦେହ ପକା ହୋଇଗଲା ଓ ନିରାଶରେ ହତୋତ୍ସାହ ହୋଇପଡ଼ିଲେ । ଶ୍ରୀନିଧି ତାଙ୍କୁ ଯଥା ସମ୍ଭବ ସାନ୍ତ୍ୱନା ଦେଲେ ଓ ତା’ର ପିତା ରହମତ୍ ଖାଁକୁ ରାଜି କରାଇଲେ ଯେ ସେ ସକାଳୁ ତା’ର ସଂପର୍କୀୟ ଲୋକମାନଙ୍କୁ, ଯେଉଁମାନେ କି ଏଠାରୁ ତିନି ଚାରି ମାଇଲ ଦୂରରେ ରହୁଛନ୍ତି ସେମାନଙ୍କୁ ଡାକି ଆଣିବାକୁ ଯିବ ଓ ସେ ଆଉଥରେ ଖୋଜିବେ ।

 

ଶ୍ରୀନିଧି ବାବୁ ବହୁତ ହେଟା ବାଘ ଦେଖିଥିଲେ । କିନ୍ତୁ ନରଭକ୍ଷୀ ହେଟା ଦେଖିବା ତାଙ୍କ ପକ୍ଷେ ଏ ପ୍ରଥମ । ଏକାକୀ ଏବଂ ନିରସ୍ତ୍ର ଭାବେ ଏହାର ପିଛା କରିବା ଅର୍ଥ ଜାଣିଶୁଣି ବିପଦକୁ ଡାକି ଆଣିବା ସହ ସମାନ ।

 

ଶ୍ରୀନିଧି ପ୍ରଥମେ ଯାଇ ଚଉତରା ପାଖରେ ବସିଲେ । ହେଟାର ପାଦଚିହ୍ନ ଏପରି ସ୍ପଷ୍ଟ ଦେଖାଯାଉଥିଲା ଯେ ସନ୍ଦେହର କୌଣସି ଅବକାଶ ନଥିଲା । ସେଠାରେ ରକ୍ତ ମଧ୍ୟ ପଡ଼ିଥିଲା । ଶ୍ରୀନିଧି ସେ ଚିହ୍ନକୁ ଅନୁସରଣ କରି କରି ଆଗେଇଗଲେ । ପିଛା କରିବାରେ କୌଣସି ଅସୁବିଧା ହେଲା ନାହିଁ । ପ୍ରାୟ କିଛି ବାଟ ଯିବାପରେ ଗୋଟିଏ ନାଳ ପଡ଼ିଲା । ସେଠାରେ ପାଦଚିହ୍ନ ବା ରକ୍ତ ଦାଗ ନଥିଲା । ଏଥିରୁ ଜଣାଗଲା ଯେ ସେ ଏପଟେ ଆସିନି ଅନ୍ୟ କେଉଁବାଟେ ଯାଇଛି । କିନ୍ତୁ ଏପରି କାହିଁକି ହେଲା ? ସିଧା ବାଟତ ଏଇଟି ? ତେଣୁ ସେ ଚାରିଆଡ଼େ ଅନୁସନ୍ଧାନ କଲେ । ସେଠାରେ ଗୋଟିଏ ଗଛ ଥିଲା ଓ ଗଛର ଡାହାଣପଟେ ଗୋଟିଏ ବଡ଼ ପଡ଼ିଆ ଥିଲା । ସେ ପଡ଼ିଆରେ ପାଦଚିହ୍ନ ଥିଲା ଓ ଗୋଟିଏ ଜାଗାରେ ଲାସ୍‍କୁ ରଖିଥିବା ଚିହ୍ନ । ଏଥିରୁ ଜଣାପଡ଼ୁଥିଲା ଯେ କିଛି ବିଶେଷ କାରଣ ଯୋଗୁ ହେଟାକୁ ସିଧାସଳଖ ରାସ୍ତା ଛାଡ଼ି ଏ ପଡ଼ିଆକୁ ଆସି କିଛି ସମୟ ବସିବାକୁ ପଡ଼ିଛି ।

 

ହଠାତ୍ ତାଙ୍କର ମନେ ପଡ଼ିଗଲା ଯେ ସେ ନିଆଜି ବାପାର ଚିତ୍କାର ଶୁଣି ଡେରା ପାଖକୁ ଗଲାବେଳେ ଏଇବାଟେ ଯାଇଥିଲେ । ତାହାହେଲେ ବୋଧେ ଏକଥା ଠିକ୍ ଯେ ସେ ନାଳପାଖେ ପହଞ୍ଚିଲାବେଳକୁ ହେଟା ତା’ ଶିକାର ନିଆଜିକୁ ଧରି ଏଠାରେ ପହଞ୍ଚିଛି ଓ ତାଙ୍କୁ ଯିବା ପାଇଁ ସୁଯୋଗ ଦେଇ ସେ ସିଆଡ଼େ ପଡ଼ିଆରେ ଯାଇ ବସିଛି । ଭାଗ୍ୟ ତାଙ୍କୁ କିପରି ବଞ୍ଚାଇ ଦେଇଥିଲା ସେ କଥା ଭାବି ସେ ସ୍ତବ୍‌ଧ ହୋଇଗଲେ । ସେ ଯାହା ହେଉ ଏଠାରେ ପହଞ୍ଚିବା ପରେ ସେ ଜାଣିପାରିଲେ ଯେ ବାଘ ତା’ ଗୁମ୍ଫା ଆଡ଼େ ଯାଇଛି । ତେଣୁ ଶ୍ରୀନିଧି ବାବୁ ବୁଲାବାଟେ ସେ ଗୁମ୍ଫାର ଉପର ଭାଗରେ ଥିବା ପାହାଡ଼ରେ ଯାଇ ପହଞ୍ଚିବା ପାଇଁ ସ୍ଥିର କରି ଚାଲିଲେ । କିଛିବାଟ କଷ୍ଟମଷ୍ଟେ ଯିବାପରେ ଯାଇ ଗୁମ୍ଫାର ଉପର ପାହାଡ଼ରେ ପହଞ୍ଚିଗଲେ । ଧୀରେ ଧୀରେ ଆଣ୍ଠେଇ ଆଣ୍ଠେଇ ଆଗେଇ ଆଗେଇ ତଳକୁ ଚାହିଁଲେ । ତିନିହାତ ତଳେ ଯାହା ଦେଖିଲେ ଶ୍ରୀନିଧି ବାବୁଙ୍କ ପ୍ରାଣ ହାହାକାର ହୋଇ ଉଠିଲା ।

 

ନିଆଜିର ଶବ ଉପରେ ଡାଳପତ୍ର ଘୋଡ଼ା ହୋଇଥିଲା । ତେଣୁ ହେଟା ଯେ ଆଖପାଖରେ କେଉଁଠି ଅଛି ଜାଣି ସେ ଗୋଟିଏ କୋଡ଼ିଏ ଫୁଟ ଉଚ୍ଚ ଗଛରେ ଚଢ଼ିଗଲେ । କିଛି ସମୟ ପରେ ହେଟା ଆସି ପହଞ୍ଚିଲା ଏବଂ ଲାସ୍ ପାଖକୁ ଗଲା । ତା’ର ଦେହର ଗଠନ ଖୁବ୍ ସୁନ୍ଦର ଦେଖାଯାଉଥିଲା । ତା’ ଶରୀରକୁ ଦେଖିଲେ ଏହା ବିଶ୍ଵାସ କରି ହେଉ ନଥିଲା ଯେ ତା’ ଶରୀରରେ ଏତେ ବଳ ଅଛି, ଯେ କି ଦେଢ଼ ମହଣ ଓଜନର ଲାସ୍‍କୁ ଟେକି ନେଇ ପାରୁଛି ।

 

ହେଟା ଧୀରେ ଧୀରେ ଆଗେଇ ଆସି ଡାଳପାତ୍ର କାଢ଼ିଲା । ତାକୁ ମାରିବା ପାଇଁ ତାଙ୍କ ପାଖେ କୌଣସି ଅସ୍ତ୍ର ନଥିଲା । କିନ୍ତୁ ସେ ଚାହୁଁଥିଲେ ତାକୁ ଘେଉଡ଼ାଇ ଦେବାପାଇଁ କାରଣ ନିଆଜିର ଶବ ତା’ର ବାପା ଓ ସଂପର୍କୀୟ ଲୋକେ ନେଇ ଅନ୍ତେଷ୍ଟିକ୍ରିୟା ସମାପନ କରିବେ । କିନ୍ତୁ ସେ କାମ ମଧ୍ୟ ଏଡ଼େ ସହଜ ନୁହେଁ । ହେଟା ତା’ ଡାହାଣ ପାଦ ଆଣି ଲାସ୍ ଉପରେ ରଖିଲା । ଶ୍ରୀନିଧି ବାବୁ କିଛି ଠିକ୍ କରିନପାରି ଗୋଟିଏ ଗୁଳି ରିଭଲଭରରୁ ଚଳାଇ ଦେଲେ ଏବଂ ସେ ସମ୍ଭାଳୁ ସମ୍ଭାଳୁ ଆଉ ଗୋଟିଏ ଗୁଳି ଠିକ୍ ସେହି ଗୋଡ଼କୁ ଲକ୍ଷ୍ୟ କରି ବସାଇଦେଲେ ।

 

ଏହି ଦୁଇଟି ଗୁଳିରେ କ’ଣ ପ୍ରତିକ୍ରିୟା ହେଲା ସେ ଜାଣନ୍ତିନି । କିନ୍ତୁ ତାଙ୍କର ଉଦ୍ଦେଶ୍ୟ ପୂରଣ ହୋଇ ସାରିଥିଲା । ହେଟା ଛୋଟେଇ ଛୋଟେଇ ଲାସ୍ ଉପରୁ ହଟି ଦୂରକୁ ଯାଇ ସାରିଥିଲା-

✽✽✽

 

ଚିତା ଦ୍ଵାରା ଶିକାର

 

ସୃଷ୍ଟିର ଆଦିକାଳରୁ ମାନବ ଶିକାର ପ୍ରିୟଭାବେ ପରିଚୟ ଦେଇ ଆସିଛି । ଐତହାସିକ ଯୁଗରୁ ଆରମ୍ଭ କରି ଆଜିର ଆଣବିକ ଯୁଗ ପର୍ଯ୍ୟନ୍ତ ସେ ଶିକାର କଳାରେ ପାରଙ୍ଗମ ହୋଇ ଆସୁଛି । ଏଥିପାଇଁ ସେ ଧନୁଶର, ବର୍ଚ୍ଛା, ଭାଲି, ତରୁଆଲ, ଖଣ୍ଡା, ବନ୍ଧୁକ, ପିସ୍ତଲ ଆଦି ଅସ୍ତ୍ରଶସ୍ତ୍ରର ମଧ୍ୟ ପ୍ରୟୋଗ କରିଥାଏ । କିନ୍ତୁ ତାକୁ ଏତିକିରେ ସନ୍ତୋଷ ମିଳେ ନାହିଁ । ସେ କିଛି ଶିକାରୀ ପଶୁପକ୍ଷୀଙ୍କୁ ନିଜର ପୋଷା ବନାଇ ତାଙ୍କୁ ବିଶେଷ ରୂପେ ତାଲିମ ଦେଇ ତାଙ୍କ ଦ୍ଵାରା ଜୀବିତ ଓ ଅର୍ଦ୍ଧଜୀବିତ ଅବସ୍ଥାରେ ଶିକାର କରିବାରେ ଖୁବ୍ ଦକ୍ଷତା ମଧ୍ୟ ଅର୍ଜନ କରିଛି ।

 

ଏହିକାର୍ଯ୍ୟ ପାଇଁ ପଶୁମାନଙ୍କ ମଧ୍ୟରେ ଚିତାବାଘ ଓ ପକ୍ଷୀମାନଙ୍କ ମଧ୍ୟରେ ବାଜପକ୍ଷୀକୁ ବିଶେଷ ରୂପେ ବଛାଯାଇଛି । ଏମାନଙ୍କୁ ପ୍ରଶିକ୍ଷଣ ଦେଇ ଦେଖାଯାଇଛି ଯେ ଯେତିକି ପ୍ରଭୁ ଭକ୍ତି ଏମାନଙ୍କଠାରେ ଅଛି ସେତିକି ଅନ୍ୟ କୌଣସି ପଶୁପକ୍ଷୀଙ୍କଠାରେ ନାହିଁ ‌।

 

ଚିତାଦ୍ଵାରା ଶିକାର କରିବା କଳା ଭାରତରେ ବିଗତ କେତେ ଶତାବ୍ଦୀ ଧରି ପ୍ରଚଳିତ ଅଛି । ଏଠାରେ ବାଦଶାହ; ରାଜା, ନବାବ ତଥା ଧନୀଲୋକମାନଙ୍କର ଏହା ଏକ ପ୍ରିୟ ସଉକ ଅଟେ । ଏହିକଳାର ବିକାଶ ଷୋଡ଼ଶ ଶତାବ୍ଦୀରେ ବଶେଷ ରୂପେ ହୋଇଥିଲା । ଏପରି ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଅନ୍ୟ ପକ୍ଷରେ ଏବେ ତ ଏହା ଆଦୌ ବନ୍ଦ ହୋଇଗଲାଣି କହିଲେ ଚଳେ ।

 

ଏହି କଥା ଖୁବ୍ କମ୍‍ ଲୋକଙ୍କୁ ଜଣାଅଛି ଯେ ମୋଗଲ ସମ୍ରାଟ ଆକବରଙ୍କର ଚିତା ପାଳିବା ଏବଂ ତା’ ଦ୍ୱାରା ଶିକାର କରିବାର ବଡ଼ ସଉକି ଥିଲା ଏବଂ ବାର୍ଷିକ ଏଥିପାଇଁ ଅନେକ ଟଙ୍କା ବ୍ୟୟ କରାଯାଉଥିଲା । ଆକବରଙ୍କ ଜୀବନକୁ ଲିପିବଦ୍ଧ କରିଥିବା ବିଦ୍ୱାନ ଐତିହାସିକ ଆବୁଲ ଫାଜଲ ଆକବର ନାମାରେ ବଡ଼ ବିସ୍ତାରିତ ଭାବେ ଆକବରଙ୍କର ଏହି ସଉକି ବିଷୟ ବର୍ଣ୍ଣନା କରିଅଛନ୍ତି । ଆକବର ନାମାର ଗୋଟିଏ ସ୍ଥାନରେ ଲେଖାଅଛି ଯେ, “ଯେତେବେଳେ ସମ୍ରାଟଙ୍କ ବୟସ ମାତ୍ର ତେର ବର୍ଷ ଥିଲା, ସେତେବେଳେ ଚିତାଦ୍ୱାରା ଶିକାର କରାଯାଇଥିବା ବିଷୟ ସ୍ୱୟଂ ସେ ନିଜ ଆଖିରେ ଦେଖିଥିଲେ । ସେ ସମୟରେ ଆକବର ପଞ୍ଜାବ ଗସ୍ତରେ ଯାଇଥିଲେ, ସେହିଠାରେ ଶିକାରୀ ଚିତାବାଘଟି ଆକବରଙ୍କୁ ଉପହାର ମିଳିଥିଲା । ସେଇ ଚିତାଟିର ନାଁ ଦେଇଥିଲେ ଆକବର– “ଫତହବାଜ” ।

 

ଆବୁଲ ଫାଜଲ ଲେଖିଛନ୍ତି ଯେ ଏହି ଘଟଣାଟି ଆକବରଙ୍କ ମନକୁ ଗୋଟିଏ ନୂଆ ସଉକ ପ୍ରତି ଆକୃଷ୍ଟ କଲା ଏବଂ ପରେ ପରେ ଶତାଧିକ ଚିତାବାଘ ତାଙ୍କ ଚିଡ଼ିଆଖାନାରେ ରଖାଗଲେ । ଏହି ଚିତାବାଘ ସବୁ ବିଭିନ୍ନ ଉପାୟରେ ଧରାଯାଉଥିଲା । ଖାଇ ଖୋଳି ତା’ ଉପରେ ଘାସ ବିଛାଇ ଜନ୍ତୁମାନଙ୍କୁ ଧରାଯାଉଥିଲା । ଯଦି କୌଣସି ଚିତା ଧରାଯାଉଥିବା ଖବର ଆକବରଙ୍କ ପାଖେ ପହଞ୍ଚୁଥିଲା ସେ ନିଜେ ଘୋଡ଼ାଚଢ଼ି ସେଠାକୁ ଯାଉଥିଲେ । ଯେଉଁଠାରେ ଚିତା ଧରାଯାଉଥିଲା ସେଠାରେ ସେ ଚିତାର ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରାଯାଉଥିଲା, ହାତ ଗୋଡ଼ ଭାଙ୍ଗିଛି ନାଁ କ’ଣ । ଯଦି ଚିତା ସୁସ୍ଥ ଅବସ୍ଥାରେ ଥାଏ, ତାହାହେଲେ ତାକୁ ତାଲିମ ଦେବାପାଇଁ ତାଲିମଦାତାଙ୍କ ନିକଟକୁ ପଠାଇ ଦିଆଯାଉଥିଲା ।

 

ଆକବର ନାମାରେ ଉଲ୍ଲେଖ ଅଛି ଯେ ଥରେ ଛଅଟି ପୁରୁଷ ଚିତାବାଘ ଗୋଟିଏ ମାଈ ଚିତାକୁ ପିଛା କରୁ କରୁ ଗୋଟିଏ ଖାଇରେ ସମସ୍ତେ ପଡ଼ିଗଲେ । ପ୍ରକୃତରେ ଗୋଟିଏ ଖାଇରେ ଏକସଙ୍ଗେ ଏତେ ଚିତାବାଘ ଧରାପଡ଼ିବା ପ୍ରଥମ ଘଟଣା ଥିଲା । କିନ୍ତୁ ଯେତେବେଳେ ଏ ଖବର ଆକବରଙ୍କୁ ଦିଆଗଲା ସେ ଆନନ୍ଦ ହେବା ପରିବର୍ତ୍ତେ ବିଚଳିତ ହୋଇପଡ଼ିଲେ ଏବଂ ସଙ୍ଗେ ସଙ୍ଗେ ଲୋକ ପଠାଇ କହିଲେ ଯେପରି ଚିତା କୁଆଡ଼େ ପଳାଇ ନଯାଏ କିମ୍ବା ପଳାଇବାକୁ ଚେଷ୍ଟା କରି ଯେପରି ଗୋଡ଼ ହାତ ନ ଭାଙ୍ଗେ । ପ୍ରାୟ ଏପରି ଘଟୁଥିଲା, ଯେଉଁ ଚିତାର ଗୋଡ଼ ଭାଙ୍ଗିଯାଉଥିଲା ସେ ଶିକାର ପାଇଁ ଅନୁପଯୁକ୍ତ ବିବେଚିତ ହେଉଥିଲା । ଏଥିପାଇଁ ଆକବର ଗୋଟିଏ ନୂଆ ପ୍ରକାରର ଯନ୍ତା ନିର୍ମାଣ କଲେ ଯାହାର କବାଟ ଏପରି ଥିଲା କି ଚିତା ପଡ଼ିବା କ୍ଷଣି ତାହା ମନକୁ ବନ୍ଦ ହୋଇ ଯାଉଥିଲା ।

 

ଅନ୍ୟ ଏକ ଉପାୟ ଗ୍ରହଣ କରାଯାଇ କେତେକ କର୍ମଚାରୀ ନିଯୁକ୍ତି ଦେଇ ଜଙ୍ଗଲକୁ କେତେ ଚିତାବାଘ ଆସିଲେ ଓ କେତେ ଚିତାବାଘ ଜଙ୍ଗଲ ବାହାରକୁ ଗଲେ ତା’ର ହିସାବ ରଖାଯାଉଥିଲା । ଚିତାବାଘମାନଙ୍କର ଏପରି ଗୋଟିଏ ସ୍ଵଭାବ ଯେ ସେମାନେ ଯେଉଁଠାରେ ରୁହନ୍ତି ତା’ର ଆଖପାଖରେ ଥିବା କଅଁଳିଆ ଛାଲିଥିବା ଗଛମାନଙ୍କରେ ନଖମାରି ନଖକୁ ଟାଣ କରନ୍ତି । ତେଣୁ ଜଙ୍ଗଲ ରକ୍ଷୀମାନେ ଜାଣିପାରନ୍ତି ଯେ ଚିତାବାଘ ଏହି ଗଛ ପାଖକୁ ସବୁଦିନ ଆସୁଛି । ତା’ପରେ ସେମାନେ ଏପରି ଏକ କୌଶଳ ପ୍ରୟୋଗ କରୁଥିଲେ ଯେ ଚିତା ଶୀଘ୍ର କବଳିତ ହୋଇ ଯାଉଥିଲା । କିନ୍ତୁ ଆକବର ଏପରି ଏକ ଉପାୟ ଖୋଜି ବାହାର କଲେ ଯାହାଦ୍ୱାରା କେବଳ ଅଠର ଦିନ ମଧ୍ୟରେ ଗୋଟାଏ ଚିତା ତାଲିମ ପ୍ରାପ୍ତ ହୋଇ ପାରୁଥିଲା । ଆବୁଲ ଫାଜଲ ଲେଖିଛନ୍ତି ଯେ “ଏ ନୂଆ ଉପାୟର ଫଳ ଦେଖି ଅତି ବୁଢ଼ା ବୁଢ଼ୀ ଏବଂ ଅତି ଓସ୍ତାଦମାନେ ମଧ୍ୟ ଲଜ୍ଜିତ ହୋଇ ଆକବରଙ୍କ ପ୍ରତିଭା ପ୍ରତି ମଥାନତ କରିଥିଲେ । ବାସ୍ତବରେ ଲୋକମାନେ କହୁଥିଲେ ଯେ ଆକବରଙ୍କର ପଶୁକୁ ବଶ୍ୟ କରିବା କ୍ଷମତା ଥିଲା ।’’

 

କଥାରେ ଅଛି ଥରେ ଅଠର ଦିନ ତାଲିମ ପ୍ରାପ୍ତ ଗୋଟିଏ ଚିତାକୁ ନେଇ ଆକବର ପ୍ରଥମ ଥର ଶିକାର ଖେଳିଗଲେ । ଆଦେଶ ପାଇବା ମାତ୍ରେ ସେହି ଚିତା ଶିକାର କଲା ଏବଂ ଶିକାରକୁ ଉଠାଇ ଆକବରଙ୍କ ପାଖକୁ ମଧ୍ୟ ନେଇ ଆସିଲା । ସେହି ସମୟରେ ଆଉ ଗୋଟିଏ ଚିତା ମଧ୍ୟ ସାଙ୍ଗରେ ଥିଲା ଯିଏ କି ବନ୍ଧା ନ ହୋଇ ଆକବରଙ୍କ ସାଙ୍ଗେ ସାଙ୍ଗେ ଯାଉଥିଲା ।

 

ଧୀରେ ଧୀରେ ଆକବରଙ୍କର ଚିତାବାଘ ରଖିବା ସଉକି ଏତେ ବଢ଼ିଗଲା ଯେ ପାଳିତ ଚିତାଙ୍କ ସଂଖ୍ୟା ହଜାରରେ ପହଞ୍ଚିଗଲା । ଯେଉଁମାନଙ୍କୁ କି ଦେଖାରଖା କରିବା ପାଇଁ ଦୁଇଶହ ବ୍ୟକ୍ତି ରଖାଯାଇଥିଲେ ଏବଂ ସେମାନଙ୍କୁ ଦଶୋଟି ଭାଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ଚିତାକୁ ତା’ର ଗୁଣ ଅନୁସାରେ ନାମ ମଧ୍ୟ ଦିଆଯାଇଥିଲା । ଚାହିଦାକୁ ଲକ୍ଷ୍ୟ ରଖି ପ୍ରତ୍ୟେକ ଚିତାଙ୍କ ପାଇଁ ଦୁଇରୁ ପାଞ୍ଚ ସେର ପର୍ଯ୍ୟନ୍ତ ମାଂସ ଖାଇବାକୁ ଦେବାର ବ୍ୟବସ୍ଥା କରାହୋଇଥିଲା । ଶନିବାର ଦିନ ସେମାନଙ୍କୁ ପ୍ରତିଦିନ ଅପେକ୍ଷା ଦୁଇଗୁଣ ଖାଦ୍ୟ ଦିଆଯାଉଥିଲା । ଯାହାଦ୍ଵାରା କି ସେମାନେ ରବିବାର ଦିନ ଉପାସ ରହିପାରିବେ କାରଣ ରବିବାର ଦିନ ଛେଳି କଟାହେଉ ନଥିବାରୁ ମାଂସ ମିଳେ ନାହିଁ ।

 

ଚିତାବାଘମାନଙ୍କୁ ଖୁବ୍ ଯତ୍ନରେ ରଖାଯାଉଥିଲା । ସେମାନଙ୍କ ରୁମରେ ଲହୁଣି ଲଗା ହେଉଥିଲା ! ଏବଂ କୁଣ୍ଡିଆ ବନ୍ଦ ରଖିବା ପାଇଁ ପ୍ରତିଦିନ ଘସାମାଜ କରାଯାଉଥିଲା । ହୀରା ଲାଗିଥିବା ଦଉଡ଼ିରେ ସେମାନେ ବନ୍ଧା ହୋଇଥିଲେ । ଶୀତଦିନ ଘୋଡ଼ା ହେବା ପାଇଁ କମ୍ବଳ ଓ ବସିବା ପାଇଁ ଇରାନୀ ଗଦୀ ଦିଆଯାଇଥିଲା । ଯେତେବେଳେ ସେମାନେ ଶିକାରକୁ ଯାଉଥିଲେ ସେତେବେଳେ ପଦବୀ ଅନୁସାରେ ସେମାନଙ୍କୁ ଉପଯୁକ୍ତ ସବାରି ଦିଆଯାଉଥିଲା । କାହାକୁ ହାତୀ‚ ଘୋଡ଼ା ଓ ଓଟ ଉପରେ‚ କେତେକଙ୍କୁ ବଳଦ ଗାଡ଼ିରେ ଏବଂ ଅନ୍ୟ କିଛିଙ୍କୁ ଛୋଟ ପାଲଙ୍କିରେ ବସେଇ ନିଆଯାଇଥିଲା । ସର୍ବୋତ୍ତମ ଚିତାକୁ ମଖମଲ ଏବଂ ହୀରା, ଜବାହର ଖଚିତ ଚଉଦଳାରେ ନିଆଯାଉଥିଲା । ତା’ର ଶିକ୍ଷକ ଆଗରେ ଏବଂ ପଛରେ ଦଉଡ଼ିକରି ଯାଉଥିଲେ । ସେମାନେ ଯିବାବେଳେ ତାଙ୍କ ଆଗରେ ନାଗରା ବାଜୁଥିଲା । ସେହି ଚିତାକୁ “ସମ‍ଂଦ ମାନିକ” ବୋଲି ଡକାଯାଉଥିଲା ।

 

ଯେଉଁ ଚିତା ଘୋଡ଼ା ଉପରେ ଯାଉଥିଲା ତା’ର ଜଗାରଖା ପାଇଁ ତିନୋଟି ଲୋକ ଓ ଯେଉଁ ଚିତା ଶଗଡ଼ ଓ ପାଲିଙ୍କିରେ ଯାଉଥିଲା ତା’ ଦେଖାରଖା ପାଇଁ ଦୁଇଟି ଲୋକ ରହୁଥିଲେ । ଏହି ଚାକରମାନଙ୍କୁ ସେତେବେଳେ ସମୟରେ ତିରିଶି ଟଙ୍କା ଦରମା ଦିଆଯାଉଥିଲା । ଯଦି ଚିତା ଭଲ ଶିକାର କରିଲା ତା’ହେଲେ ତା’ ଦାୟିତ୍ଵରେ ଥିବା ରକ୍ଷକମାନଙ୍କୁ ବହୁ ଟଙ୍କା ପୁରସ୍କାର ଦିଆଯାଉଥିଲା ।

 

ଚିତାଦ୍ଵାରା ଶିକାର କରିବା ସଉକି ପ୍ରାୟ ସମସ୍ତ ଭାରତୀୟ ରାଜାମାନଙ୍କର ଥିଲା । କିନ୍ତୁ ଆକବରଙ୍କ ପରବର୍ତ୍ତୀ ଶାସକମାନଙ୍କ ମଧ୍ୟରେ ମହୀଶୂରର ଶାସକ ଟିପୁ ସୁଲତାନ (୧୭୮୨ରୁ ୧୭୯୯)ଙ୍କର ଏଥିପ୍ରତି ବହୁତ ଆଗ୍ରହ ଥିଲା । ତାଙ୍କର ଏହି ସଉକି ପଛରେ ଗୋଟିଏ ମନୋବୈଜ୍ଞାନିକ କାରଣ ମଧ୍ୟ ଥିଲା । ଚିତା ତାଙ୍କର ଏପରି ପସନ୍ଦ ଥିଲା ସେ ନିଜର ଓ ପରିବାରବର୍ଗଙ୍କ ଲୁଗା ଉପରେ ଚିତାର ଚିତ୍ର ବୁଣି ରଖିବା ପାଇଁ କଡ଼ା ଆଦେଶ ଦିଆଯାଇଥିଲା । ତାଙ୍କର ତରୁଆଲ, ସିଂହାସନ ଓ ବନ୍ଧୁକ ଦେହରେ ମଧ୍ୟ ଚିତାର ଆକୃତି ଖୋଳାଯାଇଥିଲା ।

 

ଚିତାର ଆକ୍ରମଣ କରିବା ଏବଂ ନିଜର ଶିକାର ଉପରକୁ ବାଜପକ୍ଷୀପରି ଡେଇଁ ପଡ଼ିବା ଦେଖି ଟିପୁ ସୁଲତାନ ନିଜେ ନିଜର ଶତ୍ରୁମାନଙ୍କୁ ପରାସ୍ତ କରିବାର ଆଭାସ ପାଇଥିଲେ । ତାଙ୍କର ଚିତାଦ୍ଵାରା ଶିକାର କରିବାରେ ପ୍ରବଳ ଆଗ୍ରହର ପତ୍ତା ସେତେବେଳେ ମିଳିଥିଲା‚ ଯେତେବେଳେ ସେ ଶ୍ରୀରଙ୍ଗପଟ୍ଟନମ୍ ଯୁଦ୍ଧରେ ଇଂରେଜମାନଙ୍କଦ୍ଵାରା ମରିଗଲେ ଏବଂ ପୋର୍ଟ ଉଇଲିୟମର ଗଭର୍ଣ୍ଣର ଜେନେରାଲ ମାର୍କସ ଓ୍ଵେଲସଲିଙ୍କ ଏ.ଡ଼ି.ସି. କ୍ୟାପଟେନ ବେଞ୍ଜାମିନ୍ ସିଡ଼ନ୍‍ହମ୍ ଇଷ୍ଟଇଣ୍ଡିଆ କମ୍ପାନୀର ଡାଇରେକ୍ଟରମାନଙ୍କ ପାଖକୁ ଟିପୁ ସୁଲତାନଙ୍କ ଚିତାଦ୍ଵାରା ଶିକାର କରିବା କଳା ଉପରେ ଲେଖିକରି ପଠାଇଲେ । ଏହି ସମ୍ପର୍କରେ ସମସ୍ତ ରେକର୍ଡ଼ ଓ କାଗଜପତ୍ର ଆଦି ଇଣ୍ଡିଆ ଅଫିସ ଲଣ୍ଡନରେ ସୁରକ୍ଷିତ ଭାବେ ରଖାଯାଇଛି । ତାକୁ ପଢ଼ିଲେ ଜଣାପଡ଼େ ଯେ ଟିପୁ ସୁଲତାନଙ୍କ ପାଖେ ଷୋଳଟି ତାଲିମ ପ୍ରାପ୍ତ ଚିତା ଥିଲେ । ସୁଲତାନ ଶ୍ରୀରଙ୍ଗପଟ୍ଟନମ୍‍ର ଦକ୍ଷିଣ ପଶ୍ଚିମରେ ଗୋଟିଏ ଜଙ୍ଗଲ ସୁରକ୍ଷିତ କରି ରଖିଥିଲେ । ଯେଉଁଠାକୁ ସେ ନିଜ ଚିତାଙ୍କୁ ନେଇ ଶିକାର ଖେଳିବା ପାଇଁ ଯାଉଥିଲେ, ପ୍ରତ୍ୟେକ ଚିତାଙ୍କ ପଛରେ ଚାରିଜଣ ଲୋକ ରହୁଥିଲେ । ଜଣେ ଶିକାର କରାଇଲା ଲୋକ, ଦୁଇଜଣ ତା’ର ସଇସ ଓ ଚତୁର୍ଥ ଜଣକ ଗାଡ଼ିବାଲା ।

 

ଟିପୁଙ୍କର ଯେତେବେଳେ ଶିକାର ଖେଳିଯିବାକୁ ମନ ହେଉଥିଲା; ତା’ର ଦିନକ ପୂର୍ବରୁ ଚିତାକୁ ପଠାଇ ଦିଆଯାଉଥିଲା । ଦ୍ଵିତୀୟ ଦିନ ସକାଳୁ ଟିପୁ ନିଜ ମିତ୍ରମାନଙ୍କ ସଙ୍ଗେ ଠିକ୍ ସ୍ଥାନରେ ପହଞ୍ଚି ଯାଉଥିଲେ । ଚିତାମାନଙ୍କ ଆଖିରେ ପଟି ବାନ୍ଧି ସେମାନଙ୍କୁ ଗାଡ଼ି ଉପରେ ବସାଇ ଦିଆଯାଉଥିଲା । ଯେତେବେଳେ ହରିଣ କିମ୍ବା ସମ୍ବର ଦେଖାଯାଉଥିଲେ ସେତେବେଳେ ଆଖି ଉପରୁ ପଟି ଓ ଅଣ୍ଟାରୁ ଦଉଡ଼ି ଫିଟାଇ ଦିଆଯାଉଥିଲା । ଯଦି ହରିଣଙ୍କ ଦଳ ଖୁବ୍ ବଡ଼ ହୋଇଥାନ୍ତି ତେବେ ଏକ ସଙ୍ଗେ ତିନି ଚାରୋଟି ଚିତାଙ୍କୁ ଖୋଲିଦିଆଯାଏ । ଚିତା ହରିଣଙ୍କୁ ଦେଖିବାମାତ୍ରେ ଗାଡ଼ିରୁ ଡେଇଁ ପଡ଼ୁଥିଲେ ଏବଂ ନିଜକୁ ବୁଦାଲଟିରେ ଲୁଚାଇ ଏବଂ ପବନର ବିପରୀତ ଦିଗରେ ହରିଣଙ୍କ ପଛରେ ଯାଇ ଦୁଇଶହ ଗଜ ଦୂରରେ ରହିଯାଉଥିଲେ । ସେ ସମୟରୁ ହିଁ ତା’ର ଶିକାର କରିବା ପ୍ରଣାଳୀ ଦେଖିବାକୁ ଭାରି ଖୁସି ଲାଗେ । ଚିତା ହରିଣଙ୍କୁ ବିଦ୍ୟୁତ୍ ବେଗରେ ଗୋଡ଼ାଏ । ପ୍ରାୟ ତିନି ଚାରିଶହ ଗଜ ପିଛା କଲାପରେ ଚିତା ଶିକାର ଉପରକୁ ଡିଆଁମାରେ ଏବଂ ଆଗ ପଞ୍ଝାରେ ଏତେ ଜୋରରେ ଚାପୁଡ଼ାମାରେ ଯେ ହରିଣ ତଳକୁ ଗଡ଼ିପଡ଼େ ଏବଂ ଚିତା ତା’ର ତଣ୍ଟିକୁ ମାଡ଼ିବସେ ।

 

ଯଦି ଏତିକି ଦୂରତାରେ ଚିତା ହରିଣକୁ ଧରିବାରେ ସଫଳ ନହୁଏ ତେବେ ଫେରିଆସେ ଏବଂ ଗୋଟିଏ ଜାଗାରେ ସେ ପର୍ଯ୍ୟନ୍ତ ମନମାରି ବସିରହେ ଯେ ପର୍ଯ୍ୟନ୍ତ ତାକୁ ଜଗାରଖା କରିବା ଲୋକ ଆସି ତାକୁ ପଟି ପିନ୍ଧାଇ ନ ଦେଇଛି । ପଟି ପିନ୍ଧାଇ ଦେବାପରେ ପୁଣି ତାକୁ ଗାଡ଼ି ଉପରକୁ ନିଆଯାଉଥିଲା । ଯଦି ହରିଣ ଧରିବାରେ ସେ ସଫଳ ହୋଇଗଲାତ ତାକୁ ସେ ପର୍ଯ୍ୟନ୍ତ ମାଡ଼ି ବସିଥାଏ, ଯେ ପର୍ଯ୍ୟନ୍ତ କୌଣସି ଲୋକ ପହଞ୍ଚି ହରିଣର ପଛ ଫଡ଼ିଆ କାଟି ଭେଟି ରୂପେ ତାକୁ ନ ଦେଇଛି । ଏହିପରି ଦିନକ ମଧ୍ୟରେ ପ୍ରାୟ ତିନିଥର ଶିକାର କରା ହେଉଥିଲା ।

 

ଶ୍ରୀରଙ୍ଗପଟ୍ଟନମରେ ଟିପୁଙ୍କ ମୃତ୍ୟୁ ପରେ ଓ୍ଵେଲସଲି ଟିପୁଙ୍କର ଏପରି ଦୁଇଟି ତାଲିମ ପ୍ରାପ୍ତ ଚିତାକୁ ଇଂଲଣ୍ଡ ପଠାଇଥିଲେ । ତାଞ୍ଜୋରର ରାଜା ସଫୋଜୀଙ୍କର ମଧ୍ୟ ଚିତାଦ୍ୱାରା ଶିକାର କରିବା ନିଶା ଥିଲା । ସେ ତାଙ୍କର ପ୍ରତ୍ୟେକ ଚିତାର ଫଟୋ ଏବଂ ତା’ ସମ୍ବନ୍ଧରେ ପୂର୍ଣ୍ଣ ବିବରଣୀ ଇଂଲଣ୍ଡକୁ ପଠାଉଥିଲେ । ସେ ତାଙ୍କର ଏକ ବିବରଣୀରେ ଲେଖିଛନ୍ତି ଯେ ବଡ଼ ବୟସ୍କ ଚିତା ଅପେକ୍ଷା, ଛୋଟ ଚିତାକୁ ଶୀଘ୍ର ଶିକାର କରିବା ଶିକ୍ଷା ଦିଆଯାଉଥିଲା । ଯେଉଁଦିନ ଚିତା ନିଜର ଶିକାରରେ ଅସଫଳ ରହୁଥିଲା, ସେହିଦିନ ସେ ବଡ଼ ବିରକ୍ତ ଏବଂ ଅମାନିଆ ହେଉଥିଲା । ମାଂସ ଖାଇବା ବିନା ମାନୁ ନଥିଲା କି ଗାଡ଼ିକୁ ଫେରିଆସୁ ନଥିଲା । କ୍ୟାପଟେନ ଓ୍ଵାଲିମସନ ତାଙ୍କ ପ୍ରଣୀତ ପୁସ୍ତକ “ଓରିୟେଣ୍ଟାଲ ଫିଲଡ଼ ସ୍ପୋର୍ଟସ”ରେ ଏ ସମ୍ବନ୍ଧରେ ବହୁତ କଥା ଲେଖିଛନ୍ତି ।

 

ଭାରତର ଏହି ଲୋକପ୍ରିୟ ଖେଳଟି ବର୍ତ୍ତମାନ ସମାପ୍ତ ହୋଇଯାଇଛି । ଯେଉଁ କେତେକ ଲୋକଙ୍କର ଏଥିରେ ମନ ଅଛି ସେମାନେ ଆଫ୍ରିକାରୁ ଚିତାବାଘ ଆମଦାନି କରିଥାନ୍ତି । ରାଜା ଜମିଦାରଙ୍କର ସମାପ୍ତି ସଙ୍ଗରେ ଭାରତର ଏହି ଅତି ବିଚିତ୍ର, ଅଦ୍‌ଭୁତ ଓ ଲୋକପ୍ରିୟ ଖେଳ ସମାପ୍ତ ହୋଇଗଲା । ଏବେ ଭାରତର କୋହ୍ଲାପୁର ଅଞ୍ଚଳରେ ଏହି ଏହି ରୋମାଞ୍ଚକାରୀ ଓ କୌତୂହଳାତ୍ମକ ଖେଳ ଦେଖିବାକୁ ମିଳେ । ଆଉ ଅନ୍ୟତ୍ର କେଉଁଠାରେ ମିଳେ ନାହିଁ ।

✽✽✽

 

ମୃତ୍ୟୁ ଦୂତ

 

ବଡ଼ ଭୟଙ୍କର ଥିଲା ସେ ଜଙ୍ଗଲ । ଗୋଟିଏ ଉପରେ ଆଉ ଗୋଟିଏ ଗଛ । ଘଞ୍ଚ ଜଙ୍ଗଲ । ମଝିରେ ମଝିରେ ନାଳଗୁଡ଼ିଏ ଏବଂ ଖାଇଗୁଡ଼ିଏ । ଅକାରଣରେ ଭୟର ଉଦ୍ରେକ ହୁଏ । ରହମତ୍ ଖାଁ ନିଜ କପାଳରୁ ଝାଳପୋଛି ଫୋପାଡ଼ି ଦେଲା ଏବଂ ଦୂରକୁ ରହିଥିବା ଗଛ ବୁଦାଆଡ଼େ ନଜର ପକାଇ କହିଲା, “କେଡ଼େ ମନମୁଗ୍‌ଧକର ଜଙ୍ଗଲ କ୍ୟାପଟେନ !”

 

କ୍ୟାପଟେନ ଦିଲାବର ହୁସେନ ବୁଲିପଡ଼ି ମୁରୁକିହସି କହିଲେ, ଶୁଣିଛି ଏ ଜଙ୍ଗଲ ଭୀଷଣ ବିପଦ ଜନକ । ଜଙ୍ଗଲରେ ବଡ଼ ବଡ଼ ହିଂସ୍ର ପଶୁ ରହନ୍ତି । ଅଳ୍ପ ଟିକିଏ ଅସାବଧାନ ହେଲେ ପ୍ରାଣର ମୋହ ତ୍ୟାଗ କରିବାକୁ ପଡ଼ିବ । ରହମତ୍ ଖାଁ ରୁକ୍ଷ ସ୍ୱରରେ କହିଲା, ମୁଁ ଜାଣେ ଯେ ଆମେ ଅଶୁଭ ମୁହୂର୍ତ୍ତରେ ବାହାରିଲେ ! କଥା ମଝିରେ ରହମତ୍ ଖାଁ ରହିଗଲା । କ୍ୟାପଟେନ ଜଙ୍ଗଲର ଭୟନକତା ପ୍ରତି ଦୃଷ୍ଟି ପକାଇ କହିଲେ, “ଆଜି ପର୍ଯ୍ୟନ୍ତ ଆମେ କେତେ ଶିକାର କରିଛୁ, କେତେ ଶିକାରୀ ଆମ ସାଙ୍ଗରେ ରହିଛନ୍ତି । ଘନ ଜଙ୍ଗଲ ମଧ୍ୟରେ ବୁଲିଛୁ । କିନ୍ତୁ ସେ କ୍ଷଣକ ପାଇଁ ରହିଗଲେ । “ନା ସତ୍ୟକୁ ମୁଁ ମନା କରିପାରିବିନି । ଏହି ଜଙ୍ଗଲରେ ଗୋଟିଏ ଅଜ୍ଞାନ ଭୟ ଯେପରି ଆମ ଉପରେ ମାଡ଼ି ବସିଛି । ଏହା ହୋଇଛି କର୍ଣ୍ଣେଲଙ୍କ ପାଇଁ । କର୍ଣ୍ଣେଲ କାହିଁକି ?

 

ଚୌଧୁରୀ ସମସୁର ଖାଁ ମନେ ମନେ ହସିଲେ । ଜଙ୍ଗଲ ପ୍ରକୃତରେ ବଡ଼ ଭୟଙ୍କର ଥିଲା । କିନ୍ତୁ ପୂର୍ବରୁ ଦୁଇ ତିନିଥର ମଧ୍ୟ ଶିକାର ପାଇଁ ଇଆଡ଼େ ଆସିଥିଲେ । ଏଥିପାଇଁ ସେ କମ୍ ଭୟ ଅନୁଭବ କରୁଥିଲେ । ସେ ସେହି ଜଙ୍ଗଲର କେତେକ ସ୍ଥାନ ସହିତ ପରିଚିତ ଥିଲେ ଏବଂ ଜାଣିଥିଲେ ଏଠାରେ ଗୋଟିକୁ ବଳି ଆଉ ଗୋଟିଏ ହିଂସ୍ର ପଶୁ ବାସ କରନ୍ତି । ସେମାନଙ୍କ ମଧ୍ୟରେ ବାଘଙ୍କ ସଂଖ୍ୟା ବହୁତ ଥିଲା । ସେଠାରେ ବହୁତ ବାଘ ଥିବାରୁ ସେମାନେ ସିଆଡ଼େ ଆସିଥିଲେ । ସମସୁର ଖାଁ ଆଗରୁ ଏ ସ୍ଥାନକୁ ଆସି ସେ ଆଖପାଖ ଗ୍ରାମରେ ଥିବା ଲୋକମାନଙ୍କ ସହିତ ପରିଚିତ ବି ହୋଇସାରିଥିଲେ । କିଛି ଦିନ ତଳେ ସେ ଛୁଟି କଟାଇବା ପାଇଁ ସେଠାକୁ ଆସିଥିଲେ ଏବଂ ଦିନେ ଗାଁର ଜମିଦାରଙ୍କ ଘରେ କ୍ୟାପଟେନ ଦିଲାବର ହୁସେନ୍ ଓ ରହମତ୍ ଖାଁଙ୍କ ସହିତ ଭେଟ ହୋଇଗଲା । ସେଠାକାର ନୀରସ ଜୀବନରେ ସରସତା ଆସିଗଲା । କ୍ୟାପଟେନ ଦିଲାବର ହୁସେନ ଓ ରହମତ୍ ଖାଁ ନାମଜାଦା ଶିକାରୀ ଥିଲେ ଏବଂ ସ୍ୱଭାବତଃ ଯେତେବେଳେ ଶିକାରୀମାନେ ଦେଖାସାକ୍ଷାତ ହୁଅନ୍ତି ସେତେବେଳେ ଶିକାର କଥା ପଡ଼େ । ଯେଉଁ ଶିକାରୀ ଜୀବନରୁ ଅଲଗା ରହିବା ପାଇଁ ଚୌଧୁରୀ ସମସୁର ଖାଁ ନିଜର ଚିର ପରିଚିତ ବାତାବରଣ ଛାଡ଼ି ଏଠାକୁ ପଳାଇ ଆସିଥିଲେ କିନ୍ତୁ ଏଠାରେ ଆସି ସେ ଏପରି ପରିସ୍ଥିତିରେ ପଡ଼ିଯିବେ ବୋଲି ତାଙ୍କର ଆଶା ନଥିଲା । ତାଙ୍କର ଭାବନା ବିନା କଷ୍ଟରେ ବଳବତୀ ହୋଇ ଉଠିଲା ଏବଂ ମହେଶପୁର ରାଜା ତାଙ୍କୁ ଆହୁରି ପ୍ରଜ୍ଜ୍ଵଳିତ କରିଦେଲେ ।

 

ମହେଶପୁରର ରାଜା ସମସୁର ଖାଁଙ୍କର ଜଣେ ଘନିଷ୍ଠ ମିତ୍ର ଥିଲେ । କ୍ୟାପଟେନ ଦିଲାବର ହୁସେନ ଓ ରହମତ୍ ଖାଁଙ୍କର ସହିତ ରାଜାଙ୍କର ମଧ୍ୟ ଘନିଷ୍ଠତା ଥିଲା । ତାଙ୍କର କିଛି କାମର ଆବଶ୍ୟକତାଥିବାରୁ ସେମାନେ ମହେଶପୁର ଆସିଥିଲେ । ଏହା ମଧ୍ୟ ସହଜ ସଂଯୋଗଥିଲା ଯେ ସେ ଆସରରେ ସମସୁର ଖାଁଙ୍କର ତାଙ୍କ ସହିତ ଦେଖା ହୋଇଗଲା । ରାଜା ସାହେବ ବହୁତ ଦିନରୁ ତାଙ୍କ ଚିଡ଼ିଆଖାନା ପାଇଁ ଗୋଟିଏ ବାଘଛୁଆ ଖୋଜୁଥିଲେ । କେତେଥର କଥାବାର୍ତ୍ତା ବେଳେ ସେ କଥାରେ କଥାରେ ସମସୁର ଖାଁକୁ ଏକଥା କହିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ଇଚ୍ଛା ପୂରଣ ହୋଇପାରି ନଥିଲା । ବର୍ତ୍ତମାନ ଏ ଆସରରେ ତିନିଜଣ ଶିକାରୀଙ୍କୁ ଏକ ସଙ୍ଗେ ପାଇ ସେ ବାଘ ଛୁଆ ଆଣିଦେବା ପାଇଁ ଅନୁରୋଧକୁ ପୁଣିଥରେ ଦୋହରାଇଲେ । ରାଜା ସାହେବଙ୍କୁ ମଧ୍ୟ ତାଙ୍କ ଗାଁ ଠାରୁ ପଚାଶ ଷାଠିଏ ମାଇଲ ଦୂରରେ ଥିବା ଜଙ୍ଗଲ କଥା ସ୍ମରଣ କରାଇ ଦେଲେ । ତେଣୁ ସେ ଅସ୍ପଷ୍ଟ ଇଙ୍ଗିତ ଏ ଜଙ୍ଗଲ ଆଡ଼େ କଲେ ଯେ ଏ ସୁଯୋଗ ଆଉ ମିଳିବନି ।

 

କ୍ୟାପଟେନ ଦିଲାବର ହୁସେନ, ରହମତ ଖାଁ ଓ ଚୌଧୁରୀ ସମସୁର ଖାଁ ତିନି ଜଣ ଯାକ ମିଶି ସ୍ଥିର କଲେ ଯେ ଏଇଥର ରାଜା ସାହେବଙ୍କ ଇଚ୍ଛା ପୂରଣ କରିଦେବେ । ତାଙ୍କର ଏ ନିଷ୍ପତ୍ତି ରାଜା ସାହେବଙ୍କୁ ଜଣାଇ ଦେଲେ । ସେ ବଡ଼ ଖୁସି ହେଲେ ଓ ମହେଶପୁର ଯିବା ପାଇଁ ନିମନ୍ତ୍ରଣ ଦେଇ ନିଜ ଗଡ଼କୁ ଚାଲିଗଲେ । ଗଡ଼ରେ କୌଣସି ଜରୁରୀ କାମ ପଡ଼ିଲା । ରାଜାଙ୍କର ଉପସ୍ଥିତି ଆବଶ୍ୟକ ହେବାରୁ ସେ ଚାଲିଗଲେ । ସେ ଯିବା ସମୟରେ ଦୁଃଖ ପ୍ରକାଶ କରି କହିଲେ, “ମୁଁ ତୁମମାନଙ୍କ ଶିକାର ଯାତ୍ରାରେ ଭାଗନେଇ ପାରିଲି ନାହିଁ ।”

 

ରାଜା ସାହେବଙ୍କର ଏହି ଇଚ୍ଛା ପୂରଣ କରିବା ପାଇଁ ସେମାନେ ସକାଳୁ ସକାଳୁ ଗୋଟିଏ ଜୀପରେ ବାହାରିଲେ । ତାଙ୍କ କାନ୍ଧରେ ରାଇଫଲ ଅଣ୍ଟାରେ ଗୁଳି ଓ ଭୋକ ନିବାରଣ ପାଇଁ କିଛି ଖାଦ୍ୟ ପଦାର୍ଥ ଥିଲା । ଜଙ୍ଗଲ ବାହାରେ ହିଁ ସେମାନେ ଜିପ୍ ଛାଡ଼ିଦେଲେ ଓ ପାଦରେ ଚାଲି ଚାଲି ଜଙ୍ଗଲ ଭିତରକୁ ପ୍ରବେଶ କଲେ । ଚୌଧୁରୀ ସମସୁର ଖାଁ ରାସ୍ତା ସହିତ ପରିଚିତ ଥିବାରୁ ସେ ସମସ୍ତଙ୍କ ଆଗେ ଆଗେ ଚାଲୁଥିଲେ ଓ ତାଙ୍କ ପଛରେ ଦିଲାବର ହୁସେନ ଓ ସବା ପଛରେ ରହମତ ଖାଁ ଯାଉଥିଲେ ।

 

କ୍ୟାପଟେନ ଦିଲାବର ହୁସେନ ଓ ରହମତ ଖାଁ ବଡ଼ ନିର୍ଭୀକ ଓ କୁଶଳୀ ଶିକାରୀ ଥିଲେ-। ମୃତ୍ୟୁ ସହିତ ଟକ୍‍କର ଲଗାଇବାକୁ ସେ ଦୁହେଁ ପଛାଇବା, ତାଙ୍କ ଜାତକରେ ନଥିଲା । କିନ୍ତୁ ଏ ଜଙ୍ଗଲ ଏପରି ଭୟଙ୍କର ଜଣାପଡ଼ୁଥିଲା ଯେ ତାଙ୍କୁ ଅକାରଣରେ ଭୟଭୀତ ହେବାକୁ ପଡ଼ୁଥିଲା-। କ୍ୟାପଟେନ ଦିଲାବର ହୁସେନ ମିଛରେ ହଠାତ୍ ଠୋ ଠୋ ହସି ସେଠାକାର ପରିସ୍ଥିତିକୁ ହାଲୁକା କରିବା ପାଇଁ ଚେଷ୍ଟା କଲେ । କିନ୍ତୁ ରହମତ ଖାଁ କିଛି କହୁ ନ ଥାଏ । ଖୁବ୍ ସତର୍କତାର ସହିତ ଚାରିଆଡ଼କୁ ଚାହିଁ ଚାହିଁ, ମୁକ ଭାବରେ ଆଗକୁ ଚାଲିଥାଏ ।

 

ଚୌଧୁରୀ ସମସୁର ଖାଁ ଗୋଟିଏ ଗଛ ପାଖେ ରହିଗଲେ । ରାସ୍ତା ଆଗରେ ଆହୁରି ଜଙ୍ଗଲିଆ ଥିଲା । ପାଦଚଲା ରାସ୍ତା ଭଳି ଦେଖାଯାଉଥିବା ସେ ପତଳା ବାଟ ଏହିଠାରୁ ବନ୍ଦଥିଲା । ଆଗକୁ ଗଲେ କୁଆଡ଼େ ବୋଲି କୁଆଡ଼େ ଯିବେ ତାହା ଜଣା ପଡ଼ୁ ନ ଥାଏ ।

 

ହାତ ଘଣ୍ଟା ସକାଳ ଏଗାରଟା ବାଜିବାର ସୂଚନା ଦେଉଥାଏ । ସମସୁର ଖାଁ ବୁଲିପଡ଼ି କ୍ୟାପଟେନ ଦିଲାବର ହୁସେନ ଓ ରହମତ ଖାଁଙ୍କ ଆଡ଼କୁ ଚାହିଁଲେ । ଥକି ପଡ଼ିଥିବା ଶୁଖିଲା ଚେହେରାରେ ସେମାନେ ସ୍ଵୀକୃତି ଦେଲେ ଏବଂ ସମସ୍ତେ କଣ୍ଟା ଝାଟିକୁ ଆଡ଼େଇ ଆଡ଼େଇ ଆଗେଇ ଚାଲିଲେ । ରାଇଫଲକୁ କାନ୍ଧରୁ କାଢ଼ି ସେମାନେ ହାତରେ ଧରିଲେ ।

 

ମୌନ ଓ ନୀରବତା ଭିତରେ ସମୟ କଟିବାରେ ଲାଗିଲା । କେବଳ ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ର ତାଙ୍କର ଶିକାରୀ ବୁଟରେ ଚୂରି ହୋଇ ଯାହା ଶବ୍ଦ କରୁଥିଲା । ରାସ୍ତା ଅତି ଖରାପ ଥିଲା । ହଠାତ୍‌ ରହମତ ଖାଁ କୁଣ୍ଟା ବୁଦାରେ ଲୁଚି ରହିଥିବା ଗୋଟିଏ ପଥରରେ ଠୋକର ଖାଇଲା । ଅତି ଖରାପ ଗାଳିଦେଇ ସେ ମୁହଁ ମାଡ଼ି ପଡ଼ିଗଲା । ତା’ର ରାଇଫଲ ଛିଟିକି ଯାଇ ଦୂରରେ ପଡ଼ିଲା ।

 

ସମସୁର ଖାଁ ଏବଂ କ୍ୟାପଟେନ ରହିଗଲେ । ବୁଲିପଡ଼ି ତା’ ଆଡ଼େ ଚାଲିବା ପାଇଁ ଉଦ୍ୟତ ହେଲା ବେଳକୁ ସେ ଉଠିପଡ଼ି ରାଇଫଲ ଆଡ଼େ ଆଗେଇଲା । ଏ ଘଟଣା ଘଟିଲା ଅତି ଅପ୍ରତ୍ୟାଶିତ ଭାବେ ।

 

ଯେଉଁଠାରେ ରାଇଫଲ ପଡ଼ିଥିଲା ସେଠାକାର ଘନ ଜଙ୍ଗଲରେ ବିନା ସୂଚନାରେ ଗୋଟିଏ ଚିତା ରହମତ ଖାଁ ଆଡ଼େ ଡିଆଁ ମାରିଲା । ଅବାକ୍ ଓ ଭୀତଗ୍ରସ୍ତ ରହମତ ଖାଁ କିପରି ଚିତାଠାରୁ ରକ୍ଷା ପାଇବା, ସେଥିପାଇଁ ସେ ପ୍ରାଣ ପଣେ ଉଦ୍ୟମ କଲା । ତା’ ପାଦ ଯାଇ ସେ ପଥରରେ ବାଜିଲା । ଜୋରରେ ଚିତ୍କାର କରି ସେ ବୁଦାର ଅପର ପଟେ ପଡ଼ିଲା । ଭାଗ୍ୟ ତା’ର ସପକ୍ଷରେ ଥିଲା । କାରଣ ପଥର ଯୋଗୁ ହିଁ ଚିତା ମୁଁହରୁ ରକ୍ଷାପାଇଲା । ପଥର ଦେହରେ ଆଘାତ ପାଇ ଅନ୍ୟ ପଟେ ଯାଇ ପଡ଼ିବାରୁ ଚିତାର ଲକ୍ଷ୍ୟ ଭ୍ରଷ୍ଟ ହେଲା । ବିଫଳ ପ୍ରୟାସରେ କ୍ରୁଦ୍ଧ ହୋଇ ଗର୍ଜନ କରି ସେ ପଡ଼ିଥିବା ଶିକାର ଆଡ଼େ କିଛିକ୍ଷଣ ଚାହିଁଲା । ବୋଧହୁଏ ସାବଧାନରେ ପାଦ ରଖି ରଖି ଗୋଟିଏ ଗୋଟିଏ କଦମ ଆଗେଇବା ପାଇଁ ସେ ମନେ କରୁଥିଲା । କିନ୍ତୁ ଏହା ଭାବିବା ତା’ ପକ୍ଷେ ଉଚିତ ନ ଥିଲା ।

 

କ୍ୟାପଟେନ ଦିଲାବର ହୁସେନ ଲକ୍ଷ୍ୟ ସ୍ଥିର କରି ଟ୍ରିଗାର ଚିପି ଦେଲେ । ଗୁଳିଟା ଯାଇ ଚିତାର ପିଠିରେ ବସିଲା । ସେ ଭୟଙ୍କର ଗର୍ଜନ କଲା ଏବଂ ରହମତ୍ ଖାଁକୁ ଛାଡ଼ି ସେ ବୁଲି ପଡ଼ିଲା ଓ ଖୁବ୍ ବେଗରେ ତାଙ୍କରି ଆଡ଼କୁ ମାଡ଼ିଆସିଲା । ସାଙ୍ଗେ ସାଙ୍ଗେ ସେମାନେ ଗୋଟିଏ ପଟକୁ ହଟିଗଲେ । ଭାଗ୍ୟ ଯେତେବେଳେ ରହମତ ଖାଁ ସପକ୍ଷରେ ଥିଲା ସେତେବେଳେ ଦିଲାବର ହୋସେନଙ୍କ ଗୋଡ଼ କଣ୍ଟା ବୁଦାରେ ଛନ୍ଦି ହୋଇଗଲା ଏବଂ ସେ ପିଠି ପଟ ମାଡ଼ି ପଡ଼ିଗଲେ । ଖୁବ୍‍ ଜୋରରେ ରାଇଫଲକୁ ଧରିଥିବାରୁ ତାହା ଖସି ପଡ଼ିଲା ନାହିଁ ।

 

କିନ୍ତୁ ଦିଲାବରଙ୍କୁ ସମ୍ଭାଳି କରି ଉଠାଇବାକୁ ଅବସର ମିଳିଲା ନାହିଁ । ଚିତା ବିଦ୍ୟୁତ ବେଗରେ ତାଙ୍କ ଉପରକୁ ଡେଇଁ ପଡ଼ିଲା । ଚିତାର ଆଗ ପଞ୍ଝା ଦିଲାବରଙ୍କ ଆଣ୍ଠୁ ପର୍ଯ୍ୟନ୍ତ ଥିବା ଶିକାରୀ ବୁଟ୍ ଉପରେ ପଡ଼ିଲା । ବିବ୍ରତ ଓ ଅସହାୟ ଅବସ୍ଥାରେ ରାଇଫଲକୁ ଚିତା ଓ ନିଜ ଭିତରେ ବ୍ୟବଧାନ ରଖି ନିଜକୁ ବଞ୍ଚାଇବା ପାଇଁ ସେ ବୃଥା ଚେଷ୍ଟା କରୁଥିଲେ । କ୍ରୁଦ୍ଧ ଚିତା ତା’ର ପଞ୍ଝାର ଡାହାଣ ଗୋଡ଼ ତାଙ୍କ ଆଣ୍ଠୁ ଉପରେ ରଖି ବାରମ୍ବାର ନିଜ ବାମ ପଞ୍ଝା ଉଠାଇ ଦିଲାବରଙ୍କ ପେଟ ଉପରେ ପ୍ରହାର ପକାଇବା ପାଇଁ ଚେଷ୍ଟା କରୁଥିଲା ଏବଂ ଦିଲାବର ଶରୀରକୁ ଏପଟ ସେପଟ ହଲାଇ ଦେଇ ତା’ର ଲକ୍ଷ୍ୟକୁ ବ୍ୟର୍ଥ କରି ଦେଉଥିଲେ । ବିରକ୍ତରେ ଗର୍ଜନ କରି ଚିତା ଏଥର ତା’ର ଦୁଇଟି ଯାକ ପଞ୍ଝା ଉଠାଇନେଲା ଏବଂ ଆକ୍ରମଣ ପାଇଁ ଟିକିଏ ଉପରକୁ ଉଠିଗଲା । ଦିଲାବର ଏଥର ଅସମ୍ଭବ ଭାବେ ତାଙ୍କ ଶରୀରର ବଳ ପ୍ରୟୋଗ କଲେ । ରାଇଫଲ ନଳୀ ଚିତା ଆଡ଼କୁ କରି ଶୋଇ ଶୋଇ କିଛି ଲକ୍ଷ୍ୟ ସ୍ଥିର ନ କରି ସେ ଗୁଳିଚଳାଇ ଦେଲେ ଓ କଣ୍ଟା ବୁଦା ପ୍ରତି ଲକ୍ଷ୍ୟ ନରଖି ନିଜ ମୁଣ୍ଡପଟେ ଯେତେ ବାଟ ଖସିହେବ ଖସିଗଲେ ।

 

ଗୁଳି ଖାଇ ଚିତା ଆଗରେ ପଡ଼ିଗଲା । ଏଥର ତା’ ପଞ୍ଝା ଦିଲାବରର ଆଣ୍ଠୁର ବହୁତ ତଳେ ପଡ଼ିଲା । ଦିଲାବର ଖୁବ୍ ଜୋରରେ କଡ଼ ଲେଉଟାଇଲେ ଏବଂ ବଞ୍ଚିବାର ଏହି ଅପ୍ରତ୍ୟାଶିତ ଢଙ୍ଗରେ ବୁଟରେ ଗୋଟିଏ ଜୋରଦାର ଗୋଇଠା ଚିତା ମୁହଁକୁ ମାରିଲେ । ଗୋଇଠା ମାଡ଼ ଖାଇ ଅସହ୍ୟ ଯନ୍ତ୍ରଣାରେ ଚିତା ଗଁ ଗଁ ହେଲା ।

 

ସେତେବେଳକୁ ରହମତ ଖାଁ ଉଠିପଡ଼ି ନିଜ ରାଇଫଲ ହାତକୁ ନେଇ ସାରିଥିଲା । ନିଶାଣ ନେଇଁ ସେ ଘୋଡ଼ା ଟିପିଦେଲା । ଗୁଳି ଚିତାର ପିଠିରେ ଲାଗିଲା ମାତ୍ରେ ସେ କ୍ରୁଦ୍ଧ ହୋଇ ପଛକୁ ବୁଲି ପଡ଼ିଲା । ସମସୁର ଖାଁ ନିଜ ରାଇଫଲ ଧରି ବହୁତ ବେଳୁ ଠିଆ ହୋଇଥିଲେ । କିନ୍ତୁ ଏହି ଡରରେ ଗୁଳିଚଳାଇ ପାରୁନଥିଲେ କାରଣ ଦିଲାବର ହୋସେନ ଯେପରି ଜଖମ ନହୁଅନ୍ତୁ । ବର୍ତ୍ତମାନ ମଉକା ମିଳିଲା ଓ ସେ ସାଙ୍ଗେ ସାଙ୍ଗେ ଗୁଳି ଚଳାଇ ଦେଲେ । ସମସ୍ତ ବନପ୍ରାନ୍ତରକୁ କମ୍ପାଇ ଦେଲାଭଳି ଗୋଟିଏ ଗର୍ଜନ କରି ଚିତା ସମସୁର ଖାଁ ଆଡ଼କୁ ଝପଟି ଆସିଲା । ସେ ନିଶାଣ ନେଇ ପୁଣି ଗୋଟିଏ ଗୁଳି ଚଳାଇ ଦେଲେ ଏବଂ ଜଲ୍‌ଦି ଗୋଟିଏ ପଟକୁ ବୁଲିଗଲେ । ଏହି ଅଚାନକଭାବେ ବୁଲି ପଡ଼ିବା ଯୋଗୁ ସେ ପଡ଼ୁ ପଡ଼ୁ ରହିଗଲେ । ଚିତା ପାଇଁ ଏତେକ ଗୁଳି ଯଥେଷ୍ଟ ଥିଲା, ଗୁଳିଖାଇ ପୁଣି ସେ ଜୋରକେ ଡେଇଁ ପଡ଼ିଲା ଏବଂ ଯେଉଁଠାରେ ପଡ଼ିଲା ସେଠାରୁ ଆଉ ଉଠି ପାରିଲା ନାହିଁ । ସେତେବେଳକୁ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା ।

 

ସୂର୍ଯ୍ୟ ଆକାଶରେ ମୁଣ୍ଡ ଉପରକୁ ଉଠି ସାରିଥିଲେ । କିନ୍ତୁ ଗଛଗୁଡ଼ିକ ଗୋଟିଏ ସହିତ ଅନ୍ୟ ଗୋଟିଏ ଏପରି ଭାବରେ ଲଗାଲଗି ହୋଇଥିଲେ ଯେ ଗଛମାନଙ୍କୁ ଅତିକ୍ରମ କରି ସୂର୍ଯ୍ୟକିରଣ ସେମାନଙ୍କ ପାଖରେ ପହଞ୍ଚି ପାରୁନଥିଲା । ଦିଲାବର ହୋସେନ ନିଜ ଜଖମ ଅବସ୍ଥା ପ୍ରତି ଦୃଷ୍ଟି ନ ଦେଇ ଶୀଘ୍ର ଚାଲିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେମାନେ ସବୁ ଜାଣିଶୁଣି ଧୀରେ ଧୀରେ ଚାଲୁଥିଲେ ।

 

ହଠାତ୍‌ ସମସୁର ଖାଁ ରହିଗଲେ । କୌଣସି ଅଦୃଶ୍ୟ ଶକ୍ତି ବୋଧହୁଏ ତାଙ୍କୁ ସତର୍କ କରାଇ ନେଉଥିଲା । ସେ ତାଙ୍କର ବନ୍ଧୁମାନଙ୍କ ଆଡ଼କୁ ଅର୍ଥପୂର୍ଣ୍ଣ ଚାହାଁଣିରେ ଏବଂ ଧ୍ୟାନ ସହକାରେ କାନେଇଲେ । କିଛି କ୍ଷଣ ପରେ ଖୁବ୍ ଜୋରରେ ଫୁ ଫୁ କାର ଶବ୍ଦ ଶୁଣାଗଲା । ସାମନା ବୁଦା ଆଡ଼ୁ ଆସୁଥିବା ଏ ଶବ୍ଦ ନିଶ୍ଚୟ ବିପଦର ସୂଚକ ।

 

ସେମାନେ ବିଭନ୍ନ ଭାବନାରେ ବୁଡ଼ି ରହିଥିବା ବେଳେ କିଛି ଦୂରରେ ପତ୍ର ହଲିବାର ଦେଖାଗଲା ଏବଂ ଜଣାପଡ଼ିଲା ଲୁଚି ଲୁଚି କେହି ଯେପରି ତାଙ୍କରି ଆଡ଼କୁ ଆସୁଛି । ଫୁ ଫୁ କାର ଶବ୍ଦ ବନ୍ଦ ହୋଇଗଲା । ହଲୁଥିବା ବୁଦାର ଦୁରତ୍ଵ କମ୍ ହେବାକୁ ଲାଗିଲା ଏବଂ ଗୋଟିଏ କ୍ରୁଦ୍ଧ ଗର୍ଜନ ଶୁଣାଗଲା ତା’ପରେ ଫୁ ଫୁ କାରର ଶବ୍ଦ ଜୋରରେ ଶୁଣାଗଲା । ନିଶ୍ଚୟ କୌଣସି ରୋମାଞ୍ଚକର ଘଟଣା ବୁଦା ଆଢ଼ୁଆଳରେ ଘଟୁଥିଲା ।

 

ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହୋଇ ସେମାନଙ୍କ ପାଖରେ ଥିବା ଗୋଟିଏ ବଡ଼ ଝଙ୍କାଳିଆ ଗଛରେ ଚଢ଼ିଗଲେ । ଏ ପ୍ରକାର ଗଛ ଉପରକୁ ଚଢ଼ିବା ମଧ୍ୟ ବିପଦ ମୁକ୍ତ ନଥିଲା । କିନ୍ତୁ ଆରପାଖ ଘଟଣା ଜାଣିବା ପାଇଁ ସେମାନେ ଏତେ ବ୍ୟସ୍ତ ହୋଇ ପଡ଼ିଥିଲେ ଯେ ଅନ୍ୟ କୌଣସି କଥା ଚିନ୍ତା କରିପାରିଲେ ନାହିଁ । ସହଜରେ ତ ଶିକାର ଜୀବନରେ ପ୍ରତି ପଦ ପଦରେ ବିପଦ ଘେରି ରହିଥାଏ ।

 

ଦିଲାବର ହୋସେନଙ୍କୁ ସେମାନେ ସାହାଯ୍ୟ କରି ଉପରକୁ ଚଢ଼ାଇଲେ ଏବଂ ଗୋଟିଏ ଉଚ୍ଚ ଓ ମୋଟା ଡାଳ ଉପରେ ବସି ରହିଲେ ଦୃଶ୍ୟ ବାସ୍ତବରେ ବଡ଼ ରୋମାଞ୍ଚକ ଥିଲା । ଗୋଟିଏ ବାଘକୁ ଅଜଗରଟିଏ ନିଜର ଚିକ୍‌କଣ ଓ ବିଶାଳ ଶରୀର ଦ୍ଵାରା ଗୁଡ଼ାଇ ରଖିଥିଲା । ବାଘ ଗଁ ଗଁ ଶବ୍ଦ କରୁଥିଲା ଓ ତା’ର ପଞ୍ଝାଦ୍ଵାରା ଚାପୁଡ଼ା ମାରୁଥିଲା । ଲଢ଼ାଇ ପୂରା ରୋମାଞ୍ଚକର ଭାବେ ଚାଲିଥିଲା । ଅଜଗର ବାଘର ପଛ ଗୋଡ଼ ଦୁଇଟି ଧରି ଦେଇଥିଲା କିନ୍ତୁ ବାଘ ଆଗ ଗୋଡ଼ର ପଞ୍ଝାରେ ଏପରି ଚାପୁଡ଼ା ମାରୁଥିଲା ଯେ ଅଜଗରର ଚାଲାକି କାମ କରି ପାରୁନଥିଲା ତା’ର ବିଶାଳ ମୁହଁ କ୍ଷତ ବିକ୍ଷତ ହୋଇ ସାରିଥିଲା ।

 

ଅଜଗର ରାଗିଯାଇ ଜୋରରେ ଫୁ ଫୁ ଶବ୍ଦ କରି ବନ୍ଧନକୁ ଆଉରି ଟିକିଏ ଜୋର କରିଦେଲା । ବାଘ ଦେହର ହାଡ଼ଗୁଡ଼ିକ କଟ କଟ ଡାକୁଥାଏ । ବଡ଼ କରୁଣ ତଥା ପୀଡ଼ିତ ସ୍ଵରରେ ସେ ଚିତ୍କାର‌ କଲା । କିଛି କ୍ଷଣ ପାଇଁ ଜଣାପଡ଼ିଲା ଯେ ଜଙ୍ଗଲର ଦୁଇ ସର୍ଦ୍ଦାରଙ୍କ ଯୁଦ୍ଧରେ ଅଜଗରର ବିଜୟ ହେବ । କିନ୍ତୁ ହଠାତ୍ ବାଘ ତା’ ଦାନ୍ତରେ କାମୁଡ଼ି ଅଜଗରର ଶରୀରରୁ ଖଣ୍ଡେ ବଡ଼ ମାଂସ ଛିଣ୍ଡାଇ ଫୋପାଡ଼ି ଦେଲା । ପୁଣି ଆଉଥରେ ଏବଂ ଆଉଥରେ ଏହିପରି କରିବାରେ ଲାଗିଲା ।

 

ଫୁ ଫୁ ଶବ୍ଦ ଖୁବ୍ ଜୋରରେ ଶୁଣାଯାଉଥାଏ । ପୁଣି କଡ଼ ମଡ଼ ଶବ୍ଦ । ବାଘର ପଞ୍ଜରା ଓ ଅଣ୍ଟା ହାଡ଼ ଭାଙ୍ଗିଗଲା । କିନ୍ତୁ ନିଜର ସମସ୍ତ ଶକ୍ତି ଏକତ୍ର କରି ବାଘ ଗୋଟିଏ ଶକ୍ତ ଚାପୁଡ଼ା ତା’ ପଞ୍ଝାରେ ଅଜଗରର ମୁହଁକୁ ମାରିଲା । ସେମାନେ ଗଛ ଉପରେ ଥାଇ ବାଘ ଅଜଗର ଲଢ଼େଇ ଦେଖୁଥାନ୍ତି ।

 

ପୁଣି କ୍ରୋଧ ଗର୍ଜନ ଖୁବ୍ ଜୋରରେ ଶୁଣାଗଲା । ଫୁଫୁକାର ଶବ୍ଦ ମଧ୍ୟ ଶୁଣାଯାଉଥାଏ-। କିନ୍ତୁ ଧୀରେ ଧୀରେ ସମସ୍ତ ଶବ୍ଦ କମି କମି ଆସିଲା । ତା’ପରେ ପନ୍ଦର ମିନିଟ ପରେ ସବୁ ଶେଷ । ବାଘ ପଡ଼ିଆରେ ପଡ଼ି ମରିବାକୁ ଯାଉଥିଲା । ଅଜଗରର ଅବସ୍ଥା ମଧ୍ୟ ସେହିପରି ମଲା ଅବସ୍ଥା । କିନ୍ତୁ ବାଘକୁ ସେହିପରି ତା’ଦେହରେ ବାନ୍ଧି ରଖିଥିଲା ।

 

ଏହା ଦେଖି ସେମାନେ ସମସ୍ତେ ସମସ୍ତଙ୍କ ମୁହଁକୁ ଚାହାଁଚାହିଁ ହେଲେ ଏବଂ ସମସ୍ତେ ଗଛ ଉପରୁ ଓହ୍ଲାଇ ଆସିଲେ । ସମୟ ସେତେବେଳକୁ ଦିନ ତିନିଟା ବାଜି ସାରିଥାଏ । ସେତେବେଳକୁ ସେମାନଙ୍କ ପାଖେ ଅନେକ ଖାଦ୍ୟ ପଦାର୍ଥ ମହଜୁଦ ଥିଲେ ମଧ୍ୟ ନଖାଇ ଉପାସରେ ଅଛନ୍ତି । ଦିଲାବର ହୋସେନଙ୍କ ଶରୀରର ପୀଡ଼ା ବେଳକୁ ବେଳ ବୃଦ୍ଧି ପାଉଥାଏ ।

✽✽✽

 

ନରଭକ୍ଷୀବାଘ ଓ ହତ୍ୟାକାରୀ ବୁଦା

 

ବାଘଟି ଖୁବ୍ କରୁଣ ସ୍ଵରରେ ଚିତ୍କାର କଲା । ସମସ୍ତ ବନ ପ୍ରାନ୍ତର ନିସ୍ତବ୍‌ଧ ହୋଇଗଲା-। ବଡ଼ ହୃଦୟ ବିଦାରକ ସେ ଦୃଶ୍ୟ । ଚୌଧୁରୀ ଜମଲ ବଖସ୍ ଦୁଇପାଦ ପଛକୁ ହଟିଯାଇ ଆଖିବନ୍ଦ କରିନେଲେ । ସେ ଆଡ଼କୁ ଚାହିଁବାର ସାହାସ ସେ ହରାଇ ବସିଥିଲେ-। ତାଙ୍କର କାପୁରୁଷରତା ହୋଇପାରେ ବା ଅନ୍ୟକିଛି ହେଉ କିନ୍ତୁ ତାଙ୍କର ସତତିରିଶି ବର୍ଷର ଶିକାର ଅଭିଜ୍ଞତା ଭିତରେ ପ୍ରକୃତିର ଏହି ନିର୍ମମ ପ୍ରତିଶୋଧ ସେ ପ୍ରଥମଥର ଦେଖିଲେ ।

 

ଘଟଣାଟି ଘଟିଥିଲା ‘ଗୁଁଠୁର’ ଆଖପାଖ ଅଞ୍ଚଳରେ । ନିଜାମପଟ୍ଟମଠାରୁ କିଛିଦୂର ପରେ କୃଷ୍ଣାନଦୀର ମୁହାଣ । ସେଠାରୁ କାଦୁଆ ସନ୍ତସନ୍ତିଆ ଜମି ଓ ଜଙ୍ଗଲ ମାଇଲ ମାଇଲ ଧରି ଲାଗିରହିଛି । ଘନ ବନାନୀ ଓ ଗୁଳ୍ମଲତାରେ ସେ ଅଞ୍ଚଳ ଦିନବେଳେ ମଧ୍ୟ ରାତିଭଳି ପ୍ରତୀୟମାନହୁଏ । ସେ ଆଡ଼େ ଯିବାର ସାହାସ କେହି କରନ୍ତି ନାହିଁ ।

 

ପିଲାଦିନର ସାଙ୍ଗ ହମିଦ୍‍ର ଚିଠି ଅନେକ ବର୍ଷପରେ ପାଇ ଚୌଧୁରୀ ଜମଲ ବଖ୍‌ସ ବିଶ୍ୱାସ କରି ପାରିଲେ ନାହିଁ । ବିଗତ ଚାରିପାଞ୍ଚ ବର୍ଷଧରି ସେ ନିଜାପଟ୍ଟମରେ ଥିଲା । ସେଠାରେ ଗୋଟିଏ ଝିଅ ବାହାହୋଇ ବସାବାନ୍ଧିଥିଲା । ପୂର୍ବ ବଙ୍ଗଳାରେ ଥିବା ନିଜର ଛୋଟ ଗାଁଟିକୁ ପୂରାପୂରି ଭୁଲି ଯାଇଥିଲା । ଗାଆଁରେ ତା’ର ବୋଲି କେହିଜଣେ ନଥିବାରୁ ସେ ତା’ ଗାଆଁର କୌଣସି ଖବର ରଖିନଥିଲା । ଚୌଧୁରୀ ଜମଲ ବଖ୍‌ସ ହମିଦ୍‍ର ପ୍ରଥମ ଚିଠି ପାଇଥିଲେ ଏବଂ ସେ ଲେଖିଥିଲା ଯେ ଜମଲ ବଖ୍‍ସ କିଛିଦିନ ତାଙ୍କ ପାଖରେ ଅତିଥି ହେବା ପାଇଁ ହମିଦ୍‍ର ଇଚ୍ଛାକୁ ଏଡ଼େଇ ନପାରି ଜମଲ ବଖ୍‍ସ ସାଙ୍ଗେ ସାଙ୍ଗେ ନିମନ୍ତ୍ରଣ ରକ୍ଷାକରି ହମିଦ୍ ପାଖକୁ ବାହାରିଲେ ।

 

ହମିଦ୍‍ ନିଜାମ ପଟ୍ଟମ ସହରର କିଛି ମାଇଲ ଦୂର ଏକ ଗାଆଁରେ ରହୁଥିଲା । ଯିବା ପୂର୍ବରୁ ହମିଦ୍ ପାଖକୁ ଜମଲ ବଖ୍‍ସ ଚିଠି ଦେଇଥିଲେ ତେଣୁ ସେଠାରେ ପହଞ୍ଚିବାରେ କୌଣସି ଅସୁବିଧା ହୋଇନଥିଲା । ବସ୍ତିଟିରେ ଆଖିଦୃଷିଆ ଜିନିଷ କିଛି ନଥିଲା । ସମୁଦାୟ କୋଡ଼ିଏ ତିରିଶି ସରିକି ଘର ହେବ । ଦୁଇତିନି ମାଇଲ ଆଗରେ ଜଙ୍ଗଲ ଆରମ୍ଭ ହୋଇ ଯାଇଥାଏ । ଗୋଟିଏ ଛୋଟ ବର୍ଷାଧାର ନଦୀ ମଧ୍ୟ ବସ୍ତିପାଖ ଦେଇ ବହି ଯାଉଥିଲା ।

 

ଯିବାର ଚାରିପାଞ୍ଚ ଦିନ ପର୍ଯ୍ୟନ୍ତ ହମିଦ୍‍ ସଙ୍ଗେ ଜମଲ ବଖ୍‍ସ ଖୁସି ଗପ କରି ଏଣେତେଣେ ବୁଲାବୁଲିକରି କଟାଇ ଦେଲେ । ହମିଦ୍ ସ୍ତ୍ରୀର ସ୍ଵଭାବ ଅତି ଭଲ ଥିଲା ଓ ପରକୁ ଆପଣା କରିବାରେ ଦକ୍ଷତା ତାଙ୍କ ମଧ୍ୟରେ ପର ଆପଣା ଭେଦକୁ ଦୂରେଇ ଦେଲା । ଶିକାର କରିବାର ସଉକି ହମିଦ୍‍ର ମଧ୍ୟ ଥିଲା । ପୁଣି ସପ୍ତାହେକାଳ ଘରେ ବସି ଅଳସୁଆ ଜୀବନପରେ ଶରୀର ମାନ୍ଦା ମାନ୍ଦା ଲାଗିଲା ତେଣୁ ସେମାନେ ଶିକାରକୁ ଯିବାପାଇଁ ମନସ୍ଥକଲେ ।

 

କିନ୍ତୁ ଯେଉଁଦିନ ସେମାନେ ଶିକାରକୁ ଯିବାକୁ ସ୍ଥିର କରିଥିଲେ ତା’ ପୂର୍ବଦିନ ଗୋଟିଏ ଘଟଣା ଘଟିଗଲା । ହମିଦ୍‌ର ଦାଣ୍ଡ ଦୁଆରେ ବସି ସେ ଦୁଇଜଣ ଅପରାହ୍ନରେ ଚା’ ଖାଉଥିଲେ । ଗୋଟିଏ ଲମ୍ବା, ତାଗଡ଼ା, ଆଦିବାସୀ ଲୋକ ଆସି ହମିଦ୍‍କୁ ସଲାମ୍‌ କଲା । ହମିଦ୍ ତାକୁ ଚିହ୍ନିଥିଲା-। ଆତ୍ମୀୟତା ଦେଖାଇ ହମିଦ୍ ତାକୁ କହିଲା, କ’ଣ ରଙ୍ଗା ! କୁଆଡ଼େ କେମିତି ଆସିଲୁ ।

 

ରଙ୍ଗା ନିଜର ଦରଖଣ୍ଡି ହିନ୍ଦିରେ କହିଲା, ବଡ଼ ବିପଦ ସାହେବ । ଗଲା ପାଞ୍ଚ ସାତ ଦିନ ହେବ ଗୋଟିଏ ବାଘ ଭାରି ଉତ୍ପାତ କରୁଛି । ମଣିଷଖିଆ ସାହେବ ! ମଣିଷଖିଆ, କାଲି ରାତିରେ ରତିକୁ ଉଠାଇଦେଲା । ରତିକୁ ଆପଣ ଜାଣିଥିବେ “ଛଙ୍ଗାର” ସ୍ତ୍ରୀ । ଆମେ ବହୁତ ଚେଷ୍ଟା କଲୁଣି କିନ୍ତୁ ଫଳ କିଛି ନାହିଁ । ମୁଁ ବଡ଼ ଆଶାକରି ଆପଣଙ୍କ ଉପରେ ଭରସା ରଖି ଆସିଛି । ରଙ୍ଗା ଏହା କହି ଚୁପ୍ ହୋଇଗଲା ।

 

ହମିଦ୍ ଜମଲ ବଖ୍‍ସଙ୍କ ଆଡ଼େ ଚାହିଁଲା । ହମିଦ୍‍ର ମତଲବ ବୁଝିପାରି ଜମଲ ବଖ୍‍ସ ମୁଣ୍ଡ ହଲାଇ ସ୍ୱୀକୃତି ଦେଲେ ଏବଂ ହମିଦ୍‍ ସେ ଆଦିବାସୀ ଯୁବକ ଆଡ଼େ ଚାହିଁ କହିଲେ, ଠିକ୍ ଅଛି ରଙ୍ଗା ଆମେ ଅନ୍ଧାରୁ ଅନ୍ଧାରୁ ବାହାରିଯିବା । ତୁ ଆଜି ରାତିକ ଏଠାରେ ରହିଯା ।

 

ସାହେବ ! ରଙ୍ଗା ଯେପରି ବିରୋଧ କରିବାକୁ ଚାହିଁଲା । କିନ୍ତୁ ହମିଦ୍ ଦୃଢ଼ତା ପୂର୍ବକ ମୁଣ୍ଡ ହଲାଇ କହିଲା ନା ରଙ୍ଗା । ଆମେ ବର୍ତ୍ତମାନ ବାହାରିଲେ କିଛି ଲାଭ ନାହିଁ । ପହଞ୍ଚୁ ପହଞ୍ଚୁ ରାତି ହୋଇଯିବ । ସକାଳ ପୂର୍ବରୁ ଆମେ କିଛି ହେଲେ ମଧ୍ୟ କରିପାରିବା ନାହିଁ ଏବଂ ବାଘତ ଆଉ ଆମେ ତୁମେ ଗ୍ରାମରେ ଅଛୁ ବୋଲି ଜାଣି କୁଆଡ଼େ ପଳେଇ ଯିବନି । ତେଣୁ ସିନ୍ଦୂରା ଫାଟିବା ପୂର୍ବରୁ ଆମେ ବାହାରିଯିବା । ଗାଁକୁ ଯିବା ପୂର୍ବରୁ ଆମେ ଜଙ୍ଗଲ ଭିତରେ ସେ ସ୍ଥାନ ଦେଖିବା ଯେଉଁଠାରେ ସେ ନରଭକ୍ଷୀ ଆତଯାତ ହେଉଛି ।

 

ଗାଁରେ ପହଞ୍ଚିବା ପୂର୍ବରୁ ଜଙ୍ଗଲରେ ହିଁ ଏହି ଘଟଣା ଘଟିଥିଲା । ଆଗେ ଆଗେ ରଙ୍ଗା ଯାଉଥିଲା, ତା’ ପଛରେ ହମିଦ୍ ଏବଂ ଶେଷରେ ଜମଲ ବଖ୍‍ସ । ଜଙ୍ଗଲର ଯେଉଁଆଡ଼େ ସେମାନେ ଆଗଉଥିଲେ ସେ ଅଞ୍ଚଳସହିତ ରଙ୍ଗା ମଧ୍ୟ ବିଶେଷ ପରିଚିତ ନଥିଲା । କିନ୍ତୁ ସେ ନରଭକ୍ଷୀର ସନ୍ଧାନରେ ଥରେ ଦୁଇଥର ଆସିଥିଲା । ସେମାନେ ବହୁତଦୂର ଆଗେଇ ଯାଇଥିଲେ ଏବଂ ସ୍ପଷ୍ଟ ଥିଲା ଯେ ସେ ଆଡ଼େ କେହି ଯିବା ଆସିବା କରୁନଥିଲେ ।

 

ଘଞ୍ଚ ବୃକ୍ଷଙ୍କର ସେ ଲମ୍ବା ଚେହେରା ଶେଷ ହୋଇ ଆସୁଥିଲା ଏବଂ ସୂର୍ଯ୍ୟ କିରଣ ଆସ୍ତେ ଆସ୍ତେ ଗଛ ଉହାଡ଼ରୁ ଆସି ପଡ଼ୁଥିଲା । ସେମାନେ ଖୁବ୍ ସତର୍କତାର ସହିତ ଆଗକୁ ଆଗକୁ ଯାଉଥିଲେ । ଅଳ୍ପ ଆଗରେ ସେ ଗୁମ୍ଫାଥିଲା ଯେଉଁଠାରେ କି ସେ ବାଘ ରହୁଛି ବୋଲି ବିଶ୍ଵାସ କରାଯାଉଥିଲା । ସେ ନିକଟରେ ମଧ୍ୟ ଗୋଟିଏ ପଚାନାଳ ଥିଲା । ଯେଉଁଥିରେ କି ଗୋଟିଏ ମଢ଼ ସଢ଼ି ଯାଇ ବହୁତ ଦୁର୍ଗନ୍ଧ ହେଉଥିଲା ।

 

ବର୍ତ୍ତମାନ ସେମାନେ ଏଠାରେ ସେଠାରେ ଅଳ୍ପ ଗହଳିଆ ବୁଦା ଦେଖିବାକୁ ପାଇଲେ । ସେ ଖୋଲଠାରୁ ପ୍ରାୟ କୋଡ଼ିଏ ଗଜ ଏପଟୁ ଗୋଟିଏ ବଡ଼ ଗଛଥିଲା । ସେମାନଙ୍କର ବିଚାରଥିଲା ଯେ ପ୍ରଥମେ ସେ ଗଛରେ ଚଢ଼ି ଆଖପାଖ ଦେଖି ନେବା । କିନ୍ତୁ ସେ ସୁଯୋଗ ଆସିଲା ନାହିଁ । ସେମାନଙ୍କର ସମସ୍ତ ସତର୍କତା ଅକାରଣ ହୋଇଗଲା ।

 

ସେହି ବର୍ଣ୍ଣିତ ଗଛ ସେମାନଙ୍କଠାରୁ ପ୍ରାୟ ସାତ ଆଠ ଗଜ ଦୂରଥିଲା । ହଠାତ୍‌ କୌଣସି ସୂଚନାବିନା ପାଖ ବୁଦା ଖଡ଼ ଖଡ଼ ହେଲା ଓ ବାଘ ଜମଲ ବଖ୍‍ସ ଉପରକୁ କୁଦା ମାରିଲା-। ଏହି ଅପ୍ରତ୍ୟାଶିତ ଆକ୍ରମଣରେ ଜମଲ ବଖ୍‍ସ ଘାବରେଇ ଗଲେ ଓ ପଛକୁ ହଟିଗଲେ କିନ୍ତୁ ସଙ୍ଗେ ସଙ୍ଗେ ଠୋକର ଖାଇ ଚାରିଟାଙ୍କ ମେଲି ଚିତ୍‌ ହୋଇ ପଡ଼ିଗଲେ । ବାଘ ମଧ୍ୟ ତାଙ୍କ ଉପରକୁ କୁଦା ମାରିଥିଲା । ବାଘ ତା’ର ତୀକ୍ଷ୍‍ଣ ପଞ୍ଝା ଜମଲ ବଖ୍‍ସଙ୍କ ଗୋଡ଼ରେ ମାରିବାକୁ ଉଦ୍ୟତ ହେଉଥିଲା । ତାଙ୍କ ମୁଣ୍ଡରେ ଏତେ ଜୋରରେ ଆଘାତ ଲାଗିଥିଲା ଯେ ଉଠିବାକୁ ମଧ୍ୟ ତାଙ୍କର ଶକ୍ତି ପାଉ ନଥିଲା ଓ ଅସହାୟଭାବେ ପଡ଼ିଥିଲେ ।

 

କିନ୍ତୁ ଆଗେ ଆଗେ ଯାଉଥିବା ହମିଦ୍ ଓ ରଙ୍ଗା ଏହା ଜାଣିପାରିଥିଲେ । ଦୁଇଜଣ ଯାକ ଅଟକିଗଲେ । ନିମିଷକ ମଧ୍ୟରେ ଗୁଡ଼ୁମ୍ ବୋଲି ଆବାଜ ହେଲା । ହମିଦ୍‌ ଗୁଳିଚଳାଇଥିଲା । ମାତ୍ର ଗୁଳି ବାଘ ଦେହରେ ବାଜି ନଥିଲା । ହମିଦ୍ ବ୍ଲାଙ୍କ ଫାୟାର କରିଥିଲା ଓ ବାଘ ପଛକୁ ହଟି ଯାଇଥିଲା । ବାଘ ଜଖମ ହୋଇଯାଇଥିଲା । ବାଘର ପିଠିରେ ରଙ୍ଗାର ଛୁରା ବସିଯାଇଥିଲା ଓ ରକ୍ତ ଟପ ଟପ ପଡ଼ୁଥିଲା । ଭୟଙ୍କର ଗର୍ଜନ କରି ବାଘ ଆଗକୁ କୁଦା ମାରିଲା । ଆତ୍ମରକ୍ଷା ଉଦ୍ଦେଶ୍ୟରେ ହମିଦ୍ ପଛକୁ ଯିବାପାଇଁ ଚେଷ୍ଟାକଲା । କିନ୍ତୁ ଭାଗ୍ୟ ତା’ର ପ୍ରତିକୂଳଥିଲା । କୌଣସି ଖାଲରେ ତା’ର ପାଦ ପଡ଼ିଗଲା ଓ ସେ ପିଠିପଟେଥିବା କୌଣସି ଏକ ବୁଦା ଉପରକୁ ଲେଉଟି ପଡ଼ିଲା । ବୁଦାଟି ଅତି କଣ୍ଟାଳିଆ ଥିଲା । ସାରା ପିଠିରେ କଣ୍ଟା ପଶିଗଲା ଓ ଯନ୍ତ୍ରଣାରେ ହମିଦ୍ ଚିତ୍କାର କରି ଉଠିଲା । କ୍ଷଣଙ୍କ ପାଇଁ ବାଘ ମଧ୍ୟ ସେଠାରେ ସେମିତି ପୂର୍ବଭଳି ରହିଗଲା ଓ ଥରେ କଣ୍ଟାରେ ପଡ଼ିଥିବା ହମିଦ୍ ଆଡ଼େ ନଜର ପକାଇ ଉପେକ୍ଷା କରି ରଙ୍ଗା ଆଡ଼େ ଗାଡ଼ିଚାଲିଲା । କିନ୍ତୁ ରଙ୍ଗାର ଚେହେରାରେ ଭୟର ଚିହ୍ନ ମାତ୍ର ନଥିଲା । ସେ ସ୍ଥିର ଭାବେ ଠିଆ ହୋଇ ନିଜର ଭାଲିକୁ ମଜଭୁତ୍‌ ଭାବେ ଧରି ରଖିଥିଲା ।

 

ବାଘ କୁଦା ମାରିଲା ବେଳକୁ ରଙ୍ଗା ହାତରେ ଧରିଥିବା ଭାଲାର ଲକ୍ଷ୍ୟ ଠିକ୍ ବାଘର ପେଟକୁ ଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ! ରଙ୍ଗାର ଲକ୍ଷ୍ୟ କ୍ଷଣକ ପାଇଁ ବିଳମ୍ବ ହୋଇଗଲା । ଭାଲି ବାଘର ପଛ ଦୁଇ ଗୋଡ଼ ଭିତରପଟେ ସାମାନ୍ୟ ଆଘାତ କରି ଯାଇ ଭୁଇଁରେ ପଡ଼ିଲା ।

 

ରଙ୍ଗା ନିରସ୍ତ୍ର ହୋଇପଡ଼ିଲା ସତ କିନ୍ତୁ ସେ ଘାବରେଇଗଲା ନାହିଁ । ବାଘ ନିକଟକୁ ଆସିବାକ୍ଷଣି ସେ ସାମାନ୍ୟ ବୁଲିଗଲା ଏବଂ ପରକ୍ଷଣରେ ଭୂଇଁ ଉପରେ ଚିତ୍‌ ହୋଇ ଶୋଇ ବାଘର ବେକକୁ ଦୁଇ ହାତରେ ଧରି ଚିପିବାକୁ ଲାଗିଲା । ବାଘ ରାଗରେ ଛଟପଟ ହୋଇ ନିଜ ପଞ୍ଝାରେ ରଙ୍ଗାର ଶରୀରକୁ ଚୋଟ ମାରି ମାରି ନୟାନ୍ତ କରିଦେଲା ।

 

ଜମଲ ବଖ୍‍ସ ବଡ଼ କଷ୍ଟରେ କୌଣସିମତେ ଠିଆ ହୋଇ ପାରିଥିଲା । ଭୂଇଁରେ ପଡ଼ିବା ସମୟରେ ପଥର ବାଜି ମୁଣ୍ଡ ଫାଟିଥିବା କ୍ଷତ ସାଙ୍ଗକୁ ଶରୀରରେ ବାଘ ପଞ୍ଝାର ଆଘାତ ଭୀଷଣ ଯନ୍ତ୍ରଣା ଦେଉଥାଏ । ମୁଣ୍ଡରୁ ବହୁତ ରକ୍ତ ବହିଯାଇଥିଲା । ପାଦରୁ ମଧ୍ୟ ରକ୍ତ ଝରଝର ହୋଇ ଝରୁଥିଲା । ଜମଲ ବଖ୍‍ସ ଠିଆ ହେବା ପାଇଁ ମଧ୍ୟ ସମର୍ଥ ହୋଇପାରୁ ନଥିଲେ । ଆଖି ଆଗରେ ଅନ୍ଧକାର ଘୋଟେଇ ଆସିଲାପରି ଜଣାପଡ଼ୁଥିଲା । କୌଣସି ପ୍ରକାରେ ଜମଲ ବଖ୍‍ସ ନିଜର ରାଇଫଲ କାନ୍ଧରୁ ଓହ୍ଲାଇ ତଳେ ରଖିଲେ ଓ ଗଳାରେ ବନ୍ଧା ଯାଇଥିବା ସ୍କାର୍ଫ ଖୋଲି ଆଣିଲେ । ରୁମାଲ ଓ ସ୍କାର୍ଫ ସାହାଯ୍ୟରେ ମୁଣ୍ଡରୁ ରକ୍ତ ବୋହୁଥିବା ଜାଗାକୁ ବସିକରି ବାନ୍ଧିଦେଲେ । ପୂରା ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ଜମଲ ବଖ୍‍ସ ତାଙ୍କର ଆଖି ବନ୍ଦକରି ସେହି ଗଛକୁ ଭରା ଦେଇ ଠିଆହୋଇ ରହିଲେ । ସିଆଡ଼େ ରଙ୍ଗା ଓ ହମିଦ୍ ଦୁଇଜଣଯାକ ବିପଦର ଦ୍ଵାର ମୁଖରେ ଉପସ୍ଥିତ । ଜମଲ ବଖ୍‍ସ ଶତ ଚେଷ୍ଟା ପରେ ମଧ୍ୟ ଆଖି ଖୋଲି ପାରୁନଥିଲେ । ଶେଷରେ କୌଣସି ପ୍ରକାରେ ମୁଣ୍ଡରୁ ରକ୍ତସ୍ରାବ ବନ୍ଦ ହେବାପରେ ଯେତେବେଳେ ସନ୍ତ୍ରଣା ଟିକିଏ କମିଲା ସେତେବେଳେ ସେ ଆଖି ଖୋଲିଲେ ।

 

ବଡ଼ ଅସହ୍ୟ ସେ ଦୃଶ୍ୟ । ରଙ୍ଗା ଭୂମିଉପରେ ସଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲା । ତା’ର ହାତରୁ ବାଘର ବେକ ଖସି ଯାଇଥିଲା । ଓ ବାଘ ରଙ୍ଗାର ଛାତି ଉପରେ ମୁହଁ ଲଗେଇଥିଲା-। ରଙ୍ଗାର ପାଦରୁ ମାଂସର ଖଣ୍ଡ ବାହାରି ଆସି ରକ୍ତସ୍ରାବ ହେଉଥିଲା ।

 

ଦୁଃଖ ଏବଂ କ୍ରୋଧରେ ଜମଲ ବଖ୍‍ସର ମୁଣ୍ଡ ଖରାପ ହୋଇଗଲା । ରଙ୍ଗା କିଛି ସମୟ ପୂର୍ବେ ଜମଲ ବଖ୍‍ସର ଜୀବନ ରକ୍ଷା କରିଥିଲା । କିନ୍ତୁ ତାଙ୍କରି ସାମନାରେ ହିଁ ବାଘ ତାକୁ ଆଦର କରିବାରେ ଲାଗିଛି । ସେ କିଛି ଭାବି ନପାରି ରାଇଫଲ ଉଠାଇଲେ ଓ ନିଶାଣ ନେଇ ଘୋଡ଼ା ଟିପିଦେଲେ । ଗୁଳି ଠିକ୍ ଯାଇ ବାଘର ପେଟରେ ଲାଗିଲା । ଖୁବ୍ ଜୋରରେ ଗର୍ଜନକରି ସେ ବୁଲିଗଲା । ନିଜ ଖାଇବାବେଳେ ବାଧା ପାଇ ସେ କ୍ରୁଦ୍ଧ ହୋଇ ଉଠିଲା

 

କମଲ ବଖ୍‍ସ ତା’ର ସାମନାରେ ଥିଲେ ତେଣୁ ସେ ସିଧା ତାଙ୍କରି ଆଡ଼କୁ ମାଡ଼ି ଆସିଲା । କିଛି ଭାବିବାକୁ ଅବକାଶ ନଥିଲା କି କୁଆଡ଼େ ଲୁଚିବାର ବାଟ ନଥିଲା । ସେ ପୁଣି ଘୋଡ଼ା ଟିପିଲେ କିନ୍ତୁ ରାଗ ଏବଂ ଉତ୍ତେଜନା ଯୋଗୁ ଦୌଡ଼ୁଥିବା ବାଘକୁ ଠିକ୍ ଲକ୍ଷ୍ୟ କରିପାରିଲେ ନାହିଁ । ସେ ପୁଣି ଘୋଡ଼ା ଦବାଇଲେ କିନ୍ତୁ ତାହା ଦବିଲା ନାହିଁ । ସେ ବିକଳରେ ପୂରା ଶକ୍ତି ଲଗାଇଲେ ଘୋଡ଼ା ଟିପିବାପାଇଁ କିନ୍ତୁ ହେଲାନାହିଁ । ବୋଧହୁଏ ସେ ଯେତେବେଳେ ପଡ଼ିଯାଇଥିଲେ ସେତେବେଳେ ରାଇଫଲରେ କିଛି ଗଡ଼ବଡ଼ ହୋଇଯାଇଥିଲା । କିନ୍ତୁ ଦୁଇଟି ଗୁଳି କିପରି ଯେ ଫୁଟିଲା ତାହା ସେ ନିଜେ ମଧ୍ୟ ବୁଝିପାରିଲେ ନାହିଁ ।

 

ଏବେ ଆଉ କିଛି ଚାରା ନଥିଲା । ମୃତ୍ୟୁ ସାକ୍ଷାତ ଦୌଡ଼ିକରି ଆସୁଥିଲା । ହତାଶହୋଇ ସେ ଆଖିବନ୍ଦ କରିନେଲେ । କିନ୍ତୁ ସାଙ୍ଗେ ସାଙ୍ଗେ ଧଡ଼ାକ୍ କରି ଏକ ଆବାଜ ହେଲା ଏବଂ ଚକିତ ହୋଇ ସେ ଆଖି ଫିଟାଇଲେ ।

 

ଏହି ଉତ୍ତେଜନା ଭିତରେ ହମିଦ୍‍କୁ ସେ ପୂରା ଭୁଲି ଯାଇଥିଲେ । ସେ କୌଣସି ପ୍ରକାରେ ନିଜକୁ ମୁକ୍ତ କରି ସେହି ବୁଦାଠାରୁ କିଛି ଦୂରରେ ଗୋଟିଏ ଗଛକୁ ଆଉଜି ଛିଡ଼ା ହୋଇଥିଲା । ତା’ର ଲୁଗାପଟା କୁତୁ କୁତା ହୋଇ ଚିରିଯାଇଥିଲା । ସମସ୍ତ ଶରୀର ମଧ୍ୟ କ୍ଷତ ବିକ୍ଷତ ହୋଇଯାଇଥିଲେ ମଧ୍ୟ ମୁହଁରେ ତା’ର ସ୍ଵାଭାବିକ ଆନନ୍ଦ ଦେଖାଯାଉଥିଲା ।

 

ଗୁଳି ବାଘର ପଛପଟ ଏକ ଗୋଡ଼କୁ ଜଖମକରି ବାହାରି ଯାଇଥିଲା । ସେ ବୁଲିପଡ଼ି ହମିଦ୍ ଆଡ଼େ ଦୌଡ଼ିଲା କିନ୍ତୁ ସେ ଛୋଟଉଥିଲା । ହମିଦ୍ ପୁଣିଥରେ ଘୋଡ଼ା ଦବାଇବାକୁ ଆଙ୍ଗୁଠି ରଖିଲା କିନ୍ତୁ ସେ ସୁଯୋଗ ଆସିଲାନି । ବାଘ ଜୋରରେ ଲମ୍ଫ ଦେଲା । ଭାଗ୍ୟ ଏଥର ହମିଦ୍ ପ୍ରତି ପ୍ରସନ୍ନଥିଲା । ବାଘର ସେ ଲକ୍ଷ୍ୟ ଦ୍ଵାରା ବାଘ ହମିଦ୍‍ର ପଛପଟେ ପଡ଼ିଲା । ହମିଦ୍‍ ସେ ଆଘାତରେ ପଡ଼ିଗଲା । କିନ୍ତୁ ବାଘ ମଧ୍ୟ ନିଜକୁ ସମ୍ଭାଳି ପାରିଲା ନାହିଁ । ସେ ସିଧା ଯାଇ ଆଗବୁଦାରେ ପଡ଼ିଲା । ସଙ୍ଗେ ସଙ୍ଗେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା । ଉପର ଆଡ଼େ ବଢ଼ିଥିବା ସେ ବୁଦା ହଠାତ୍ ସଜୀବ ହୋଇ ଉଠିଲା ଓ ବିଦୁତ୍ ଭଳି ନିମିଷକ ମଧ୍ୟରେ ତଳ ଆଡ଼କୁ ଝୁଙ୍କି ପଡ଼ିଲା । ବାଘକୁ ସେ ବୁଦା ଚାରିଆଡ଼ୁ ବାନ୍ଧିଦେଇ ବନ୍ଦ କରିନେଲା । ପରକ୍ଷଣରେ ବାଘର ସେ ହୃଦୟ ବିଦାରକ ଚିତ୍କାର ଶୁଣାଗଲା ଏବଂ ଜମଲ ବଖ୍‍ସ ଘାବରେଇ ଯାଇ ଆଖି ବନ୍ଦ କରିଦେଲେ ।

✽✽✽

 

ବାଘ କୁକୁର ଲଢ଼େଇ

 

ଯେତେବେଳେ ମୋତେ ଏଗାର ବର୍ଷ ହୋଇଥିଲା, ସେତେବେଳେ ପ୍ରଥମ ଥର ପାଇଁ ବାଘ ଶିକାର କରିବାକୁ ଜଙ୍ଗଲକୁ ଗଲି । ଦିନ କର ଘଟଣା ମୋ ବାପାଙ୍କର ଡାହାଣ ହାତ ଭଳି କାମ କରୁଥିବା ଚାକର ଘୋଡ଼ା ତଡ଼ି ତଡ଼ି ଆସି କହିଲା–ଆମର ସବୁଠାରୁ ଭଲ ଘୋଡ଼ାଟିକୁ ବାଘ ମାରି ଦେଇଛି । ଏ କଥା ଶୁଣି ହଠାତ୍ ମୋ ମନରେ କିପରି ଗୋଟିଏ ଭାବ ଜାଗ୍ରତ ହେଲା । ମୁଁ ବାପାଙ୍କୁ ଯାଇ କହିଲି–ମୋତେ ଗୋଟିଏ ବନ୍ଧୁକ ଦିଅନ୍ତୁ, ମୁଁ ଶିକାର ଅନ୍ୱେଷଣରେ ଯିବି । କିନ୍ତୁ ବାପା ମୋତେ ଶିକାର ଅନ୍ୱେଷଣରେ ଯିବାକୁ ଦେଲେ ନାହିଁ । କହିଲେ–ପୁଅ ଶିକାର କରିବାକୁ ହେଲେ, ପ୍ରଥମେ ଶିକାରୀକୁ ଶିକାର ସମ୍ବନ୍ଧରେ ଉପଦେଶ ଶିଖିବାକୁ ହୁଏ । ତୋତେ ଶାନ୍ତ ହୃଦୟରେ ଚିନ୍ତା କରିବାକୁ ପଡ଼ିବ, ପୁଣି ସମସ୍ତ ପ୍ରସ୍ତୁତର ସହିତ କାମ କରିବା ଉଚିତ ।

 

ବାପା ଆମ୍ଭ ପିଲାମାନଙ୍କୁ ସବୁବେଳେ ବଢ଼ାଇ କହୁଥିଲେ ଯେ ବାଘ ଯଦି ନିକଟକୁ ଆସିଗଲା, ଆମ୍ଭେ ତା’ର ଆଖିରେ ଧୂଳି ପକାଇ ତାକୁ ସେହିପରି ଅବସ୍ଥାରେ ଅନ୍ଧ କରିଦେଇ ହେବ-। ଯଦି ବାଘ ଆକ୍ରମଣ କରେ ତା’ହେଲେ ତାକୁ ଅସ୍ତ୍ର ପ୍ରୟୋଗକରି ନିହତ କରିବାକୁ ହେବ-

 

ହଠାତ୍ ଦିନେ ବାଘ ଶିକାର କରିବା ପାଇଁ ବାହାରିଲୁ । ଆମ୍ଭେ ସାଙ୍ଗରେ ବନ୍ଧୁକ ନେବା ସଙ୍ଗେ ସଙ୍ଗେ ଗୋଟିଏ ଭାଲି ମଧ୍ୟ ନେଲୁ । ଗୋଟିଏ ପାହାଡ଼ ତଳିଆ ଝରଣାର କୂଳେ କୂଳେ ଚାଲି ଚାଲି ଯାଉ ଯାଉ ଆମ୍ଭେମାନେ ଗୋଟିଏ ବାଘର ପାଦଚିହ୍ନ ଧାଡ଼ି ଧାଡ଼ି ହୋଇ ପଡ଼ିଥିବାର ଦେଖିଲୁ-। ଆମ୍ଭେ ବାଘର ପାଦଚିହ୍ନକୁ ଅନୁସରଣ କରି କରି ଗୋଟିଏ ସାଧାରଣ ପଡ଼ିଆ ଉପରେ ପହଞ୍ଚିଲୁ-। ସେଇ ପଡ଼ିଆ ଉପରେ ଆମ୍ଭ ମୃତ ଘୋଡ଼ାଟିର କ୍ଷତ ବିକ୍ଷତ ଅଂଶଗୁଡ଼ିକ ପଡ଼ି ରହିଥିଲା-। କୁଆମାନେ ସେଇ ଶବ ଉପରେ କା କା ଶବଦ କରି ଉଡ଼ୁଥିଲେ । ବାଘଟି ଘୋଡ଼ାର ଶବକୁ ଅଧାଅଧି ଖାଇ ସାରିଥିଲା । କିନ୍ତୁ ତା’ର ସୁନ୍ଦର ମୁହଁ ଏବଂ ଆଗଗୋଡ଼ ସେହିପରି ଅକ୍ଷତ ଥିଲା-। ମୋତେ କାହିଁକି କିମିତି କିମିତି ଲାଗୁଥିଲା । ବାପା ମୋତେ କହିଲେ–ତୁମେ ବରଫରୁ ନିରୀକ୍ଷଣ କର, ବାଘ କେଉଁଠାରେ ଘୋଡ଼ା ଉପରକୁ ଝାମ୍ପ ମାରିଛି ।

 

ଆମ୍ଭେମାନେ ପରୀକ୍ଷା ନିରୀକ୍ଷା କରି ଜାଣିପାରିଲୁ ଯେ ଆମ୍ଭେମାନେ ଏଠାକୁ ଆସିବାର ଅଧଘଣ୍ଟା ପୂର୍ବରୁ ଚାଲିଯାଇଛି ବାଘ । ସେ ବିଶ୍ରାମ କରି ଖାଦ୍ୟ ହଜମ କରିବାକୁ ଝରଣା କୂଳକୁ ଯାଇଥିବ; କିମ୍ବା ଜଙ୍ଗଲର ଗଛ ଉହାଡ଼ରେ କେଉଁଠି ଲୁଚି ରହି ବିଶ୍ରାମ ନେଉଥିବ । ଯଦି ଆମ୍ଭମାନଙ୍କର ସୁରାକ ପାଏ ତା’ହେଲେ ଅନ୍ୟ କେଉଁଠିକି ପଳାଇବ । ଧୀରେ ଧୀରେ ଆଗକୁ ଆଗକୁ ଆଗେଇ ଚାଲିଲୁ । ସାଙ୍ଗରେ ବାପା ଏବଂ ଅନ୍ୟମାନେ । ମୁଁ ଦୁଇ ହାତରେ ଦୁଇଟା ଭାଲି ଧରିଥାଏ । ବାଘର ପାଦଚିହ୍ନ କେଉଁଠି ଏଣେ ପଡ଼ିଥାଏ ତ କେଉଁଠି ତେଣେ ପଡ଼ିଥାଏ । ଏହା ଦେଖି ବାପା କହିଲେ ବାଘ ଏଠାକୁ ଆଜିଠାରୁ ପ୍ରାୟ ତିନି ଚାରି ମାସ ପରେ ଆସିପାରେ । ହତାଶାରେ ସେଦିନ ଆମ୍ଭେ ଶିକାର କରି ନ ପାରି ବିଫଳମନୋରଥ ହୋଇ ଫେରିଆସିଲୁ ।

 

ଶିକାର ନ କରି ନିରାଶାରେ ଫେରି ଆସିଥିବାରୁ ରାତିରେ ଆଉ ନିଦ ହେଲା ନାହିଁ । ସେଇ କଥା ଭାବି ଭାବି ରାତି ଅଧ ହୋଇଗଲା । ଆଖି ମାଡ଼ି ମାଡ଼ି ହୋଇପଡ଼ିବାରୁ ଶୋଇପଡ଼ିଲି-। ପାହାନ୍ତା ପହରକୁ ସ୍ୱପ୍ନରେ ଦେଖିଲି ମୁଁ ବାଘକୁ ଭାଲିଦ୍ୱାରା ମାରିଦେଇଛି । ଶିକାରୀର ଭାବନା ମୋଠାରେ ଜାଗ୍ରତ ହୋଇଥିଲା ଏବଂ ମୁଁ ବାଘକୁ ନିଜର ସ୍ୱାଭାବିକ ଶତ୍ରୁ ଭାବି ନେଇଥିଲି-। ମୁଁ ପ୍ରାୟ ୧୫ ବର୍ଷ ବୟସରୁ ବାଘଶିକାର କରିବା ଉପାୟ ଶିଖିଥିଲି ।

 

ଦିନକର ଘଟଣା ପଡ଼ିଆରେ ଠେକୁଆ ଶିକାର କରି ମୋର ଭାଇ ଏବଂ ମୁଁ ଫେରୁଥିଲୁ, ସେତିକିବେଳେ ବାଘର ପରିଷ୍କାର ପାଦଚିହ୍ନ ତଳେ ପଡ଼ିଥିବାର ଦେଖିବାକୁ ପାଇଲୁ । ସନ୍ଧ୍ୟା ହୋଇ ଆସୁଥିଲା । ଆମ୍ଭ ପାଖରେ ମାତ୍ର ଗୋଟିଏ ଛୋଟ ଗୁଳିପୂର୍ଣ୍ଣ ବନ୍ଧୁକ ଥିଲା । ବାଘକୁ ମାରିବା ପାଇଁ କୌଣସି ବାଗ ନ ପାଇ ଘରକୁ ଫେରିଆସିଲୁ ।

 

ସେହିଦିନ ରାତିରେ ଆମ୍ଭେମାନେ ଘରେ ବସି ଯୋଜନା ପ୍ରସ୍ତୁତ କଲୁ । ମୋଠାରୁ ମୋ ବଡ଼ ଭାଇ ତିନିବର୍ଷ ବଡ଼ । କଥା ହେଲା ସେ ସବୁଠାରୁ କୌଶଳପୂର୍ଣ୍ଣ ଅସ୍ତ୍ର ସାଙ୍ଗରେ ନେବେ । ଅନ୍ୟଜଣେ ହାତରେ ଦୁଇଟି ଭାଲି ଧରିବ ଏବଂ ମୁଁ ମୋ ପାଖରେ ଗୋଟିଏ ବନ୍ଧୁକ ରଖିବ । ସେହି ବନ୍ଧୁକଟି ନାମଜାଦା ବନ୍ଧୁକ ଥିଲା ଯାହା ପାଇଁ କି ମୁଁ ଅତି ଗର୍ବ ଅନୁଭବ କରୁଥିଲି । ଆଜିକାଲି ଅନ୍ୟ ଜଣେ ଶିକାରୀ ପକ୍ଷେ ସେ ବନ୍ଧୁକ ଧରି ଶିକାର କରିବା ଅସମ୍ଭବ ହେବ । ଗୁଳି ଧାରଣ ସ୍ଥାନଟି ଭାଙ୍ଗିଯାଇଥିଲା । ସେଥିପାଇଁ ତାକୁ ତାରରେ ବନ୍ଧାଯାଇଥିଲା । ତେଣୁ ତାକୁ ମୁଁ ଅତି ଯତ୍ନ ସହକାରେ ରଖିଥିଲି । ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆମେ ଘୋଡ଼ା ଉପରେ ବସି ଯିବାକୁ ସ୍ଥିର ହେଲା । ଘରୁ ବାହାରିବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କଲୁ ଯେପରି ବରଫ ପଡ଼ି ବାଘର ପାଦ ଚିହ୍ନ ଛପି ନଯାଏ ।

 

ତା’ପରେ ଦିନ ଆମ୍ଭେ ବାହାରି ପଡ଼ିଲୁ ଶିକାର କରିବାକୁ । ବରଫ ପଡ଼ି ନ ଥିଲା । ଶିକାରକୁ ଯିବା ପାଇଁ ବୋଉ ବାରଣ କରିବା ଦୂରେ ଥାଉ କିଛି ମଧ୍ୟ କହିଲେ ନାହିଁ । ପାଗ ଆମ ପାଇଁ ଖୁବ୍ ଅନୁକୂଳ ଥିଲା । ଘରୁ ହାତ ହତିଆର ସହିତ ବାହାରି ପଡ଼ିଲୁ । ପ୍ରଥମ ପାହାଡ଼ ପାରି ହେଉ ନ ହେଉଣୁ ସୂର୍ଯ୍ୟ ଉଦୟ ହୋଇ ସାରିଥିଲେ । ପାହାଡ଼ର ଘାଟିଟି ଛୋଟ ଛୋଟ ଗଛମାନଙ୍କ ଦ୍ଵାରା ଘୋଡ଼େଇ ହୋଇ ପଡ଼ିଥିଲା ଏବଂ ସେଗୁଡ଼ିକର ଘଞ୍ଚ କୋମଳ ପତ୍ରଗୁଡ଼ିକ ମଧ୍ୟ ବୃକ୍ଷର ପତଳା ଡାଳରେ ଲାଗି ରହିଥିଲା । ଏହି ସ୍ଥାନଗୁଡ଼ିକ ଧୂସର ରଙ୍ଗର ବାଘ ରହିବା ପାଇଁ ନିରାପଦ ସ୍ଥାନ ।

 

ନଦୀକୂଳରେ ବାଘ ଚିହ୍ନ ଦେଖିବାକୁ ପାଇଲୁ । ପାହାଡ଼ର ସୁଦୀର୍ଘ ଅଙ୍କା ବଙ୍କା ରାସ୍ତାରେ ଯାଉ ଯାଉ ପରିଷ୍କାରଭାବେ ବାଘର ପାଦ ଚିହ୍ନମାନ ସବୁ ଦେଖାଗଲା; ଏବଂ ଅଳ୍ପ କିଛିକ୍ଷଣ ପରେ ସେଇ ରାସ୍ତାରେ ବୁଲୁ ବୁଲୁ ବାଘର ଚିହ୍ନ ଦୃଷ୍ଟିଗୋଚର ହେଲା । ପୁଣି ମୁଁ ପାହାଡ଼ ପାଦଦେଶରେ ଘୋଡ଼ା ଦଉଡ଼ାଇ ଯାଉ ଯାଉ ବାଘଟି ଅଦୃଶ୍ୟ ହୋଇଗଲା ଆଖି ଆଗରୁ । ପୁଣି ହଠାତ୍‌ ବାଘ ଗୋଟିଏ ଉଚ୍ଚ ସ୍ଥାନରେ ଗଛ ଗହଳିରେ ଛିଡ଼ା ହୋଇଥିବାର ଦୃଷ୍ଟିଗୋଚର ହେଲା । ମୁଁ ମୁହଁ ଖୋଲି ଏବଂ ନିଜର ସାଥିମାନଙ୍କୁ ଡାକିବା ପୂର୍ବରୁ ସେ କୁଦାମାରି ଗଛର ଅନ୍ୟପାଖକୁ ଡେଇଁ ପଡ଼ିଲା ଏବଂ ଘଞ୍ଚ ଘାସ ବଣ ମଧ୍ୟରେ ଲୁଚିଗଲା । ମୁଁ ଘୋଡ଼ା ଛୁଟାଇ ତତ୍‌‌କ୍ଷଣାତ୍‌ ତା’ର ପିଛା ଧରିଲି । ସାଥି ସାଥି ପାଟିକରି ନିଜର ସାଥିମାନଙ୍କୁ ମଧ୍ୟ ସୂଚନା ଦେଇଗଲି । ଅନ୍ୟ ସାଙ୍ଗ ଜଣକ ମଧ୍ୟ ନିଜର ଘୋଡ଼ା ଶିକୁଳିକୁ ହଲାଇ ହଲାଇ ମୋ ନିକଟରେ ଆସି ପହଞ୍ଚିଲା ଏବଂ ଚିତ୍କାରକରି କହିଲା–ତୁମେ ତାକୁ ଦେଖିଥିଲ କି ? ଏଇଆଡ଼ୁ ଆସି ସେ ବାଁ ପଟକୁ ଲୁଚିଗଲା । ସେ ତା’ର ଘୋଡ଼ା ଦଉଡ଼ାଉଥାଏ । ସିଧା ଢାଲୁ ରାସ୍ତା ଉପରେ ତା’ ପଛରେ ମୁଁ ଘୋଡ଼ା ଦୌଡ଼ାଉଥିଲି । ଘାଟିରେ ପହଞ୍ଚିବା ପୂର୍ବରୁ ବାଘ ପୁଣିଥରେ ଆମ୍ଭମାନଙ୍କୁ ଦେଖାଦେଲା । ସେ ପାହାଡ଼ ଆଡ଼କୁ ଲେଉଟି ପଡ଼ିଥିଲା ଏବଂ ଆମ୍ଭଠାରୁ ଦୁଇଶହ ଗଜ ଦୂରରେ କୌଣସି ଏକ ବର ଗଛର ଛାଇରେ ଛିଡ଼ା ହୋଇଥିଲା । ସେ ଆମକୁ ବୁଲିକରି ଚାହିଁଲା ଏବଂ ଗୋଟେ ଗଛ ଦେହରେ ନିଜର ଲାଞ୍ଜ ଏପରି ଜୋରରେ ପିଟିଲା, ଶୁଖିଲା ପତ୍ରଗୁଡ଼ିକ ତା’ ଉପରେ ଝରଝର ହୋଇ ଝଡ଼ି ପଡ଼ିଲା । ମୁଁ ଗୁଳି କରିବା ପାଇଁ ଚାହୁଁଥିଲି । ଯଦି ମୋ ପାଖରେ ଆଧୁନିକ ବନ୍ଧୁକ ଥା’ନ୍ତା ତ ମୁଁ ତାକୁ ମାରିଦେଇଥାନ୍ତି । କିନ୍ତୁ ମୋର ସାଙ୍ଗ ମୋତେ ମନା କଲା, ଏବଂ ସଙ୍କେତ ଦେଲା ଆମ୍ଭେ ବାଘର ପାଖାପାଖି ହୋଇଯିବା ଉଚିତ ।

 

ଠିକ୍ ଯେତେବେଳେ ଆମେ ଘୁଞ୍ଚିଲୁ ବାଘ ହଠାତ୍‌ ଶବ୍ଦ କରି ଆମ୍ଭଠାରୁ ଦୂରେଇଗଲା । ବାଘକୁ ଅନୁସରଣ କରି ମୋର ସାଙ୍ଗ ଜଣଙ୍କ ବାଘର ପଛେ ପଛେ ଆଗେଇଗଲା । ମୁଁ ଏବଂ ଭାଇ ଆମ୍ଭେ ଦି’ଜଣ ତା’ଠାରୁ ଅଧ ମାଇଲ ଦୂର ଜଙ୍ଗଲରେ ଛିଡ଼ା ହୋଇ ରହିଲୁ । ପରକ୍ଷଣରେ ମୁଁ ଘୋଡ଼ା ଉପରୁ ଉତୁରି ପଡ଼ି ନିଜର ବନ୍ଧୁକ ତଳେ ଥୋଇ ପିଠିରୁ ବରଫ ଝାଡ଼ିଲି । ମୋତେ ଥଣ୍ଡା ଲାଗିଲା ଭଳି ଜଣାପଡ଼ୁଥିଲା । ସେତିକିବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଖଟ୍ ଖଟ୍ ଶବ୍ଦ ଶୁଣାଗଲା । ମୁଁ ବିଶ୍ୱାସ କଲି ବାଘ ନିଶ୍ଚିତ ଆମରି ଆଡ଼କୁ ଆଗେଇଛି । ମୁଁ ସେଇଆଡ଼କୁ ଦୃଷ୍ଟି ନିକ୍ଷେପ କଲି ଯେଉଁଠାରେ କି ମୋତେ ଦେଖାଗଲା ଭଳି ଜଣାଯିବ ଏବଂ ଧୀରେ ଧୀରେ ବନ୍ଧୁକ ତଳୁ ଉଠାଇ କାନ୍ଧ ଉପରେ ଥୋଇଲି । ମୁଁ ଭାବିଲି ବାଘ ସଂପୂର୍ଣ୍ଣ ଅସାବଧାନତାରେ ରହିଛି, କାରଣ ଆମ୍ଭମାନଙ୍କ ଉପସ୍ଥିତିରେ ସେ ଏପରି ଖଡ଼୍ ଖଡ଼୍ ଆବାଜ କରୁଛି । ଏହି ପ୍ରକାର ଚିନ୍ତାଧାରା ମୋ ମାନସ ପଟରେ ସୃଷ୍ଟି ହେଲା ଯେ ମୁଁ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲି । ଗୋଟେ ଘୋଡ଼ା ମୋ ଆଡ଼କୁ ଦୌଡ଼ି ଆସୁଥିଲା ଏବଂ ଯାହାର କ୍ଷତ ପେଟରୁ ଅନ୍ତବୁଜୁଳା ଝୁଲି ରହିଥିଲା । ସାଙ୍ଗ କୁଆଡ଼େ ଗଲା ? ମୁଁ ଘୋଡ଼ା ଉପରେ ଚଢ଼ି ଶିକାର କରି ଜାଣିବାର ଦଶ ବର୍ଷ ପୂର୍ବରୁ ମୋର ସାଙ୍ଗ ଘୋଡ଼ା ଉପରେ ଚଢ଼ି ଶିକାର କରିବା ଜାଣିଥିଲା ।

 

ମୁଁ ଥକିଯାଇ ଘୋଡ଼ାର ଲଗାମ ଧରିଲି ଏବଂ ଜାଣିପାରିଲି ଯେ ଯାହାକୁ ମୁଁ ଅନ୍ତବୁଜୁଳା ବୋଲି ଭାବୁଥିଲି, ତା’ନୁହେଁ, ସେ ହେଉଛି ଘୋଡ଼ାର ଜିନ । ହଠାତ୍ ମୁଁ ମୋର ଘୋଡ଼ା ଉପରେ ବସି ସେଇ ଆଡ଼କୁ ଛୁଟିଲି । ଯେଉଁ ଆଡ଼ୁ ସେ ଘୋଡ଼ା ଅସିଥିଲା । ମୁଁ ବଡ଼ପାଟି କରି ମୋ ସାଙ୍ଗକୁ ଡାକ ପକାଇଲି । ମୋର ଡାକ ଶୁଣି ଭାଇ ଆସି ମୋ ପାଖରେ ପହଞ୍ଚିଲେ । ମୁଁ ଅନ୍ୟ ଘୋଡ଼ାଟିକୁ ଇସାରା ଦେଲି ମୋ ପଛେ ପଛେ ଆସିବାକୁ ତା’ପରେ ହଠାତ୍ ମୋର ନଜର ମୋ ସାଙ୍ଗ ଉପରେ ପଡ଼ିଲା । ସେ ଗୋଟିଏ ଗଛର ଗଣ୍ଡି ସାହାଯ୍ୟରେ ଅଧା ଲୁଚା ହୋଇ ରହିଥିଲା ଏବଂ ତା’ର ହାବ ଭାବ କାହିଁକି କିମିତି ଜଣାପଡ଼ୁଥିଲା । କିଛି ସମୟ ଆମେ ଭୟଭୀତ ଅବସ୍ଥାରେ ଛିଡ଼ା ହେଲୁ । ପୁଣି ନଇଁପଡ଼ି ତାକୁ ତଳୁ ଉଠାଇଲୁ । ପଡ଼ିଆରେ ବାଘର ମେଞ୍ଚାଏ ବାଳ ପଡ଼ିଥିଲା ।

 

ଧୀରେ ଧୀରେ ସାମାନ୍ୟ ଚେତା ଫେରିବା ପରେ, ସାଙ୍ଗ ଜଣକ କହିଲା ବାଘ ଏହିଠାରେ ମୋ ସମ୍ମୁଖରେ ଛିଡ଼ା ହୋଇଥିଲା । ମୁଁ ତାକୁ ପଛ କରି ଘୋଡ଼ା ଦଉଡ଼ାଇ ଚାଲିଯାଉଥିଲି । ତଥାପି ମୋଠାରୁ କୋଡ଼ିଏ ଗଜ ଦୂରରେ ହଠାତ୍ ବାଘ ଗର୍ଜନ ଶୁଣିଲି । ବାଘ ମଢ଼କୁ ଧରି କୁଦା ମାରି ପଳାଇଲା । ଘୋଡ଼ା ଏତେ ଜୋରରେ ଦଉଡ଼ିଲା ଯେ ଘୋଡ଼ା ଖୁରାରେ ଥିବା ଲୁହା ଖଣ୍ଡ ତା’ର ମୁଣ୍ଡକୁ ଜୋରରେ ଆଘାତ କଲା । ବାଘଟି ଜୋରରେ ଇତସ୍ତତଃ ହୋଇ ପଡ଼ିଗଲା । ମୁଁ ବାଘଉପରେ ଖସି ପଡ଼ିଲି । ତା’ ମୁହଁରେ ଭୟର ସଙ୍କେତ ସ୍ପଷ୍ଟ ଭାବରେ ଜଣା ପଡ଼ୁଥାଏ । ସେ କହୁଥାଏ, ଯଦି ମୁଁ ବାଘର ପିଠିଉପରେ ତଳକୁ ଝୁଲୁଥିଲି ଏବଂ ବାଘର ବାଳ ମୋର ହାତରେ ବାଜିଲା । କୌଣସିମତେ ମୁଁ କୌଶଳ କରି ଏହି ଗଛ ପାଖରେ ଆସି ପହଞ୍ଚିଲି । ମୁଁ ଏଠାରେ ରହିଗଲି, ବାଘ ମୋ ପାଖରୁ ଦୂରେଇ ଯାଇ କଣ୍ଟା ବୁଦା ଭିତରେ ପଶିଗଲା ।

 

ସେଠାରେ ଆମ୍ଭେ ତିନିଜଣଯାକ ଉପସ୍ଥିତ ହୋଇ ବିଚାର କଲୁ କ’ଣ କରିବା ? ବାଘ ସହିତ ଅନ୍ୟ ଦିଗରୁ ଲଢ଼େଇ କରିବା କି ଘରକୁ ଯିବା କି କାଲି ଅନୁସନ୍ଧାନ କରିବା ? ସାଙ୍ଗଜଣକର ମନ ଅତି କ୍ରାନ୍ତ ହୋଇପଡ଼ିଥିଲା । ଘୋଡ଼ାଟିର କ୍ଷତ ସ୍ଥାନକୁ ଚିକିତ୍ସା କରିବା ଏକାନ୍ତ ଆବଶ୍ୟକ ଥିଲା । ଆମ ସହିତ କୁକୁର ମଧ୍ୟ ନ ଥିଲେ । ଆମ୍ଭେ ଚିନ୍ତା କଲୁ ଏପରି ଭୁଲ ଆଉ ଦିନେହେଲେ କରିବା ନାହିଁ, ବର୍ତ୍ତମାନ ଘରକୁ ଚାଲିଯିବା, କାଲି ଶିକାରକୁ ଆସିବା ।

 

ତା’ପରେ ଗୁଡ଼ିଏ କୁକୁର ସାଙ୍ଗରେ ନେଇ ଆସିଲୁ । ଯେଉଁ ସ୍ଥାନରେ ଘୋଡ଼ାକୁ ବାଘ ଆକ୍ରମଣ କରିଥିଲା ସେ ସ୍ଥାନ ଇତ୍ୟାଦି ବୁଲି ବାଘର ଆଗମନକୁ ନିରୀକ୍ଷଣ କଲୁ । ମଝିରେ କେତେ ମାଇଲ ବରଫ ସ୍ଥାନ ତ କେଉଁଠି ଜଙ୍ଗଲ ଥିଲା । ଏଥିପାଇଁ ଆମେ ଟିକିଏ ଅଲଗା ଅଲଗା ହୋଇ ସାବଧାନତାର ସହିତ ଘୋଡ଼ା ଛୁଟାଇଲୁ । ବହୁ ସମୟ ପର୍ଯ୍ୟନ୍ତ ଘୋଡ଼ା ଦୌଡ଼ାଇଲୁ । ପୁଣି ଜଙ୍ଗଲ ପାଖରେ ପହଞ୍ଚିଲୁ । ପୁଣି ଛପି ଆଗକୁ ଦୌଡ଼ି ଆସିଲୁ । ଆମର ବିଶ୍ୱାସ ହେଲା, ବାଘ ଏଠାରେ କେଉଁଠି ଥାଇପାରେ । କୁକୁରମାନଙ୍କୁ ଏ ପ୍ରକାର ଗନ୍ଧ ମିଳୁ ନ ଥିଲା; ଏବଂ ପାଦଚିହ୍ନ ମଧ୍ୟ ଆମ ନଜରରେ ପଡ଼ିଲା ନାହିଁ । ପୁଣି ହଠାତ୍ ଲୋମକମ୍ପନକାରୀ ଭୀଷଣ ଗର୍ଜନ ଦ୍ଵାରା ଘନଜଙ୍ଗଲ ଥରିଉଠିଲା । ଘୋଡ଼ା ଭୟରେ ନିସ୍ତବ୍‌‌‍ଧ ହୋଇ ଛିଡ଼ା ହୋଇଗଲା । ମୁଁ ବନ୍ଧୁକ ଠିକ୍ କରିନେବା ପୂର୍ବରୁ ବାଘ ଘୋଡ଼ାକୁ ଆକ୍ରମଣ କରି ଡାହାଣ ବାହୁକୁ ଧରି ତଳେ ପକାଇ ସାରିଲାଣି । ଭାଇ ଆଗକୁ ଟିକିଏ ଆଗେଇ ଯାଇ ଗୁଳି ଚଳାଇଲେ; କିନ୍ତୁ ଗୁଳି ରହିଗଲା, ଫୁଟିଲା ନାହିଁ । ଦେଖିଲୁ ଆମ ଆଗରେ ଗୋଟିଏ ବରଫ ଖଣ୍ଡରେ ଗୁଳି ଓହଳି ରହିଗଲା, ଯେଉଁଠାରେ କି ବାଘ ଏବଂ ଘୋଡ଼ା ଏକାକାର ଦେଖାଯାଉଥିଲା ।

 

ବାଘଠାରୁ ଘୋଡ଼ା ଅଲଗା ହେବା ପର୍ଯ୍ୟନ୍ତ ମୋତେ ଖୋଜଖବର ନେବାକୁ ପଡ଼ିଲା । ଘୋଡ଼ାକୁ ଘୋଷାରି ଗୋଟିଏ ନାଳ ଆଡ଼େ ଗଲା । ମୁଁ ବାଘର ବେକତଳକୁ ଲକ୍ଷ୍ୟ କରି ବନ୍ଧୁକ ଚଳାଇଲି । ସେ ଅତର୍କିତଭାବେ ନାଳର ଉଚ୍ଚ ସ୍ଥାନରୁ ନାଳରେ ପଡ଼ିଗଲା ।

 

ମୁଁ ଏବଂ ଭାଇ ଦୁହେଁ ଯାଇ ଘୋଡ଼ାପାଖରେ ପହଞ୍ଚିଲୁ । କିନ୍ତୁ ମୋର ସାଙ୍ଗ ଜଣକ କ୍ଷତବିକ୍ଷତ ହୋଇଯାଇଥିଲା । ଆପାଦ ମସ୍ତକ ରକ୍ତରେ ଭିଜିଯାଇଥିଲା । ତା’ ମୁଣ୍ଡ ଉପରେ ଗଭୀର ଆଘାତ ଲାଗିଥିଲା, ଏବଂ ତାହାର ଖପୁରୀ ବହୁତ ଖାଲ ହୋଇଯାଇଥିଲା । ଆମେ ଆମର ରୁମାଲ ଦ୍ଵାରା ତା’ର ସେହି କ୍ଷତସ୍ଥାନକୁ ଲେପ ଦେଇ ବାନ୍ଧି ଘୋଡ଼ା ଉପରେ ବସାଇ ତାକୁ ଧୀରେ ଧୀରେ ଘରକୁ ନେଇ ଆସିଲୁ ।

 

ସେଇ ଫେରନ୍ତା ଯାତ୍ରାଟି ବଡ଼ ଭୟଙ୍କର ଥିଲା । ମୋର ସମ୍ପୂର୍ଣ୍ଣ ବିଶ୍ଵାସ ହେଲା ହେ ମୋ ସାଙ୍ଗଜଣକ ମରିଯିବ । କିନ୍ତୁ ସୌଭାଗ୍ୟ କ୍ରମେ ସେ ବଞ୍ଚିଗଲା । ଶିକାର କରିବାକୁ ଯାଇ ଯେତେ ସବୁ ଭୁଲ୍ ଭଟକା କରିଥିଲୁ, ବାପା ସବୁ ଗୋଟି ଗୋଟି କରି ବୁଝାଇଲେ । ଆମ୍ଭେ ଆମ୍ଭର ପ୍ରଥମ ଶିକାର କଥା ବୁଝାଇ କହିଗଲୁ । ବାଘ ପୂରା ୧୧ ଫୁଟ ୮ ଇଞ୍ଚ ଉଚ୍ଚଥିଲା, ସେଥିରୁ ସୁତାଏ ହେଲେ କମ୍ ନୁହେଁ । ଯେତେବଳେ ମୋର ସନ୍ତାନମାନେ ସମର୍ଥ ହେଲେ, ମୁଁ ସେମାନଙ୍କୁ ଶିକାର ବିଷୟରେ ସେହି ସବୁ ଉପଦେଶମାନ ଦେଲି । ମୋର ସବୁ ପୁଅମାନେ ଅତି ଶିକାର ପ୍ରିୟ ହେଲେ-। ମୋର ଝିଅ ମଧ୍ୟ ଶିକାର କରିଯିବାପାଇଁ ବେଳେବେଳେ ଅଳି କରେ । କିନ୍ତୁ ମୁଁ ତାକୁ ଏଣୁ ତେଣୁ କଥା କହି ମନାକରେ । ଯେତେବେଳେ ମୋର ବଡ଼ ପୁଅ ୧୬ ବର୍ଷର ଏବଂ ସାନପୁଅ ୧୩ ବର୍ଷର ହୋଇଥିଲେ ସେହି ସମୟର ଗୋଟିଏ କଥା ମୋର ମନେପଡ଼େ । ଆମ୍ଭେମାନେ ଶୁଣିଥିଲୁ ଯେ ଗୋଟିଏ ଚିତାବାଘ ଗୁହାଳମାନଙ୍କରୁ ବଳଦ ନେଇଯାଉଛି । ତାକୁ ମାରିବା ପାଇଁ ସିନ୍ଧାନ୍ତ କଲୁ ଏବଂ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଲୁ । ବସି ବସି ଅଣ୍ଟା ପିଠି ଲାଖିଗଲା । ଭାବିଲୁ ସେ ଚିତାବାଘ ଆମ ଅଞ୍ଚଳରେ ଆଉ ନାହିଁ, ଅନ୍ୟ ଅଞ୍ଚଳକୁ ପଳାଇଲାଣି । ଆମେ ଅଯଥା ଏଠାରେ ଅପେକ୍ଷା କରି ବସିଛୁ ।

 

ପୁଣି ବହୁତ ଦୂରରୁ ଆମ୍ଭମାନଙ୍କୁ କୁକୁରମାନଙ୍କ ଭୁକିବା ସ୍ୱର ସାମାନ୍ୟ ଶୁଣାଗଲା । କୁକୁରମାନଙ୍କର ଭୁକିବା ମଧ୍ୟ କେବେ ସଂଗୀତ ସ୍ୱରଭଳି ମଧୁର ଶୁଣାଯାଉଥିଲା । ଏକଥା ମୁଁ ସେହିଦିନ ଅନୁଭବ କଲି । ମୁଁ ଅନ୍ୟ ଶିକାରୀମାନଙ୍କର ଶବ୍ଦ ମଧ୍ୟ ଶୁଣିଲି ଯେଉଁମାନେ ବର୍ତ୍ତମାନ ଆମ୍ଭମାନଙ୍କର ନିକଟବର୍ତ୍ତୀ ହୋଇଯାଉଥିଲେ । ପୁଣି ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣାଗଲା । କିନ୍ତୁ ଚିତାବାଘ ସେଠାରେ କେଉଁଠି ଥିଲା ? କୁକୁରମାନଙ୍କର ସଂଗୀତସ୍ୱର ଆହୁରି ଅଧିକ ହୋଇଗଲା । ଭାବିଲି ଆମର ଅନ୍ୟ ଶିକାରୀ ଜଣକ ଠିକ୍ ସମୟରେ ଗୁଳି କରିବ । କିନ୍ତୁ କାହିଁକି ଗୁଳି ବିନିମୟ କଲା ନାହିଁ ? କୁକୁରଗୁଡ଼ିକ ତା’ ପାଖରେ ପହଞ୍ଚିଗଲେ, ପୁଣି ସେ କାହିଁକି ଗୁଳିମାରିଲେ ନାହିଁ ? ବର୍ତ୍ତମାନ କୁକୁରଗୁଡ଼ିକ ମୋର ଦୃଷ୍ଟି ଗୋଚର ହେଲେ । ଏବେ ସେମାନେ ବୁଲିକରି ଅନ୍ୟ ଆଡ଼କୁ ଚାଲିଯାଇଥିଲେ, ଯେଉଁଆଡ଼େ କି ମୋର ସାନପୁଅ ଛପି ରହିଥିଲା ।

 

ମୁଁ ମୋ ସ୍ଥାନ ଛାଡ଼ି ତା’ ଆଡ଼କୁ ଆଗେଇଗଲି ଏବଂ ତା’ କାନରେ ଫୁସ୍ ଫୁସ୍ କରି ତାକୁ ନିର୍ଦ୍ଦେଶ ଦେଲି ଯେ ତୁମ୍ଭମାନେ ମୋ ଜାଗାକୁ ଯାଇ ବସ । ସେ ମୋ ନିର୍ଦ୍ଦେଶ ପାଳନ କଲା, କିନ୍ତୁ ଅନିଚ୍ଛାରେ ।

 

କୁକୁରଗୁଡ଼ିକ ଗୋଟିଏ ପାହାଡ଼ିଆ ନାଳ ପାଖରେ ଏକ ଉଚ୍ଚ ସ୍ଥାନରେ ଯାଇ ପହଞ୍ଚି ଯାଇଥିଲା । ମୁଁ ଜାଣିଥିଲି, ଚିତାବାଘ ଏଇଠି କେଉଁଠି ଅଛି । ତା’ର ଉଚ୍ଚସ୍ଥାନ ଆଡ଼କୁ ଆଗେଇଲି । ପାଦତଳେ ପଡ଼ିଥିବା ଶୁଖିଲା ପତ୍ର ଓ ଘଞ୍ଚ ଡାଳପତ୍ରଗୁଡ଼ିକ ଖସ୍ ଖସ୍ ହୋଇ ବାଜୁଥିଲା ଏବଂ ମୁଁ ମନେ ମନେ ସେଗୁଡ଼ିକୁ ଗାଳି ଦେଉଥିଲି । କିନ୍ତୁ କୁକୁରଗୁଡ଼ିକ ଭୁକି ଭୁକି ଆକାଶ ଫଟାଇ ଦେଉଥିଲେ, ଯାହାଦ୍ଵାରା କି ସେହି ସାଧାରଣ ଶବ୍ଦଗୁଡ଼ିକ ଦବି ଯାଉଥିଲା । ବହୁ ଚେଷ୍ଟାକରି ମୁଁ ଉଚ୍ଚ ସ୍ଥାନରେ ପହଞ୍ଚିଲି ଏବଂ ନଇଁଯାଇ ବେକ ଆଗକୁ ବଢ଼ାଇଲି ଆଗକୁ ଆଗେଇବା ପାଇଁ । ତଥାପି ମଧ୍ୟ ମୋର ପାଦତଳେ ଭୂମି ଥରିଲାଭଳି ଲାଗିଲା । ମୁଁ ଉଚ୍ଚ ସ୍ଥାନରୁ ପଛକୁ ଦୁରେଇଗଲି ଏବଂ ତାଟ ପରି କୌଣସି ଜିନିଷ ଓହଳିଲାଭଳି ଦେଖିଲି । ହଠାତ୍ ବାଘ ଡିଆଁ ମାରି ପାହାଡ଼ର ନାଳକୁ ଡେଇଁ ଆରପଟକୁ ପଳାଇଲା । ସେଇଟି ଥିଲା ଚିତାବାଘ । ବିଳମ୍ବରେ ତାହା ଗୋଟିଏ ବଡ଼ ଗଛ ଡାଳରେ ଯାଇ ବସିଲା । ଯେତେବେଳେ କି ମୁଁ ତା’ର ଠିକ୍ ତଳେ ବସି ନାଳକୁ ନଇଁ ଚାହିଁ ରହିଥିଲି । ମୋତେ ଉପରକୁ ଆଖି ଉଠାଇ ଦୃଷ୍ଟି ନିକ୍ଷେପ କରିବାର ସୁବିଧା ମିଳିଲା ନାହିଁ ।

 

ସୌଭାଗ୍ୟବଶତଃ କୁକୁରଗୁଡ଼ିକଙ୍କର ଭୁକିବା ଶବ୍ଦ ତାକୁ ଅସ୍ଥିରତାରେ ପକାଇ ଦେଇଥିଲା, ଏବଂ ସେ ମୋତେ ଆକ୍ରମଣ କରିବାର ଚିନ୍ତା କରିବାକୁ ସୁଯୋଗ ପାଇଲା ନାହିଁ । ପୁନଶ୍ଚ ସେଠାରୁ ପଳାଇବାକୁ ଚେଷ୍ଟାକଲା । ହଠାତ୍ ମୁଁ ବନ୍ଧୁକ ଠିକ୍ କଲି, କିନ୍ତୁ ହଠାତ୍ କୁକୁରମାନେ ଆସି ବାଘକୁ ଘେରିଗଲେ ଏବଂ ଚିତାକୁ ଗୁଳିମାରିବାର ସୁଯୋଗ ମୋ ହାତରୁ ଖସିଗଲା । ମୁଁ କୁଦାମାରି ନାଳକୁ ଡେଇଁ ପଡ଼ିଲି ଏବଂ ପଡ଼ି ଉଠି ଆର ପାଖରେ ପହଞ୍ଚି ଚିତାବାଘ ପଛରେ ଦୌଡ଼ିଲି । ଇତିମଧ୍ୟରେ ମୋର କୁକୁର ମୋ ପାଖକୁ ଆସିଯାଇଥିଲା । ଚିତାବାଘଟି ନଖ ମାରି ତା’ର ଗୋଟିଏ ଆଖିର ଡୋଳା ବାହାର କରି ଦେଇଥିଲା; ଏବଂ ତା’ର ମୁହଁଟି ରକ୍ତାକ୍ତ ଦେଖାଯାଉଥିଲା । ତା’ର ଠିକ୍ ପଛେ ପଛେ ଅନ୍ୟ କୁକୁରଟି ଆସି ପହଞ୍ଚିଲା । ତା’ର ମଧ୍ୟ ମୁହଁ ରକ୍ତାକ୍ତ ହୋଇଯାଇଥିଲା ।

 

ବର୍ତ୍ତମାନ ମୋତେ ଭୟଙ୍କର ଗର୍ଜନ ଏବଂ ହାତ ଆଙ୍ଗୁଠିଗୁଡ଼ିକର ଆଘାତ ଶବ୍ଦ ଶୁଣାଗଲା । ମୋଠାରୁ ପଚାଶ ଗଜ ଆଗରେ ଘଞ୍ଚ ଗଛ ଗହଳରେ ଲଢ଼େଇ ହେଉଥିଲା ଏବଂ ସେଠାକୁ ଯିବାପରେ ମୋତେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା । ତିନୋଟିଯାକ କୁକୁର ନିଜ ନିଜର ଦାନ୍ତରେ ଚିତାବାଘର ଗଳାକୁ କାମୁଡ଼ି ଧରି ସେଥିରେ ଓହଳିଥିଲେ ଏବଂ ଚିତାବାଘ ସେମାନଙ୍କ ସହିତ ଯୁଝିପାରୁ ନ ଥିଲେ । ମୋ କୁକୁରଟି ହାଲିଆ ହୋଇଯାଇଥିଲେ ମଧ୍ୟ ଲଢ଼ିବା ପାଇଁ ପଳାଇଲା । ସେମାନେ ଏପରି ଭାବେ ଚିତା ସହିତ ଲଢ଼େଇ କରି ମଜ୍ଜି ଯାଇଥିଲେ ଯେ ମୋର ନିର୍ଦ୍ଦେଶ ମାନିବାକୁ ପ୍ରସ୍ତୁତ ନ ଥିଲେ । ମୁଁ ବି ବାଘକୁ ଗୁଳି କରିପାରୁ ନଥିଲି, ନିଃସହାୟ ଭାବେ ମୁଁ ସେଠାରେ ଛିଡ଼ା ହୋଇଥିଲି । ଗଛ ମୂଳରେ ଉଚ୍ଚ ସ୍ଥାନରେ କୌଣସି ବ୍ୟକ୍ତିର ଜୋରସୋର ନିଃଶ୍ୱାସ ପ୍ରଶ୍ୱାସର ଶବ୍ଦ ଶୁଣିଲି । ସେଥିଲା ମୋର ସାନପୁଅ । ସେ ଗଛ ମୂଳରେ ଛିଡ଼ା ହୋଇ ଆନନ୍ଦ ମନରେ ଲଢ଼େଇ ଦେଖୁଥିଲା । ସେ କୁକୁର ଦୁଇଟିଙ୍କ ଲାଞ୍ଜକୁ ଧରି ଟାଣି ଆଣି ବାଘଠାରୁ ଅଲଗା କରିଦେଲା । ବର୍ତ୍ତମାନ ବାଘକୁ ମାରିବା ପାଇଁ ସବୁ ପ୍ରକାର ସୁବିଧା ହୋଇଗଲା । ସାନପୁଅ ଓ କୁକୁରମାନଙ୍କର ଜୀବନ ବଞ୍ଚାଇବା ପାଇଁ ମୁଁ ସୁଯୋଗର ଅପେକ୍ଷାରେ ଥିଲି । ମୋତେ ସୁଯୋଗ ମିଳିଗଲା ଚିତାର କାନର ଠିକ୍ ମୂଳକୁ ଲକ୍ଷ୍ୟକରି ଗୁଳି ଟିପିଦେଲି । ସେ ସାଙ୍ଗେ ସାଙ୍ଗେ ଟଳି ପଡ଼ିଲା । ସେକଥା ସତ ଯେ ମୁଁ ଶିକାରୀ ଭାବରେ ବେଶ୍ ପ୍ରସିଦ୍ଧ ହୋଇଗଲି-। କୁହୁଡ଼ିଆ ସକାଳୁ ସକାଳୁ ମୁଁ ଶିକାର କରିବା ପାଇଁ ଏକାକୀ ବାହାରିଲି । ପାହାଡ଼ର ଏକ ପାର୍ଶ୍ଵରେ ଚଢ଼ି ମୁଁ ଉପରକୁ ଆସିଥିଲି ଏବଂ ଭୋକ ଲାଗୁଥିଲା । ଜଳଖିଆ ଖାଇବାକୁ ବସିବା ପୂର୍ବରୁ ମୁଁ ଚାରିଆଡ଼େ ନଜର ପକାଇଲି । ମୋ ସମ୍ମୁଖରୁ ଚାରିଶହ ପୁଟ ଦୂରରେ ପାହାଡ଼ର ଢାଲୁଗୁଡ଼ିକ ଉଚ୍ଚ ଘାସରେ ସୁଶୋଭିତ ହୋଇଥିଲା । ମଝିରେ ମଝିରେ ଗୋଟିଏ ଗୋଟିଏ ବଡ଼ ଗଛ ଥିଲା ଏବଂ ତା’ପରେ ଗଭୀର ଖାତଗୁଡ଼ାଏ ଥିଲା ।

 

ମୁଁ କାନ୍ଧରେ ବନ୍ଧୁକ ଚଳାଉଛି । ଯଥାସମ୍ଭବ ନୀରବରେ ଶୁଖିଲା କାଠଗୁଡ଼ିକ ବାନ୍ଧି ତାରି ଦେହରେ ନିଆଁ ଲଗାଇବା ଆରମ୍ଭ କରିଛି କି ନାହିଁ ହଠାତ୍ ବେକ ଉଠାଇ ମୁଁ ଚାରିଆଡ଼କୁ ଲକ୍ଷ୍ୟ କଲି । ମୋଠାରୁ ତିନିଶହ ଫୁଟ ଦୂରରେ ମୋ ଆଡ଼କୁ ପଛକରି ଗୋଟିଏ ବିରାଟକାୟ ଚିତାବାଘ ଘାସ ଉପରେ ଛିଡ଼ା ହୋଇଥିଲା । ମୋତେ ଜଣାଗଲା ବୋଧହୁଏ ସେ ଛପି ଛପି ଧୂଆଁର ବାସନା ବାରୁଥିଲା । କିନ୍ତୁ ମୋର ହଲିବା ଦୋହଲିବାକୁ ଶୁଣି ଛିଡ଼ାହୋଇ ସେ ଧ୍ୟାନର ସହିତ ଶୁଣିବାକୁ ଲାଗିଲା । ମୁଁ ଝଟାପଟ କାନ୍ଧରୁ ବନ୍ଧୁକ ଓହ୍ଲାଇ ଗୁଳି ମାରିଲି । ମୋର ବନ୍ଧା ହୋଇଥିଲା କାଠଗୁଡ଼ିକ ଏଣେତେଣେ ହୋଇଗଲା । କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ତିନୋଟିଯାକ ଚିତାବାଘ ଏକାବେଳକେ ବେକକୁ ଟେକି ଏକ ସ୍ଥାନରେ ଛିଡ଼ା ହୋଇଗଲେ । ମୋତେ ପୁଣି ଗୁଳି ମାରିବାକୁ ସୁଯୋଗ ନ ଦେଇ ତିନୋଟିଯାକ ଛପିଗଲେ ।

 

ମୁଁ ପୁଣି ବନ୍ଧୁକ ସଜାଡ଼ି ସେଠାରେ ପହଞ୍ଚିଲି, ଯେଉଁଠାରେ ସେମାନେ ଦୃଶ୍ୟ ହୋଇଥିଲେ । ମୋର ଅନୁମାନ ଥିଲା ଯେ ସେମାନେ ଦୌଡ଼ିଯାଇ ଖାତରେ ଦେଖାଯିବେ । କିନ୍ତୁ ମୁଁ ଦେଖିଲି ଯେ ୬୦ ଫୁଟ ଦୂରରେ ଚିତାବାଘ ଛିଡ଼ାହୋଇ ମୋତେ ପଛୁଆ ଚାହୁଁଛି । ସାଙ୍ଗେ ସାଙ୍ଗେ ମୋତେ ଦେଖି ଦେଇ ସେ ଉଚ୍ଚ ଘାସରେ ପଶିଯାଇ ଛପିଗଲା । ବର୍ତ୍ତମାନ ଘାସ ମଧ୍ୟରେ ଗୁଳିମାରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା । ଚିତାବାଘ ପବନରେ ଉଡ଼ିଲା ଭଳି ଡେଇଁ ପଳାଇଲା । ଏହାପରେ ସେ ଘାସକୁ ଭାଗ ଭାଗ କରି ବାମଆଡ଼କୁ ପଳାଇଗଲା । ଏବେ ମୁଁ କିଛି କରିପାରିଲି ନାହିଁ ।

 

ଉଚ୍ଚ ସ୍ଥାନରୁ ତାକୁ ଦେଖିବା ପାଇଁ ଗୋଟିଏ ଛୋଟ ପାହାଡ଼ ଆଡ଼କୁ ଦୌଡ଼ିଲି । ଦେଖିଲା ବେଳକୁ ପାହାଡ଼ର ଶୀର୍ଷଦେଶରେ ବାଘଟି ଛିଡ଼ା ହୋଇଛି । କିନ୍ତୁ ମୁଁ ଗୁଳିମାରିବା ପାଇଁ ସଜ ହେଉ ହେଉ ସେ କ୍ଷଣକ ମଧ୍ୟରେ ଲୁଚିଗଲା । ମୁଁ ପ୍ରାୟ ଚାରିଶହ ଫୁଟ ପର୍ଯ୍ୟନ୍ତ ତା’ର ପିଛା ଧରିଲି, କିନ୍ତୁ ବେଳେବେଳେ ସେ ମୋତେ ଦେଖା ଦେଇ ଲୁଚି ଯାଉଥାଏ । ଆଉ ବେଶୀ ବାଟ ନ ଆଗେଇ, ଯେଉଁଠାରେ ପ୍ରଥମେ ଚିତାବାଘକୁ ଦେଖିଥିଲି ସେହି ସ୍ଥାନକୁ ଫେରିଆସିଲି । ସେଠାରେ ପଡ଼ିଥିବା ରକ୍ତ ଦାଗ ଉପରେ ମୋର ଦୃଷ୍ଟି ପଡ଼ିଲା । ମୁଁ ବହୁସମୟ ପର୍ଯ୍ୟନ୍ତ ତା’ ପଛେ ପଛେ ଚାଲିବାକୁ ଲାଗିଲି । କିନ୍ତୁ ରକ୍ତର ଧାର ବହୁତ ବାଟ ପର୍ଯ୍ୟନ୍ତ ପଡ଼ିଥାଏ । ବହୁତ ବୁଲିବାପରେ ସେ ଅଦୃଶ୍ୟ ହୋଇଗଲା ।

 

ଭୀଷଣ ଭୋକ ଯୋଗୁ ମୁଁ ବୁଲି ବୁଲି ଥକିଗଲି । ଅନୁସନ୍ଧାନ କାର୍ଯ୍ୟ ବନ୍ଦ କରିଦେବାପାଇଁ ବିଚାର କଲାବେଳକୁ ପୁଣି ରକ୍ତର ବିନ୍ଦୁ ଦେଖାଗଲା । ମୋର ସାମାନ୍ୟ ବୁଦ୍ଧି ଚୁପ୍‌ଚାପ୍ କରି କହିଲା–ବନ୍ଦ ହୋଇଯାଅ, ଦୁଃସାହସ କର ନାହିଁ । କିନ୍ତୁ ଶିକାରୀର ମନରେ ଉଦ୍ରେକ ହେଉଥିବା ଗର୍ବ କହିଉଠିଲା–ଆଗେଇ ଚାଲ, ଆଜି ପର୍ଯ୍ୟନ୍ତ ତୁମେ କେବେ ନିରୁତ୍ସାହ ହୋଇ ନାହଁ, ଏପରି ଦୁର୍ବଳ ହୋଇଯାଉଛ କାହିଁକି ?

 

ମୁଁ ମୋର ଅଙ୍ଗୁଳିରେ ନିଜର ଛୁରି ସଜାଡ଼ି ନେଲି । ହାତରେ ବନ୍ଧୁକ ଧରି ଘାସକୁ କାନ୍ଧରେ ଆଡ଼େଇ ଆଡ଼େଇ ଆଗେଇଲି । ଭାବିଲି ଚିତାବାଘ କ’ଣ ଘାସରେ ଡିଆଁ ମାରି ମୋ ଉପରକୁ ଡେଇଁ ପଡ଼ିବ । ମୁଁ ରୋକିଯାଇ ଧ୍ୟାନର ସହିତ ଶୁଣିଲି, ଏଣେତେଣେ ଦେଖିଲି । କିଛି ନଥିଲେ, କେଉଁଠାରେ କେହି ହଲଚଲ ହେଉନଥିଲେ । ମୋ ସମ୍ମୁଖରେ ମଧ୍ୟ କିଛି ନ ଥିଲା । ମୁଁ ଡ଼ାହାଣ ମୋଡ଼ ହେଲି । ମୋର ସମସ୍ତ ରକ୍ତ ଏକାଠି ହୋଇଗଲା । ମୋଠାରୁ ମାତ୍ର ଦୁଇପାଦ ଦୂରରେ ଗୋଟାଏ ଚିତାବାଘ ପଛ ଦୁଇଗୋଡ଼ରେ ବସିଥିଲା । ମୋ ଜୀବନରେ କେବେ ଏଡ଼େବଡ଼ ଚିତାବାଘ ଦେଖି ନଥିଲି । ହଠାତ୍ ତା’ର ନଜର ମୋ ଉପରେ ପଡ଼ିଗଲା । ଚିତାବାଘ ଭୟରେ ସତେ ଯେପରି ନିର୍ଜୀବ ହୋଇଯାଇଥିଲି । ମୋ ଭାଗ୍ୟ ଭଲ ସେ କାହିଁକି ଘାସରେ ଧୀରେ ଧୀରେ ଲୁଚିଯାଇ ପୁଣି ଦେଖାଦେଇ ଧୀରେ ଧୀରେ ଚାହିଁଲା ଏବଂ ଘାସ ଉପରେ ଓଲଟି ଚିତେଇ ଶୋଇଲା । ସେ ତା’ର ଚାରୋଟିଯାକ ପାଦ ଚାରିଆଡ଼କୁ ଲମ୍ବେଇ ଦେଇ ଆଖି ବନ୍ଦ କରିଦେଲା ।

 

ମୁଁ ଯାଇ ଦେଖେ, ଯାହାକୁ ପ୍ରଥମେ ଗୁଳି କରିଥିଲି ସେଇ ଚିତାବାଘ ସେଠାରେ ପ୍ରାଣହରାଇ ପଡ଼ିଛି ।

Image